Unknown

 

 

 

 

 

 

 

 

 

ବିଲାତ ଡାଏରୀ

ଡକ୍ଟର ରାଧାନାଥ ରଥ

 

ବହି ବିଷୟରେ ପଦେ

 

୧୯୪୬ ଅଗଷ୍ଟଠାରୁ ୧୯୪୯ ଫେବୃୟାରୀ ପର୍ଯ୍ୟନ୍ତ ଅଢ଼େଇ ବର୍ଷ ମୁଁ ଇଂଲଣ୍ଡରେ ରହିଥିଲି । ମୋର ଅବସ୍ଥାନ ସମୟରେ ଇଂଲଣ୍ଡର ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଶ୍ରେଣୀର ଲୋକମାନଙ୍କ ସମ୍ପର୍କରେ ଆସି ମନରେ ଯେଉଁ ଯେଉଁ ଭାବର ଉଦୟ ହୋଇଥିଲା, ସେସବୁ ଡାଇରୀ ଖାତାରେ ଟିପି ରଖୁଥିଲି । ସେମାନଙ୍କର ଚାଲିଚଳଣ, ଆଚାର ବ୍ୟବହାର, ସାଧାରଣ ଜୀବନରେ ସାଧୁତା, ସମୟନିଷ୍ଠା, ପରିବର୍ତ୍ତିତ ଅର୍ଥନୈତିକ ଓ ରାଜନୈତିକ ପରିସ୍ଥିତିରେ ସେମାନଙ୍କର ମନୋଭାବ, କ୍ରିୟାପ୍ରକ୍ରିୟା ଓ ମତାମତ ପ୍ରଭୃତି ଲକ୍ଷ୍ୟ କରିବାରେ ମୋର ବିଶେଷ ଆଗ୍ରହ ଜନ୍ମିଥିଲା ଏବଂ ଯାହା କିଛି ଆଖିରେ ପଡ଼େ, ସେସବୁର ମୂଳ କାରଣ ଖୋଜି ବାହାର କରିବାର ପ୍ରବୃତ୍ତି ମଧ୍ୟ ମନରେ ଆସିଥିଲା । ବିଶ୍ୱବିଦ୍ୟାଳୟରେ ଗବେଷଣାଗାରରେ, ସଭାଗୃହରେ, ସିନେମା ଟିକେଟ କିଣିବା ପାଇଁ କ୍ୟୁରେ (ଧାଡ଼ିରେ) ଠିଆ ହୋଇଥିବା ବେଳେ, ଖାଇଲାବେଳେ, ବିଶିଷ୍ଟ ସରକାରୀ କର୍ମଚାରୀ, ମନ୍ତ୍ରୀ ଓ ଅନ୍ୟାନ୍ୟ ବଡ଼ ଲୋକଙ୍କ ସହିତ କଥାବାର୍ତ୍ତା କଲାବେଳେ ବା ପାର୍କରେ ଏକେଲା ବସି ବସି ଇଂରେଜୀ ନରନାରୀ, ବାଳକବାଳିକାମାନଙ୍କୁ ଲକ୍ଷ୍ୟ କରୁଥିବା ବେଳେ-ପ୍ରତ୍ୟେକ ସମୟରେ ମୋର ଗୋଟିଏ କଥା ବରାବର ମନେ ପଡ଼ୁଥିଲା ଯେ ଏମାନଙ୍କ ସହିତ ଆମର ତଫାତ୍‌-ଆଉ ତାର କାରଣ-କେଉଁଟା ଭୁଲ, କେଉଁଟା ଠିକ୍‌; କେଉଁଟା ଗ୍ରହଣୀୟ ।

 

ଏସବୁ ବିଷୟରେ ମୋର ବ୍ୟକ୍ତିଗତ ମତାମତ ଡାଇରୀର ଲେଖିରଖେ । ଡାଇରୀ ଲେଖିଲାବେଳେ ମୋର କେଭେଁ ଉଦ୍ଦେଶ୍ୟ ନ ଥିଲା ଯେ ଏସବୁ ପୁସ୍ତକାକାରରେ ପ୍ରକାଶ କରିବି । କିନ୍ତୁ ଦେଶକୁ ଫେରିଲା ପରେ ମୋର କେତେକ ବନ୍ଧୁ ବିଲାତ ବିଷୟରେ କିଛି ଲେଖିବା ପାଇଁ ଅନୁରୋଧ କରିବାରୁ ମୁଁ ମୋର ଡାଇରୀ ଭିତରୁ କେତୋଟି ମତାମତ ଦୈନିକ ‘ସମାଜ’ରେ ପ୍ରକାଶ କରିଥିଲି । ତାପରେ ମୋ ପାଖକୁ ଓଡ଼ିଶାର ଅନେକ ସ୍ଥାନରୁ ବହୁତ ଲୋକ (ଏମାନଙ୍କ ଭିତରୁ ଜଣାଶୁଣା ବନ୍ଧୁଙ୍କ ଅପେକ୍ଷା ଅପରିଚିତ ଲୋକଙ୍କ ସଂଖ୍ୟାହିଁ ବେଶୀ) ମୋର ଲେଖାଗୁଡ଼ିକୁ ଗୋଟିଏ ବହି ଆକାରରେ ପ୍ରକାଶ କରିବା ପାଇଁ ଚିଠି ଲେଖି ଅନୁରୋଧ କରିଥିଲେ । ଏ ଦିଗରେ ‘ସମାଜ’ ସମ୍ପାଦକ ଶ୍ରୀ ରାଧାନାଥ ରଥ ମଧ୍ୟ ମୋତେ ବିଶେଷ ଉତ୍ସାହିତ କରିଥିଲେ ଓ ତାଙ୍କର ‘ଗୋପବନ୍ଧୁ ସାହିତ୍ୟ ମନ୍ଦିର’ ତରଫରୁ ପ୍ରକାଶ କରିବା ପାଇଁ ରାଜି ହୋଇଥିଲେ । ଏଥିଲାଗି ଶ୍ରୀ ରାଧାନାଥ ରଥ ଓ ମୋର ଲେଖାରେ ଆଗ୍ରହ ପ୍ରକାଶ କରି ଚିଠି ଲେଖିଥିବା ବହୁ ଭଦ୍ରବ୍ୟକ୍ତିଙ୍କଠାରେ ମୁଁ ମୋର କୃତଜ୍ଞତା ଜ୍ଞାପନ କରୁଛି । ବହିରେ କେତେଗୁଡ଼ିଏ ଛବି ପାଇଁ ନୂତନ ଧରଣର କାଠ ବ୍ଳକ କରିଦେବା ପାଇଁ ଚିତ୍ରଶିଳ୍ପୀ ଶ୍ରୀ ଅଜିତ କୁମାର ରାୟଙ୍କୁ ମଧ୍ୟ ମୋର ଆନ୍ତରିକ ଧନ୍ୟବାଦ ।

 

ବହିରେ ୨୦ଟି ପରିଚ୍ଛଦ ରହିଛି-ସେଥିରୁ ନଅଟି ଦୈନିକ ‘ସମାଜ’ରେ ଓ ଆଉ ଗୋଟିଏ ଗୋପବନ୍ଧୁ ସଂଖ୍ୟା ‘ସମାଜ’ରେ ପ୍ରକାଶିତ ହୋଇଥିଲା । ଆଉ ଦଶଟି କୌଣସି କାଗଜରେ ପ୍ରକାଶ ପାଇ ନାହିଁ । ବହିଟିର ପ୍ରତ୍ୟେକ ପରିଚ୍ଛଦ ଗୋଟିଏ ଗୋଟିଏ ବିଷୟରେ ଲେଖାହୋଇଛି; ତେଣୁ ଯେ କୌଣସି ପରିଚ୍ଛଦ ଅଲଗା କରି ପଢ଼ାଯାଇ ପାରେ । ସବୁଗୁଡ଼ିକ ଲେଖାର ଗୋଟିଏ କେନ୍ଦ୍ରୀଭୂତ ବିଷୟବସ୍ତୁ ଥିଲେ ସୁଦ୍ଧା ବହିଟିକୁ କେତେଗୁଡ଼ିଏ ପ୍ରବନ୍ଧର ସମଷ୍ଟି ହିସାବରେ ମଧ୍ୟ ଗ୍ରହଣ କରାଯାଇପାରେ ।

 

ବହିଟିର ବିଷୟବସ୍ତୁ ୧୯୪୯ ଜୁନ ଜୁଲାଇ ପୂର୍ବରୁ ଲେଖା ହୋଇ ଥିବାରୁ ସାମାନ୍ୟ କେତୋଟି ଖବର ପୁରୁଣା ହୋଇ ଯାଇଛି; ତେଣୁ ସେହି କେତୋଟି ଖବର ସେହି ସମୟ ଦୃଷ୍ଟିରୁ ଗ୍ରହଣ କରିବା ପାଇଁ ଅନୁରୋଧ ।

 

ପାଠକ-ପାଠିକାଙ୍କ ମନରେ ବିଲାତ ବିଷୟରେ ଗୋଟିଏ ମୋଟାମୋଟି ଧାରଣା ଜନ୍ମାଇ ପାରିଲେ ଶ୍ରମ ସାର୍ଥକ ହେଲା ବୋଲି ମନେ କରିବି ।

 

ରାଧାନାଥ ରଥ

ରେଭେନ୍‌ସା କଲେଜ, କଟକ

୧୯୫୦

 

ସୂଚିପତ୍ର

 

ପରିଚ୍ଛେଦ

ବିଷୟ

ଆରମ୍ଭ

ପ୍ରବେଶ

ଦୁଇ

ଚିଠି

ତିନି

ସାଧାରଣ ଲୋକଙ୍କର ସାଧୁତା ଓ ତାର କାରଣ

ଚାରି

ବ୍ୟକ୍ତିଗତ ସ୍ୱାତନ୍ତ୍ର୍ୟ ପାରିବାରିକ ଓ ସାମାଜିକ ସମ୍ପର୍କ

ପାଞ୍ଚ

ଆଦାବକାଇଦା ଆଚାର ବ୍ୟବହାର

ଛଅ

ଭାରତ ବିଷୟରେ ସାଧାରଣ ଲୋକଙ୍କ ଧାରଣା, ଅନ୍ୟାନ୍ୟ ଜାତି ପ୍ରତି ସେମାନଙ୍କର ମନୋଭାବ

ସାତ

ବ୍ୟକ୍ତି ପ୍ରତି ଶ୍ରଦ୍ଧା, ଗଣତାନ୍ତ୍ରିକ ସ୍ୱାତନ୍ତ୍ର୍ୟ, ମତ ପ୍ରକାଶରେ ସ୍ୱାଧୀନତା

ଆଠ

ସାଧାରଣ କ୍ଷେତ୍ରରେ ଶୃଙ୍ଖଳା, ସୁସଂଯତ କାର୍ଯ୍ୟପ୍ରଣାଳୀ, ସାଧାରଣ ଲୋକଙ୍କର କାର୍ଯ୍ୟ ସମ୍ପାଦିକା ଶକ୍ତି ଓ ନିପୁଣତା

ନଅ

ଅବସର-ବିଶ୍ରାମ, ଉପଭୋଗ ପ୍ରଣାଳୀ

ଦଶ

ଛାତ୍ରଜୀବନ-ଛାତ୍ର ଓ ରାଜନୀତି-ଛାତ୍ର-ଶିକ୍ଷକ ସମ୍ପର୍କ

ଏଗାର

ବିଲାତ ନାରୀ-ଶିକ୍ଷା – ସ୍ୱାଧୀନତା-କର୍ମକୁଶଳତା

ବାର

ବାଧ୍ୟତାମୂଳକ ଓ ଅବୈତନିକ ଶିକ୍ଷାପ୍ରଣାଳୀ-ପ୍ରାଇମେରୀ, ସେକେଣ୍ଡାରୀ, ବିଶ୍ୱବିଦ୍ୟାଳୟଶିକ୍ଷା

ତେର

ଇଂଲଣ୍ଡର ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସାମାଜିକ ହିତକର କାର୍ଯ୍ୟ

ଚଉଦ

ଖବରକାଗଜ

ପନ୍ଦର

ଇଂଲଣ୍ଡରେ ଭାରତୀୟ

ଷୋଳ

ଦଳଗତ ରାଜନୀତି

ସତର

ଶ୍ରମିକ ସରକାରର ଘରୋଇ ନୀତି

ଅଠର

ବୈଦେଶିକ ନୀତି-ଉପନିବେଶ ଓ ଅନ୍ୟାନ୍ୟ ଅଧୀନସ୍ଥ ରାଜ୍ୟ

ଊଣେଇଶ

ବୈଦେଶିକ ନୀତି - ଆନ୍ତର୍ଜାତିକ ସମ୍ପର୍କ

କୋଡ଼ିଏ

ବିଦାୟ

•••

 

–ଆରମ୍ଭ–

ପ୍ରବେଶ

 

୧୯୪୬ ଅଗଷ୍ଟ ୩୦ । ଷ୍ଟ୍ରାଟମୋର ଜାହାଜ ସାଉଥ ହାମ୍ପଟନ୍‌ (ଇଂଲଣ୍ଡ) ବନ୍ଦରରେ ଭୋର ପାଞ୍ଚଟା ବେଳେ ଆସି ପହଞ୍ଚିଲା । ଗୋଟାଏ ଗୋଳମାଳରେ ମୋ ନିଦ ହଠାତ୍‌ ଭାଙ୍ଗିଗଲା-। କାନପାତି ଶୁଣିଲି-ବହୁ କଣ୍ଠୋଚ୍ଚାରିତ ଇଂରେଜ ସଙ୍ଗୀତର ଅସ୍ପଷ୍ଟ ଶବ୍ଦ-ଯୋଜନା-ଘଟଣାଟା ଠିକ୍‌ ବୁଝିପାରିଲି ନାହିଁ; କାରଣ ଆଗରୁ ଜାଣି ନ ଥିଲି ଯେ ଏତେ ଶୀଘ୍ର ଆମ ଜାହାଜ ଇଂଲଣ୍ଡରେ ପହଞ୍ଚିବ । ଇଚ୍ଛା ହେଲା ବାହାରେ ଯାଇ ବୁଲିଆସେ-କିନ୍ତୁ ଉଷୁମ କମ୍ୱଳ ଭିତରୁ ବାହାରିବାକୁ ଆଦୌ ଭଲ ଲାଗିଲା ନାହିଁ । ସେହିପରି ପଡ଼ି ରହିଲି କିଛି ସମୟ; କ୍ରମେ ଚାରିଆଡ଼େ ଗୋଟାଏ ହାଲୋହୋଳର ସୃଷ୍ଟି । ଗୋଳମାଳିଆ ସଂଗୀତ ଆହୁରି ଜୋରରେ ଶୁଣାଗଲା । କୌତୂହଳ ଦମନ ନ କରିପାରି ଜାହାଜର ଡେକ୍‌ରେ ଆସି ପହଞ୍ଚିଲି । ପାହାନ୍ତିଆ ଶୀତଳ ହାଓ୍ୱାରେ ଦେହଟା ଥରିଗଲା । ଚାରିଆଡ଼େ ଗୋଟାଏ ପାତଳା କୁହୁଡ଼ି ସୂକ୍ଷ୍ମ ଧଳା ଚାଦର ପରି ଘେରିରହିଛି । ଆଖି ମଳି ଚାରିଆଡ଼େ ଚାହିଁ ଦେଖିଲି, କିଛି ଦୂରରେ ଆଉ କେତେଗୁଡ଼ାଏ ଛୋଟ ବଡ଼ ଜାହାଜ-ଡେଙ୍ଗା ଡେଙ୍ଗା କେତେଗୁଡ଼ାଏ କ୍ରେନ କୁହୁଡ଼ି ଭେଦି ଟିକିଏ ଟିକିଏ ଦେଖାଯାଉଛି । ଟିକିଏ ଦୂରରେ ଗୋଟା କେତେକ ଘରର ଆଭାସ ମିଳୁଛି ମାତ୍ର, ସବୁ ଝାପ୍‌ସା ସବୁ ଅସ୍ପଷ୍ଟ-ପାହାନ୍ତିଆ ରାତିର ଅଧା ସୁପ୍ତ, ଅଧା ଜାଗ୍ରତ ଅନ୍ଧାରିଆ ମନର କେତୋଟି ଭସା ଭସା ସ୍ୱପ୍ନଚିତ୍ର ପରି । ଭାବିଲି, ଆମେମାନେ ନିଶ୍ଚୟ ଇଂଲଣ୍ଡରେ ପହଞ୍ଚି ଯାଇଛୁ । ଡେକ୍‌ର ରେଲିଂ ଧରି ଠିଆହେଲି-ଝର୍‌ ଝର୍‌ ଝର୍‌ ଝର୍‌ ଶବ୍ଦରେ ଜାହାଜ ଚାଲିଛି । ଭିତରେ ସୈନିକମାନଙ୍କର ସଂଗୀତ-ଝଙ୍କାର ଆହୁରି ଗୋଳମାଳିଆ ଓ ମୋଟାଳିଆ ସ୍ୱରରେ ଶୁଣାଯାଉଛି । ବଡ଼ ଇଚ୍ଛା ହେଲା, ଗୀତର ଶବ୍ଦଗୁଡ଼ିକ ଶୁଣିବାକୁ-ଦଳେ ଉପର ଡେକରେ ଠିଆ ହୋଇ ଗୀତ ଗାଉଥିଲେ-ତାଙ୍କ ପାଖକୁ ଯାଇ ଟିକିଏ ଦୂରରେ ଠିଆହେଲି । ସବୁଟା ଧରି ନ ପାରିଲେ ମଧ୍ୟ ବୁଝିବାକୁ ବାକୀ ରହିଲା ନାହିଁ ଯେ ଦୀର୍ଘ ସମୟ ପରେ ଘରକୁ ଫେରୁଥିବା ସୈନିକମାନେ ମନ ଆନନ୍ଦରେ ଗୀତ ଗାଉଛନ୍ତି; ଇଂଲଣ୍ଡ ବିଷୟରେ-ଇଂଲଣ୍ଡର ପାହାଡ଼, ପର୍ବତ, ହ୍ରଦ, ନଈ, ଗାଁଗଣ୍ଡା, ପ୍ରିୟାପ୍ରୀତି ବିଷୟରେ-‘‘Bring back my bonny to me’’-ବିଷୟରେ ଯୁଦ୍ଧ ପରେ ଦେଶକୁ ଫେରୁଛନ୍ତି-ଜୟ ସୈନିକ ହିସାବରେ ଛାତି କୁଣ୍ଢେ ମୋଟ-ମା, ଭଉଣୀ ଓ ପ୍ରେୟସୀଙ୍କୁ ଦେଖିବା ପାଇଁ ଆନନ୍ଦରେ ତାଙ୍କ ପ୍ରାଣ ଉଲୁସି ଉଠୁଛି; ତେଣୁ ମନଫୁଲାଣିଆ ଗୀତ ଆରମ୍ଭ କରି ଦେଇଛନ୍ତି । ମୋ ମନରେ କେତେ ପ୍ରକାର ଭାବ ଖେଳିଗଲା । ଏମାନେ ଫେରିଛନ୍ତି ଦେଶକୁ-ମୁଁ ଆସିଛି ବିଦେଶକୁ-ଆଚ୍ଛା, ମୁଁ ଯେତେବେଳେ ଫେରିଯିବି-ବମ୍ୱେ ପାଖରେ ଜାହାଜ ପହଞ୍ଚିବ, କି ଗୀତ ଗାଇବି-ଆମର ଭାରତୀୟମାନେ ସବୁ କି ସଂଗୀତ ଗାଇବେ କାହିଁ କିଛି ତ ମନେ ପଡ଼ୁନି-ଯାହାକି ସମସ୍ତେ ମିଳି ଗାଇ ପାରିବୁ ଏପରି ସମସ୍ୱରରେ । କେତେ ଜଣ ଏପରି ମୁକ୍ତ ପ୍ରାଣରେ-ପ୍ରାଣର ସମସ୍ତ ଆବେଗ ଓ ଉଚ୍ଛ୍ୱାସ ସହ ମନଖୋଲି ଗାଇପାରିବେ ? ତା ଛଡ଼ା ଆମ ଭିତରେ କଅଣ ସେପରି ଏକତା ଅଛି ଯେ ହସି ଖୁସି ଗୋଟିଏ ସ୍ୱରରେ ମୁକ୍ତପ୍ରାଣରେ ସମସ୍ତେ ଏକାଠି ଗାଇପାରିବୁ ! ଧର୍ମଗତ ବିଭିନ୍ନତା, ପ୍ରାଦେଶିକ ଶତ୍ରୁତା ଓ ବିଭିନ୍ନ ଗୋଷ୍ଠୀଗତ ପାର୍ଥକ୍ୟ ଆମମାନଙ୍କୁ ଭିନ୍ନ ଭିନ୍ନ ଶ୍ରେଣୀରେ ବାନ୍ଧି ରଖିଛି ।.ଏପରି ଅନେକ ପ୍ରକାରର ଭାବ ମନଟାକୁ ଦବାଇ ଦେଲା । ଆଉ ବେଶି ସେ ବିଷୟରେ ନ ଭାବି ଯାହା ଆଖିଆଗରେ ଆସି ପଡ଼ୁଛି, ସେ ବିଷୟରେ ମନଟାକୁ ଖେଳାଇବାକୁ ଚେଷ୍ଟାକଲି । ସ୍ୱଦେଶ-ଭାବନାର ବିଷାଦ ଓ ଗାଢ଼ କାଳିମାଭରା ମୋଟା ପରଦା ଭିତରୁ ପୁଣି ଆଉଥରେ ମନଟା ଧୀରେ ଧୀରେ ମୁକ୍ତ ହୋଇ ଆସିଲା-ପୁଣି ଶୁଣିବାକୁ ପାଇଲି ପ୍ରାଣଉଲ୍ଲସିତ ସଂଗୀତର ଉଚ୍ଛ୍ୱାସ, ଯାହାର ଅବୋଧ୍ୟ ଭାଷା ହୃଦୟର କେଉଁ ସନାତନ ସ୍ୱପ୍ନପୁରୀକୁ ଶିହରାଇ ଦେଲା-ମନୁଷ୍ୟ ହୃଦୟର ସାର୍ବଭୌମ ଜୀବନୀଶକ୍ତିର ବୀଣାତାରରେ ଏହାର ଅର୍ଥ ଯେପରି ବାଜି ଉଠିଲା-ଦେଶକାଳଗତ ସଂକୀର୍ଣ୍ଣ ଧୀଶକ୍ତି କିଛି କ୍ଷଣ ପାଇଁ ଚେତନାହୀନ ହୋଇପଡ଼ିଲା ।

 

ଓ ! ଏହି ତାହାହେଲେ ଇଂଲଣ୍ଡ, ଯାହାର ସଭ୍ୟତା ଗଲା ଦୁଇ ଶହ ବର୍ଷ ଧରି ସାରା ପୃଥିବୀକୁ ପ୍ରଭାବିତ କରିଛି ଓ ସେଥି ସଙ୍ଗେ ସାରା ମନୁଷ୍ୟସମାଜରେ ଭୟ ଓ ଅତ୍ୟାଚାରର ତାଣ୍ଡବଲୀଳା ବି ସୃଷ୍ଟି କରିଛି । ଭାରତବର୍ଷ ପରି ବିରାଟ ଦେଶ-୬ ହଜାର ବର୍ଷର ସଭ୍ୟତା ଓ ସଂସ୍କୃତି ନେଇ ଚାଳିଶି କୋଟି ଲୋକ ଧରି ଏହି କ୍ଷୁଦ୍ର ଦେଶର ପାଦତଳେ ସଲାମ କରୁଛି । ଆଖିଆଗରେ ବିରାଟ ଶୂନ୍ୟତା ମଧ୍ୟରେ ଦୁଇଟି ଦେଶର ଛବି ଭାସିଗଲା । ଇଂଲଣ୍ଡ କ୍ଷୁଦ୍ର ଅଥଚ ସବଳ, ସୁସ୍ଥ, ସତେଜ, ଜୀବନୀଶକ୍ତି-ପରିପୂର୍ଣ୍ଣ, ସଂଘବଦ୍ଧ ଓ ସୁଶୃଙ୍ଖଳ-ସୈନିକ ପରି ମୁଷ୍ଟିବଦ୍ଧ ତରବାରୀ ଧରି, ଇଷ୍ପାତ ପରି ମାଂସପେଶୀ ସବୁ ଦେଖାଇ, ଛାତି ଫୁଲାଇ, ଗର୍ବ ଓ ଗୌରବରେ ମୁଣ୍ଡ ଟେକି ଠିଆହୋଇଛି-ଆଉ ଭାରତବର୍ଷ ବିରାଟ ହେଲେହେଁ ଗରୀବ, ଦୁର୍ଭିକ୍ଷକ୍ଳିଷ୍ଟ-ସଭ୍ୟତା ତାର ସଂକୀର୍ଣ୍ଣ, ପୁରାତନ ସଂସ୍କୃତି ବିସ୍ମୃତ ଓ କୁସଂସ୍କାରପୂର୍ଣ୍ଣ, କ୍ଷତବିକ୍ଷତ ଜରାବୟବ, ଶିଥିଳ ହସ୍ତ ଓ ମଥାବନତ ହୋଇ ସଲାମ କରୁଛି । କି ତଫାତ ! କାରଣ ? ନାଁ ସେସବୁ ବିଷୟରେ ଭାବିବାର ସମୟ ବର୍ତ୍ତମାନ ନୁହେଁ-କାରଣ କିଏ ନ ଜାଣେ ? ତଫାତ୍‌ କିଏ ନ ବୁଝିଛି ?

 

ଏହି ତେବେ ସେହି ପୃଥିବୀବିଖ୍ୟାତ କ୍ଷୁଦ୍ର ଦ୍ୱୀପଟି, ଯାହାର ନାମ ଇଂଲଣ୍ଡ ! ଇଂରେଜ ସୈନିକର ବିଜୟମଣ୍ଡିତ ଇଂଲଣ୍ଡ ! କବିର ପ୍ରାଣପ୍ରିୟ ‘England my England-!’ କ୍ରମେ କ୍ରମେ କିଛି କିଛି ଗଛପତ୍ର ଦେଖାଗଲା । ଏଠି ସେଠି ଗୋଟାଏ ଦିଟା ବଡ଼ ବଡ଼ ଘରର ଧୂଆଁନଳା କୁହୁଡ଼ି ଭେଦି ଆଖିଆଗରେ ଦିଶିଗଲା । ହଠାତ୍‌ ମନଟା ଏହି ଘରଗୁଡ଼ିକର ବାସିନ୍ଦାମାନଙ୍କ ପ୍ରତି କୌତୂହଳୀ ହୋଇଉଠିଲା । ଏହି ପୃଥିବୀବିଖ୍ୟାତ ଇଂଲଣ୍ଡର ସାଧାରଣ ଲୋକେ କିପରି ହୋଇଥିବେ ? ଏହା କଅଣ ସମ୍ଭବ ଯେ ଏଠାକାର ସମସ୍ତେ ଆମଦେଶର ଗୋରା, ଆଇ, ସି, ଏସ୍‌,ଙ୍କ ପରି ଉଦ୍ଧତ ? ଟମିମାନଙ୍କ ପରି ନିର୍ଦ୍ଦୟ ? ନୀଳଚାଷ, ଚାବଗିଚା ପ୍ରଭୃତି ବ୍ୟବସାୟୀଙ୍କ ପରି ରକ୍ତଶୋଷକ ? ନା, ନା, ସେହି ଦେଶର ତ ଫେରେ ଦୀନବନ୍ଧୁ ସି. ଏଫ. ଆଣ୍ଡୃଜ । କଳ୍ପନାଚକ୍ଷୁରେ ଦେଖିଲି, ଯେପରି ଗୋଟାଏ ବିରାଟ ଜନସ୍ରୋତ ଶୋଭାଯାତ୍ର କରି ବାହାରିଛନ୍ତି ଅସଂଖ୍ୟ ସାଧାରଣ କୁଲି ମଜୁରିଆ କ୍ଳର୍କ ମାଷ୍ଟରଙ୍କ ଜନସ୍ରୋତ ଭିତରେ ଚର୍ଚ୍ଚିଲ ଓ ଲିନ୍‌ଲିଥ୍‌ଗୋ, ଆଣ୍ଡୃଜ, ଓ୍ୟାଡ଼ସ୍‌ଓ୍ୟାର୍ଥ, ସେଲି ଓ ସେକ୍‌ସପିଅର-କ୍ଳାଇବ ଓ ମୁଷ୍ଟିମେୟ ଇଷ୍ଟ ଇଣ୍ଡିଆନ୍‌ କମ୍ପାନିର ବଣିକ-ଦସ୍ୟୁ-ସମସ୍ତେ ଚାଲିଛନ୍ତି । ସୁବିସ୍ତୃତ ସାଗରବକ୍ଷରେ ଫେନାୟିତ କେତୋଟି ଜଳବୁଦ୍‌ବୁଦ୍‌ ପରି ଶାସକଶ୍ରେଣୀ-ଲର୍ଡ଼, ବ୍ୟାରେନଙ୍କ ଦଳ ମଧ୍ୟ ଜନତା ଭିତରୁ ମଝିରେ ମଝିରେ ଭାସି ଉଠୁଛନ୍ତି-। ଏମାନେ ସାମାନ୍ୟ କେତେ ଜଣ ହେଲେ ମଧ୍ୟ ପ୍ରଚୁର ସମ୍ପତ୍ତିର ଘନୀଭୂତ ବିଷପାତ୍ରର ଅପ୍ରତିଦ୍ୱନ୍ଦୀ ଅଧିକାରୀ ହୋଇ ସମସ୍ତଙ୍କଠାରୁ ବଳୀୟାନ ହୋଇ ପଡ଼ିଛନ୍ତି । ବିଷର ତୀବ୍ର ଜ୍ୱାଳାରେ ନିଜ ଦେଶର ଗରୀବ ଭାଇଭଉଣୀଙ୍କଠାରୁ ଆରମ୍ଭ କରି ପୃଥିବୀବ୍ୟାପୀ ନିରୀହ ନରନାରୀ ସମସ୍ତେ ଅଚେତନ ହୋଇ ପଡ଼ୁଛନ୍ତି ଓ ସେହି ଅବସରରେ ଏମାନଙ୍କର ଲୁଣ୍ଠନକ୍ରୀଡ଼ା ମହା ଉତ୍ସବରେ ଲାଗିରହିଛି । ପୃଥିବୀ ଅତ୍ୟାଚାରରେ ଶିହରୀ ଉଠିଛି । ଯୁଦ୍ଧ, ମହାମାରୀ, ଦୁର୍ଭିକ୍ଷ ଗୃହଯୁଦ୍ଧ ପ୍ରଭୃତି ଧ୍ୱଂସଲୀଳା ଏମାନଙ୍କ ଚେଶ୍‌ପାଲିର ଅଭିନବ ପରିଚାଳନା ମାତ୍ର । ସଭ୍ୟତା ପ୍ରଚାର ପଛରେ ଲୁଣ୍ଠନର ନିର୍ମମ ଇତିହାସ-ବାଇବେଲ ସାଙ୍ଗରେ ଶଠତାର ତୀକ୍ଷ୍‍ଣ ଛୁରୀକା-ବିଜ୍ଞାନ ପ୍ରସାର ସାଙ୍ଗରେ ଦାସତ୍ଵର ଶୃଙ୍ଖଳ ପୃଥିବୀକୁ ଦୁର୍ବଳ କରି ପକାଇଛି । ସାମାନ୍ୟ କେତେଜଣ ଦୟାଳୁ ଲୋକସେବକଙ୍କର ପ୍ରକୃତ ଦାନ ଓ ମାନବିକତା ଏମାନଙ୍କର କ୍ରୁର ଅସିମୁନ ଓ ବନ୍ଧୁକଗୁଳିରେ କୁଆଡ଼େ ହଜିଯାଇଛି ।

 

ଏଇ ଇଂଲଣ୍ଡର କାର୍ଯ୍ୟକଳାପ କେତେ ପ୍ରକାର ବା ହୋଇ ନ ଥିବ । ଏପରି ଏକ ପାହାନ୍ତିଆରେ ହୁଏତ କ୍ଳାଇବ ଠିକ୍‌ ଏହି ସ୍ଥାନରୁ ଭାରତ ଅଭିମୁଖେ ଯାତ୍ରା କରିଥିବେ । ଠିକ୍‌ ଏପରି ଏକ ପାହାନ୍ତିଆରେ ହୁଏତ ଟୋମାସ୍‌ ହାର୍ଡ଼ି, ସେକ୍‌ସପିଅର ପ୍ରଭୃତି ତାଙ୍କର ସାହିତ୍ୟଜଗତର ଅମର ନାୟକନାୟିକାଙ୍କ ସହିତ ମୁହାଁମୁହିଁ ହୋଇ ବସି ମନ ବିଶ୍ଳେଷଣ କରୁଥିଲେ-ଓ୍ୟାର୍ଡ଼ସ୍‌ଓ୍ୟାର୍ଥ, ସେଲି, କିଟ୍‌ସଙ୍କ ପ୍ରାଣ ବେଦନାରେ ପୂରି ଉଠିଥିଲା ।

 

ଏହି ଇତିହାସପ୍ରସିଦ୍ଧ ଇଂଲଣ୍ଡ-ଯାହାର ପ୍ରଧାନ ନଗରୀ ଲଣ୍ଡନ ଆଜିପର୍ଯ୍ୟନ୍ତ ପୃଥିବୀର ବାଣିଜ୍ୟ ଓ ସଂସ୍କୃତିର କେନ୍ଦ୍ର ରୂପେ ପରିଗଣିତ ହୋଇ ଆସୁଥିଲା ଏବଂ ଯାହାର କୁଟନୀତି ଓ ତରବାରୀ ଭୟରେ ସାରା ପୃଥିବୀ ସଙ୍କୁଚିତ ହୋଇ ରହିଥିଲା । ଦୁଇଟି ପୃଥିବୀଯୁଦ୍ଧ ପରେ ତାହାର ପ୍ରଭାବ ଆଜି ବହୁତ କ୍ଷୁଣ୍ଣ ହୋଇଛି । ଯେଉଁ ଦେଶର ରକ୍ତରେ ପରିବର୍ଦ୍ଧିତ ଓ ପାରିପାଳିତ ହୋଇଥିଲା, ସେହି ଦେଶର ଦୁର୍ବଳ, ରୁଗ୍‌ଣ ଓ ନିସ୍ତେଜ ମଣିଷମାନେ ତାକୁ ନୂତନ ସମରପ୍ରାଙ୍ଗଣରେ ଆହ୍ୱାନ କରିଛନ୍ତି ।...ଗତ କେତେ ଶହ ବର୍ଷର ଅବିଚ୍ଛିନ୍ନ ଅଭ୍ୟୁଦୟ ପରେ ଆଜି ଏହି ଦେଶର ଜନସାଧାରଣ ଓ ଚର୍ଚ୍ଚିଲ ପ୍ରଭୃତି ଶାସକଗୋଷ୍ଠୀ କିପରି ଭାବରେ ସମୟ କଟାଉଛନ୍ତି, ଏସବୁ ଦେଖିବାର ଇଚ୍ଛା ପ୍ରବଳ ହୋଇ ଉଠିଲା । ଗୃହପ୍ରତ୍ୟାଗତ ବିଜୟୀ ଯୋଦ୍ଧାଙ୍କର ଗୀତ ଶୁଣି ଯେଉଁ ସ୍ୱଦେଶକାତରତା ମନ ଭିତରେ ଦେଖା ଦେଇଥିଲା, ତାହା କ୍ରମେ କ୍ରମେ ଦୂର ହୋଇଗଲା ଓ ଅନେକ ପ୍ରକାର କୌତୂହଳରେ ମନ ଆଲୋଡ଼ିତ ହେଲା ।

 

ଜାହାଜରୁ ଓହ୍ଲାଇ ରେଳଗାଡ଼ିରେ ଆସି ବସିଲୁ-କିଛି ସମୟ ପରେ ରେଳ ଦ୍ରୁତଗତିରେ ଲଣ୍ଡନ ଅଭିମୁଖରେ ଛୁଟିବାକୁ ଆରମ୍ଭକଲା । ରାସ୍ତାର ଦୁଇ କଡ଼ରେ ବହୁତ ରକମର ଛୋଟ ବଡ଼ ଗଛ ସୂର୍ଯ୍ୟକିରଣରେ ଚିକ୍‌ ଚିକ୍‌ କରୁଥାଏ । ଆମଦେଶ ପରି ଅନେକଟା ଲାଗୁଥାଏ; କିନ୍ତୁ କ୍ରମେ କ୍ରମେ ତଫାତ୍‌ଟା ସ୍ପଷ୍ଟ ହୋଇ ଉଠିଲା ଯେଉଁ ଆଡ଼େ ଦେଖିବ କୋଠାଘର-ବଡ଼ ସାନ ମିଶାମିଶି; କିନ୍ତୁ ଦୋତାଲାରୁ କେହି ପ୍ରାୟ ଛୋଟ ନୁହେଁ-ଚାରିଆଡ଼େ କଳକାରଖାନାମାନଙ୍କର ଧୂଆଁ ଅବିରତ ବାହାରୁଛି । ଚିକ ଚିକ୍‌ ପିଚ୍‌ରୋଡ଼ରେ କେତେ ରକମର ଟ୍ରକ୍‌, ବାସ୍‌, କାର ଅବିରାମ ଗତିରେ ଛୁଟିଛି । ଆକାଶରେ ଚିଲ ପଇନ୍ତରା ମାରିଲା ପରି ଦଳେ ଦଳେ ଉଡ଼ାଜାହାଜ ଉଡ଼ି ବୁଲୁଛନ୍ତି-କେଉଁଠି କ୍ରିକେଟ ଖେଳ ହେଉଛି ତ ଅନ୍ୟ କେଉଁଠି ଫୁଟ୍‍ବଲ୍‌, ଟେନିସ୍‌ ପ୍ରଭୃତି ଖେଳ ଲାଗିଛି । ପାର୍କସବୁ ଲୋକାରଣ୍ୟ-ସ୍ତ୍ରୀପୁରୁଷ ମନଖୁସିରେ ବୁଲୁଛନ୍ତି । ଚାରିଆଡ଼େ ବଳିଷ୍ଠ ଜୀବନର ଗୋଟାଏ ବିରାଟ ସ୍ପନ୍ଦନ ଯେପରି ଲାଗିରହିଛି । ଆମ ଦେଶରେ ରେଳରେ ଯାଉଥିବା ବେଳର ଦୃଶ୍ୟଠାରୁ ଏହା ନିଶ୍ଚୟ ବହୁତ ଫରକ । ଅସ୍ଥିକଙ୍କାଳସାର କୃଷକ ଜରାଜୀର୍ଣ୍ଣ ଗୋରୁ ନେଇ କୌଣସି ମତେ ମାଟି ଉଖାରୁ ନାହିଁ କି ମ୍ୟାଲେରିଆ ଓ ଅନ୍ୟାନ୍ୟ ରୋଗଗ୍ରସ୍ତ ଦୁର୍ବଳ ଶିଶୁଦଳଙ୍କର କରୁଣ ନଗ୍ନ ରୂପ ରେଳଝରକା ଭିତରୁ ଦେଖା ଯାଉନାହିଁ; ମାତୃଜାତିର ନିଷ୍ପ୍ରଭ ଚାହାଣୀ ମଳିନ ବସନ ଭେଦି ସମାଜ ବିରୁଦ୍ଧରେ ଅଯଥା ପ୍ରତିବାଦ ଜଣାଉ ନାହିଁ । ମୋଟାମୋଟି ମନେହୁଏ, ସେମାନେ ଯେପରି ପ୍ରାଣର ସମସ୍ତ ସରସତା ନେଇ ଜୀବନସ୍ରୋତରେ ଆଗେଇ ଚାଲିଛନ୍ତି; ଆଉ ଆମେମାନେ ଅର୍ଦ୍ଧମୃତ ଭାବରେ କୌଣସି ମତେ ଗଡ଼ି ଚାଲିଛୁ ମୃତ୍ୟୁକବର ଆଡ଼େ । ଅବଶ୍ୟ ଆମ ଦେଶର ଅନେକେ କହନ୍ତି ଯେ ଆମ ପଲ୍ଲୀରେ ଯେପରି ଶାନ୍ତି ଅଛି ତାହା ଆଉ କୌଣସି ଦେଶରେ ନାହିଁ । ହୁଏତ ଆମ ପଲ୍ଲୀରେ ଦିନେ ଶାନ୍ତି ଥିଲା; କିନ୍ତୁ ଆଜି କାହିଁ ସେ ଶାନ୍ତି ! ଯେଉଁ ପୁରପଲ୍ଲୀରେ ବର୍ଷସାରା ହଇଜା, ବସନ୍ତ, ମ୍ୟାଲେରିଆ ପ୍ରଭୃତି ରୋଗ ଲାଗି ରହିଛି-ଯେଉଁ ପଲ୍ଲୀର ଅଧିକାଂଶ ଲୋକେ ଦୁଇ ବେଳା ମୁଠାଏ ଖାଇବାକୁ ପାଆନ୍ତି ନାହିଁ, ସେଠି କିପରି ସୁଖଶାନ୍ତି ଥାଇପାରେ ? ସହରବାସୀ ବାବୁ ସାହେବମାନଙ୍କ କବିତାରେହିଁ ଏକପ୍ରକାର ସୁଖଶାନ୍ତି ଦେଖିବାକୁ ମିଳେ ।

 

ଏହିପରି ଅନେକ ପ୍ରକାର ଚିନ୍ତାଧାରା ମନକୁ ଆଲୋଡ଼ିତ କରୁଥିବା ବେଳେ ରେଳଟା କେତେ ବେଳେ ଆସି ଲଣ୍ଡନ ସହରର ଓ୍ୱାଟରଲ ଷ୍ଟେସନ୍‌ରେ ଆସି ଥମ୍‌କରି ଠିଆ ହୋଇଗଲା । ଲୋକଗହଳିରେ ଷ୍ଟେସନ ଯେପରି ଭାଙ୍ଗିପଡ଼ୁଥାଏ-ଚରିଆଡ଼େ ଖାଲି ଜନତା-ସ୍ତ୍ରୀ ପୁରୁଷ, ପିଲାପିଲି-କୁଲି, ମଜୁରିଆ, କ୍ଳର୍କ, ମାଷ୍ଟର, ପୋଲିସ, ଗାଡ଼ିଚାଳକ ଇତ୍ୟାଦି-ଖାଲି ମଣିଷ-ଯେଉଁ ଆଡ଼େ ଦେଖିବ ମଣିଷ । ଲଣ୍ଡନ ସହରର ପ୍ରାୟ କୋଟିଏ ଲୋକଙ୍କର ବିରାଟ ସମୁଦ୍ରର ଉପକୂଳରେ ଆସି ପହଞ୍ଚିଲି-ଏ ବିଶାଳ ଜନତାଗର୍ଭରେ ଝାମ୍ପ ଦେବାକୁ ନିଜକୁ କାହିଁକି ହଠାତ୍‌ ଅସହାୟ ମନେହେଲା-ବ୍ୟକ୍ତିତ୍ଵର ଅସ୍ତିତ୍ଵ ଯେପରି ହଠାତ୍‌ ଲୋପ ହୋଇଗଲା । କଟକର ଧୂଳିଧୂସର ରାସ୍ତା ମନେପଡ଼ିଲା-ପ୍ରତ୍ୟେକ ଜରାଜୀର୍ଣ୍ଣ କୋଠା ଯେପରି ମୋ ମନ ଭିତରେ ଆସି ଉଙ୍କି ମାରିଲେ-ଯେଉଁଆଡ଼େ ଯିବ ଗୋଟାଏ ପରିଚିତ-ଭାବ-ସମସ୍ତେ ଯେପରି ଅତି ଆପଣାର; ତେଣୁ ବ୍ୟକ୍ତିତ୍ଵର ଅସ୍ତିତ୍ଵ ଉପଲବ୍‌ଧି କରିହୁଏ । ଏଠାକାର ଏ ବିରାଟଜନତା ଦେଖି ମନେହେଲା, ଯେପରି ଏହା ଗୋଟାଏ ପ୍ରକାଣ୍ଡ ଲୌହରାକ୍ଷସର ଗତିଶୀଳ କିନ୍ତୁ ପ୍ରାଣହୀନ ଯାନ୍ତ୍ରିକ ଅଙ୍ଗପ୍ରତ୍ୟଙ୍ଗ-ହସ ଅଛି; କିନ୍ତୁ ସ୍ନେହ ନାହିଁ-କଥା ଅଛି, କିନ୍ତୁ ଉଦ୍ଦେଶ୍ୟ ନାହିଁ-ଭଦ୍ରତା ଅଛି; କିନ୍ତୁ ସହାନୁଭୂତି ନାହିଁ......ମନଟା କିଛି କ୍ଷଣ ପାଇଁ ନିଜ ଦେଶ ପ୍ରତି ଆକୃଷ୍ଟ ହୋଇ ପଡ଼ିଲା-‘‘ଥାଆନ୍ତା ଯଦି ମୋର ବିହଙ୍ଗ ପକ୍ଷ, ଲଘିଂ ଭୀଷଣ ଗିରି ସାଗରବକ୍ଷ, ଦେଖନ୍ତି ପ୍ରିୟଜନ ମୁଖକମଳ, ହୁଅନ୍ତା ଏ ସନ୍ତପ୍ତ ପ୍ରାଣ ଶୀତଳ ।’’ କବିତାଟି ମନେ ପଡ଼ିଗଲା । ନାଁ ନାଁ, ପଛକୁ ଚାହିଁବା ଅର୍ଥ ପରାସ୍ତ-ଆଗକୁ ଆଗକୁ ଚାଲିବାହିଁ ଜୀବନର ଧର୍ମ. ।

•••

 

–ଦୁଇ–

ଚିଠି

 

ସାତ ସମୁଦ୍ର ତେର ନଦୀ ଆର ପାଖୁ ଖଣ୍ଡେ ଚିଠି ପାଇଲି, ଗୋପବନ୍ଧୁ ଶ୍ରାଦ୍ଧସଂଖ୍ୟା ସକାଶେ କିଛି ଲେଖିବାକୁ । କଅଣ ଲେଖିବି କିଛି ଠିକ୍‌ କରିପାରିଲି ନାହିଁ । ଗୋପବନ୍ଧୁଙ୍କୁ ମୁଁ ଦେଖିନାହିଁ କି ତାଙ୍କ ସଙ୍ଗରେ ଦିନେ, ଦୁଇ ଦିନ କିମ୍ୱା ଗୋଟିଏ ସନ୍ଧ୍ୟା କଟାଇ ନାହିଁ; ତେଣୁ ସେ ବିଷୟରେ କିଛି ଲେଖିପାରିବି ନାହିଁ । ତାଙ୍କର ବକ୍ତୃତା ଶୁଣି ନାହିଁ କି କୌଣସି ଉପାୟରେ ବି ଥରେ ଦେଖି ନାହିଁ; ତେଣୁ ନିଜର ଅନୁଭୂତି ବିଷୟରେ ବି କିଛି ଲେଖିବାର ଉପାୟ ନାହିଁ । ତାଙ୍କର ଲେଖାଲେଖିରୁ ଓ ଅନ୍ୟମାନଙ୍କର ବ୍ୟକ୍ତିଗତ ଅନୁଭୂତିରୁ ଯାହା ପାଇଛି, ସେଥିରୁ ଖାଲି ଏତିକି ବୁଝିପାରିଛି ଯେ, ମହାମାନବ ଗୋପବନ୍ଧୁ ଦରିଦ୍ର ଓଡ଼ିଶାର ଗୋଟିଏ ଜମାଟବନ୍ଧା ଦୀର୍ଘଶ୍ୱାସ । ଅଭିଶପ୍ତ ଜାତିର ଦୀର୍ଘଶ୍ୱାସ ବାହାର ଦୁନିଆ ଆଗରେ ପହଞ୍ଚିବାର ନୁହେ; ତେଣୁ ଗୋପବନ୍ଧୁଙ୍କର ଅକାଳମୃତ୍ୟୁ ହୋଇଛି । ଅଭାବଗ୍ରସ୍ତା ଦୁଃଖିନୀ ଓଡ଼ିଶାର ଗୋଟିଏ ବୁକୁଫଟା ପ୍ରତୀକ (Symbol) ଛଡ଼ା ମୁଁ ତାଙ୍କୁ ଅନ୍ୟ ହିସାବରେ ଦେଖିବାକୁ ସୁବିଧା ପାଇନାହିଁ; ତେଣୁ ତାଙ୍କ ବିଷୟରେ କିଛି ଲେଖିବାକୁ ମୁଁ ପ୍ରୟାସ କରିବି ନାହିଁ । ଲଣ୍ଡନ ସହରରେ ବସି ସେହି ଲୋକ ଲୋଚନ-ଅଗୋଚର ଓଡ଼ିଶା ବିଷୟରେ ମୋର ଯେଉଁ କେତୋଟି ଧାରଣା ପ୍ରତିମୁହୂର୍ତ୍ତରେ ମନଭିତରେ ଉଠେ, ସେହି ବିଷୟରେ ପଦେଅଧେ ଲେଖିବି ବୋଲି ଭାବୁଛି ।

 

*

୧୯୪୭ ଗୋପବନ୍ଧୁ ଶ୍ରାଦ୍ଧସଂଖା ‘ସମାଜ’ ଲାଗି ଲିଖିତ ଚିଠି ।

 

ଲଣ୍ଡନରେ ଯେତେବେଳେ ବିଶିଷ୍ଟ ଇଂରେଜ ଲୋକଙ୍କ ସହିତ ଦେଖାହୁଏ ସେମାନେ ପଚାରନ୍ତି ଭଦ୍ରତା ଖାତିରିରେ ହେଉ କିମ୍ୱା ପ୍ରକୃତ ଜାଣିବା ଅଭିଳାଷରେ ହେଉ-‘‘what part of India you come from ?’’ (ଭାରତର କେଉଁ ଅଞ୍ଚଳରୁ ଆପଣ ଆସିଛନ୍ତି ?) ମୁଁ କହେ ‘‘ଓଡ଼ିଶା’’ । ଭଦ୍ରଲୋକ ଅପ୍ରସ୍ତୁତ ହୋଇ ଯାଆନ୍ତି କିଛି ସମୟ ଲାଗି-ଭାବନ୍ତି ବୋଧହୁଏ, ଆହା କାହିଁକି ପଚାରିଲି ! ତା ପରେ ଧଡ଼୍‌ ପଡ଼୍‌ ହୋଇ କହନ୍ତି, ‘‘କ୍ଷମା କରିବେ, ମୋର ଭୂଗୋଳଜ୍ଞାନ ବଡ଼ କମ । ମୁଁ କେବେ ଭୂଗୋଳରେ ଭଲ କରି ନ ଥିଲି’’ । ମୁଁ କିନ୍ତୁ ଅସଲ କଥାଟା ବୁଝିପାରେ । ମୋର ଛାତିଟା ଧଡ଼୍ କରି ଉଠେ, ମନଟା ମରିଯାଏ । ବୁଝାଇବାକୁ ଚେଷ୍ଟା କରେ, ପୂର୍ବୋପକୂଳ-ମାନ୍ଦ୍ରାଜ ଓ ବଙ୍ଗଳା ମଝିରେ-ଭାରି ଚମତ୍କାର ସ୍ଥାନ-ଖୁବ୍‌ ଭଲ ଭଲ ଜାଗାସବୁ ଅଛି, ଇତ୍ୟାଦି ଇତ୍ୟାଦି । ହୁଏତ ବହୁତ ବେଶୀ କହି ପକାଏ, ବୁଝିପାରେ ନିଜର ଭୁଲ-ଦେଖେ ଭଦ୍ରଲୋକଙ୍କର ବିଶେଷ କିଛି ଇଚ୍ଛା ନାହିଁ ଏତେ ବିଷୟ ଜାଣିବାରେ-ଚୁପ୍‌ କରିଯାଏଁ । ଆଜିଯାଏ କେହି ଜଣେ କହି ନାହାନ୍ତି ଯେ, ‘‘ଓଃ ଓଡ଼ିଶା, ହଁ, ହଁ, ବେଶ ଜାଗା’’-(ପ୍ରଶ୍ନକର୍ତ୍ତାଙ୍କ ମଧ୍ୟରୁ ଅବଶ୍ୟ ଅଧିକାଂଶ ଭାରତରେ କିଛି ଦିନ କାମ କରିଛନ୍ତି-ଯୁଦ୍ଧ ସମୟରେ, ଥରେ ଜଣେ କହିଲେ, ‘‘ହଁ ହଁ, ମୁଁ ଜାଣେ କଟକ ସହରର ନାଁ’’-ମୁଁ ଆନନ୍ଦରେ ଅଧୀର ହୋଇ ପଚାରିଲି ‘‘କିମିତି ଲାଗିଲା ? ବେଶ ଜାଗା ନୁହେଁ ? ଦୁଇ ଆଡ଼େ ନଈ-କି ଚମତ୍କାର ।’’ ସେ କହିଲେ, ‘‘ଓ, ମୁଁ ଶୁଣିଛି, ଯାଇ ନାହିଁ । ମୋର ଜଣେ ବନ୍ଧୁ ସେବାଟେ ମାନ୍ଦ୍ରାଜ ଯାଉଥିଲେ ଯେ କହୁଥିଲେ ।’’ ମନଟା ଦବିଗଲା-କଥା ଆଉ ଜମାଇ ପାରିଲି ନାହିଁ । ଏ ତ ଗଲା ଇଂରେଜମାନଙ୍କର କଥା; କିନ୍ତୁ ଆମ ଭାରତୀୟମାନଙ୍କର ଯେ ବିଶେଷ ଜ୍ଞାନ ଅଛି ଓଡ଼ିଶା ବିଷୟରେ, ତା ନୁହେ । ଶିକ୍ଷିତ ଲୋକେ ଖାଲି ଜାଣନ୍ତି ଯେ, ଓଡ଼ିଶା ବୋଲି ଗୋଟିଏ ପ୍ରଦେଶ ଅଛି, ଆଉ ଅଶିକ୍ଷିତ ଲୋକେ କିଛି ବୁଝିପାରନ୍ତି ନାହିଁ । ମୋର ମନେ ଅଛି ଲକ୍ଷ୍ନୌ, ମଧୁରା, ଦିଲ୍ଲୀ ପ୍ରଭୃତି ଆଡ଼େ ସାଧାରଣ ଲୋକେ ଖାଲି ଜଗନ୍ନାଥ ଦେଶ ବୋଲି କହିଲେ ବୁଝନ୍ତି, ‘ଓଡ଼ିଶା’-ନାମ କେବେ ଶୁଣି ନାହାନ୍ତି । ଅନେକ ସମୟରେ ସେମାନଙ୍କ ଉପରେ ରାଗ ହୁଏ-ମୂର୍ଖଗୁଡ଼ାକ କିଛି ଜାଣନ୍ତି ନାହିଁ ; କିନ୍ତୁ ଏଟା କଣ ତାଙ୍କର ଦୋଷ ? ସେମାନେ ଜାଣିବେ କିପରି ? ଆମେମାନେ ଜଣାଇବା ସକାଶେ କଣ କରିଛେଁ ଯେ ସେମାନେ ଜାଣିବେ ? ଜବାହରଲାଲଙ୍କ ‘‘Discovery of India’’ ଭାରତ ବିଷୟରେ ଗୋଟିଏ ପ୍ରସିଦ୍ଧ ବହି କହିଲେ ଚଳେ । ସେଥିରେ ସେ କେତେ କଥା ଲେଖି ନାହାନ୍ତି ? ଏପରି କି ଗୋଟିଏ ଗୋଟିଏ ପ୍ରଦେଶର ଗୋଟିଏ ଗୋଟିଏ ପରିବାର ବିଷୟରେ ଲେଖିବାକୁ ଛାଡ଼ି ନାହାନ୍ତି; କିନ୍ତୁ ଓଡ଼ିଶାର ସର୍ବୋତ୍କୃଷ୍ଟ କଳା ବିଷୟରେ ପଦେ ସୁଦ୍ଧା କହି ନାହାନ୍ତି । ଭାରତବର୍ଷରେ ବ୍ରିଟିଶ ରାଜତ୍ଵ ସମୟରେ ଯେଉଁ ସବୁ ଦାରୁଣ ଦୁର୍ଭିକ୍ଷ ହୋଇଛି, ସେସବୁ ବର୍ଣ୍ଣନା କରିଛନ୍ତି-ଓଡ଼ିଶାର ‘ନଅଙ୍କ’ ବିଷୟରେ ପଦେ ସୁଦ୍ଧା କହି ନାହାନ୍ତି । ଜବାହରଲାଲଙ୍କ ପରି ପଣ୍ଡିତ ଓ ହୃଦୟବାନ୍‌ ଲୋକ ମଧ୍ୟ ଏ ବିଷୟରେ କିଛି ଲେଖିବାର ସୁବିଧା ପାଇ ନାହାନ୍ତି; ତାର କାରଣ କଣ ତାଙ୍କର କ୍ଷୁଦ୍ରତା, ନା ଆମର ଅପାରଗତା ? କେତେ କଣ ଜାଣନ୍ତି, ଆମର କଳା ଏତେ ଉତ୍‌କୃଷ୍ଟ ? କେତେ ଜଣ ଭୁବନେଶ୍ୱର, କୋଣାର୍କ ଦେଖିଛନ୍ତି ? ଆମେ କଣ କରିଛୁ ସେମାନଙ୍କୁ ଦେଖାଇବାରେ ? ବି. ଏନ୍‌. ଆର ବିଜ୍ଞାପନରେ ମଝିରେ ମଝିରେ ନାଁ ଶୁଣିବାକୁ ପାଉଁ; କିନ୍ତୁ ତା ଛଡ଼ା କଣ କରାହୋଇଛି ? ଅନେକେ କୋଣାର୍କ ଅଛି ବୋଲି ଜାଣନ୍ତି ନାହିଁ-ଯେଉଁମାନେ ବା ଜାଣନ୍ତି, ସାହସ କରି ବାହାରନ୍ତି ନାହିଁ । ବିଶେଷ କୌତୂହଳ ନ ହେଲେ କିଏ ରାଜି ହେବ ଥରେ ଚନ୍ଦ୍ରଭାଗା ଯାଇ ମୁହଁ ରଙ୍ଗା କରି ଆସିବାକୁ ? ଆମ ଓଡ଼ିଶାରୁ ତ ଅଧିକାଂଶ ଶିକ୍ଷିତ ଲୋକ ଦେଖି ନାହାନ୍ତି; ଯେଉଁମାନେ ଦେଖିଛନ୍ତି ଦୁଇପଦ ଶୁଷ୍କ ବିତଣ୍ଡା ଛଡ଼ା ବିଶେଷ କିଛି କରିପାରି ନାହାନ୍ତି । କେତେ ଜଣ ଓଡ଼ିଆ ନିଜର କଳା, ଅତୀତର ଗୌରବରେ ଉତ୍‌ଫୁଲ୍ଲ ହୋଇ ବାହାରକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ଯେ ଓଡ଼ିଶା ଛୋଟ ନୁହେ, ଓଡ଼ିଶାର ଅତୀତ ଥିଲା, ଓଡ଼ିଶାର ସଭ୍ୟତା ଖୁବ୍‌ ଉପରକୁ ଉଠିଥିଲା, ଓଡ଼ିଆପୁଅର ଗର୍ବ କରିବାର ଖୁବ ଅଛି । ଯେଉଁମାନେ ଭାବୁଛନ୍ତି, ସେମାନେ ଖାଲି ସ୍ୱପ୍ନ ଦେଖିବା ଛଡ଼ା ଆଉ କିଛି କରିବାର ପ୍ରୟାସ କରି ନାହାନ୍ତି । ଲଣ୍ଡନ ସହରରେ ବସି ମୋର ଏହି କଥାଟି ପ୍ରତିଦିନ ମନେ ପଡ଼ୁଛି-କାହିଁକି ନା ଏଠି ଯେଉଁଆଡ଼େ ଯିବ ଇଂରେଜଜାତିର ଜାତୀୟଜାଗରଣ ପ୍ରକାଶ ପାଉଛି । ଏପରି କୌଣସି ଦର୍ଶନୀୟ ଜାଗା ନାହିଁ, ଯେଉଁଠି କୌଣସି ପ୍ରସିଦ୍ଧ ଇଂରେଜ ଜାତୀୟବୀରର ପ୍ରତିକୃତି ଛାତି ଫୁଲାଇ ଠିଆ ହୋଇନାହିଁ । ଅଧିକାଂଶ ବଡ଼ ବଡ଼ ରାସ୍ତା ଇତିହାସପ୍ରସିଦ୍ଧ ଲେଖକ, କବି କିମ୍ୱା ଯୋଦ୍ଧାମାନଙ୍କ ନାମ ଅନୁସାରେ ନାମକରଣ କରାହୋଇଛି । ଖାଲି ସେତିକି ନୁହେ, ହଜାର ହଜାର ଦୋକାନରେ ସେମାନଙ୍କର ଛବି ଓ ଜୀବନୀ ବିକ୍ରି ହେଉଛି । ଯେ ଥରେ ବୁଲି ଆସିବ, ତାର ଇଂଲଣ୍ଡ ଜାତି ବିଷୟରେ ମୋଟାମୋଟି ଗୋଟାଏ ଧାରଣା ହୋଇଯିବ । ପ୍ରତି ମୁହୂର୍ତ୍ତରେ ସେ ଅନୁଭବ କରିବ ଯେ, ଏ ଜାତିର ଜୀବନ ଅଛି-ଏହାର ବର୍ତ୍ତମାନ ଯେପରି ଉଜ୍ଜ୍ଵଳ, ଅତୀତ ବି ସେହିପରି ଉନ୍ନତ ଥିଲା । କିନ୍ତୁ ଆମେ କଣ କରିଛେଁ ? ଗୋପବନ୍ଧୁଙ୍କ ମୂର୍ତ୍ତିକୁ ବଡ଼ଦାଣ୍ଡର ଧୂଳିରେ ଅପମାନିତ କରିବା ଛଡ଼ା ଆଉ କଣ କରିଥାଇଁ ? କଟକ ସହରରେ ପହଞ୍ଚି ଲୋକେ କଣ ଦେଖିବେ ? ଦେଜ୍‌ ହୋଟେଲର ଅନ୍ଧାରିଆ ବଖରାରେ ରହି, ତେଲଚିକିଟା ମଇଳା ଗାମୁଛା ପିନ୍ଧା ପୁଝାରୀ ହାତରୁ ଖାଇ, ବାଲୁବଜାରରେ ନାକରେ ରୁମାଲ ଗୁଞ୍ଜି, କ୍ୟାପିଟେଲ ସିନେମାର କାଦୁଅ ପଚପଚ ଛଣ ଘରେ ଟିକିଏ ବସି, ରିକ୍‌ସାରେ ବସି ଷ୍ଟେସନ ଫେରିବା ଛଡ଼ା ଆଉ କଣ ଦେଖିବେ ? ତେବେ ସେ ବା କଣ ଜାଣିବେ-ଗୋପବନ୍ଧୁ, ରାଧାନାଥ, ଉପେନ୍ଦ୍ରଭଞ୍ଜ, ଖାରବେଳ ପ୍ରଭୃତି ମହାମାନବମାନଙ୍କ ବିଷୟରେ । ଯଦି ଭଦ୍ରଲୋକ ଖୁବ୍‌ କଳ୍ପନାବିଳାସୀ ହୋଇଥାଆନ୍ତି, ତାହାହେଲେ ମହାତ୍ମା ବାଲୁ (ବାଲୁବଜାର), କବି ଚୌଧୁରୀ ଓ ଯୋଦ୍ଧା ବକ୍‌ସିମାନଙ୍କ ବିଷୟରେ ଦୁଇ ଚାରି ପଦ କଳ୍ପନା କରିପାରନ୍ତି ।

 

ଅନେକ ସମୟରେ ମୋ ମନରେ ପ୍ରଶ୍ନ ଉଠେ-ଆମର ଅଭାବ କେଉଁଠି ? ଆମର ଅତୀତ ଯେତେବେଳେ ଏତେ ଉଜ୍ଜ୍ୱଳ ଥିଲା, ବର୍ତ୍ତମାନ କାହିଁକି ପୁଣି ସେହି ଗୌରବ ଫେରି ନ ଆସିବ ? ଆମେ ଅନ୍ୟାନ୍ୟ ସଭ୍ୟ ଜାତିଠାରୁ କେଉଁ କେଉଁ ଗୁଣରେ ତଫାତ୍‌ ? ଆମ ଜାତିର କଅଣ ସୃଜନକ୍ରିୟା ଚିରକାଳ ଲାଗି ଶେଷ ହୋଇ ଯାଇଛି ? ପୂର୍ବକାଳର କୁସଂସ୍କାର ଓ ଶୁଷ୍କ ଅସ୍ତିଚର୍ମ ଭାବରେ କଣ ଆମମାନଙ୍କର ଲୋପହିଁ ହେବ-ଉଠିବାର ଉପାୟ ନାହିଁ କି ଶକ୍ତି ନାହିଁ ?

 

ଏହାର ପୂରାପୂରି ଉତ୍ତର ଦେବା ବଡ଼ କଠିନ ହେଲେହେଁ କେତେ ଗୋଟି ଜିନିଷ ଆଖିଆଗରେ ଜଳ ଜଳ ଦେଖାଯାଏ-ଯାହାକି ଅବନତିର ମୂଳ କାରଣ ବୋଲି ମନେହୁଏ । ଇଂରେଜ ଜାତିର ଆଧିପତ୍ୟ ପଛରେ ଯେଉଁ ବିରାଟ ଜାତୀୟ ଭିତ୍ତି ରହିଛି, ତାହା ସହିତ ଆମମାନଙ୍କର ଜାତୀୟ ତଥା ସାମାଜିକ ଅବସ୍ଥା ତୁଳନା କଲେ ବହୁତ ପ୍ରଭେଦ ଦେଖିବାକୁ ମିଳେ । ଅବଶ୍ୟ ମୁଁ କହୁନାହିଁ ଯେ, ଇଂରେଜମାନଙ୍କର ସବୁ ଜିନିଷ ଭଲ ଆଉ ଆମମାନଙ୍କର ସବୁ ଖରାପ-। ଆମର ବି ଅନେକ ଭଲ ଗୁଣ ଅଛି, ଆଉ ସେମାନଙ୍କର ବହୁତ ଖରାପ ଗୁଣ ଅଛି-ସେ ବିଷୟରେ ଶେଷ ସିଦ୍ଧାନ୍ତ କରିହେବ ନାହିଁ; କିନ୍ତୁ ଯେଉଁ କେତୋଟି ଗୁଣ ଉପରେ ଜାତିର ସମୃଦ୍ଧି ନିର୍ଭର କରେ, ସେସବୁ ଆମ ସମାଜରେ ନାହିଁ । ଆମର ପୁରାତନ ଇତିହାସ ଖୋଜି ବସିଲେ ଦେଖୁଁ ଦିନେ ହୁଏ ତ ସେସବୁ ଥିଲା; କିନ୍ତୁ ବର୍ତ୍ତମାନ ହରାଇ ବସିଛୁ । ଆଉ ଆମର ସେହି ପୁରାତନ ସାମାଜିକ ନୀତି ବର୍ତ୍ତମାନଯୁଗର ଧର୍ମ ସହିତ ଖାପ ଖାଇବ ନାହିଁ । ଉଦାହରଣ ସ୍ୱରୂପ ଆମର ଜାତିଭେଦ ପୂର୍ବକାଳରେ କିପରି ଥିଲା ଓ ତାହାର ଉପକାରିତା କି ଅପକାରିତା କଅଣ ଥିଲା, ସେ ବିଷୟରେ ମୁଁ କହିବାକୁ ଯାଉନାହିଁ । ବର୍ତ୍ତମାନ ସମାଜରେ ତାହାର କି ଫଳ, ସେ ବିଷୟରେ ଭାବିଲେ ଆମେମାନେ ଦେଖୁ ଯେ ଆମ ସମାଜର ଗୋଟିଏ ଅଙ୍ଗ ଯେପରି କ୍ରମେ ସଢ଼ିଯାଉଛି; ଆଉ ଯେତେ ଦିନ ଯାଏ ଏହା ସମାଜରେ ରହିବ, ସମାଜ କେବେ ବଳୀୟାନ ହୋଇପାରିବ ନାହିଁ । ଅନେକେ କହନ୍ତି ଇଂରେଜ ସମାଜରେ ବି ଧନୀ, ଦରିଦ୍ର ପ୍ରଭୃତି ଶ୍ରେଣୀ ରହିଛି । ହଁ ରହିଛି; ସବୁ ଦେଶରେ ଅଛି ଆମ ଦେଶରେ ମଧ୍ୟ ହୁଏ ତ ଆହୁରି ଖରାପ ଭାବରେ ଅଛି । କିନ୍ତୁ ଏ ପ୍ରକାର ଶ୍ରେଣୀବିଭାଗ ଆମର ପତିତ ଓ ବ୍ରାହ୍ମଣଙ୍କ ଭିତରେ ଯେଉଁ ପ୍ରଭେଦ ସୃଷ୍ଟିକରିଛି, ସେପରି ନୁହେ । ଆମର ଉଚ୍ଚ ଜାତି ଲୋକମାନେ ଗୋଟିଏ ଶ୍ରେଣୀକୁ ଯେପରି ଭାବରେ ରଖିଛନ୍ତି, ଭାବିଲେ ବାସ୍ତବିକ ଦୁଃଖ ହୁଏ; ଅନ୍ୟ ଆଗରେ କହିବାକୁ ଲାଜ ଲାଗେ । ମନୁଷ୍ୟକୁ ମନୁଷ୍ୟ ଏତେ ଛୋଟ କରି ଦେଖିବ ? ଏତେ ଘୃଣା କରିବ ? ତେବେ ତାର ଉନ୍ନତି କେଉଁଠାରେ ? ହିନ୍ଦୁମାନଙ୍କର ଏହି ମନୋଭାବ ଯୋଗୁଁ ଆଜି ଏତେ ସଂଖ୍ୟାନ୍ୟୂନ ଜାତିଗତ ସମସ୍ୟା ଉଠିଛି । ମୁସଲମାନମାନଙ୍କର ସଂଖ୍ୟା ବଢ଼ିଚାଲିଛି, ଖ୍ରୀଷ୍ଟିୟାନ ଧର୍ମ ବଢ଼ୁଛି । ଅବଶ୍ୟ ଧର୍ମ ହିସାବରେ ଗ୍ରହଣ କରିବା ଗୋଟାଏ କଥା, ଆଉ ଯନ୍ତ୍ରଣା ସହି ନ ପାରି ଅନ୍ୟ ଧର୍ମ ଗ୍ରହଣ କରିବା ଅଲଗା କଥା । ଏହାର ଫଳ ବଡ଼ ବିଷମୟ ହୁଏ, ପ୍ରତିଶୋଧର ଇଚ୍ଛା ବଢ଼େ-ତା ଫଳରେ ଆଜି କାଲିକାର ଅଶାନ୍ତି । ଏହାଦ୍ୱାରା ଯେ ଆମର ପରସ୍ପର ପ୍ରତି ଅସହିଷ୍ଣୁତା ଓ ତିକ୍ତତା ବଢ଼ୁଛି, ଏଥିରେ ସନ୍ଦେହ ନାହିଁ । ଏହା ପଛରେ ଧର୍ମର ପ୍ରଭାବ ରହିଛି । ଅସଲ ମୂଳଧର୍ମ ଦେଖିଲେ ଏସବୁ ମିଳିବ ନାହିଁ; କିନ୍ତୁ ଯୁଗଯୁଗର କୁସଂସ୍କାର ଯେଉଁ ଚେର ମାଡ଼ି ବସିଛି, ତାକୁ ଆମ ସମାଜ ଛିଣ୍ଡାଇ ପାରୁନାହିଁ । ଆଉ ଯେତେଦିନ ଯାଏ ଏହି କୁସଂସ୍କାରସବୁ ଧ୍ୱଂସ ନ ପାଇଛି, ଜାତିର ଭବିଷ୍ୟତ ଅନ୍ଧକାରମୟ । ଇଂରେଜମାନଙ୍କ ଭିତରେ ପରସ୍ପର ପ୍ରତି ଯେଉଁ ସମ୍ମାନ ରହିଛି, ତାହା ଆମର ଶିକ୍ଷଣୀୟ । ଯେତେ ବଡ଼ଲୋକ ହେଉ, ତାର ଚାକରକୁ ଯେଉଁ ସମ୍ମାନ ଦେଖାଏ ତାହା ଆମ ସମାଜରେ କଳ୍ପନାନୀତ । ମୁଁ କହୁନାହିଁ ଯେ କେହି ଖରାପ ବ୍ୟବହାର କରନ୍ତି ନାହିଁ ବୋଲି; କିନ୍ତୁ ମୋର କହିବାର ଉଦ୍ଦେଶ୍ୟ ହେଉଛି ଯେ, ଆମ ଭିତରେ ଯେଉଁ ଉଚ୍ଚନୀଚ ଭାବ-ଯାହାକି ‘ତୁ’ ‘ତା’ ‘ରେ’ ‘ରା’ ରେ କିମ୍ୱା ଦୂରରେ ରଖିବାରେ ପ୍ରକାଶ ପାଇଥାଏ, ସେପରି ମନୋଭାବ ଏଠି ଦେଖିବାକୁ ମିଳେ ନାହିଁ । ତେଣୁ ସମଗ୍ର ସମାଜ ଦରକାର ପଡ଼ିଲେ ଏକ ହୋଇ କାମ କରିଯାଆନ୍ତି-। ଏମାନଙ୍କ ଭିତରେ ଯେତେ ବିବାଦ, ସବୁ ରାଜନୈତିକ କିମ୍ୱା ଆଦର୍ଶଗତ; କିନ୍ତୁ ଆମ ଭିତରେ ଶ୍ରେଣୀଗତ-ଗୋଷ୍ଠୀଗତ; ତେଣୁ ସମାଜ ଭିତରେ ଦୃଢ଼ତା ଆସିପାରିବ ନାହିଁ । ସମାଜ ଏକତା ଅର୍ଜନ କରି ବାହାରର ଜାତି ବିରୁଦ୍ଧରେ ଠିଆ ହୋଇପାରିବ ନାହିଁ ଯେପରି ଶତଛିଦ୍ର ଗୋଟିଏ କାଠଖଣ୍ଡ ନିଦା ଓ ମଜବୁତ କାଠଗଡ଼ ଆଗରେ ତୁଳନୀୟ ନୁହେ ।

 

ଆଉ ଗୋଟିଏ ଗୁଣ ହେଉଛି କର୍ତ୍ତବ୍ୟପରାୟଣତା (dicipline) ଓ ଶୃଙ୍ଖଳାଜ୍ଞାନ । ଇଂରେଜଜାତି ଏହି ଗୁଣ ଦୁଇଟି ଏତେ ଚମତ୍କାର ଭାବରେ ହାସଲ କରିପାରିଛି ଯେ, ଦେଖିଲେ ବଡ଼ ଆନନ୍ଦ ଓ ଆଶ୍ଚର୍ଯ୍ୟ ଲାଗେ । ଆମର ଯୁବକ ବଡ଼ ଫୋଲାଫାଙ୍କିଆ, ସବୁ କଥା ହେଳା ହେଳାରେ କଟାଇ ଦିଅନ୍ତି । କିମିତି ଅଳ୍ପ ପରିଶ୍ରମ କରି ଠକିଦେବା ବା କିଏ ନ ଦେଖୁଥିଲେ ମନଇଚ୍ଛାରେ କାମଟାକୁ ଠାସ୍‌କୁମାରି ତୁଲେଇ ନେବା-ଏଟା ହେଉଛି ଆମ ଜାତିର ଲକ୍ଷଣ; କିନ୍ତୁ ଏମାନଙ୍କ ଭିତରେ ଏଟା ଦେଖିବାକୁ ମିଳେ ନାହିଁ । କାର୍ଯ୍ୟକ୍ଷେତ୍ରରେ ସାଧାରଣ ସାଧୁତା ବାସ୍ତବିକ ବଡ଼ ପ୍ରଶଂସନୀୟ । ମୋର ମନେ ଅଛି-ମୁଁ ଥରେ ଜଣେ ଇଂରେଜ ପରିବାର ସହିତ ଲଞ୍ଚ (ମଧ୍ୟାହ୍ନ ଭୋଜନ) ଖାଉଥିଲି । ସେତେବେଳକୁ ଇଲେକ୍‌ଟ୍ରିକ ଜିନିଷ ବ୍ୟବହାର କରିବାକୁ (୧୧ଟା ଠାରୁ ୩ଟା ଭିତରେ) ମନା ହୋଇଥାଏ କୋଇଲା ଅଭାବରୁ । ସ୍ତ୍ରୀ ଓ ସ୍ୱାମୀ ଦୁଇ ଜଣଯାକ Conservative (ସରକାରର ବିରୁଦ୍ଧଦଳ) । ସ୍ତ୍ରୀ ବିରକ୍ତ ହୋଇ ବିଦ୍ୟୁତ୍‌ ଚୁଲିକୁ ଯାଇ ଜଳାଇ ବସିଲା; ସ୍ୱାମୀ ବି ଭାରି ବିରକ୍ତ ହେଉଥାଏ ସରକାର ଉପରେ କିନ୍ତୁ ସାଙ୍ଗେ ସାଙ୍ଗେ ଯାଇ ଲିଭାଇ ଦେଇ କହିଲା, ‘‘ସରକାର ବିରୁଦ୍ଧ ଦଳ ହେଲେ ସୁଦ୍ଧା ଜାତି ଯେତେବେଳେ ବିପଦରେ ପଡ଼ିଛି, ଆମର ସାହାଯ୍ୟ କରିବାର କଥା । କାହାର କ୍ଷତି ହେବ ? ଲୋକମାନଙ୍କର ସିନା !’’ ମୁଁ ବାସ୍ତବିକ ଆଶ୍ଚର୍ଯ୍ୟ ହୋଇଗଲି । ଆଉ କି କୃତକାର୍ଯ୍ୟର ସହିତ ସାରାଦେଶର ଲୋକେ ସରକାର ନିୟମ ମାନି ଚଳିଲେ, ଘର ଭିତରେ କଅଣ କଲେ କିଏ ଦେଖୁଛି-ତଥାପି ଲୋକମାନେ ଠିକ୍‌ ଘଣ୍ଟା କଣ୍ଟାକୁ ଚାହିଁ କାମ କରୁଥାଆନ୍ତି । ଅଥଚ ମୁଁ ଜାଣେ, ଜଣେ ଆମ ଆଡ଼ର ଲୋକ ଘର ଭିତରେ ବିରାଟ ବିଦ୍ୟୁତ ନିଆଁ ଜାଳି ବୁଲି ଯାଇଥାଆନ୍ତି ସେହି ସମୟ ଭିତରେ । ମୁଁ ଯେତେବେଳେ ବିରକ୍ତ ହେଲି, କହିଲେ, ‘‘ଓଃ କିଏ ଖାତିରି କରେ ଏସବୁ ନିୟମ’’ । ଏପରି ମନୋଭାବ ପଛରେ ଜାତୀୟ ଉନ୍ନତି ଓ ଅବନତି ବହୁତ ନିର୍ଭର କରେ ।

 

ବର୍ତ୍ତମାନ ଏମାନଙ୍କର କୋଇଲାର ବଡ଼ ଅଭାବ; ତେଣୁ ବହୁତ କାମ ବାକୀ ପଡ଼ିଛି । ସରକାର ଖୁବ୍‌ ଆବେଦନ ନିବେଦନ କରୁଛନ୍ତି କୋଇଲା ଉତ୍ପାଦନ ବଢ଼ାଇବା ଲାଗି । କାଗଜରେ ପଢ଼ିଲି ଯେ, ଖରାଛୁଟିରେ ପାଞ୍ଚ ହଜାର ଛାତ୍ର କୋଇଲାଖଣିରେ ଯାଇ କାମ କରିବା ସକାଶେ ଦରଖାସ୍ତ କରିଛନ୍ତି । ହଠାତ୍‌ ମନେହେଲା, ଆମ ଦେଶରେ କେତେଟା ଛାତ୍ର ବାହାରିବେ ? ଏହି ଯେ ମନୋବୃତ୍ତି, ଏହା ପଛରେ କି ଜାତୀୟ ଜାଗରଣ ରହିଛି, ତାହା ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ହୁଏ । ମୁଷ୍ଟିମେୟ ଲୋକ ଯେ ଚାଳିଶିକୋଟି ଲୋକଙ୍କ ଉପରେ ରାଜତ୍ଵ କରୁଅଛନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର କଅଣ ଅଛି ?

 

ଆଉ ଗୋଟିଏ ପ୍ରଧାନ ପ୍ରଭେଦ ଦେଖିବାକୁ ମିଳେ, ନାରୀସ୍ୱାଧୀନତା । ଆମ ଦେଶର ମାତୃଜାତିକୁ ଆମେମାନେ ଯେପରି ରଖିଛୁ, ସେଥିରେ କୌଣସି ଜାତି ଉଧେଇ ପାରିବ ନାହିଁ । ଦେଶର ବହୁତ ଶକ୍ତିର ଅପଚୟ ଘଟୁଛି । ‘ମାଇକିନିଆ ଝିଅ ଚୁଲିକୁ’-ନୀତିକୁ ଯେତେ ଦିନ ଯାଏ ଆମେ ମାନି ଚଳିବୁ, ସେତେ ଦିନ ଯାଏ ଆମ ସମାଜର ଗଣ୍ଡି ଭିତରର କାନସର ଘା ଶୁଖିବ ନାହିଁ-। ଅନେକେ କହନ୍ତି ସ୍ତ୍ରୀଲୋକମାନେ ଇଚ୍ଛାନୁସାରେ ରାସ୍ତାରେ ବୁଲିଲେ ସର୍ବନାଶ ଘଟିବ । ଏହା ସପକ୍ଷରେ ବହୁତ ଯୁକ୍ତି ଦେଖିବାକୁ ପାଉଁ; କିନ୍ତୁ ଆଜିକାଲିର ଉନ୍ନତ ଜାତିମାନଙ୍କୁ ଭଲଭାବେ ପରୀକ୍ଷା କରି ଦେଖିଲେ ତାର ଭୁଲ ଆମେ ବୁଝିପାରିବା । ସମାଜର ଗୋଟିଏ ବଳିଷ୍ଠ ଅଙ୍ଗକୁ ଆମେମାନେ ଜେଲ ଭିତରେ ପୂରାଇ ରଖିଛୁ-ପ୍ରତ୍ୟେକ ପୁରୁଷ ଜେଲରକ୍ଷକ ବୋଲି ମୋତେ ମନେହୁଅନ୍ତି । ଅନେକ ସମୟରେ ସାଧାରଣ ମନୁଷ୍ୟୋଚିତ ଅଧିକାର ଓ ସୁବିଧା ବି ସେମାନଙ୍କୁ ଦେଉ ନାହୁଁ; ଅଥଚ ସେମାନେ ଆମ ଭବିଷ୍ୟତ ଜାତିର ଜନନୀ । ତେବେ ଆମର ଜାତି ଉଧେଇବ କିପରି ? ଏଠି ସ୍ତ୍ରୀଲୋକମାନଙ୍କର ସାଧାରଣ ଘରକାମ ଓ ସନ୍ତାନପାଳନ ପ୍ରଭୃତି ଗୃହକାର୍ଯ୍ୟ ସବୁ ଦେଖିଲେ ଭାରି ଆଶ୍ଚର୍ଯ୍ୟ ହେବାକୁ ହୁଏ । କି ପରିଷ୍କାର ସବୁ କଥାରେ-ଆଉ ଛୁଆମାନଙ୍କୁ କି ଚମତ୍କାର ବୈଜ୍ଞାନିକ ପ୍ରଣାଳୀରେ ଲାଳନ ପାଳନ କରନ୍ତି । ଏସବୁ ଶିକ୍ଷା ଓ ସାମାଜିକ ଅଧିକାର ଯୋଗୁଁ ସମ୍ଭବ ହୋଇପାରିଛି । ଦୁଇ ଦେଶର ଶିଶୁମଡ଼କ ତୁଳନା କଲେ ଶିକ୍ଷାର ଉପକାରିତା ସହଜେ ବୁଝିହେବ । କଲେଜର ପୁରୁଷ ଓ ସ୍ତ୍ରୀମାନଙ୍କ ଭିତରେ କି ସୁନ୍ଦର ମିଳାମିଶା-ଏଥିରେ ଆମ ଦେଶ କଲେଜ ଛାତ୍ରମାନଙ୍କର ପରି କୁତ୍ସିତ ମନୋଭାବ ନାହିଁ । କାନ୍ଥରେ ଅଶ୍ଳୀଳ କଥା ତ ମୁଁ ଆଜିଯାଏ କେଉଁଠି ଦେଖିବାକୁ ପାଇନାହିଁ । ପ୍ରିନ୍‌ସିପାଲଙ୍କ ଆଗରେ ଗୋଟିଏ ହେଲେ ଘଟଣା ରିପୋର୍ଟ ହେବାର ତ ଦେଖିନାହିଁ । ଏମାନଙ୍କ ଭିତରେ ପରସ୍ପର ପ୍ରତି ଯେଉଁ ସମ୍ମାନ ଓ ସୌହାର୍ଦ୍ଦ୍ୟ ଅଛି, ତାହା ଆମ ଛାତ୍ରସମାଜରେ ନାହିଁ । ତାହାର କାରଣ ଆମ ଛାତ୍ରମାନେ ବହୁତ ରକମର ଚାପ (Repression) ଭିତରେ କାମ କରିଥାଆନ୍ତି । ସେମାନେ ସ୍ୱାଧୀନତା ଅଭାବରୁ ସରଳ ଭାବରେ ମିଶିପାରୁ ନାହାନ୍ତି । ଏହାର ପ୍ରଚ୍ଛନ୍ନ ମାନସିକ ପ୍ରଭାବ ସମାଜକୁ ଅନେକ ପ୍ରକାରେ ପ୍ରଭାବିତ କରିଥାଏ ।

 

ଏହିପରି ଅନେକ ପ୍ରଭେଦ ଦେଖିବାକୁ ମିଳେ, ଯାହାକି ଆମ ସମାଜକୁ ଚାପି ରଖିଛି । ତେବେ ମୋର ମନେହୁଏ, ଆମେ ଚେଷ୍ଟା କଲେ ସେସବୁ ଅତି ସହଜରେ ଉଡ଼ାଇଦେଇ ପାରିବା । ଆମର ସାଧାରଣ ଲୋକେ ଗରିବ ଓ ନୀରକ୍ଷର ହେଲେ ମଧ୍ୟ ଯୁଗ ଯୁଗ ଧରି ଯେଉଁ ସଂସ୍କୃତି ଚାଲି ଆସିଛି, ତାହା ଏକାବେଳେ ଲିଭିଯାଇ ନାହିଁ; ଖାଲି ବାହାରର ଆବର୍ଜନା ତାକୁ ଘୋଡ଼ାଇ ରଖିଛି । ଆମର ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଏମାନଙ୍କଠାରୁ ବହୁ ଗୁଣରେ ଭଲ; କିନ୍ତୁ ଆମ ଗାଁରେ ପ୍ରତ୍ୟେକ ଦୁଆରମୁହଁରେ ଗାଈ ବନ୍ଧା ହେଉଛି ଗୋବର ଗନ୍ଧରେ ନାକ ଫାଟି ପଡ଼ୁଛି । ରାସ୍ତା ଘାଟରେ ଖାଇବା ଅସମ୍ଭବ; ଘରେ ମାଛି ଗଣ ଗଣ ବେଢ଼ି ଯାଉଥିଲେ ସୁଦ୍ଧା ଆମର ପରବାଏ ନାହିଁ-ଏହିପରି ଅନେକ କଥା । ଖାଲି ଶିକ୍ଷା ଅଭାବରୁ ଏପରି ଘଟିଛି । ଆମର ଛାତ୍ରସମାଜ ଖୁବ ବୁଦ୍ଧିମାନ ଓ ଭଦ୍ର । ଉପଯୁକ୍ତ ନେତା ଅଭାବରୁ ସେମାନେ ଏପାଖ ସେପାଖ ହେଉଛନ୍ତି । ପ୍ରକୃତ ନେତୃତ୍ଵ ପାଇଲେ ସେମାନେ ଅସମ୍ଭବକୁ ସମ୍ଭବ କରି ପାରିବେ । ଦୁଇବର୍ଷ ଶିକ୍ଷକତାରୁ ମୋର ଯାହା ଅଭିଜ୍ଞତା ହୋଇଛି ସେଥିରେ (ଖୁବ୍‌ ବେଶୀ ନୁହେ ଅବଶ୍ୟ) ଛାତ୍ର ସମାଜ ଉପରେ ମୋର ଖୁବ୍‌ ବିଶ୍ୱାସ ମୋତେ ସେମାନଙ୍କୁ ଖୁବ୍‌ ଭଲ ଲାଗିଛି । ସେମାନେ ଖାଲି ଅପେକ୍ଷା କରି ରହିଛନ୍ତି-ସୁବିଧା ପାଇଲେ ବହୁତ କାମ କରିପାରିବେ । ଅନେକ ସମୟରେ ବୃଥା ଭାବନା ହୁଏ-ଗୋପବନ୍ଧୁ ବଞ୍ଚି ଥାଆନ୍ତେ କି ?

 

ତେବେ ମୁଁ ନିରାଶ ନୁହେ । ମୋର ଅନୁରୋଧ, ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସରେ ଦେଶର ଯୁବକମାନେ ପ୍ରତିଜ୍ଞା କରନ୍ତୁ ଯେ, ପ୍ରତ୍ୟେକେ ପ୍ରତିଦିନ ଘଣ୍ଟାଏ କରି ଦେଶ ଲାଗି କାମ କରିବେ । ଯେ କୌଣସି କାମ-ଆଖି ବୁଲାଇଲେ କାମର ଅଭାବ ନାହିଁ-ନୀରକ୍ଷରକୁ ଅକ୍ଷର ଶିଖାଇବାଠାରୁ ଆରମ୍ଭ କରି ବୈଜ୍ଞାନିକ ଗବେଷଣା ପର୍ଯ୍ୟନ୍ତ ଯେ କୌଣସି ଲୋକହିତକର କାମ ନିସ୍ୱାର୍ଥ ଭାବେ କରିବାକୁ ହେବ ସରକାର ହାତକୁ ଚାହିଁ ରହିଲେ ହେବ ନାହିଁ । ସରକାର କିଏ ? ଦେଶର ଯୁବକ ତ ସରକାରକୁ ଚଳାଇବ, ଏହି ଦମ୍ଭ ଓ ଗର୍ବର ସହିତ ଯଦି କାମ ଆରମ୍ଭ କରାଯାଏ, ତାହାହେଲେ ଅନେକ କାମ ହୋଇପାରିବ । ଧ୍ୱଂସମୂଳକ ଓ ଗଠନମୂଳକ କାମ ସାଙ୍ଗେ ସାଙ୍ଗେ ଚାଲିବା ଉଚିତ । ସମାଜର ଜଡ଼ତା ଭାଙ୍ଗିବାକୁ ହେବ-ଜାତିଭେଦ ଉଠାଇବାକୁ ହେବ, ମନ୍ଦିର ସବୁ ଖୋଲି ଦେବାକୁ ହେବ, ସମସ୍ତ ନରନାରୀ ସକାଶେ; ତା ସାଙ୍ଗେ ସାଙ୍ଗେ ସେମାନଙ୍କର ମନକୁ ଉପଯୁକ୍ତ ଖାଦ୍ୟ ଯୋଗାଇ ଦେବାକୁ ହେବ । ହୁଏତ ବହୁତ କଷ୍ଟ ସହିବାକୁ ହେବ; କିନ୍ତୁ ଭୟ କଲେ ଚଳିବ ନାହିଁ । ଭୟ ହେଉଛି ମୃତ୍ୟୁ । ବଞ୍ଚିବାକୁ ହେଲେ କାମ କରିବାକୁ ହେବ । ତା ନ ହେଲେ ଅଳ୍ପ ସମୟ ଭିତରେ ଓଡ଼ିଶାର ସତ୍ତା ଲୋପ ପାଇବ-ପୁଣି ଖଣ୍ଡ ଖଣ୍ଡ ହୋଇ ବିଭିନ୍ନ ପ୍ରଦେଶ ସହିତ ମିଶିଯିବ-ପଡ଼ୋଶୀ ପ୍ରଦେଶମାନଙ୍କ ଶକ୍ତି ଆଗରେ ଦୁର୍ବଳର ପରାଭବ ହେବ । ଇଂରେଜ ରାଜ୍ୟର ବାହୁଛାୟାତଳେ ଅର୍ଦ୍ଧମୃତ ହୋଇ ରହିବାର ସମୟ ଯାଇଛି । ବର୍ତ୍ତମାନ ଖୁବ୍‌ ଶକ୍ତିଶାଳୀ ହୋଇ ବଞ୍ଚି ରହିବାକୁ ହେବ; ନୋହିଲେ ପୂରାପୂରି ଶେଷ ପାଇଯିବ । ମଝି ମଝିଆ ରାସ୍ତା ଆଉ ନାହିଁ । ପ୍ରତ୍ୟେକ ଓଡ଼ିଆ ଥରେ ଭାବନ୍ତୁ, କଣ କରାଯାଇ ପାରେ-ଅନେକ ରାସ୍ତା ଦେଖାଯିବ ।

•••

 

–ତିନି–

ସାଧାରଣ ଲୋକଙ୍କର ସାଧୂତା ଓ ତାର କାରଣ

 

ଇଂଲଣ୍ଡର ସାଧାରଣ ଲୋକଙ୍କର କେତେ ଗୁଡ଼ିଏ ବିଶିଷ୍ଟ ଗୁଣ ଭାରତୀୟଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ନିଷ୍ଠା, ସଚ୍ଚରିତ୍ରତା ଓ ସାଧୁତା ଆଦି ଗୁଣ ନେଇ ଆମଦେଶ ସହିତ ସେମାନଙ୍କର ଦେଶ ତୁଳନା କଲେ ଆମକୁ ବଡ଼ ଆଶ୍ଚର୍ଯ୍ୟ ଲାଗେ । ଯେଉଁମାନେ ଆଖିରେ ନ ଦେଖିଥିବେ ସେମାନେ ବିଶ୍ୱାସ କରିପାରନ୍ତି ନାହିଁ ଯେ, ସେମାନଙ୍କ ଚାଲିଚଳଣ ଓ ବ୍ୟବହାର ଆମ୍ଭମାନଙ୍କ ଠାରୁ ଏତେ ତଫାତ୍‌-ଅନେକେ ଦୁଃଖକରି କହି ଥାଆନ୍ତି-ଆମଦେଶରେ କେଭେଁ ଏହା ସମ୍ଭବ ହୋଇପାରିବ ନାହିଁ ।

 

ଇଂଲଣ୍ଡରେ ଖବରକାଗଜବାଲା ରାସ୍ତାର ଗୋଟିଏ କଡ଼ରେ ଗଦାଏ ଖବରକାଗଜ ରଖିଦେଇ ଚାଲିଯାଏ । ଲୋକମାନେ ନିଜ ନିଜ କର୍ମକ୍ଷେତ୍ରରୁ ଫେରିବା ରାସ୍ତାରେ ଗୋଟିଏ ଗୋଟିଏ ‘ପେନି’ ପକାଇ ଦେଇ ଖଣ୍ଡେ ଲେଖାଏଁ ଖବରକାଗଜ ଉଠାଇ ନେଇଯାଆନ୍ତି । କ୍ରମେ କ୍ରମେ ଖବରକାଗଜ ପାଖରେ ଗୋଟିଏ ପଇସାର ଗଦା ହୋଇଯାଏ । ପରେ ଖବରକାଗଜବାଲା ଆସି ପଇସା ଓ କାଗଜର ହିସାବ କରିନିଏ । ପ୍ରତି ସନ୍ଧ୍ୟାରେ ମୁଁ ଯେତେବେଳେ ଘରକୁ ଫେରେ ମୋ ଘର ପାଖର ଖବରକାଗଜ ଦୋକାନ ବନ୍ଦ ହୋଇ ଯାଇଥାଏ । ମୁଁ ମାସିକିଆ ଗ୍ରାହକ ହିସାବରେ ଖବରକାଗଜ ନେଉଥିବାରୁ ମୋର ସନ୍ଧ୍ୟାକାଗଜ ସେଠାରୁ ନେବାର କଥା । ଦୋକାନ ବନ୍ଦ ହୋଇ ଯାଇଥାଏ; କିନ୍ତୁ ମୋର ଓ ଅନ୍ୟାନ୍ୟ ଅନେକଙ୍କର କାଗଜ ସବୁ ନାଁ ଲେଖା ହୋଇ ଦୁଆରମୁହଁରେ ଗୋଟିଏ ଟୁଲ ଉପରେ ରଖା ହୋଇଥାଏ । ଯେ ଯାହାର କାଗଜ ଉଠାଇ ନିଅନ୍ତି-ପ୍ରାୟ, ଭୁଲ, ହୁଏ ନାହିଁ । ଯଦି ଭୁଲରେ କେହି ନେଇଯାଏ, ତାହେଲେ ହୁଏତ ଘରେ ଆଣି ଦେଇଯାଏ କିମ୍ୱା ତା ପରଦିନ ଦୋକାନକୁ ଯାଇ ଦେଇ ଆସିଥାଏ ଓ ଦୁଃଖ ପ୍ରକାଶ କରି କ୍ଷମା ଚାହିଁଥାଏ । ଏହିପରି ଅନେକ କ୍ଷେତ୍ରରେ ସାଧାରଣ ଲୋକଙ୍କର ଯେପରି ସାଧୁତା ଦେଖାଯାଏ, ତାହା ଆମ ଦେଶରେ ସମ୍ଭବ ହେବ ନାହିଁ । ଟିକିଏ ମୁହଁ ବୁଲାଇ ଦେଲେ ପଇସାଟିଏ ହେଲେ ମଧ୍ୟ ଚୋରି ହୋଇଯିବ । ଘରର ଚାକର ପୂଝାରୀ ଆଗରେ ପଇସାପତ୍ର ଛାଡ଼ିଦେବା ନିରାପଦ ନୁହେଁ । ତେବେ ଦୁଇ ଦେଶ ଲୋକଙ୍କ ଭିତରେ ଏତେ ବଡ଼ ତଫାତ୍‌ର କାରଣ କଣ ? ଅନେକ ନୈରାଶ୍ୟବାଦୀ ଏହାକୁ ଜନ୍ମଗତ, ରକ୍ତଗତ, ଜାତିଗତ ପ୍ରଭୃତି ଆଖ୍ୟା ଦେଇ କହି ଥାଆନ୍ତି ଯେ ଏହା ସଂଶୋଧନ ଅସମ୍ଭବ କିମ୍ୱା ଶହ ଶହ ବର୍ଷର ଶିକ୍ଷା ପରେ ସମ୍ଭବ ହୋଇପାରେ ।

 

କିନ୍ତୁ ଏହାର ମୂଳକାରଣ ବିଶ୍ଳେଷଣ କରି ଦେଖିଲେ ଏପରି ନୈରାଶ୍ୟବାଦର କୌଣସି ଭିତ୍ତି ନାହିଁ । ସମାଜରେ ସାଧାରଣ ବ୍ୟକ୍ତିବିଶେଷର ଆଚାର ବ୍ୟବହାର ଓ ସାଧୁତା ସେହି ସମାଜର ଅର୍ଥନୈତିକ ସମ୍ପର୍କ ଉପରେ ଅନେକଟା ନିର୍ଭର କରେ । ଅର୍ଥନୈତିକ ସାମ୍ୟ ଓ ବୈଷମ୍ୟ ଯୋଗୁଁ ନାନାପ୍ରକାର ସାମାଜିକ ସମ୍ପର୍କର ବିକାଶ ହୋଇଥାଏ । ବିଲାତରେ ସାଧାରଣ ଲୋକଙ୍କର ଉପାର୍ଜନ ଆମଦେଶର ସାଧାରଣ ଲୋକଙ୍କ ଉପାର୍ଜନଠାରୁ ବହୁତ ବେଶୀ । ସେଠି ସାଧାରଣ କୁଲିମଜୁରିଆ ହପ୍ତାରେ ପାଞ୍ଚ ଦିନ କାମ କରି ସୁଦ୍ଧା ମାସକୁ ପ୍ରାୟ ତିନିଶ ଚାରିଶ ଟଙ୍କା ପାଏ । ମୁଁ ଯେଉଁ ବସାରେ ଥିଲି ସେଠାକୁ ଯେଉଁ ସ୍ତ୍ରୀଲୋକଟି କାମ କରିବାକୁ ଆସେ, ସେ ଘଣ୍ଟାକୁ ପ୍ରାୟ ଟଙ୍କାଏ ଦଶଅଣା କରି ମଜୁରି ପାଏ । ଅବଶ୍ୟ ତାଙ୍କ ଦେଶରେ ଜିନିସପତ୍ରର ଦାମ ଆମ ଦେଶଠାରୁ ଟିକିଏ ବେଶୀ; କିନ୍ତୁ ଆମର ସାଧାରଣ ଲୋକଙ୍କଠାରୁ ଯେ ସେମାନେ ଅନେକ ଭଲରେ ଅଛନ୍ତି, ଏଥିରେ ସନ୍ଦେହ ନାହିଁ । ଆମଦେଶରେ ଯାହାକୁ ବିଳାସର ସାମଗ୍ରୀ ବୋଲି ଭାବିଥାଉଁ ତାଙ୍କ ଦେଶର ସର୍ବସାଧାରଣ କୁଲିମଜୁରିଆଙ୍କ ଘରେ ତାହା ସବୁ ଦେଖିବାକୁ ମିଳେ । ଆମଦେଶରେ କେତେଟା ଲୋକଙ୍କ ଘରେ ରେଡ଼ିଓ, ମଟର କିମ୍ୱା ଟେଲିଫୋନ ଅଛି ? କିନ୍ତୁ ତାଙ୍କ ଦେଶରେ ଏଟା ବଡ଼ ସାଧାରଣ ଓ ଏସବୁ ନିହାତି ଦରକାରୀ ଜିନିସ ଭିତରେ ନିଆ ଯାଇଯାଏ । ମୋଟା ମୋଟି ଏତିକି କୁହାଯାଇପାରେ ଯେ ଜନସାଧାରଣଙ୍କର ଜୀବନଯାପନ ପ୍ରଣାଳୀ (Standard of living) ଆମ ଦେଶଠାରୁ ଅନେକ ଉପରେ ତେଣୁ ରାସ୍ତାରୁ କେତେଟା ପେନି ଚୋରି କରିବା ତାଙ୍କର ଦରକାର ପଡ଼େ ନାହିଁ । ଯେ ମାସକୁ ୩୦୦ ଟଙ୍କା ପାଏ, ସେ କେତେଟା ପଇସା ଚୋରି କରି କଣ କରିବ ? କିନ୍ତୁ ଆମଦେଶର ରାସ୍ତାର ଭିକାରୀ ଯେ ସାରାଦିନ ବୁଲି ଦିଚାରିଟା ପଇସା ପାଏ ନାହିଁ, ତାପକ୍ଷରେ ଗୋଟାଏ ପଇସାର ମୂଲ୍ୟ ଅନେକ ବେଶୀ ଏବଂ ଭୋକିଲା ଲୋକଠାରୁ ଏପରି ସାଧୁତା ଆଶା କରିବା ବିଡ଼ମ୍ୱନା ମାତ୍ର । ଆମ ଦେଶର ଡେପୁଟି, ଓକିଲ ଓ ପ୍ରଫେସରମାନେ ଗୋଟାଏ ପଇସା କେବେ ଚୋରି କରି ନେବେ କି ? ଏଥିରେ ଯଦି ଆମଦେଶର ଲୋକଙ୍କର ସାଧାରଣ ସାଧୁତା ନାହିଁ ବୋଲି ଦୁଃଖ ପ୍ରକାଶ କରୁ ତାହେଲେ ଅନ୍ୟାୟ ହେବ । ଲୋକଙ୍କର ଉପାର୍ଜନ ବଢ଼ିବା ସଙ୍ଗେ ସଙ୍ଗେ ଏ ପ୍ରକାର ଅସାଧୁତା ଯେ ଲୋପ ପାଇଯିବ, ଏଥିରେ ସନ୍ଦେହ ନାହିଁ । ତାଙ୍କ ଦେଶରେ ଯଦି ପାଉଣ୍ଡ ନୋଟର ଏପରି ଗୋଟାଏ ଗଦା ରାସ୍ତାକଡ଼ରେ ପଡ଼ି ରହେ, ତାହାହେଲେ ନିଶ୍ଚୟ ଚୋରି ହେବ । ମୁଁ ଅନେକ ଘଟଣା ଜାଣେ-ସେଠାକାର ହଷ୍ଟେଲରେ ଦଶ ପନ୍ଦର ପାଉଣ୍ଡ ଓ ମୂଲ୍ୟବାନ ଜିନିସର ଚୋରି ଅନେକ ହୁଏ । ସ୍ତ୍ରୀଲୋକମାନଙ୍କର ପିନ୍ଧିଥିବା ମୂଲ୍ୟବାନ କୋଟ (mink coat) ଚୋରି କରିବା ପାଇଁ ଏପରି ଦକ୍ଷ ଚୋରସବୁ ଅଛନ୍ତି ଯେ ସେମାନଙ୍କ ଲାଗି ସ୍କଟଲାଣ୍ଡ ୟାର୍ଡ଼ରେ ବିଶେଷ ପୋଲିସ ସି.ଆଇ.ଡ଼ି. ଅଛନ୍ତି । ଗୋଟାଏ କୋଟର ଦାମ ଯେତେବେଳେ ହଜାର ହଜାର ଟଙ୍କା, ସେତେବେଳେ ଯାହାର ଅବସ୍ଥା ଅନ୍ୟ ତୁଳନାରେ ସେତେ ଭଲ ନୁହେଁ, ତାର ଚୋରି କରିବାରେ ପ୍ରବୃତ୍ତି ହେବା ସ୍ୱାଭାବିକ ଓ ଏପରି ଅନେକ ଚୋରି ପ୍ରତିଦିନ ହେଉଛି । ତେଣୁ ଏହା ଯେ ଅନେକଟା ଅର୍ଥନୈତିକ ପରିସ୍ଥିତି ଉପରେ ନିର୍ଭର କରୁଛି ଏଥିରେ ସନ୍ଦେହ ନାହିଁ ।

 

ତେବେ ବର୍ତ୍ତମାନ ପ୍ରଶ୍ନ ଉଠିପାରେ ଯେ ଆମ ଦେଶରେ ପଇସାଥିବା ଲୋକଙ୍କ ଭିତରେ ମଧ୍ୟ ଏତେ ଲାଞ୍ଚ ମିଛ ଓ ବ୍ୟବସାୟୀଙ୍କ ମଧ୍ୟରେ ଏତେ ଚୋରା ବଜାର କାହିଁକି ? ସେମାନଙ୍କର ତ ଅନେକ ଟଙ୍କାପଇସା ଅଛି । ଆମର ଅଫିସରମାନେ ଦୁଇ ଶହ ତିନିଶହ ଟଙ୍କା ପାଇଲେ ମଧ୍ୟ ସବୁବେଳେ ଆପତ୍ତି କରିଥାଆନ୍ତି ଯେ ସେମାନଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି, ଇତ୍ୟାଦି । ଏହାର କାରଣ କଣ ? ଏସବୁ କଣ ଜନ୍ମଗତ ପ୍ରକୃତି ଯୋଗୁଁ ନୁହେଁ ? ଇଂଲଣ୍ଡରେ ସିଭିଲସର୍ଭିସ କଲେଜ ପ୍ରଫେସର ପ୍ରଭୃତିଙ୍କ ଭିତରେ ତ ଏତେ ଅସନ୍ତୋଷ, ଏତେ ଓଜର ଆପତ୍ତି ଦେଖାଯାଏ ନାହିଁ । ଏପରିକି ମୁଁ ଅନେକ ଚେଷ୍ଟା କରିଛି; ଛାତ୍ର କିମ୍ୱା ଲାବୋରଟରୀ ଆସିଷ୍ଟେଣ୍ଟଙ୍କଠାରୁ କଲେଜ ଅଧ୍ୟାପକଙ୍କ ଦରମା ଜାଣିବା ପାଇଁ-ସେମାନେ ତାହା କହିପାରନ୍ତି ନାହିଁ-। କିଏ କେତେ ପାଇଲା ସେ ବିଷୟରେ କେହି ବିଶେଷ ମୁଣ୍ଡ ଘୂରାଇଲା ପରି ଜଣାଯାଏ ନାହିଁ । ଏ ପ୍ରକାର ଶାନ୍ତିପୂର୍ଣ୍ଣ ବାୟୁମଣ୍ଡଳ ମୋତେ ଖୁବ୍‌ ଭଲ ଲାଗିଥିଲା । କିନ୍ତୁ ଏଠିକି ଆସିଲା ପରେ ଯାହା ସହିତ ଦେଖାହୁଏ ସେ ପଚାରେ ‘‘କେତେ ଦେଲେ ସରକାର’’-ଏଠାରେ ଦରମା ବିଷୟରେ ହଜାରେ ଓଜର ଆପତ୍ତି -ଯେ ଯେତେ ପାଉନା କାହିଁକି ।

 

ମୋର ମନେ ହୁଏ ଏହା ମୂଳରେ ରହିଛି ଅର୍ଥନୈତିକ ଶ୍ରେଣୀବିଭାଗର ତାରତମ୍ୟ ଓ ସେଥିଲାଗି ଅଯଥା ପ୍ରତିଯୋଗିତା ଏବଂ ଈର୍ଷା । ଚାକିରିଆମାନଙ୍କ ଭିତରେ ଦରମା ନେଇ ଏତେ ତଫାତ୍‌ ରହିଛି ଯେ ସବୁବେଳେ ନିଜ ସହିତ ଉପର ଶ୍ରେଣୀର କର୍ମଚାରୀଙ୍କୁ ତୁଳନା କରି ଅସନ୍ତୋଷ ବଢ଼େ । କୌଣସି ସଭ୍ୟ ଦେଶରେ ସର୍ବନିମ୍ନ ଓ ସର୍ବୋଚ୍ଚ ସରକାରୀ କର୍ମଚାରୀଙ୍କ ଭିତରେ ଦରମା ହାରର ଏତେ ବେଶୀ, ତାରତମ୍ୟ ନାହିଁ । ଜଣେ ଅଧ୍ୟାପକ ଯଦି ୧୨୫ଟଙ୍କା ପାଉଥାଆନ୍ତି ଓ ସେହି ବିଭାଗର କର୍ତ୍ତା ଦୁଇ ତିନି ହଜାର ପାଆନ୍ତି, ତାହେଲେ ତ ଅଧ୍ୟାପକଙ୍କର ମର୍ଯ୍ୟାଦା ଅନ୍ୟ ଆଗରେ କ୍ଷୁନ୍ନ ହୋଇଯିବ, ଏପରିକି ଜନସାଧାରଣଙ୍କ ଆଗରେ ମଧ୍ୟ ଏମାନଙ୍କର ସମ୍ମାନ ବେଶୀ ରହେ ନାହିଁ । ମୁଁ କଲେଜ ପିଲାଙ୍କଠାରୁ ଶୁଣିଛି, ‘‘ଅମୁକ ଅଧ୍ୟାପକ ତ ? ହଁ ଶହେ ପଚିଶ ଟଙ୍କିଆ ଅଧ୍ୟାପକ ହୋଇଥିବ !’’ । ସାଧାରଣତଃ ଏହିମାନେ ବଡ଼ ବଡ଼ ଅଫିସରଙ୍କ ପୁଅ କିମ୍ବା ବନ୍ଧୁବାନ୍ଧବ । ଦରମାହାର ସାଙ୍ଗେ ସାଙ୍ଗେ ସାମାଜିକ ସମ୍ପର୍କ ଓ ସମ୍ମାନ ମଧ୍ୟ ବଦଳିଯାଏ । ତେଣୁ କର୍ମଚାରୀଙ୍କ ଭିତରେ ଅଯଥା ଅସନ୍ତୋଷ ଓ ଈର୍ଷା ବଢ଼ିଥାଏ । ମଧ୍ୟ ପ୍ରକାର କର୍ମଚାରୀଙ୍କ ମଧ୍ୟରେ ଯଦି ଏପରି ଅସନ୍ତୋଷ ଦେଖାଯାଏ, ନିମ୍ନତମ କର୍ମଚାରୀଙ୍କ ମଧ୍ୟରେ ବା କଣ ନ ହେବ ? ସେମାନଙ୍କ ପ୍ରତି ଉପର କର୍ମଚାରୀମାନେ ଯେଉଁ ବ୍ୟବହାର କରି ଥାଆନ୍ତି ତାହା ଯେ କୌଣସି ଆତ୍ମସମ୍ମାନ ଥିବା ବ୍ୟକ୍ତି ପକ୍ଷରେ ସହ୍ୟ କରିବା ଅସମ୍ଭବ; କିନ୍ତୁ ଅନାଟନ ଭିତରେ ପଡ଼ି ସେମାନେ ଆତ୍ମମର୍ଯ୍ୟାଦା ଓ ବ୍ୟକ୍ତିତ୍ୱର ନାର୍ଯ୍ୟଦାବୀ ଭୁଲି ଯାଇ ଥାଆନ୍ତି । ତାଙ୍କ ଦେଶରେ ତଫାତ୍‌ ଏତେ ବେଶୀ ନ ଥିବାରୁ ପରସ୍ପର ମଧ୍ୟରେ ମଧୁର ସମ୍ପର୍କ ଥାଏ । ଯେତେ ବଡ଼ କର୍ମଚାରୀ ହେଉ ପଛକେ ସର୍ବନିମ୍ନ ଚପରାସୀକୁ ‘‘ଶଳା’’ ‘‘ବେ’’ ‘‘ବା’’ ପରିବର୍ତ୍ତେ ‘‘ଧନ୍ୟବାଦ’’, ‘‘କ୍ଷମା ପ୍ରାର୍ଥନା’’ ନିଶ୍ଚୟ କରିବ । ଆମ ଦେଶରେ କଲେଜ ପ୍ରିନ୍‌ସିପାଲ, ପ୍ରଫେସରମାନଙ୍କୁ, ଜିଲାମାଜିଷ୍ଟ୍ରେଟ ସବ୍‌ଡ଼େପୁଟିମାନଙ୍କୁ ବସିବାକୁ ସୁଦ୍ଧା କହନ୍ତି ନାହିଁ । କିନ୍ତୁ ଜଣେ ଅଶିକ୍ଷିତ ଲକ୍ଷପତି ଜମିଦାର ଆସିଲେ ଦୁଆର ମୁହଁକୁ ଆସି ଅଭ୍ୟର୍ଥନା କରି ନିଅନ୍ତି । ତେବେ କିଏ କହିବ ଯେ ସାମାଜିକ ସମ୍ମାନ ଓ ଖାତିରି ଅର୍ଥନୈତିକ ସମ୍ପର୍କ ଉପରେ ନିର୍ଭର କରେ ନାହିଁ ?

 

ବ୍ୟବସାୟୀଙ୍କ ଭିତରେ ଚୋରା ବଜାର ଓ ଲାଞ୍ଚମିଛ ମଧ୍ୟ ସେହି କାରଣରୁ ଦେଖାଯାଏ-। ପ୍ରଥମତଃ ସମାଜର ପ୍ରଚଳିତ ରୀତି ଯୋଗୁଁ ଏପରି ଅଭ୍ୟାସ ହୋଇ ଯାଇଥାଏ ଯେ ବ୍ୟବସାୟକ୍ଷେତ୍ରରେ ଚୋରି କରିବା, ମିଛ କହିବା ଗୋଟିଏ ସାଧାରଣ ନୀତି ହୋଇପଡ଼େ ଏବଂ ଧରା ପଡ଼ିଲେ ମଧ୍ୟ ବିଶେଷ କିଛି ଦଣ୍ଡ ହୁଏ ନାହିଁ । ସମସ୍ତେ ଜାଣିଲେ ମଧ୍ୟ ତାର ବିଶେଷ କିଛି ଆତ୍ମସମ୍ମାନ ହାନି ହୁଏ ନାହିଁ । ତା ନ ହେଲେ ଏତେ ଦିନ ଧରି ଯେଉଁ ବ୍ୟବସାୟୀ ଓ ସରକାରୀ କର୍ମଚାରୀମାନେ ଲାଞ୍ଚ ଓ ଚୋରା ବଜାରରେ ଲିପ୍ତ ହୋଇଥିବା କଥା ସମସ୍ତେ ଜାଣନ୍ତି, ସେମାନେ ଉତ୍ତରୋତ୍ତର ଉନ୍ନତି କରୁ ନ ଥାନ୍ତେ । ଫଳରେ ଲୋକଙ୍କର ସେ ଦିଗରେ ଲାଳସା ବଢ଼ୁଛି ସିନା କମୁନାହିଁ । ଇଂଲଣ୍ଡରେ ସାମାନ୍ୟ ଗୋଟାଏ କଥା ନେଇ କିଛି ଦିନ ତଳେ ଜଣେ ମନ୍ତ୍ରୀ ଓ ବ୍ୟାଙ୍କର ଜଣେ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ କାର୍ଯ୍ୟରୁ ବାହାର କରି ଦିଆଗଲା ।

 

ତା ଛଡ଼ା ଆମ ଦେଶରେ ବଡ଼ ବଡ଼ ପୁଞ୍ଜିପତିଙ୍କଠାରୁ ଆରମ୍ଭ କରି ଛୋଟ ଛୋଟ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ପ୍ରଭୂତ ଅର୍ଥ ସଞ୍ଚୟ କରିବା ପାଇଁ ଗୋଟାଏ ବିରାଟ ପ୍ରତିଯୋଗୀତା ଲାଗି ରହିଛି । ଧନ ସଞ୍ଚୟର ଗୋଟାଏ ଅବସ୍ଥା ପରେ ଜୀବନ ଯାପନ ଲାଗି ଅର୍ଥର ଆବଶ୍ୟକତା ନ ଥିଲେ ମଧ୍ୟ ପ୍ରତିଯୋଗୀତାର ନିଶୁଣି ଉପରକୁ କିଏ କେତେ ଦୂର ଉଠି ପାରିବ, ସେଥିଲାଗି ସମସ୍ତେ ତତ୍ପର ଏବଂ ସେଥି ସାଙ୍ଗେ ସାଙ୍ଗେ ସାମାଜିକ ଖାତିରି ମଧ୍ୟ ବଢ଼ି ଚାଲେ; ଏପରିକି ସରକାରଙ୍କ ଠାରୁ ମଧ୍ୟ ସେମାନେ ସେହି ପରିମାଣରେ ସୁବିଧା ଓ ସମ୍ମାନ ପାଇ ଥାଆନ୍ତି-। ତେଣୁ ଯେ କୌଣସି ଉପାୟରେ ହେଲେ ମଧ୍ୟ ସେମାନେ ଉପରକୁ ଉଠିବାକୁ ଚେଷ୍ଟା କରିଥାଆନ୍ତି; ଏପରି କି ଲକ୍ଷ ଲକ୍ଷ ଭୋକିଲା ମଣିଷର ଶବ ଉପରେ ଚଢ଼ି ସେ ସିଡ଼ି ଉପରକୁ ଉଠିବାକୁ ମଧ୍ୟ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ ।

 

ଅର୍ଥନୈତିକ ସମ୍ପର୍କ ସମାଜର ମୂଳଦୁଆ ସ୍ୱରୂପ କାମ କରିଥାଏ ଓ ତା ଉପରେ ନୈତିକ, ନାଗରିକ ଏବଂ ସାମାଜିକ ଚରିତ୍ରର ଉଦ୍ଭବ ହୋଇଥାଏ । ଅର୍ଥନୈତିକ ତାରତମ୍ୟ ଯେତେ କମ୍‌, ସାମାଜିକ ସଂପର୍କ ସେତେ ମଧୁର ଓ ଦ୍ୱନ୍ଦହୀନ । ତେଣୁ ଆମ ଜାତିର ବଦ୍‌ଗୁଣ ସବୁ ଦେଖି ନିରାଶ ହେବାର କାରଣ ନାହିଁ । ଅବଶ୍ୟ ପ୍ଳାଟଫର୍ମ ବତ୍କୃତା ଦ୍ୱାରା ଏସବୁ ଦୂରୀଭୂତ ହେବା ଅସମ୍ଭବ । ଯେତେ ଦିନ ପର୍ଯ୍ୟନ୍ତ ଅସଲ ମୂଳଦୁଆକୁ ବଦଳାଇ ଦିଆ ନ ହେବ, ସେତେ ଦିନ ପର୍ଯ୍ୟନ୍ତ ତାର ପ୍ରତିକ୍ରିୟା ସାଧାରଣ ସମାଜିକ ଜୀବନକୁ କଳୁଷିତ କରିଦେବ । ଇଟାଲୀର ଲୋକମାନେ ଆମ ଲୋକଙ୍କ ପରି ଗରିବ । ତେଣୁ ସେମାନେ ଭାରତୀୟଙ୍କ ପରି ଅସାଧୁ ଓ ସେମାନଙ୍କର ସାମାଜିକ ଜୀବନ ଆମ ଦେଶ ପରି କଳୁଷିତ । ମଧ୍ୟ ଓ ସୁଦୂର ପ୍ରାଚ୍ୟ ଦେଶମାନଙ୍କରେ ମଧ୍ୟ ଠିକ୍‌ ସେହିପରି, ଅଥଚ ପୃଥିବୀର ଧନୀ ଦେଶମାନଙ୍କରେ ଅସାଧୁତା ବେଶୀ ଦେଖାଯାଏ ନାହିଁ ।

 

ଦେଶର ନେତା, କର୍ମୀ ଓ ଉତ୍ସାହୀ ଛାତ୍ରମାନେ ଅଯଥା ନିରାଶ ନ ହୋଇ ଦେଶର ଅର୍ଥନୈତିକ ମୂଳଭିତ୍ତିକୁ ବିଶ୍ଳେଷଣ କରି ଦେଖନ୍ତୁ ଓ ସମାଜ ନୂତନ ପ୍ରକାରେ ଗଢ଼ିବାକୁ ଚେଷ୍ଟା କରନ୍ତୁ-ତା ହେଲେ ସୁଫଳ ଦିନେ ନା ଦିନେ ଦେଖାଦେବ ।

•••

 

–ଚାରି–

ବ୍ୟକ୍ତିଗତ ସ୍ୱାତନ୍ତ୍ର୍ୟ-ପାରିବାରିକ ଓ ସାମାଜିକ ସଂପର୍କ

 

କୌଣସି ଜାତିର ପ୍ରାଧାନ୍ୟ ଜାତୀୟ ଗୁଣ ବା ଲକ୍ଷଣ ବିଷୟରେ ରୋକ୍‌ଠୋକ୍‌ ଜବାବ ଦେବା ବଡ଼ କଠିନ ଓ ଅବୈଜ୍ଞାନିକ । ସାଧାରଣତଃ ଅନେକେ ପ୍ରଥମରୁ ନିଜର କେତେଗୁଡ଼ିଏ ସାମାଜିକ ଓ ବ୍ୟକ୍ତିଗତ ବଦ୍ଧମୂଳ ଧାରଣାର (Social Stereotype) ବଶବର୍ତ୍ତୀ ହୋଇ ଅନ୍ୟ ସମାଜକୁ ବିଚାର କରିଥାଆନ୍ତି । ତେଣୁ ଏ ସବୁ ବିଷୟରେ ଲେଖିବାକୁ ଯିବା ପୂର୍ବରୁ ବଡ଼ ସାବଧାନ ହେବା ଉଚିତ ଏବଂ ଯେତେ ଦୂର ସମ୍ଭବ ନିରପେକ୍ଷ ଭାବରେ ବିଶ୍ଳେଷଣ କରିବା ଉଚିତ-। ତା ଛଡ଼ା ମଧ୍ୟ ମୁଁ ଯାହା ଯାହା ଲେଖିବାକୁ ଯାଉଛି, ସେସବୁ ପ୍ରତ୍ୟେକ ଇଂରେଜ ନରନାରୀଠାରେ ଯେ ଦେଖିବାକୁ ମିଳିବ, ତାହା ଭାବିବା ଭୁଲ । ଏହା ମନର ଗୋଟିଏ ମୋଟାମୋଟି ପ୍ରତିଛାୟା ମାତ୍ର (In scientific language it may be called a statistical average.) ଗୋଟିଏ ଦେଶରେ ଦୁଇ ତିନି ବର୍ଷ କଟାଇଲା ପରେ କେତେଗୁଡ଼ିଏ ଛାପ ମନ ଭିତରେ ରହିଯାଏ । ଉଦାହରଣ ସ୍ୱରୂପ ଯେ କୌଣସି ବୈଦେଶିକ ଆଖିରେ ଆମ ଦେଶର ଜାତିବିଭାଗ ଓ ଅର୍ଥନୈତିକ ତାରତମ୍ୟ ପରିଷ୍କାର ହୋଇ ଦେଖାଦେବ । ସେହିପରି ଇଂରେଜ ଜାତିର କେତେଗୁଡ଼ିଏ ମୋଟାମୋଟି ଆଖିଦୃଷ୍ଟିଆ ବିଶିଷ୍ଟ ଲକ୍ଷଣ ବିଷୟରେ ମୁଁ ପଦେ ଅଧେ ଲେଖିଚି ।

 

ମୁଁ ଯେତେବେଳେ କଲେଜରେ ପଢ଼ୁଥିଲି, ମୋର ଜଣେ ପ୍ରଫେସର କହୁଥିଲେ ଯେ ସେ କିପରି ଲଣ୍ଡନରୁ ଏଡ଼ିନବରା ପର୍ଯ୍ୟନ୍ତ ଆଠ ଦଶ ଜଣ ଇଂରେଜ ସ୍ତ୍ରୀପୁରୁଷଙ୍କ ସହିତ ଏକା ରେଳ ବଖରାରେ ଯାତ୍ରା କରିଥିଲେ ଆଠ ଘଣ୍ଟା ଧରି; ତଥାପି କିଏ କାହାକୁ ପଦେ ସୁଦ୍ଧା କଥା କହି ନ ଥିଲେ । ଏଠାରେ ଯେତେବେଳେ ମୁଁ ରେଳ ଭ୍ରମଣରେ ଯାଏ, ମୋର ଏହି କଥାଟି ବାରମ୍ବାର ମନେପଡ଼େ । ଆଉ ଅଧିକାଂଶ ସମୟରେ ତାହାର ସତ୍ୟତା ପ୍ରମାଣିତ ହୁଏ । ଇଂରେଜମାନେ ବଡ଼ ଗମ୍ଭୀର ଓ ଅମିଳାପୀ । ଅନେକେ କହନ୍ତି ଯେ ଏହା ଲଜ୍ଜା ଯୋଗୁଁ ଏବଂ ଆହୁରି ଅନେକେ କହନ୍ତି ଯେ ନା ଏଟା ସେମାନଙ୍କର ଗର୍ବ ବା ବଡ଼ିମାର ପରିଚାୟକ । ଏହାର କାରଣ ଖୋଜି ବାହାର କରିବା ବଡ଼ କଷ୍ଟସାଧ୍ୟ । ହୁଏ ତ କେତେକ ଲାଜୁକ ଓ ଆଉ କେତେକ ଗର୍ବି । ଏହା ଯେ ଖାଲି ବାହାରର ଲୋକଙ୍କ ସମ୍ପର୍କରେ ଦେଖାଯାଏ ତାହା ନୁହେ; ପରସ୍ପର ଭିତରେ ମଧ୍ୟ ସେମାନେ ସେହିପରି ଉଦାସୀନ ଏବଂ ଅମିଶୁକ । ଏହି ବିଷୟରେ ମୁଁ ଅନେକ ଇଂରେଜ ଓ ଅନ୍ୟାନ୍ୟ ବିଦେଶୀ ଲୋକଙ୍କ ସହିତ ଆଲୋଚନା କରିଛି, ଅଧିକାଂଶ ଏହାକୁ ସ୍ୱୀକାର କରିଛନ୍ତି ।

 

ଅନେକ ସମୟରେ ମୁଁ ପ୍ରଥମେ କଥାବାର୍ତ୍ତା ଆରମ୍ଭ କରି ଦେଖିଛି ଏବଂ ଏତେ ଚମତ୍କାର ବ୍ୟବହାର ପାଇଛି ଯେ ମୋର ମନେ ହେଇଛି, ସତରେ ସେମାନେ ଲାଜକୁଳା ଓ ସେଥିଲାଗି ସେମାନେ କଥା ଆରମ୍ଭ କରି ପାରି ନାହାନ୍ତି । ଆହୁରି ମଧ୍ୟ ଅନେକ ଲୋକଙ୍କୁ ଦେଖିଛି, ଯେଉଁମାନେ ଏପରି ଭାବରେ କଥାବାର୍ତ୍ତା କରନ୍ତି ଯେ ମନେ ହୁଏ ସତେ ଯେପରି ଗୋଟାଏ ମସ୍ତବଡ଼ ଉଚ୍ଚ ସଭାମଞ୍ଚ ଉପରୁ କଥାବାର୍ତ୍ତା କରୁଛନ୍ତି-ମୂର୍ଖ ଜନତାକୁ ଉଦ୍‌ବୋଧନ କରୁଛନ୍ତି ଏବଂ ନିଜର ବଡ଼ିମା ପ୍ରତି ମୁହୂର୍ତ୍ତରେ ପ୍ରତିପାଦନ କରୁଛନ୍ତି । କିନ୍ତୁ ମୋଟାମୋଟି କହିବାକୁ ଗଲେ ବାହାରର ଲୋକଙ୍କ ଦୃଷ୍ଟିରେ ସାଧାରଣ ଇଂରେଜମାନେ ଅମିଶୁକ ଓ ଉଦାସୀନ ଦେଖାଯାନ୍ତି ଏବଂ ଲୋକେ ତାହାର ବିଭିନ୍ନ କାରଣ ଦେଇ ଥାଆନ୍ତି । ମୋର ମନେ ହୁଏ ଲଜ୍ଜା ଏବଂ ଅହମିକତା ଏହାର କାରଣ ନୁହେ ବରଂ ଏହା ଦୁଇଟି ଲକ୍ଷଣ (Symptoms) ଏବଂ ଏହାର ମୂଳରେ ରହିଛି ବ୍ୟକ୍ତିଗତ ସ୍ୱାତନ୍ତ୍ର୍ୟ ବା (individualism); ତେଣୁ ସେମାନଙ୍କର ଲାଜ କିମ୍ବା ଅହମିକା ଭାବ ବ୍ୟକ୍ତିତ୍ଵର ରକ୍ଷାକବଚ (Defence Mechanism) ହିସାବରେ କାମ କରୁଛି । ଏହି ବ୍ୟକ୍ତିଗତ ସ୍ୱାତନ୍ତ୍ର୍ୟ ବା (individualism) ଅନେକ ଜାତିଗତ ଲକ୍ଷଣକୁ ବୋଧଗମ୍ୟ କରି ଦେଇପାରିବ ।

 

ଏମାନଙ୍କର ସାମାଜିକ ଜୀବନ ମଧ୍ୟ ଏପରି ବ୍ୟକ୍ତିଗତ ସ୍ୱାତନ୍ତ୍ର୍ୟ ଉପରେ ପ୍ରତିଷ୍ଠିତ । ପୁଅଝିଅ ବଡ଼ ହେଲାକ୍ଷଣି ନିଜ ନିଜର ଉପାର୍ଜ୍ଜନ ନିଜ ନାମରେ ରଖନ୍ତି । ଯେଉଁ ପରିବାରରେ ସ୍ୱାମୀ ଓ ସ୍ତ୍ରୀ ଉଭୟେ କାମ କରନ୍ତି, ନିଜ ନିଜ ନାମରେ ଉପାର୍ଜନ ଜମା ରଖନ୍ତି ଓ ଘର ଖର୍ଚ୍ଚ ପାଇଁ ଉଭୟେ ଦିଅନ୍ତି । ଅନେକ ଦମ୍ପତ୍ୟଜୀବନ ଭାଙ୍ଗିଯାଇଛି ଏହି ଅର୍ଥନୈତିକ ସଂଘର୍ଷ ନେଇ । ପୁଅ ବିବାହ ପରେ ଅନ୍ୟଘରେ ଯାଇ ରହେ କିମ୍ବା ବାପା ମା ପାଖରେ ରହିଲେ ପ୍ରତି ସପ୍ତାହରେ ଖୁରାକି ଦିଏ । ଅଧିକାଂଶ ଅନ୍ୟତ୍ରହିଁ ରହିଥାଆନ୍ତି । ବର୍ତ୍ତମାନ ଯୁଦ୍ଧ ପରେ ଘର ଅଭାବରୁ ଅନେକେ ବାପା ମା ପାଖରେ ରହିଥାଆନ୍ତି; କିନ୍ତୁ ଏଥିରେ ସେମାନେ ସୁଖୀ ନୁହନ୍ତି । ଖାଲି ସେତିକି ନୁହେଁ, ଏକାଘରେ ମା ନିଜର ସ୍ୱାମୀ ପାଇଁ ରାନ୍ଧିବ ତ ବୋହୂ ପୁଅ ପାଇଁ ରାନ୍ଧିବ । ମୁଁ ଯେତେବେଳେ ଆମ ଦେଶର ଏକାନ୍ନବର୍ତ୍ତୀ ପରିବାର ସମ୍ପର୍କରେ କହେ, ସେଠାକାର ଅନେକ ନବବିବାହିତା ଝିଅ ବିଶ୍ୱାସ କରିପାରନ୍ତି ନାହିଁ ଯେ ଏକା ସାଙ୍ଗେ କିପରି ସମସ୍ତେ ରହିପାରନ୍ତି ଏବଂ ଏକାସାଙ୍ଗରେ ଖାଆନ୍ତି । ଦୁଇଜଣ ସ୍ତ୍ରୀଲୋକ ଗୋଟିଏ ରନ୍ଧାଘରେ ଏକାଠି ରାନ୍ଧିବା ଏମାନେ କେଭେଁ ପସନ୍ଦ କରିପାରନ୍ତି ନାହିଁ । ପୁଅ ବୋହୂ ମାସରେ ଥରେ କିମ୍ବା ଦୁଇ ଥର ବୁଢ଼ା ବୁଢ଼ୀଙ୍କୁ ଦେଖିବାକୁ ଯାଆନ୍ତି । ମୁଁ କେତେଗୁଡ଼ିଏ ପରିବାର ସହିତ ଖୁବ୍‌ ଘନିଷ୍ଠ ସମ୍ପର୍କରେ ଆସି ଏସବୁ ବିଷୟ ଲକ୍ଷ୍ୟ କରି ଦେଖିଛି । ନିମ୍ନଲିଖିତ ପରିବାରଟିର ଚାଲିଚଳନରୁ କେତେକ ସୂଚନା ମିଳିବ ।

 

ବୁଢ଼ା ଓ ବୁଢ଼ୀର ବୟସ ପଞ୍ଚାଅଶୀ । ସେମାନଙ୍କର ଗୋଟିଏ ବୋଲି ପୁଅ ଓ ତାହାର ବୟସ ୬୦ । ବୋହୂର ବୟସ ଷାଠିଏ ଏବଂ ପୁଅ ବୋହୂଙ୍କର ଏକମାତ୍ର ଝିଅର ବୟସ ୩୩ । ବୁଢ଼ାବୁଢ଼ୀ ସେମାନଙ୍କ ନିଜ ଘରେ ଥାଆନ୍ତି । ବୋହୂ ଓ ନାତୁଣୀ ଅନ୍ୟଘରେ ଥାଆନ୍ତି । ନାତୁଣୀ ବିବାହ କରିନାହିଁ । ପୁଅ ୩୪ବର୍ଷ ସ୍ତ୍ରୀ ସହିତ ରହିଲା ପରେ ତାକୁ ଛାଡ଼ି ଆଉ ଗୋଟିଏ ସ୍ତ୍ରୀକୁ ନେଇ ଅନ୍ୟଜାଗାରେ ରହେ । ବୋହୂ ଷାଠିଏ ବର୍ଷ ବୟସରେ ଝିଅକୁ ନେଇ କୌଣସିମତେ ଚଳେ-। ପୁଅ ହପ୍ତାରେ ଥରେ ବାପାମାଙ୍କୁ ଦେଖିବାକୁ ଯାଏ । ନାତୁଣୀ ମଧ୍ୟ ସେହିପରି ଯାଏ । ବୁଢ଼ୀମାର ଅନେକ ପଇସା, ଖୁବ୍‌ ବଡ଼ଘର ଏବଂ ଅନେକ ଅଳଙ୍କାର ଅଛି । ସେମାନେ ନାତୁଣୀକୁ ଖୁବ୍‌ ଭଲ ପାଆନ୍ତି; କିନ୍ତୁ ଗୋଟାଏ ହେଲେ ଅଳଙ୍କାର ତାକୁ ଦିଅନ୍ତି ନାହିଁ-ବୁଢ଼ୀ ଅବଶ୍ୟ କହେ ଯେ ସବୁ ନାତୁଣୀ ନାରେ ଛାଡ଼ିଯିବ । ଖାଲି ସେତିକି ନୁହେଁ । ନାତୁଣୀ ଯାଇ ବୁଢ଼ୀମା ବଗିଚାରେ କାମ କରିଦେବ ଏବଂ ସେଥିଲାଗି ବୁଢ଼ୀ ତାକୁ ଦିନକର ମଜୁରି ଦେବ । ନାତୁଣୀ ଆସି କହେ, ‘‘କେଡ଼େ ଛୋଟଲୋକ, ମୋତେ ଏତେ କମ ଦେଲା ଅଥଚ ମୁଁ ଏତେ କାମ କରିଦେଲି ବଗିଚାରେ......ବୁଢ଼ୀ ବୁଢ଼ା ଉପରେ ମଧ୍ୟ ଖୁବ୍‌ ଖପା ଯେ ବୁଢ଼ା ନିଜର ସବୁ ପଇସା ଖର୍ଚ୍ଚ କରିଦେଇଛି ଏବଂ ବର୍ତ୍ତମାନ ବୁଢ଼ୀକୁ ସବୁଖର୍ଚ୍ଚ ତୁଲାଇବାକୁ ପଡ଼ୁଛି । ଏପରି କେତୋଟି ଘଟଣା ମୁଁ ମୋର ଅନ୍ୟାନ୍ୟ ଇଂରେଜ ବନ୍ଧୁଙ୍କ ସହିତ ଆଲୋଚନା କରି ଦେଖିଛି ଯେ ଉପରୋକ୍ତ ଘଟଣା ସାଧାରଣ ସାମାଜିକ ଜୀବନର ଗୋଟାଏ ବ୍ୟତିକ୍ରମ ନୁହେଁ, ବରଂ ସର୍ବସାଧାରଣ ରୀତି । ଆମମାନଙ୍କର ପାରିବାରିକ ରୀତି ଗୋଟାଏ ମସ୍ତବଡ଼ ବ୍ୟତିକ୍ରମ ଏବଂ ଜଟିଳ ବୋଲି ଏମାନଙ୍କର ମନେହୁଏ ।

 

ଏହା ବ୍ୟକ୍ତିଗତ ସ୍ୱାତନ୍ତ୍ର୍ୟର ଚରମ ପରିଣତି । ଏପରି ପାରିବାରିକ ପରିସ୍ଥିତି ଉପରେ ସମଗ୍ର ସାମାଜିକ ସମ୍ପର୍କ ନିର୍ଭର କରେ । ଯେଉଁ ଦମ୍ପତ୍ତି ନିଜ ନିଜର ବାପ ମାଙ୍କଠାରୁ ଏପରି ଅଲଗା ରହନ୍ତି, ସେମାନେ ପ୍ରତିବେଶୀମାନଙ୍କ ପ୍ରତି କିପରି ବ୍ୟବହାର କରିବେ, ତାହା ସହଜେ ଅନୁମେୟ । ମାସ ମାସ ଧରି କେହି କାହା ସହିତ କଥାବାର୍ତ୍ତା ହୁଏ ତ କରିନାହାଁନ୍ତି । ରାସ୍ତାରେ ଦେଖାହେଲେ ପଦେ ଦିପଦ ପାଣିପାଗ ବିଷୟରେ କହି ବିଦାୟ ନେଇ ଥାଆନ୍ତି । ଯଦି କେହି ଏହାଠୁଁ ବେଶି ଘରୋଇ ବିଷୟ ପଚାରିପକାନ୍ତି ତାହେଲେ ଭୟଙ୍କର ଅଭଦ୍ରତା ହୋଇ ପଡ଼େ ଏବଂ ସେମାନଙ୍କୁ ସାଧାରଣତଃ ସମସ୍ତେ Nosy parker (N. P.) ବୋଲି କହିଥାନ୍ତି । ଥରେ ଗୋଟିଏ ପରିବାର ମୋତେ ଡିନର ପାଇଁ ନିମନ୍ତ୍ରଣ କରିଥିଲେ; ଆଉ ଅନେକ ଲୋକ ମଧ୍ୟ ଆସିଥିଲେ । କଥା କଥାରେ ଜଣେ କହିଲେ ଯେ, ‘‘ଓଃ, ଆମପଡ଼ାରେ ଦୁଇଚାରି ଜଣ N.P. ଅଛନ୍ତି । ମୁଁ ବୁଝି ନ ପାରି ତାହାର ମାନେ ପଚାରିବାରୁ ଶୁଣିଲି ଯେ ଯେଉଁମାନେ ଅଯଥା ପ୍ରଶ୍ନ କରିଥାଆନ୍ତି, ଖାଇବାପିଇବା ପ୍ରଭୃତି ବିଷୟରେ ସେମାନଙ୍କୁ Nosy parker (ନୋଜି ପାର୍କର) କୁହାଯାଏ । ସେମାନେ ଭୟାନକ ଅଭଦ୍ର । ମୁଁ ଯେଉଁ ପରିବାର ସହିତ ଥିଲି, ତାଙ୍କ ଘରକୁ ଜଣେ ପ୍ରତିବେଶୀ ଦୁଇ ବର୍ଷ ଭିତରେ ଥରେ-ହପ୍ତାଏ ପୂର୍ବରୁ ଫୋନକରି ସମୟ ଠିକ କରି ଆସିଥିଲେ । ସେ ବି ଆସି ନ ଥାନ୍ତେ, ପ୍ରତିବେଶୀର ପୁଅ ଯୁଦ୍ଧରୁ ଫେରିଥାଏ ଏବଂ ଆମ ଘରର ବୁଢ଼ୀ ମାଙ୍କୁ କୁଆଡ଼େ ଭାରି ଭଲପାଏ-ତେଣୁ ଲଣ୍ଡନ ଫେରିଲା ପରେ, ପ୍ରାୟ ଚାରି ମାସ ପରେ ସେ ଭଦ୍ରଲୋକ ବୁଢ଼ୀକୁ ଦେଖିବା ପାଇଁ ଆସିଥିଲେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏମାନଙ୍କର ସମାଜିକ ଜୀବନ ଏହିପରି ରସହୀନ ଓ ସଙ୍ଗୀଶୂନ୍ୟ । ଅନେକେ ନିଜଘରେ ଚାଭୋଜି ପ୍ରଭୃତି ଦେଇଥାଆନ୍ତି ଏବଂ ଅନେକ ଚିହ୍ନା ପରିଚୟ ଲୋକଙ୍କୁ ଡାକିଥାଆନ୍ତି । ନିମନ୍ତ୍ରଣ ଛଡ଼ା କେହି କାହାଘରକୁ ଖୁବ୍‌ କ୍ୱଚିତ ଯାଆନ୍ତି । ଅବଶ୍ୟ ଏମାନଙ୍କର କ୍ଳବ ଜୀବନ ଏ ଅଭାବ ବହୁ ପରିମାଣରେ ଲାଘବ କରେ । କ୍ଳବରେ ବହୁତ ଲୋକେ ସବୁବେଳେ ହୈ ଚୈ କରୁଥାଆନ୍ତି; କିନ୍ତୁ ସେତିକିରେ ସବୁ ଶେଷ । ଘରକୁ ଫେରିଲାପରେ କେହି କାହାର ପତ୍ତା ପାଆନ୍ତି ନାହିଁ ।

 

ଏ ପ୍ରକାର ସାମାଜିକ ଓ ପାରିବାରିକ ଜୀବନରେ ଅବଶ୍ୟ ବହୁତ ସୁବିଧା ଅଛି । ପାରିବାରିକ ମମତା ଓ ପରିସର ଖୁବ୍‌ ସଂକୀର୍ଣ୍ଣ ହୋଇଥିବା ଯୋଗୁଁ ସାଧାରଣ କ୍ଷେତ୍ରରେ ଓ ଚାକିରିବାକିରି ସଂକ୍ରାନ୍ତରେ ନାନାପ୍ରକାର ପକ୍ଷପାତିତା ଓ ଅଯଥା ଆତ୍ମୀୟାନୁରାଗ ପ୍ରଭୃତି ବଦ୍‌ଗୁଣ ଖୁବ୍‌ କମ ଦେଖାଯାଏ । ଆମ ଦେଶରେ ଏ ପ୍ରକାର ଦୋଷ ଏତେ ବେଶୀ ଯେ ଖୁବ୍‌ କମ କେତେ ଜଣ ସଚ୍ଚୋଟ କର୍ମଚାରୀଙ୍କୁ ଛାଡ଼ିଦେଲେ ଏହା ପ୍ରାୟ ସର୍ବତ୍ର ବହୁ ପରିମାଣରେ ଦେଖାଯାଇଥାଏ । ସରକାରୀ କର୍ମଚାରୀଙ୍କ ଭିତରେ ଯେପରି ଗୋଟାଏ ପରସ୍ପର ସାହାଯ୍ୟକାରୀ ସର୍ତ୍ତ ସ୍ପଷ୍ଟ ଭାବରେ ସ୍ୱୀକୃତ ହୋଇଯାଇଛି । ମାଜିଷ୍ଟ୍ରେଟଙ୍କ ପୁଅର ଉପଯୁକ୍ତ ଯୋଗ୍ୟତା ନ ଥିଲେ ସୁଦ୍ଧା ପୁଲିସ ସାହେବଙ୍କ ନାନା କଳାକୌଶଳରେ ତାକୁ ପୁଲିସ ବିଭାଗରେ ଭର୍ତ୍ତି କରି ଦିଆହୁଏ ଏବଂ ତାହାରି ବଦଳରେ ପୁଲିସ ସାହେବଙ୍କ ପୁତୁରାକୁ ମାଜିଷ୍ଟ୍ରେଟ ସାହେବ ନିଶ୍ଚୟ ସାହାଯ୍ୟ କରିବେ । ଥରେ ଆରମ୍ଭ ହେଲେ କ୍ରମେ ଏହା ବିଶାଳ ଦ୍ରୁମରେ ପରିଣତ ହୁଏ ଏବଂ ସାରା ସମାଜରେ ତାର ଚେର ମାଡ଼ିବସେ । ବିଲାତରେ ଏହାର ଦୃଷ୍ଟାନ୍ତ ବଡ଼ ବିରଳ । ସାଧାରଣ କ୍ଷେତ୍ରରେ ଆତ୍ମୀୟାନୁରାଗଜନିତ ପକ୍ଷପାତିତା ବଡ଼ କମ ଦେଖାଯାଏ । ଅବଶ୍ୟ ସାମାଜିକ ଓ ଅର୍ଥନୈତିକ ନିଶ୍ଚୟତା ଏହାର ମୂଳରେ ଅଛି ବୋଲି ମନେ ହୁଏ । ଯଦି ଊଣାଅଧିକେ ସମସ୍ତେ ଯେ କୌଣସି କ୍ଷେତ୍ରରେ ହେଉ ଭର୍ତ୍ତି ହୋଇପାରିବେ ଏବଂ ସେମାନଙ୍କ ଭିତରେ ଉପାର୍ଜ୍ଜନର ପାର୍ଥକ୍ୟ ବେଶୀ ନ ରହେ ତାହେଲେ ସାଧାରଣ କ୍ଷେତ୍ରରେ ପକ୍ଷପାତିତା ଓ ପ୍ରତିଯୋଗୀତା ସେତେ ବେଶୀ ରହିବ ନାହିଁ-। ଆମ ଦେଶର ବିଭିନ୍ନ ଶ୍ରେଣୀ ଭିତରେ ଅର୍ଥନୈତିକ ତାରତମ୍ୟ ଯେ ଏଥିଲାଗି ଅନେକଟା ଦାୟୀ ଏଥିରେ ସନ୍ଦେହ ନାହିଁ, କିନ୍ତୁ ପାରିବାରିକ ସମ୍ପର୍କ କମ୍‌ ଦାୟୀ ନୁହେଁ ।

 

ଦ୍ୱିତୀୟତଃ ଏ ଦେଶରେ ବାପ ମାକୁ, ନିଜର ପିଲାମାନଙ୍କୁ ନିଜ ଇଚ୍ଛାନୁସାରେ ଶିକ୍ଷା ଦେବାରେ ଏ ପ୍ରକାର ପାରିବାରିକ ଜୀବନ ବହୁତ ସାହାଯ୍ୟ କରିଥାଏ । ଆମ ସମାଜରେ ଅଜାଆଈ ଓ ଗୋସାଇଁବାପା ଗୋସାଇଁ ମାମାନଙ୍କର ପିଲାମାନଙ୍କ ଉପରେ ଖୁବ କର୍ତ୍ତୃତ୍ଵ ଥାଏ । ସେମାନେ ତାଙ୍କର ଯୁଗର ରୀତିନୀତି ଅନୁସାରେ ନାତି ନାତୁଣୀମାନଙ୍କୁ ବଢ଼ାଇବାକୁ ଚେଷ୍ଟା କରିଥାଆନ୍ତି ଏବଂ ଯଦି ବାପାମା ଏ ବିଷୟରେ ଏକମତ ନ ହୁଅନ୍ତି, ସେ ବିଷୟ ନେଇ ଅନେକ ସମୟରେ କଳହ ହୋଇଥାଏ । ତା ଛଡ଼ା ବି ଗୋସାଇଁ ମା ଓ ଗୋସାଇଁ ବାପା ନାତିନାତୁଣୀଙ୍କୁ ଅଯଥା ସ୍ନେହ ଓ ମମତା ଦେଖାଇ ସେମାନଙ୍କୁ ଫୁଲାଫାଙ୍କିଆ କରିଦିଅନ୍ତି । ବାପାମାଙ୍କର ଶାସନ ପ୍ରତି ସେମାନେ ଆଦୌ କାନ ଦିଅନ୍ତି ନାହିଁ । ପିଲାମାନଙ୍କ ତତ୍ତ୍ୱାବଧାନରେ ଏ ପ୍ରକାର ମତଦ୍ୱୈଧ ସେମାନଙ୍କର କୋମଳ ମନପକ୍ଷରେ ଖୁବ୍‌ କ୍ଷତିକା ରକ ।

 

ତୃତୀୟତଃ ଏକାନ୍ନପରିବାର ଫଳରେ ଅନେକ ଲୋକ ଜଣେ ଉପାର୍ଜନକ୍ଷମ ଲୋକ ଉପରେ ନିର୍ଭର କରିଥାଆନ୍ତି । ବାପ ମା ତାଙ୍କର ବନ୍ଧୁ ବାନ୍ଧବ ନେଇ ପୁଅର ଉପାର୍ଜନ ଉପରେ ବଞ୍ଚିରହନ୍ତି । ତଦ୍ଦ୍ୱାରା ପୁଅର ନିଜର ପାରିବାରିକ ସୁଖସ୍ୱାଚ୍ଛନ୍ଦ୍ୟରେ ବହୁତ ବାଧା ପଡ଼େ ଓ ଅକର୍ମା ସଂଖ୍ୟା ମଧ୍ୟ ବଢ଼ିଯାଏ । ତା ଛଡ଼ା ତାଙ୍କ ଦେଶରେ ପ୍ରତ୍ୟେକେ ବିବାହ କରି ଘରଦ୍ୱାର କରିବା ପୂର୍ବରୁ ସ୍ୱାବଲମ୍ବନଶୀଳ ହେବାକୁ ଚେଷ୍ଟା କରନ୍ତି ଏବଂ ସମସ୍ତଙ୍କର ଏପରି ଉଦ୍ୟମ ଯୋଗୁଁ ଦେଶର ସମୂହ ଉତ୍ପାଦିକାଶକ୍ତି ବଢ଼େ । ତା ସାଙ୍ଗେ ସାଙ୍ଗେ ସମସ୍ତଙ୍କର ସୁଦୃଢ଼ ଆତ୍ମ ବିଶ୍ୱାସ ଜନ୍ମିପାରେ ଏବଂ ତାହା ବ୍ୟକ୍ତିଗତ ତଥା ଜାତିଗତ ଉନ୍ନତିରେ ବହୁତ ସାହାଯ୍ୟ କରିଥାଏ ।

 

କିନ୍ତୁ ଆମ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ ଓ ଚାକିରୀ ବିଷୟରେ କୌଣସି ନିଶ୍ଚୟତା ନ ଥିବା ସ୍ଥଳେ ପରସ୍ପର ସାହାଯ୍ୟସାପେକ୍ଷ ଏକାନ୍ନପରିବାରର ଆବଶ୍ୟକତା ଅଛି । ଏହା ଗୋଟାଏ ପ୍ରକାର ସାମାଜିକ କୋ-ଅପରେଟିଭ ଇନ୍‌ସୁରେନ୍‌ସରୂପେ କାମ କରିଥାଏ; ତେଣୁ ବର୍ତ୍ତମାନ ପରିସ୍ଥିତିରେ ଏହାର ମୂଲ୍ୟ ଆମ ସମାଜରେ ବହୁତ ବେଶୀ । ଯଦିଚ ଏହା ମୂଳରେ ବହୁତ ବିଷ ରହିଛି ।

 

ମୋର ମନେ ହୁଏ ଏମାନଙ୍କର ପାରିବାରିକ ଜୀବନ ଯେପରି ଅପୂର୍ଣ୍ଣ, ଆମର ମଧ୍ୟ ସେହିପରି । ଏ ଦୁଇଟି ପ୍ରଣାଳୀ ନେଇ ଗୋଟିଏ ଚଳନସହ ସମାବେଶ କରିବା ନିହାତି ପ୍ରୟୋଜନ-। ଆମ ଦେଶର ଏକାନ୍ନପରିବାର ପ୍ରଥା ଦେଶର ସାଧାରଣ ଅର୍ଥନୈତିକ ଉନ୍ନତି ସାଙ୍ଗେ ସାଙ୍ଗେ ଯେ ଅନ୍ୟ ରୂପ ଧାରଣ କରିବ ଏଥିରେ ସନ୍ଦେହ ନାହିଁ । ପ୍ରତ୍ୟେକ ବ୍ୟକ୍ତିର ଅର୍ଥନୈତିକ ସ୍ୱାଧୀନତା ସଙ୍ଗେ ସଙ୍ଗେ ଅନେକ ପାରିବାରିକ ଦୋଷ କମିଯିବ ବୋଲି ମନେ ହୁଏ ।

•••

 

–ପାଞ୍ଚ–

(Formality)–ଆଦବକାଇଦା–ଆଚାର ବ୍ୟବହାର

 

ପାରିବାରିକ ଓ ସାମାଜିକ ଜୀବନ ଯେପରି ବ୍ୟକ୍ତିଗତ ସ୍ୱାତନ୍ତ୍ର୍ୟ (Individualism) ଉପରେ ନିର୍ଭର କରେ, ସାଧାରଣ ଆଚାର ବ୍ୟବହାର ଓ ଚାଲିଚଲଣ ମଧ୍ୟ ସେହି ଭିତର ଦେଇ ବୁଝିବାକୁ ସୁବିଧା ହୁଏ । ଅନ୍ୟାନ୍ୟ ଇରୋପୀୟାନ ଓ ଆମେରିକାନ୍‌ମାନଙ୍କ ତୁଳନାରେ ଏମାନେ ଖୁବ୍‌ ଆଦନବକାଇଦାପ୍ରିୟ । ଆମମାନଙ୍କ ଆଖିରେ ଏ ପ୍ରକାର ବାହ୍ୟକାଇଦା ଓ ଭଦ୍ରତା ବଡ଼ କୃତ୍ରିମ ଏବଂ ଶୁଷ୍କ ବୋଲି ମନେ ହୋଇଥାଏ । ପ୍ରଥମେ ପ୍ରଥମେ ଆମମାନଙ୍କ ପକ୍ଷରେ ଏମାନଙ୍କ ସହିତ ତାଳ ଦେଇ ଚାଲିବା ଭୟାନକ ବ୍ୟାପାର ହୋଇପଡ଼େ । ‘ଧନ୍ୟବାଦ’ ‘ଦୁଃଖିତ’ ଏବଂ ‘ମୋତେ କ୍ଷମାକର’ ପ୍ରଭୃତି ବହୁଳ ବ୍ୟବହାରରେ ପ୍ରାଣ ଛଟପଟ କରି ଉଠେ । ଅନଭ୍ୟସ୍ତ ଜିହ୍ଵାରେ ଏତେଥର ଏ ସବୁ କଥା ଓଲଟେ ନାହିଁ; ଅଥଚ ଅପର ଦିଗରୁ ଏହାର କ୍ରମାଗତ ବ୍ୟବହାରରେ ନିଜକୁ ବଡ଼ ଅପ୍ରତିଭ ହେବାକୁ ପଡ଼େ; କିନ୍ତୁ କ୍ରମେ କ୍ରମେ ଏସବୁ ଦେହସୁହା ହୋଇଯାଏ ଓ କିଛିଦିନ ଭିତରେ ଭାରତୀୟମାନଙ୍କ ମୁହଁରେ ଏହାର ଅଜସ୍ର ବ୍ୟବହାର ଶୁଣିବାକୁ ମିଳେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ସେହି ଭାରତୀୟମାନେ ଯେତେବେଳେ ଆମ ଦେଶକୁ ଫେରିଥାନ୍ତି, ଦୁଇଦିନ ଭିତରେ ସେ ସବୁ ଭୁଲି ଯାନ୍ତି ଓ ନିଜର ଚାକରବାକରଙ୍କୁ ଶଳା ଓ ବଦମାସ ପ୍ରଭୃତି ଅପମାନସୂଚକ ସମ୍ବୋଧନ କରିଥାଆନ୍ତି । ଅନେକ ସମୟରେ ବିଲାତ ଫେରନ୍ତା ‘ସାହେବଙ୍କ’ର ବ୍ୟବହାର ରାସ୍ତାର ସାଧାରଣ ଲୋକଙ୍କଠାରୁ ମଧ୍ୟ ଖରାପ ହୋଇଥାଏ ।

 

ବାହାରର ଆଦବକାଇଦା ଏମାନଙ୍କ ମଧ୍ୟରେ ଗୋଟାଏ ମସ୍ତବଡ଼ ଗୁଣବୋଲି ବିବେଚିତ ହୋଇଥାଏ । ତେଣୁ ବାହାରର ଲୋକଙ୍କ ସହିତ ଯେପରି ଭଦ୍ରତା ଦେଖାଇ ଥାଆନ୍ତି ନିଜର ପରିବାର ଭିତରେ ମଧ୍ୟ ଊଣାଅଧିକେ ସେହିପ୍ରକାର ବ୍ୟବହାର ପ୍ରଚଳିତ ଥିବାର ଦେଖାଯାଏ । ଏପରିକି ସ୍ୱାମୀ ସ୍ତ୍ରୀ, ଭାଇ-ଭଉଣୀଙ୍କ ଭିତରେ ମଧ୍ୟ ଏ ପ୍ରକାର ବ୍ୟବହାର ଦେଖିବାକୁ ମିଳେ । ପ୍ରତିଥର ସ୍ତ୍ରୀ କିଛି ଗୋଟାଏ କଲେ, କିମ୍ବା ପାଣି ଗ୍ଳାସେ କି ‘ଚା’ କପେ ବଢ଼ାଇ ଦେଲେ ସ୍ୱାମୀ ଧନ୍ୟବାଦ ଦିଏ । ଘରକୁ ପଶିଗଲା ବେଳେ ଗୋଡ଼ ଟିକିଏ ବାଜିଗଲା କିମ୍ବା କବାଟଟା ଜୋରରେ ବାଡ଼େଇ ହୋଇଗଲା ତ ସ୍ତ୍ରୀ ନିଶ୍ଚୟ କହିବ ‘ବଡ଼ ଦୁଃଖିତ, କ୍ଷମା କର’ । ଖାଇଲାବେଳେ ଟିକିଏ ହାକୁଟି ମାରି ହୋଇଗଲା ତ ‘କ୍ଷମା’ କହିବାକୁ ହେବ । ‘ଆଜି ସକାଳେ କିପରି ଲାଗୁଛି’ ମା ଝିଅକୁ ପଚାରିଲା, ଝିଅ କହିଲା- ‘ଭଲ ଅଛି, ଧନ୍ୟବାଦ’ । ଏପରିକି କୁକୁର ବିରାଡ଼ି ସହିତ ବ୍ୟବହାର କଲାବେଳେ କ୍ଷମା ଓ ଦୁଃଖ ପ୍ରକାଶ କରିବା ଶୁଣିବାକୁ ମିଳେ । ମୋର ଲେଣ୍ଡଲେଡି କୁକୁର ଦେହରେ ଟିକିଏ ଗୋଡ଼ ବାଜିଗଲେ କହେ ‘ମୁଁ’ ବଡ଼ ଦୁଃଖିତ ଗିଲ୍‌’ (କୁକୁରର ନାମ) । ଏପ୍ରକାର ପାରିବାରିକ ସମ୍ପର୍କ ଆମମାନଙ୍କୁ କିପରି ପ୍ରାଣହୀନ ବୋଲି ମନେ ହୋଇଥାଏ ।

 

ଅନେକ ସମୟରେ ମୋ ମନରେ ପ୍ରଶ୍ନ ଉଠିଥାଏ-ଏହାର ମୂଲ୍ୟ କେତେ ଦୂର ? ଏହାର ଉପକାରୀତା କଣ ଥାଇପାରେ ? ଅନେକ ସମୟରେ ଏପରି ବ୍ୟବହାର ମୋତେ ସ୍ପର୍ଶ କରିଛି ଏବଂ ମୁଁ ଅନ୍ୟର କୃତଜ୍ଞତା ଜ୍ଞାପନରେ ଖୁବ୍‌ ମୁଗ୍‌ଧ ହୋଇଛି । ଅନେକ ସମୟରେ ହୃଦୟର ପ୍ରକୃତ ଉଷ୍ମତା ଏବଂ କୃତଜ୍ଞତା ଏହାଦ୍ୱାରା ପ୍ରକାଶ ପାଇଥାଏ । କିନ୍ତୁ ଅତି ସାମାନ୍ୟ କଥାରେ ଏପରି ଅଯଥା କୃତଜ୍ଞତା ଜ୍ଞାପନ କରିବା ଖୁବ୍‌ କୃତ୍ରିମ ବୋଲି ମନେ ହୁଏ । ଅବଶ୍ୟ ଆମ ଦେଶର ବାବୁ-ସାହାବମାନଙ୍କର ‘ଶଳା’ ‘ବଦମାସ’ ସମ୍ବୋଧନଠାରୁ ଯେ ଏହା କେତେ ଉଚ୍ଚରେ ତାହା କହିବା ନିଷ୍ପ୍ରୟୋଜନ । ଏଠାରେ ଉଚ୍ଚ ଶ୍ରେଣୀର ଲୋକେ ନିଜର ଚାକର ସହିତ ଯେପରି ବ୍ୟବହାର କରି ଥାଆନ୍ତି, ଆମ ଦେଶର ‘ବାବୁ-ସାହେବ’ ମାନଙ୍କର ଲଜ୍ଜାରେ ମୁଣ୍ଡ ପୋତିବା ଉଚିତ-। ଧନ ଓ ଶିକ୍ଷା ନିର୍ବିଶେଷରେ ବ୍ୟକ୍ତିତ୍ଵର ସମ୍ମାନ ଦେଖାଇବାକୁ ଏମାନେ ଶିଖିଛନ୍ତି । ଏହାର ସାମାଜିକ ଓ ମାନବିକ ମୂଲ୍ୟ ବହୁତ । ଆମ ଦେଶର ‘ବେ’‘ବା’ ତୁଳନାରେ ଏହାର ଯେ ମୂଲ୍ୟ ଅନେକ ବେଶୀ ଏଥିରେ ସନ୍ଦେହ ନାହିଁ । ଅତ୍ୟଧିକ ମାତ୍ରାରେ ବ୍ୟବହାର କରିବାରେହିଁ ଏହା ଏତେ ବେଶୀ କୃତ୍ରିମ ହୋଇ ପଡ଼ିଛି । ଆହୁରି ମସ୍ତବଡ଼ ଗୋଟାଏ ଦୋଷ ଯେ ଲୋକେ ଏହାକୁ ବଡ଼ ଗୁରୁତ୍ୱ ଦେଇଥାଆନ୍ତି । ସରଳ ମନରେ ପ୍ରକୃତ କୃତଜ୍ଞତା ପ୍ରକାଶରେ ଲୋକେ ଖୁସି ହେବାର କଥା, କିନ୍ତୁ ସାମାନ୍ୟ ସାମାନ୍ୟ କଥାରେ ଅଯଥା ‘ଧନ୍ୟବାଦ’ କ୍ଷମା ଓ ଦୁଃଖ ପ୍ରକାଶ’ ପ୍ରଭୃତି ଭଦ୍ରତା ନ ଦେଖାଇଲେ ଅନେକ ଲୋକ ବିବ୍ରତ ହୋଇପଡ଼ନ୍ତି । ପ୍ରତିଦିନ ହୁଏତ ଏପରି ଘଟଣା ଘଟେ ଯେଉଁଥିରେ କିଏ ଧନ୍ୟବାଦ ଦେବାକୁ ଭୁଲିଯାଏ ଏବଂ ଏ ସବୁ ଘଟଣା ଅଯଥା କଷ୍ଟ ଦେଇଥାଏ । ବିଶେଷତଃ ଭାରତୀୟମାନଙ୍କ ସଂପର୍କରେ ଯେଉଁ ଇଂରେଜୀ ପରିବାର ସବୁ ଆସିଥାଆନ୍ତି, ସେମାନଙ୍କଠାରୁ ଏ ପ୍ରକାର ଅନେକ ଆପତ୍ତି ଶୁଣିବାକୁ ମିଳେ । ଅନେକ ଥର ମୁଁ ବୁଝାଇବାକୁ ଚେଷ୍ଟା କରିଛି ଯେ ଆମ୍ଭମାନଙ୍କର ଧନ୍ୟବାଦ ଓ କ୍ଷମା ପ୍ରଭୃତି ଭଦ୍ରତା ଦେଖାଇବାରେ ଯେ ତ୍ରୁଟି ଦେଖାଯାଇଥାଏ ତା ମୂଳରେ ଅସମ୍ମାନ କିମ୍ବା ଅକୃତଜ୍ଞତା ଦେଖାଇବାର ଉଦ୍ଦେଶ୍ୟ ନ ଥାଏ । ଆମ୍ଭମାନଙ୍କର ଚାଲିଚଳଣ, ଆଚାର ବ୍ୟବହାର ଏତେ ତଫାତ୍‌ ଯେ ଆମେ ଭୁଲିଯାଉ ସେସବୁ କହିବାକୁ । କେତେକ ସବୁକଥା ବୁଝନ୍ତି କିନ୍ତୁ ପୁଣି ଘଟଣା ସ୍ଥଳରେ ଅପମାନିତ ହୋଇଥାନ୍ତି । ଏଥିଲାଗି ଅନେକ ଭାରତୀୟ ଛାତ୍ର କୌଣସି ପରିବାର ସହିତ ନ ରହି ହଷ୍ଟେଲ କିମ୍ବା ହୋଟେଲରେ ରହିବା ପସନ୍ଦ କରି ଥାଆନ୍ତି । ମୋଟାମୋଟି ଏମାନଙ୍କର ଧାରଣାଯେ ସେମାନଙ୍କର ନିର୍ଦ୍ଦିଷ୍ଟ ଚାଲିଚଳନ ଓ ଭଦ୍ର ବ୍ୟବହାର ସହିତ ଯେଉଁମାନେ ତାଳ ଦେଇ ନ ପାରିବେ ସେମାନେ ନିଶ୍ଚୟ ଅଭଦ୍ର । ଏପ୍ରକାର ମନୋବୃତ୍ତିର ମୂଳରେ ଜାତିଗତ ବଡ଼ିମା (National Superiority) ଓ ବ୍ୟକ୍ତିଗତ ସ୍ୱାତନ୍ତ୍ର୍ୟ (Indiviualism) ରହିଛି । ଏମାନେ କେବେ ସ୍ୱୀକାର କରିବାକୁ ଚାହାନ୍ତି ନାହିଁ ଯେ ଅନ୍ୟ ଦେଶର ରୀତିନୀତି ହୁଏ ତ କେତେକ ଦିଗରେ ନିଜର ରୀତିନୀତି ଠାରୁ ଉନ୍ନତତର ହୋଇପାରେ । ଖାଲି ତା ନୁହେଁ ଅନେକ ସମୟରେ ଏମାନଙ୍କର ଭୁଲ କିମ୍ବା ସାମାଜିକ ଦୋଷସବୁ ଯଦି କେହି ଦେଖାଏ ତାହାହେଲେ ଏମାନେ ଆଦୌ ପସନ୍ଦ କରନ୍ତି ନାହିଁ । ଏପରି ଆଲୋଚନାକୁ ଅଭଦ୍ରୋଚିତ ବୋଲି ମନେ କରିଥାଆନ୍ତି । ଅବଶ୍ୟ ସମସ୍ତଙ୍କୁ ଏ ଭାବରେ ଦେଖିବା ଉଚିତ ହେବନାହିଁ । ଅନେକେ ନିଜ ନିଜ ଦୋଷ ତ୍ରୁଟି ସ୍ୱୀକାର କରିଥାଆନ୍ତି କିନ୍ତୁ ସେମାନଙ୍କ ସଂଖ୍ୟା ବଡ଼ କମ୍‌ ତେଣୁ ଏହାକୁ ଗୋଟିଏ ଜାତିଗତ ଲକ୍ଷଣ ବୋଲି ଧରା ଯାଇପାରେ-

 

ଖାଲି କଥାବାର୍ତ୍ତାରେ ନୁହେଁ, ପୋଷାକ ପରିଚ୍ଛଦରେ ମଧ୍ୟ ଏ ପ୍ରକାର ରକ୍ଷଣଶୀଳ ମନୋଭାବ ଦେଖିବାକୁ ମିଳେ । ଅନ୍ୟାନ୍ୟ ଇଉରୋପୀୟାନ୍‌ ଦେଶର ଲୋକେ ଖଣ୍ଡେ ସାର୍ଟ ଓ ପେଣ୍ଟ ପିନ୍ଧି ବୁଲୁଥିବେ । ଟାଇ କିମ୍ବା କଲରର ଦେଖା ନାହିଁ; କିନ୍ତୁ ଏଠାରେ ଯେତେ ଗରମ ହେଉ ପଛେ ପୁରୁଷମାନେ ସେହିପରି ଗରମ ପୋଷାକକୋଟ-ଟାଇ-କଲର ପ୍ରଭୃତି ସବୁ ପିନ୍ଧିଥିବେ । ପୁରୁଷମାନଙ୍କ ପାଇଁ ଖରାଦିନିଆ ପୋଷାକ ଏକାବେଳେକେ ନାହିଁ । ଶୀତଦିନେ ଯାହା ଖରାଦିନେ ଠିକ୍‌ ସେହି ପୋଷାକ-କୋଟ କିମ୍ବା ଟାଇ ନ ପିନ୍ଧିବା ଅଭଦ୍ରତା ଏପରି କି ପେଣ୍ଟଟା ଯଦି ଟିକିଏ ଉପରକୁ ହୋଇଗଲା ଓ ମୋଜା ନ ଥିବା ଗୋଡ଼ର କେତେକାଂଶ ବାହାରକୁ ଦେଖାଗଲା ତାହେଲେ ସେଟା ବଡ଼ ଅଭଦ୍ରତା ହୋଇପଡ଼େ । ସ୍ତ୍ରୀଲୋକମାନେ ଏପରି ତ୍ରୁଟି ସହ୍ୟ କରି ପାରନ୍ତି ନାହିଁ; କିନ୍ତୁ ଖରାଦିନେ ସ୍ତ୍ରୀଲୋକମାନଙ୍କର ପୋଷାକ ଏକାବେଳେକେ ତଫାତ୍‌ । ସାଧାରଣତଃ ଆଣ୍ଠୁ ପର୍ଯ୍ୟନ୍ତ ଯେଉଁ ପୋଷାକ ତାହା ଆହୁରି ଉପରକୁ ଉଠିଯାଏ । ଅନେକ ସମୟରେ ପାର୍କ ଓ ସମୁଦ୍ର କୂଳରେ ବୁଲୁଥିଲା ବେଳେ ଖଣ୍ଡେ କୌପୁନୀ ଓ ବ୍ରେସଲେଟ୍‌ ଛଡ଼ା ଆଉ କିଛି ପିନ୍ଧି ନ ଥାନ୍ତି-। ରାସ୍ତା ଘାଟରେ ଖୁବ୍‌ ଛୋଟ ହାଫ୍‌ପେଣ୍ଟ ଓ ସ୍ପୋର୍ଟସାର୍ଟ ପିନ୍ଧିଥିବା ସ୍ତ୍ରୀଲୋକ ଅନେକ । ଏଟା କିନ୍ତୁ ଅଭଦ୍ରତା ନୁହେ । ଆମ ଆଖିରେ କିନ୍ତୁ ଭଦ୍ରତା ଅଭଦ୍ରତାର ଏପରି ସୂକ୍ଷ୍ମ ବିଚାର ବଡ଼ ଅଦ୍ଭୁତ ଲାଗେ । ଏ କ୍ଷେତ୍ରରେ ଆମ ଦେଶର ସାଧାରଣ ଭଦ୍ରତା ଏମାନଙ୍କର ଭଦ୍ରତାଠାରୁ ସମ୍ପୂର୍ଣ୍ଣ ବିପରୀତ ।

 

ଆମମାନଙ୍କୁ ଅନେକ କଥା ବଡ଼ କୁତ୍ରିମ ବୋଲି ମନେ ହେଲେ ସୁଦ୍ଧା ଅନେକ ବ୍ୟବହାର ବଡ଼ ଚମତ୍କାର ଲାଗେ ଓ ଚଟ୍‌ କରି ମୁଗ୍‌ଧ କରିଥାଏ । ରାସ୍ତାରେ ଯଦି ଠିଆହୋଇ ଏପାଖ ସେପାଖ ରାସ୍ତାକୁ ଚାହିଁ ଟିକିଏ ବିଚଳିତ ହେଲାପରି କେହି ଦେଖାଯାଏ, ସାଙ୍ଗେ ସାଙ୍ଗେ କିଏ ନା କିଏ ଜଣେ ଆସି ପଚାରିବ ‘ମୁଁ କିଛି ସାହାଯ୍ୟ କରିପାରେ କି ?’ ଏବଂ କୌଣସି ରାସ୍ତା କିମ୍ବା ଘରର ଠିକଣା ପଚାରିଲେ ନିଜେ ନ ଜାଣି ଥିଲେ ସୁଦ୍ଧା ଏପାଖ ସେପାଖ ଦୌଡ଼ି ୟାକୁ ତାକୁ ପଚାରି, ସାଙ୍ଗରେ ନେଇ ଉପଯୁକ୍ତ ଠିକଣାରେ ଛାଡ଼ି ଦେଇ ଆସିବେ ଏବଂ ଅନ୍ୟ କେହି ଲୋକ ଏପରି ସାହାଯ୍ୟ କଲେ ଖୁବ ଖୁସି ହୋଇ ପ୍ରକୃତ କୃତଜ୍ଞତା ପ୍ରକାଶ କରିଥାଆନ୍ତି । ଏପରି ବ୍ୟବହାର ଆମ ଦେଶରେ ଖୁବ୍‌ ବିରଳ । ମୋର ମନେପଡ଼େ ମୁଁ କଲିକତାରେ ଯେତେବେଳେ କାହାକୁ କିଛି ପଚାରେ ହୁଏତ ଉତ୍ତର ଆସେ ‘ମୁଁ କିପରି ଜାଣିବି’ କିମ୍ବା ‘ଆଉ କାହାକୁ ପଚାର’ । ଏପରି କି ଅନେକ ସମୟରେ ଜାଣିଶୁଣି ସୁଦ୍ଧା ଭୁଲ ରାସ୍ତା ବତାଇ ଦିଅନ୍ତି କିନ୍ତୁ ଏଠାରେ ସ୍କୁଲ, କଲେଜ ଓ ସାଧାରଣ ଅଫିସମାନଙ୍କରେ ଏପରି ଭଦ୍ର ବ୍ୟବହାର ଆଗନ୍ତୁକକୁ ଖୁବ ମୁଗ୍‌ଧ କରିଥାଏ । ମୁଁ ଯେତେବେଳେ ପ୍ରଥମେ କଲେଜକୁ ଯାଏ ଓ ରେଜିଷ୍ଟ୍ରାର ସଙ୍ଗେ ଦେଖାକରେ, ରେଜିଷ୍ଟ୍ରାର ନିଜେ ଏପାଖ ସେପାଖ ହୋଇ ୟାକୁ ତାକୁ ଫୋନକରି ସବୁ ଠିକଣା କରିଦେଲେ । କେଉଁଠି ରହିବା ଉଚିତ, କଣ କରିବା ଉଚିତ ପ୍ରଭୃତି ବିଷୟରେ ଅନେକ କିଛି ପରାମର୍ଶ ଓ ଅନେକଗୁଡ଼ିଏ ଘରର ଠିକଣା ସାଙ୍ଗେ ସାଙ୍ଗେ ଯୋଗାଇ ଦେଲେ । ରେଜିଷ୍ଟ୍ରାର ଓ ମୋ ପ୍ରଫେସରଙ୍କ ବ୍ୟବହାରରେ ମୁଁ ବଡ଼ ମୁଗ୍‌ଧ ହୋଇଗଲି । ଆମ ଦେଶରେ ତ ସମସ୍ତେ ହାକିମ, ସମସ୍ତେ ୟାକୁ ତାକୁ ହୁକୁମ ଦେବେ ଏବଂ ରାଜତ୍ଵ କରିବା ଅଭିଳାଷ ସମସ୍ତଙ୍କର ଖୁବ ବେଶୀ । ତେଣୁ ଏପ୍ରକାର ଭଦ୍ର ବ୍ୟବହାର ଆଶା କରିବା ବୃଥା । ପୁଲିସ ଅଫିସର ଓ ମାଜିଷ୍ଟ୍ରେଟ ଆମ ଦେଶରେ ସବୁରି ଠାରୁ ବେଶୀ ଅଭଦ୍ର ଓ ଅନ୍ୟାନ୍ୟ କର୍ମଚାରୀମାନେ ଅନେକ ସମୟରେ ସେମାନଙ୍କୁ ଅନୁକରଣ କରିଥାଆନ୍ତି । ନିଜ ଜୀବନରେ ଶିକ୍ଷକ କିମ୍ବା ଓକିଲ ହେବା ପୂର୍ବରୁ ମାଜିଷ୍ଟ୍ରେଟ ଓ ପୁଲିସ ଅଫିସର ହେବାର ଅଭିଳାଷ ପ୍ରାୟ ସମସ୍ତଙ୍କର ଥାଏ କି ନା !

 

ଉପରୋକ୍ତ ପ୍ରକାର ଭଦ୍ର ବ୍ୟବହାର ଅନେକ କ୍ଷେତ୍ରରେ ବହୁତ ଉପକାର କରିଥାଏ ଏବଂ ସାଧାରଣ ସାମାଜିକ ସମ୍ପର୍କକୁ ମଧୁର କରିଥାଏ । ଶାସକ ଓ ଶାସିତ ସମ୍ପର୍କ ପରିବର୍ତ୍ତେ ଗୋଟିଏ ସୌହାର୍ଦ୍ୟ ଭାବ ଦେଖାଯାଏ । ଛାତ୍ର ଓ ଶିକ୍ଷକ, କିରାନି ଓ କର୍ତ୍ତା ଭିତରେ ଆମ ଦେଶ ପରି ଦ୍ୱନ୍ଦ ଓ ଶ୍ରେଣୀ ବିଭାଗ ଏତେ ବେଶୀ ଦେଖାଯାଏ ନାହିଁ । ପରସ୍ପର ଭିତରେ ସହାନୁଭୂତି ଓ ଭଦ୍ରବ୍ୟବହାର ଯେ ଏହା ମୂଳରେ କାମ କରିଥାଏ ଏଥିରେ ସନ୍ଦେହ ନାହିଁ ।

 

ଆମ ସମାଜରେ ଯେ ଏପ୍ରକାର ଭଦ୍ରତା ନାହିଁ ତା କହିଲେ ଭୁଲ ହେବ । ଉପର ଶ୍ରେଣୀ ଲୋକଙ୍କ ଭିତରେ କିମ୍ବା ନିଜ ଆତ୍ମୀୟ ସ୍ୱଜନ ଭିତରେ ବେଶ୍‌ ଭଦ୍ରତା ଥାଏ; କିନ୍ତୁ ଏଦେଶରେ ଯେପରି ସବୁ ପ୍ରକାରର ଲୋକଙ୍କ ଭିତରେ-ଧନ, ଶିକ୍ଷା, ଶ୍ରେଣୀ ନିର୍ବିଶେଷରେ ପରସ୍ପର ପ୍ରତି ସମ୍ମାନ ଓ ଖାତିରି ଅଛି ତାହା ଆମ ଦେଶରେ ନାହିଁ । ତା ଛଡ଼ା ଯେ କୌଣସି ସ୍ତରର ସ୍ତ୍ରୀଲୋକ ହେଉନା କାହିଁକି ସେମାନଙ୍କ ପ୍ରତି ସବୁ ଶ୍ରେଣୀର ପୁରୁଷମାନଙ୍କର ଅସୀମ ଶ୍ରଦ୍ଧା-। ଆମ ଦେଶରେ ବେଶ୍‌ ଉଚ୍ଚ ଶିକ୍ଷିତ ଭଦ୍ରଲୋକମାନେ ମଧ୍ୟ ଚୌକିରେ ବସି ଠିଆ ହୋଇଥିବା ସ୍ତ୍ରୀଲୋକଙ୍କ ସାଙ୍ଗରେ କଥାବାର୍ତ୍ତା କରିବା ଅସଙ୍ଗତ ମନେ କରନ୍ତି ନାହିଁ । ମୋ ମତରେ ଏହା ମୂଳରେ ମଧ୍ୟ ଅର୍ଥନୈତିକ ଓ ସାମାଜିକ ତାରତମ୍ୟ କାମ କରୁଛି । ମୋଟାମୋଟି ବିଲାତରେ ଆଦବ କାଇଦାର ମାତ୍ରାଧିକ୍ୟ ଥିଲେ ସୁଦ୍ଧା ସାମାଜିକ କ୍ଷେତ୍ରରେ ଏହାର ଉପକାରିତା ଅନେକ ବେଶୀ ଓ ଆମ ମାନଙ୍କର ଅନୁକରଣୀୟ ।

•••

 

–ଛଅ–

–ଭାରତ ବିଷୟରେ ସାଧାରଣ ଲୋକଙ୍କ ଧାରଣା–

ଅନ୍ୟାନ୍ୟ ଜାତିପ୍ରତି ସେମାନଙ୍କର ମନୋଭାବ

 

ମୁଁ ଆଗରୁ କହିଛି ଯେ ଇଂରେଜ ଜାତିର ଆତ୍ମବଡ଼ିମା ଖୁବ୍‌ ବେଶି । ସେମାନେ ନିଜକୁ ଖୁବ୍‌ ଉତ୍ତମ (Superior) ଜାତି ବୋଲି ମନେ କରିଥାଆନ୍ତି । ତେଣୁ ଅନ୍ୟଦେଶର ଲୋକମାନଙ୍କ ବିଷୟରେ ଖୁବ୍‌ ବେଶି ଜାଣିବାକୁ ଇଚ୍ଛୁକ ନୁହନ୍ତି । ଅବଶ୍ୟ ଏପରି ବଡ଼ିମାର ଯଥେଷ୍ଟ କାରଣ ରହିଛି । ସେମାନେ ଯେ ଅନେକ ବିଷୟରେ ଆମମାନଙ୍କର ଅନୁକରଣୀୟ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ସେମାନଙ୍କର ଏହିସବୁ ଗୁଣ ଲାଗି ମୁଷ୍ଟିମେୟ ଲୋକ ଆଜିଯାଏ ଅର୍ଦ୍ଧ ପୃଥିବୀର ଶାସନକର୍ତ୍ତା ଥିଲେ । କିନ୍ତୁ ଠିକ୍‌ ସମୟରେ ଆତ୍ମବଡ଼ିମା ଭାବ ନବଦଳାଇଲେ ଜଗତର ପରିବର୍ତ୍ତିତ ପରିସ୍ଥିତିରେ ବହୁତ କ୍ଷତିହେବାର ସମ୍ଭାବନା ଅଛି । ରକ୍ଷଣଶୀଳତା ପ୍ରଗତିର ମାପକାଠି ନୁହେଁ, ଜାତି ବା ବ୍ୟକ୍ତିବିଶେଷ ପରିବର୍ତ୍ତନଶୀଳ ଦୁନିଆ ସହିତ ଯେତେଶୀଘ୍ର ତାଳପକାଇ ଚାଲିପାରିବ ସେତେ ଶୀଘ୍ର ତାର ଉନ୍ନତି ହେବ । କିନ୍ତୁ କେହି ଯଦି ଅତୀତ ଜୀବନର ରକ୍ଷଣଶୀଳ ମନୋବୃତ୍ତି ନେଇ ଚାଲିଥାଏ ତାହେଲେ ଅନ୍ୟାନ୍ୟ ଜାତି ଆଗେଇ ଚାଲିଯିବେ ଏବଂ ସେ ନିଶ୍ଚୟ ପଛରେ ପଡ଼ିଯିବ । ବର୍ତ୍ତମାନ ଭାରତର ମଧ୍ୟ ଠକ୍‌ ସେହି ଅବସ୍ଥା-ଖାଲି ଅତୀତରେ କଣ ଥିଲା ସେଇ କଥା ଭାବିବାରେ ସମସ୍ତେ ଗୌରବାନ୍ୱିତ । ଆମେମାନେ ପାଶ୍ଚାତ୍ୟ ଜାତିମାନଙ୍କୁ ଯେପରି ଆମର ଅତୀତ ସଭ୍ୟତା ଦ୍ୱାହି ଦେଇ ଘୃଣା କରିଥାଉଁ ସେମାନେ ଆମମାନଙ୍କୁ ମଧ୍ୟ ତାଙ୍କର ବର୍ତ୍ତମାନର ସଂସ୍କୃତି ସହିତ ତୁଳନା କରି ଅବଜ୍ଞା କରିଥାଆନ୍ତି; ତେବେ ଏ ଦୁଇପ୍ରକାର ମନୋଭାବର ମୂଳରେ ବିଭିନ୍ନ କାରଣ ରହିଛି । ଆମ୍ଭେମାନେ ପାଶ୍ଚାତ୍ୟ ସଭ୍ୟତା ବିଷୟରେ ଜାଣିବାର ସବୁପ୍ରକାର ସୁବିଧା ପାଇ ସୁଦ୍ଧା ତାଙ୍କର ଉତ୍ତମ ଗୁଣଗୁଡ଼ିକ ଗ୍ରହଣ କରି ପାରି ନ ଥାଇଁ; କିନ୍ତୁ ସେମାନେ ତାର କୌଣସି ସୁବିଧା ପାଇନାହାନ୍ତି । ତେଣୁ ସେମାନଙ୍କର ଆମ୍ଭମାନଙ୍କ ବିଷୟରେ କିଂଭୂତ କିମାକାର ଧାରଣା ହୋଇଯାଇଛି । ଖାଲି ସେତିକି ନୁହେଁ, ଆମ ଦେଶ ବିଷୟରେ ଭୁଲଧାରଣା ଜନ୍ମାଇବାପାଇଁ ବହୁତ ଚେଷ୍ଟା ହୋଇଥିଲା ପରି ଜଣାଯାଏ । ସେଠାକାର ଶାସକଶ୍ରେଣୀ ଲୋକଙ୍କ ମନରେ ଭୁଲଧାରଣା ନ ଜନ୍ମାଇଲେ ଏତେବଡ଼ ଦେଶ ଏତେ ନିର୍ଦ୍ଦୟ ଭାବରେ ଶାସନ କରିପାରି ନଥାନ୍ତେ । ପ୍ରାୟ ଦେଖାଯାଏ ସାଧାରଣ ଲୋକେ ଏପରିକି ଅନେକ ଶିକ୍ଷିତ ଲୋକେ ମଧ୍ୟ ଭାବିଥାଆନ୍ତି ଯେ ଭାରତର ସାଧାରଣ ଲୋକମାନେ ଆଫ୍ରିକା ଅଷ୍ଟ୍ରେଲିଆର ଆଦିବାସୀଙ୍କଠାରୁ କୌଣସି ଗୁଣରେ ତଫା ତ୍‌ ନୁହନ୍ତି । ଅଶିକ୍ଷିତ ଓ ଅସଭ୍ୟ ଜନସାଧାରଣଙ୍କ ଛଡ଼ା ଆଉ କେତେଜଣ ସଭ୍ୟ ଧନୀ ରାଜାମହାରାଜା ଅଛନ୍ତି । ତେଣୁ ଇଂଲଣ୍ଡକୁ ଯେତେ ଭାରତୀୟ ଯାଆନ୍ତି ସେମାନଙ୍କୁ ଖୁବ୍‌ ଧନୀ ବୋଲି ଭାବିଥାଆନ୍ତି । ପଗଡ଼ିଟେ ଭିଡ଼ିଦେଲେ ତ ନିଶ୍ଚୟ ରାଜକୁମାର । ସେମାନଙ୍କର ଖବରକାଗଜ ସବୁ ଏ ପ୍ରକାର ପ୍ରଚାରରେ ସାହାଯ୍ୟ କରିଥାଆନ୍ତି । ଯେତେବେଳେ ସାଂପ୍ରଦାୟିକ ଗଣ୍ଡଗୋଳ ହେଉଥାଏ ଅଧିକାଂଶ କାଗଜରେ (ଅଧିକାଂଶ କାଗଜହିଁ ରକ୍ଷଣଶୀଳ ଶାସକ ଶ୍ରେଣୀ ଜାଠଦଳ ହାତରେ) - ତାର ଲୋମହର୍ଷଣ ନିର୍ଦ୍ଦୟ କାହାଣୀ ସବୁ ବିଶଦଭାବରେ ବର୍ଣ୍ଣନା କରା ହୋଇଥାଏ । ସିନେମା ସାଥିରେ ପ୍ରଦର୍ଶିତ ହେଉଥିବା ଚଳଚିତ୍ର ଖବର ମଧ୍ୟ ଏହାର ଭୟାବହ ଚିତ୍ରସବୁ ଦେଖାଉଥାଏ । ତାଛଡ଼ା ଯେପରି ଆଉ କିଛିନାହିଁ ଆମ ଦେଶରେ । ଶାନ୍ତିସମୟରେ ଆମଦେଶ ବିଷୟରେ ପ୍ରାୟ କୌଣସି ଖବର ନଥାଏ । ମଝିରେ ମଝିରେ କୌପୁନୀ ପିନ୍ଧା ସନ୍ନ୍ୟାସୀ କିମ୍ୱା ସାପୁଆକେଳା କିମ୍ବା ଦିଲ୍ଲୀ ଫୁଟ୍‌ପାଥ୍‌ରେ ବିକ୍ରିହେଉଥିବା ବରା ଓ ମାଛଭଜାର ଛବି ଦେଖା ହୋଇଥାଏ । ଇଂରେଜ ବନ୍ଧୁମାନଙ୍କ ସହିତ ବସି ଯେତେବେଳେ ଏସବୁ ଛବି ଦେଖିବାକୁ ହୁଏ, ରାଗ ଓ ଲଜ୍ଜାରେ ମୁହଁ ତଳକୁ ହୋଇଯାଏ ଇଚ୍ଛା ହୁଏ; ଚିତ୍କାର କରି ଏହାର ପ୍ରତିବାଦ କରନ୍ତି-ପ୍ରତିଶୋଧ ଲାଗି ପ୍ରାଣ ବ୍ୟାକୁଳ ହୋଇ ଉଠେ; କିନ୍ତୁ ମୁହଁରେ ପ୍ରତିବାଦ କରିବା ଛଡ଼ା ଆଉ କଣ କରାଯାଇ ପାରେ । ଆମର ଦେଶକୁ ଆସି ତ ଏମାନେ ସବୁ ନେଉଛନ୍ତି ଓ ଆମର ସରକାର ଏସବୁ ବରଦାସ୍ତ କରୁଛନ୍ତି ଓ ବର୍ତ୍ତମାନସୁଦ୍ଧା ଆମର ପ୍ରାଣ ଏମାନଙ୍କର ସୌହାର୍ଦ୍ୟ ପାଇଁ ବ୍ୟାକୁଳ ହୋଇ ପଡ଼ୁଛି । ଯେଉଁ ଦେଶର ଲୋକପ୍ରିୟ ନେତା ଚର୍ଚ୍ଚିଲଙ୍କ ମୁହଁରୁ ଦିନେ ସୁଦ୍ଧା ପଦେ ଭଲକଥା ବାହାରି ନାହିଁ ଓ ଯାହାର ବେତ୍ରାଘାତ ଆମ ଦେଶର ପୂଜ୍ୟନେତାଙ୍କ ଦେହରେ ବର୍ତ୍ତମାନ ସୁଦ୍ଧା ଚକ୍‌ ଚକ୍‌ କରି ଜଳିଉଠୁଛି, ସେମାନଙ୍କ ବିନା ସାହାଯ୍ୟରେ ତ ଆମେମାନେ ଏକପାଦ ଆଗେଇ ପାରୁନାହୁଁ । ଏମାନଙ୍କର ସବୁ ନିର୍ଯ୍ୟାତନା ଓ ଶୋଷଣ ଭୁଲି ସେମାନଙ୍କୁ ଅତିଥି ହିସାବରେ ଆଗ୍ରହ ଦେଖାଇ ଆମପରି ଯେଉଁମାନେ ବର୍ତ୍ତମାନସୁଦ୍ଧା ଏମାନଙ୍କର ବଂଧୁକ ମୁନରେ ପ୍ରାଣ ହରାଉଛନ୍ତି ଓ ନିରୀହ ଶିଶୁ ଏବଂ ଅନାହାରଗ୍ରସ୍ତ ଜନନୀର ଆଖରୁ ରକ୍ତ ପଡ଼ୁଛି ସେହି ମାଲୟବାସୀ ଓ ଆଫ୍ରିକାବାସୀଙ୍କୁ ପୂରାପୂରି ଭୁଲିଯିବାରେ ବସିଛୁ ।

 

ଭାରତୀୟ ତଥା ସମସ୍ତ କୃଷ୍ଣକାୟ ଲୋକଙ୍କ ବିଷୟରେ ଏମାନଙ୍କର ବିଶେଷ ଭଲ ଧାରଣା ନାହିଁ; ଶାସକ ଓ ଶାସିତ, ଶୋଷକ ଓ ଶୋଷିତ ଭିତରେ ଯେଉଁ ଭାବ ଦେଖାଯିବା ସ୍ୱାଭାବିକ । ଅନେକେ ପଚାରିଥାଆନ୍ତି ଯେ ଆମଦେଶରେ କଣ ଗାଡ଼ି, ଟ୍ରାମ, ତାର ସବୁ ଅଛି, ବିଜୁଳିବତୀ ଅଛି । ଆଉ ଅନେକେ କହିଥାଆନ୍ତି ‘ଆଚ୍ଛା ତୁମ ସହରଭିତରେ କଣ ବାଘ ସାପ ପ୍ରଭୃତି ହିଂସ୍ରଜନ୍ତୁ ଦେଖାଯାନ୍ତି ଇତ୍ୟାଦି ।’ ଆଉ ଅନେକ ପଚାରିଥାଆନ୍ତି ଯେ ‘ଗାନ୍ଧି କଣ ପାଠ ପଢ଼ିଛନ୍ତି ।’ ମୁଁ ଗୋଟିଏ ଗ୍ରାମ ସ୍କୁଲକୁ ଯାଇଥିଲି, ସେଠାକାର ଛାତ୍ରମାନଙ୍କୁ ପଚାରିଲି ଯେ ଗାନ୍ଧି କିଏ ? ଜଣେ କହିଲା ‘‘ଓଃ ମୁଁ ଜାଣେ, ‘ସେ ଜଣେ ଧର୍ମପ୍ରଚାରକ ସନ୍ନ୍ୟାସୀ’ । ଆଉ ଜଣେ କହିଲା ଯେ ‘ହଁ ହଁ ସେ ଲୁଗା ପିନ୍ଧନ୍ତି ନି’ । ମୁଁ ପଚାରିଲି ତୁମକୁ କିଏ କହିଲା ଯେ ସେ ଲୁଗା ପିନ୍ଧନ୍ତିନି ? ସେ କହିଲା ଯେ ସେ ଛବିରେ ଦେଖିଛି ସନ୍ନ୍ୟାସୀମାନେ ଲୁଗା ପିନ୍ଧନ୍ତିନି । ତାପରେ ମୁଁ ବୁଝିଲି ଯେ ସନ୍ନ୍ୟାସୀ କହିଲାମାତ୍ରେ ସେ ଛବିରେ ଦେଖିଥିବା ପ୍ରୟାଗ ଓ ବେନାରସ ସନ୍ନ୍ୟାସୀ କଥା ମନେ ପକାଇ କହୁଛି ।

 

ଜାହାଜରେ ଆସିଲାବେଳକୁ ଜଣେ ପାଦ୍ରି ଯେ କି ଭାରତରେ ଆଗରୁ ଅନେକଦିନ ଥିଲେ ଅନ୍ୟାନ୍ୟ ନୂଆ ପାଦ୍ରିମାନଙ୍କୁ ଭାରତ ବିଷୟରେ ବକ୍ତୃତା ଦେଉଥାଆନ୍ତି । ମୁଁ ଯାଇଥିଲି ଶୁଣିବାପାଇଁ । ସେ ପରାମର୍ଶ ଦେଉଥାଆନ୍ତି, ସେମାନେ ଯାଇ କିପରି ଚଳିବେ କଣ କରିବେ କଣ କରିବେନି ଇତ୍ୟାଦି । ସେ କହିଲେ ଯେ ଥରେ ସେ ଜଣେ ହିନ୍ଦୁ ବ୍ରାହ୍ମଣ ଘରକୁ ଯାଇଥିଲେ ଖାଇବାପାଇଁ । ଖାଇଲାପରେ ତାକୁ ଗ୍ଳାସେ କଞ୍ଚାରକ୍ତ ଦିଆଗଲା ପିଇବା ପାଇଁ-ମୁଁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି । ତାଙ୍କୁ ପ୍ରଶ୍ନକରାଗଲା ପରେ ସେ କହିଲେ ଯେ ଏହା ସତ । ସେ ପୁଣି ଭାରତ ବିଷୟରେ ଅଭିଜ୍ଞ ଲୋକ କି ନା ତାଙ୍କ କଥା ନିଶ୍ଚୟ ଅନ୍ୟମାନେ ବିଶ୍ୱାସ କରିବେ ।

 

ତେବେ ପ୍ରଶ୍ନ ହୋଇପାରେ ଯେ ଆମ ଦେଶର କେତେଟା ଲୋକ ତାଙ୍କ ଦେଶ ବିଷୟରେ ସବୁ ଠିକ ଠିକ ଜାଣିଛନ୍ତି । କିନ୍ତୁ ଏପରି ପ୍ରଶ୍ନର କୌଣସି ମାନେ ହୁଏନା । ଆମ ଦେଶର ଶତକରା ପଞ୍ଚାନବେ ନୀରକ୍ଷର ଲୋକେ ତ କିଛି ଜାଣନ୍ତିନି । କିନ୍ତୁ ତାଙ୍କ ଦେଶର ତଥାକଥିତ ଗଣତାନ୍ତ୍ରିକ ଓ ଉଦାର ଶିକ୍ଷାପ୍ରଣାଳୀ ପ୍ରଚଳିତ ହେଉଥିଲେ ସୁଦ୍ଧା ଏ ପ୍ରକାର ଶିକ୍ଷା ବଡ଼ ନିନ୍ଦନୀୟ ନୁହେଁ କି ? ବଂଶାନୁକ୍ରମେ ଏପରି ଧାରଣା ପିଲାମାନଙ୍କ ଭିତରେ ଦିଆହୋଇ ଆସୁଛି । ଶିକ୍ଷା, ଖବରକାଗଜ, ସିନେମା ରେଡ଼ିଓ ଯଦି ଏପରି ପ୍ରଚାର ଚଳାନ୍ତି ତାହେଲେ ଆଉ ଉପାୟ କଣ-? ଯେତେବେଳେ ଆମ ଦେଶରେ ହରିଜନ ବିଲ ଗୃହୀତ ହେଲା ସେ ବିଷୟରେ ବି, ବି, ସି, ପାଞ୍ଚମିନିଟ କହିଥିଲା । କିନ୍ତୁ ଅନ୍ୟାନ୍ୟ ଷେୟରେ ଚୁପଚାପ । ଅର୍ଥାତ୍‌ ଯେଉଁଠି ଆମର ସବୁ ପଚା ନାଳ ସେସବୁ ଖୋଳିତାଡ଼ି ବାହାର କରିବାରେ ଯେପରି ସେମାନଙ୍କର ଆନନ୍ଦ ।

 

ଥରେ ମୁଁ ଗୋଟିଏ ପାର୍କଭିତର ଦେଇ ଆସୁଥିଲାବେଳେ ଗୋଟିଏ ତିନି ଚାରିବର୍ଷର ପିଲା ପାଟିକରି ମୋତେ କହିଲା- You, stinky man, You stinky man' (ଏ ଗନ୍ଧିଆଲୋକ) । ମୁଁ ସେମାନଙ୍କ ପାଖକୁ ଯିବାରେ ଆଉ ଅନ୍ୟାନ୍ୟ ପିଲାମାନେ ମଧ୍ୟ ତା ସହିତ ଯୋଗ ଦେଇ ସେଇଆ କହିବାକୁ ଆରମ୍ଭ କଲେ । ମୁଁ ତାର ତାତ୍ପର୍ଯ୍ୟ ଭଲବୁଝି ନପାରି ମୋର ଲେଣ୍ଡଲେଡ଼ିକୁ ଆସି ପଚାରିବାରୁ ସେ କହିଲା ଯେ କେତେକ ଅଶିକ୍ଷିତ ଲୋକେ ନିଗ୍ରୋମାନଙ୍କୁ ଗନ୍ଧିଆଲୋକ ବୋଲି କହିଥାନ୍ତି । ମୋ ଆଗରେ ସେ ଏପରି କହିଥିଲେ ମଧ୍ୟ ମୁଁ ପରେ ଖବର ନେଇ ବୁଝିଲି ଯେ ଏମାନଙ୍କର କୁଆଡ଼େ ବିଶ୍ୱାସ କୃଷ୍ଣକାୟ ଲୋକ ଦେହରୁ ଗୋଟେ ପ୍ରକାର ଗନ୍ଧ ବାହାରେ । ଏହା ନିଶ୍ଚୟ ଖୁବ୍‌ ପ୍ରଚଳିତ ହୋଇଥିବ । ତା ନ ହେଲେ ମା ମାନେ ଛୋଟ ଛୋଟ ଛୁଆମାନଙ୍କୁ କାହିଁକି ଏପରି ଶିଖାଇଥାନ୍ତେ ।

 

ଏ ପ୍ରକାର ପ୍ରଚାର ଭାରତୀୟ ତଥା ଅନ୍ୟାନ୍ୟ କୃଷ୍ଣକାୟ ଲୋକଙ୍କ ବିରୁଦ୍ଧରେ ଖୁବ୍‌ ବେଶୀ: ବିଶେଷତଃ ନିଗ୍ରୋମାନଙ୍କ ବିଷୟରେ ଏମାନଙ୍କର ଏତେ ବେଶୀ କୁସଂସ୍କାର ଯେ ଖୁବ୍‌ କମ୍‌ ପରିବାର ସେମାନଙ୍କୁ ଅତିଥି ହିସାବରେ ଗ୍ରହଣ କରିଥାନ୍ତି । ଅନେକ ସମୟରେ କେତେକ ହୋଟଲରେ ଆମମାନଙ୍କୁ ପଶିବାକୁ ଦିଆଯାଏ ନାହିଁ । ଅବଶ୍ୟ ସିଧା କହନ୍ତି ନି ଯେ ତୁମେମାନେ ଆସି ପାରିବ ନାହିଁ । କିନ୍ତୁ ନାନା ଛଳରେ ଫେରାଇ ଦିଅନ୍ତି । ପ୍ରମାଣ କରି ପାରିଲେ ସେମାନେ ଦଣ୍ଡିତ ହେବାର ବିଧାନ ଥିଲେହେଁ ପ୍ରମାଣ କରିବା ବଡ଼ କଷ୍ଟ ହୋଇପଡ଼େ ବୋର୍ଣ୍ଣ ମାଉଥ ନାମକ ସମୁଦ୍ର କୂଳ ସ୍ଥାନରେ ଏପରି ଗୋଟିଏ ଘଟଣା ଘଟିଥିଲା; କିନ୍ତୁ ଆମେ ଅନେକ ଚେଷ୍ଟା କରି ସୁଦ୍ଧା ପ୍ରମାଣ କରି ପାରିଲୁ ନାହିଁ । ତେବେ ଶୁଣିଲି, ଆଗେ ଯେପରି ଆମମାନଙ୍କ ପାଖରେ ବସ୍‌ରେ ଏକା ଜାଗାରେ ବସୁ ନ ଥିଲେ-ହୋଟଲରେ ସ୍ଥାନ ନ ଦେବା ବଡ଼ ସାଧାରଣ ଥିଲା, ଆଜିକାଲି ସେତେ ନାହିଁ ।

 

ବର୍ତ୍ତମାନ ସୁଦ୍ଧା ଟିଲ୍‌ବେରୀ ନାମକ ବନ୍ଦରରେ, ଯେଉଁଠି ଅନେକ ସମୟରେ ଯାତ୍ରୀ ଜାହାଜ ସବୁ ଆସି ଲାଗେ - ପାଇଖାନା ଓ ପରିସ୍ରା କରିବା ସ୍ଥାନ ୟୁରୋପୀୟାନ ଓ କଳା ଲୋକଙ୍କ ପାଇଁ ଅଲଗା ଅଲଗା । ତେବେ ମୁଁ ଯେତେଦୂର ଦେଖିଛି ଖୁବ୍‌ କମ ଜାଗାରେ ପ୍ରକାଶ୍ୟରେ ଏପରି ଭେଦଭାବ ଅଛି । ତେବେ ମୋ ମତରେ ଆମେରିକା ପରି ଏତେଟା ପ୍ରକାଶ୍ୟରେ ହେଉ ନ ଥିଲେ ସୁଦ୍ଧା ଲୋକଙ୍କ ମନ ଭିତରେ ଯେ ଗୋଟାଏ ମସ୍ତବଡ଼ ପ୍ରତିବନ୍ଧକ ଅଛି ଏଥିରେ ସନ୍ଦେହ ନାହିଁ ।

 

ଆମେରିକାରେ ବିଶେଷତଃ ଦକ୍ଷିଣ ପ୍ରଦେଶମାନଙ୍କରେ କୃଷ୍ଣକାୟ ଲୋକଙ୍କ ପ୍ରତି ଧଳା ଲୋକଙ୍କର ଭୟଙ୍କର ଘୃଣା । ଦିନ ଦିପହରେ କଳାଲୋକଙ୍କୁ ରାସ୍ତାରେ ପ୍ରାଣରେ ମାରିଦେବା ଅସାଧାରଣ ନୁହେଁ । ସେଠାକାର ଅଦାଲତରେ ମଧ୍ୟ ଏହାର କୌଣସି ପ୍ରତିକାର ମିଳେ ନି । ସାମାନ୍ୟ ଘଟଣାରେ ନିଗ୍ରୋମାନଙ୍କୁ କଠୋର ଶାସ୍ତି ମିଳିଥାଏ ! ନିଗ୍ରୋମାନଙ୍କର ଭୋଟ କ୍ଷମତା ଥିଲେ ମଧ୍ୟ ଭୟରେ କେହି ପ୍ରାୟ ଭୋଟ ଦିଅନ୍ତି ନାହିଁ । ଗତ ନିର୍ବାଚନରେ ଜର୍ଜିଆ ପ୍ରଦେଶରେ ଜଣେ ନିଗ୍ରୋ ସାହସର ସହିତ ଭୋଟ ଦେବାକୁ ଯାଇଥିଲା; ସେଇଥି ଲାଗି ରାତିରେ ତା ଘରେ ପଶି ଧଳା ଲୋକମାନେ ତାକୁ ମାରି ଦେଇ ଥିଲେ । କେତେକ ବିଶ୍ୱବିଦ୍ୟାଳୟରେ ନିଗ୍ରୋମାନଙ୍କର ପ୍ରବେଶ ଅଧିକାର ନାହିଁ-ଆଉ ଯେଉଁଠାରେ ଅଛି ସେମାନେ ଅଲଗା ବସନ୍ତି । ନିଉୟର୍କରେ ମୋର ଜଣେ ଭାରତୀୟ ବନ୍ଧୁଙ୍କୁ ହୋଟେଲରେ ଖାଇବାକୁ ମିଳିଲା ନାହିଁ ମେନେଜର ରାଜି ହେଲେ ସୁଦ୍ଧା ପରିବେଷଣ କରୁଥିବା ସ୍ତ୍ରୀ ଲୋକଟି ଏକ ଜିଦିରେ ମନା କରିଥିଲା କଳା ଲୋକକୁ ଖାଇବାକୁ ଦେବାଲାଗି ଏପରି କି ଡାକ୍ତର ବିଧାନଚନ୍ଦ୍ର ରାୟଙ୍କୁ ମଧ୍ୟ ଗୋଟିଏ ଜାଗାରେ ଏଥିଲାଗି ହଇରାଣରେ ପଡ଼ିବାକୁ ହୋଇଥିଲା । ଯେଉଁ ଦେଶରେ ୧କୋଟି ୨୮ ଲକ୍ଷ ଲୋକଙ୍କର ଏପରି ଅବସ୍ଥା, ସେହି ଦେଶ ଗଣତନ୍ତ୍ର ଶାସନର ଅଗ୍ରଦୂତ ହିସାବରେ ବାହାବା ନେଉଛି-ପୃଥିବୀର ଅନ୍ୟାନ୍ୟ ଦେଶକୁ ଗଣତନ୍ତ୍ର ଶାସନ ଶିଖାଇବାର ଭାର ନେଇଛି । ଆମ ଦେଶର ଲୋକେ ମଧ୍ୟ ଏସବୁ ଭୁଲି ଆମେରିକା ପରି ଗଣତନ୍ତ୍ର ଦେଶକୁ ଅନୁକରଣ କରିବାରେ ଗର୍ବ ଅନୁଭବ କରୁଛନ୍ତି ।

 

ତେବେ ଏଟା ଠିକ୍‌ ଯେ ଇଂଲଣ୍ଡରେ ଏତେ ବେଶୀ କଦର୍ଯ୍ୟ ଭାବରେ ଭେଦଭାବ ଦେଖାଯାଏ ନାହିଁ । ଖାଲି କୁ ପ୍ରଚାର ଦ୍ୱାରା ଲୋକଙ୍କ ମନରେ ଭୁଲ ଧାରଣା ଜନ୍ମାଇ ଦିଆଯାଇଥିବା ଯୋଗୁ ଅନେକେ ମୁକ୍ତମନରେ ମିଶିପାରନ୍ତି ନାହିଁ । କିନ୍ତୁ କେତେକ ଲୋକଙ୍କର ଭାରତୀୟଙ୍କ ପ୍ରତି ଆଗ୍ରହ ଓ ଆତିଥେୟତା ମଧ୍ୟ ଭୁଲିବାର ନୁହେଁ । ଅନ୍ୟାନ୍ୟ ପାଶ୍ଚତ୍ୟ ଜାତି ପ୍ରତି ଯେ ଖୁବ୍‌ ଶ୍ରଦ୍ଧା ଅଛି ତା ନୁହେଁ । ନିଜ ଜାତିଛଡ଼ା ଆଉ କେହି ଭଲ ହୋଇ ପାରିବେ ନି ବୋଲି ଯେଉଁମାନଙ୍କ ଦୃଢ଼ ଧାରଣା ସେମାନଙ୍କଠାରୁ ଏ କ୍ଷେତ୍ରରେ ବିଶେଷ ଆଶା କରିବା ବିଡ଼ମ୍ବନା ମାତ୍ର-

 

ଆମେରିକା ପ୍ରତି ଶାସକ ଶ୍ରେଣୀର ଖୁବ୍‌ ଆଗ୍ରହ ଥିଲେ ସୁଦ୍ଧା ସାଧାରଣ ମଧ୍ୟବିତ୍ତ ପରିବାରର ଲୋକେ ସେମାନଙ୍କୁ କେଭେଁ ପସନ୍ଦ କରନ୍ତି ନାହିଁ । ସେମାନଙ୍କଠୁ ଧାର ଉଧାର କରି ଚଳୁଛନ୍ତି ବୋଲି ପ୍ରକାଶ୍ୟରେ କିଛି ସେପରି ନ କହିଲେ ମଧ୍ୟ ଭିତରେ ଭିତରେ ବହୁତ ଘୃଣା ଦେଖାଯାଏ ଯୁଦ୍ଧ ପରେ ଇଂଲଣ୍ଡରେ ଚୋରି ଡକାୟତି ଓ ନାରୀହରଣ ପ୍ରଭୃତି ଅନାଚାର ଆଗ ଅପେକ୍ଷା ବଢ଼ି ଯାଇଛି ଏବଂ ଏଥିଲାଗି ଅନେକେ ଯୁଦ୍ଧ ମଧ୍ୟରେ ଥିବା ଆମେରିକାନ ସୈନ୍ୟଙ୍କୁ ଦୋଷ ଦେଇ ଥାଆନ୍ତି । ଅନେକ ସମୟରେ ଏପରି ତୀବ୍ର ଘୃଣା ଦେଖାଯାଏ ଯେ ରେଡ଼ିଓରେ ଆମେରିକା ଟିପ୍‌ପଣୀ ଓ ଆମେରିକାନ୍ ଭାଷାର ଉଚ୍ଚାରଣ ଶୁଣିଲା କ୍ଷଣି ଅନେକେ ବିରକ୍ତ ହୋଇ ରେଡ଼ିଓକୁ ବନ୍ଦ କରିଦିଅନ୍ତି । କମ୍ୟୁନିଷ୍ଟମାନେ ଏପରି କରିଥାଆନ୍ତି ବୋଲି ଭାବିନେବା ଭୁଲ । ଅନ୍ୟାନ୍ୟ ଦଳଗତ ଲୋକମାନେ ମଧ୍ୟ ବହୁ ପରିମାଣରେ ଏ ପ୍ରକାର ଘୃଣା ଦେଖାଇ ଥାଆନ୍ତି । ମୁଁ କେତୋଟି ପରିବାର ଜାଣେ ଯେଉଁମାନେ କି ବଂଶାନୁକ୍ରମେ ଜାଠ ଦଳଭୁକ୍ତ ଅଟନ୍ତି-ସେମାନେ ଆମେରିକାନ ଛବି (ସିନେମା) ସବୁ ବି ଦେଖିବାକୁ ଯାଆନ୍ତି ନାହିଁ । ସେମାନଙ୍କ ମତରେ ଆମେରିକାନ୍‌ ସଭ୍ୟତା ଓ ସଂସ୍କୃତି ବଡ଼ ନିମ୍ନସ୍ତରର-କାରଣ ସ୍ୱରୂପ କହି ଥାଆନ୍ତି ଯେ ଗୋଟିଏ ବାରମିଶା ଜାତିଠାରୁ ଆଉ ବେଶୀ କଣ ଆଶା କରାଯାଇ ପାରେ । ଏ ପ୍ରକାର ମନୋଭାବ ଖୁବ୍‌ ସାଧାରଣ । ଠିକ୍‌ ଯେଉଁ ମାନେ ଆମେରିକାନ୍‍ମାନଙ୍କୁ ଘୃଣା କରନ୍ତି ସେମାନେ ଯେ ଅନ୍ୟଜାତିକୁ ପସନ୍ଦ କରନ୍ତି ତା ନୁହେଁ; ବିଶେଷତଃ ରୁଷିଆର ଲୋକମାନଙ୍କ ପ୍ରତି ସେମାନଙ୍କ ଘୃଣା ସବୁଠୁ ବେଶୀ । ଅବଶ୍ୟ ଖୁବ୍‌ ନିମ୍ନଶ୍ରେଣୀ ମଜୁରିଆଙ୍କଠାରେ ଏହାର ତୀବ୍ରତା ବେଶୀ ଦେଖାଯାଏ ନାହିଁ । ମଧ୍ୟବିତ୍ତ ଓ ଉପରଶ୍ରେଣୀ ଲୋକଙ୍କଠାରେ ଏ ପ୍ରକାର ଘୃଣା ଖୁବ୍‌ ବେଶୀ ଦେଖାଯାଏ । ରୁଷିଆର ଲୋକେ ଅସଭ୍ୟ ବର୍ଗର, ସଂସ୍କୃତି ବୋଲି କିଛି ନାହିଁ ପ୍ରଭୃତି ଯେତେ ପ୍ରକାର ନିନ୍ଦନୀୟ ବଦ୍‌ଗୁଣ ସବୁ ସେମାନଙ୍କଠାରେ ଦେଖିବାକୁ ମିଳେ ବୋଲି ମତପ୍ରକାଶ କରିଥାଆନ୍ତି । ଅବଶ୍ୟ ଶାସକଶ୍ରେଣୀ ଚାଳିତ ଖବରକାଗଜର ବଦ୍‌ପ୍ରଚାର ଏହାର କାରଣ । ଆମେରିକାନ୍ ମାନଙ୍କ ପ୍ରତି ଯେଉଁ ମନୋଭାବ ତାହା ଯୁଦ୍ଧସମୟର ଅଭିଜ୍ଞତାରୁ ଉଦ୍ଭବ । କିନ୍ତୁ ରୁଷିଆ ସମ୍ବନ୍ଧରେ ଯେ ଉକଟ ଘୃଣା ତାହା ସୁସଂଗଠିତ ପ୍ରଚାର ଫଳରେ । ଜଣେ ଇଂରେଜ ବକ୍ତା ଥରେ ଥଟ୍ଟାକରି କହିଲେ ଯେ ଇଂରେଜମାନେ ରୁଷିୟାନ୍‌ମାନଙ୍କୁ ଦେଖିଲା କ୍ଷଣି ଅସଭ୍ୟ କହନ୍ତି-କାରଣ ସେମାନେ ଇଂରେଜି ଜାଣନ୍ତି ନାହିଁ । ବି, ବି, ସି, ରେଡ଼ିଓ ଓ ଅନ୍ୟାନ୍ୟ ଖବରକାଗଜ ସବୁ ଏପରିଭାବରେ ଖବର ଯୋଗାଡ଼ କରିଥାଆନ୍ତି ଓ ଏପରି ବୈଜ୍ଞାନିକ ପ୍ରଣାଳୀରେ ତାକୁ ସଜାଡ଼ି ପ୍ରଚାର କରିଥାଆନ୍ତି ଯେ, ଯେକୌଣସି ଲୋକର ମନ କିଛି ଦିନ ପରେ ସେସବୁ କଥାରେ ବିଶ୍ୱାସ କରିଯିବ । ଖାଲି ରୁଷିଆ ବିଷୟରେ ନୁହେଁ ଅନ୍ୟାନ୍ୟ ସାମ୍ୟବାଦୀ ଓ ନିଜର ଅଧୀନସ୍ଥ ରାଜ୍ୟମାନଙ୍କ ବିରୁଦ୍ଧରେ ଠିକ୍‌ ସେହିପରି କୁପ୍ରଚାର କରାହୋଇଥାଏ । ଆମ ଦେଶ ଖବରକାଗଜରେ ମଧ୍ୟ ଏହାର ବହୁତ ପ୍ରଭାବ ପଡ଼ୁଛି । ୟୁନାଇଟେଡ଼୍ ନେଶନ୍‌ସ ସଭାରେ ରୁଷିଆ, ମାଳୟ, ଗୋଲଡ଼କୋଷ୍ଠ, ସାଉଥ ଆଫ୍ରିକା, ଇଣ୍ଡୋନେସିଆ ପ୍ରଭୃତି ପ୍ରପୀଡ଼ିତ ଦେଶ ସପକ୍ଷରେ ଯାହା କହିଥାଏ ତାହା ଆମ ଖବରକାଗଜରେ ଖୁବ୍‌ କମ ଦେଖିବାକୁ ମିଳେ । ଅଥଚ ଭାରତ ତଥା ପୃଥିବୀର ଗଣତନ୍ତ୍ର ଦେଶମାନଙ୍କର ଚିର ଶତ୍ରୁ ଚର୍ଚ୍ଚିଲ ସାହେବଙ୍କ ରୁଷିଆ ବିରୁଦ୍ଧରେ ବିଷୋଦ୍‌ଗୀରଣ, ମାଳୟର ରକ୍ତଶୋଷକ ବିଟ୍ରିଶ ପ୍ରତିନିଧି ମାକଡୋନେଲ୍‌ଡଙ୍କ ଦୟା, ସ୍ୱାଧୀନତା ଓ ଗଣତନ୍ତ୍ର ସ୍ୱାତନ୍ତ୍ର୍ୟ ବିଷୟରେ ମତ ବଡ଼ ବଡ଼ ଅକ୍ଷରରେ ବାହାରିଥାଏ ।

 

ଅନ୍ୟାନ୍ୟ ଇଉରୋପୀୟାନ୍‌ ଜାତିପ୍ରତି ଯେ ଏମାନଙ୍କର ଖୁବ୍‌ ଶ୍ରଦ୍ଧା ତାହା ନୁହେ, ଯଦିଚ ଅର୍ଥନୈତିକ ଓ ରାଜନୈତିକ ଶୋଷଣ ଲାଗି ସବୁବେଳେ ପାଶ୍ଚାତ୍ୟ ସଭ୍ୟତା ନାମରେ ଏକତାବଦ୍ଧ ହୋଇଥାଆନ୍ତି । ଫ୍ରାନ୍‌ସ ଓ ହଲାଣ୍ଡସହିତ ଇଂଲଣ୍ଡର ମିତ୍ରତା ଖୁବ୍‌ ବେଶୀ-ତାହାର କାରଣ ସହଜେ ଅନୁମେୟ ।

 

ଜାତିପ୍ରତି ବିଦ୍ୱେଷ କଥା କହିବାକୁ ଯାଇ ଜୁମାନଙ୍କ ପ୍ରତି ସେମାନଙ୍କର ମନୋଭାବ ବିଷୟରେ ଉଲ୍ଲେଖ ନ କଲେ ବିଶ୍ଳେଷଣ ଅପୂର୍ଣ୍ଣ ରହିବ । ଇଂଲଣ୍ଡରେ ଜୁ-ବିଦ୍ୱେଷ ଖୁବ ସାଧାରଣ-। ସାରା ୟୁରୋପରେ ସବୁଠୁବେଶୀ ନିର୍ଯ୍ୟାତିତ ଜାତି ହେଉଛନ୍ତି ଜୁ ହିଟଲରଜର୍ମାନୀରେ ଜୁମାନଙ୍କ ଅବସ୍ଥା ତ ସମସ୍ତେ ଜାଣନ୍ତି । ଲକ୍ଷ ଲକ୍ଷ ଜୁ; ବନ୍ଦୀଶାଳାରେ ପ୍ରାଣ ହରାଇଛନ୍ତି । ଅନେକେ ଜର୍ମାନୀ ଛାଡ଼ି ଚାରିଆଡ଼େ ପଳାଇ ଆସିଛନ୍ତି । ଇଂଲଣ୍ଡରେ ମଧ୍ୟ ଅନେକ ପଳାତକ ଜୁ ଆସି ଘରଦ୍ୱାର କରିଅଛନ୍ତି । ଯୁଦ୍ଧ ପୂର୍ବରୁ ୟୁରୋପରେ ପ୍ରାୟ ଏକକୋଟି ଜୁ ଥିଲେ । କିନ୍ତୁ ହିଟଲର ଅତ୍ୟାଚାର ଫଳରେ ଯୁଦ୍ଧ ପରେ ସେମାନଙ୍କ ସଂଖ୍ୟା ପ୍ରାୟ ୪୨ ଲକ୍ଷକୁ ଆସିଗଲା । ଇଂଲଣ୍ଡରେ ଏମାନଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ । ଏମାନଙ୍କୁ ଅଧିକାଂଶ ଇଂରେଜ ଘୃଣା କରି ଥାଆନ୍ତି । ସାର ଅସଓ୍ୟାଲଡ୍‍ ମସ୍‌ ଲେ (ଯେ କି ଇଂଲଣ୍ଡ ଫାସିଷ୍ଟ ଦଳର ନେତା) ଦଳରେ ଲୋକେ ଅନ୍ୟାନ୍ୟ ଫାସିଷ୍ଟ ଦଳ ପରି ବହୁତ ବେଶୀ ଜୁ ମାନଙ୍କୁ ଘୃଣା କରନ୍ତି । ମୁଁ ଲଣ୍ଡନର ଯେଉଁ ଅଞ୍ଚଳରେ ରହୁଥିଲି, ସେହି ଅଞ୍ଚଳରେ ଶତକରା ପ୍ରାୟ ଅଶୀ ହେଲେ ଜୁ । ତେଣୁ ସେଠାକାର ଇଂରେଜ ବାସିନ୍ଦାଙ୍କର କି ତୀବ୍ର ଘୃଣା ସେମାନଙ୍କ ପ୍ରତି । ସେ ଅଞ୍ଚଳରେ ଯାହା କିଛି ଅସୁବିଧା ବା ଯା କିଛି ଅସୁନ୍ଦର ଘଟଣା-ସବୁ ଜୁ ମାନଙ୍କ ଦ୍ୱାରା ହୋଇଛି ବୋଲି ସାଙ୍ଗେ ସାଙ୍ଗେ ରାୟ ଦେଇଥାନ୍ତି । ପରିବା ଦାମ ଟିକିଏ ବେଶୀ ହୋଇଗଲା ତ ଜୁ ମାନେ ଦୋଷୀ । କ୍ରିସମାସ ସମୟରେ କୁକୁଡ଼ା ବା ଟର୍କି ମାଂସ ମିଳିଲାନି ତ ଜୁମାନଙ୍କର ଦୋଷ । କୁଠି କିଳାପୋତେଇ ହୋଇଛି ବୋଲି ଶୁଣାଗଲା ତ ସାଙ୍ଗେ ସାଙ୍ଗେ ଶୁଣିବାକୁ ମିଳେ-‘ଜୁମାନେ ନିଶ୍ଚୟ କରିଥିବେ’ । ଏତେ ବେଶୀ ଘୃଣା ଯେ ଥରେ ଜଣେ ଇଂରେଜ ପରିବାର କହି ପକାଇଲେ ମୋ ଆଗରେ-‘ହିଟଲର ଗୋଟିଏ ଭଲ କାମ ଆରମ୍ଭ କରିଥିଲା-ଜୁମାନଙ୍କୁ ଶେଷ କରି ଦେବାକୁ ବଦ୍ଧପରିକର ହୋଇଥିଲା-କିନ୍ତୁ ଦୁଃଖର ବିଷୟ ପାରିଲା ନାହିଁ । ମୁଁ ଶୁଣି ଅବାକ୍‌ ହୋଇଗଲି । ଯେଉଁ ଜୁ ହତ୍ୟା ପରି ନିର୍ଦ୍ଦୟ କାଣ୍ଡ-ବେଲସନ୍‌ କ୍ୟାମ୍ପ ପରି ଭୟାଭୟ ଘଟଣା ସାରା ମାନବଜାତିକୁ ଭୟରେ ଜଡ଼ କରି ଦେଇଛି ତାକୁ ଏମାନେ ଏପରି ସରଳ ଓ ଖୋଲାଖୋଲି ଭାଷାରେ ପ୍ରକାଶ କରିବା କି ଅମାନୁଷିକତା । କିନ୍ତୁ ଏ ପ୍ରକାର ମନୋଭାବ ଅନେକ ଇଂରେଜଙ୍କର ଥିବାର ଦେଖାଯାଏ । ଜୁ ବିଦ୍ୱେଷ ଏତେ ସାଧାରଣ ଯେ, ଯେ କୌଣସି ଆଗନ୍ତୁକ କିଛି ଦିନ ଭିତରେ ତାର ଟେର ପାଇବ । ମୋର ଜଣେ ଭାରତୀୟ ବନ୍ଧୁ ଜଣକୁ ରାସ୍ତାରେ ପଚାରିଲେ ଯେ ଚିଡ଼ିୟାଖାନା-(ଜୁ-Zoo)ଟା କେଉଁଠି ? ଇଂରେଜ ଭଦ୍ରଲୋକଟି ତାଙ୍କର ଉଚ୍ଚାରଣକୁ ଟିକିଏ ଥଟ୍ଟା କରି କହିଲେ ଯେ ଜୁ ଖୋଜୁଛ ? ଯୁଆଡ଼େ ଆଖି ବୁଲାଇବ ଡଜନେ ଜୁ (Jew) ଦେଖିପାରିବ ।

 

ମୋର ମନେହୁଏ ଜୁ ବିଦ୍ୱେଷ ପଛରେ ରହିଛି ଈର୍ଷା । ଜୁ ମାନେ ସାଧାରଣତଃ ଅନ୍ୟାନ୍ୟମାନଙ୍କଠାରୁ ବେଶୀ ବୁଦ୍ଧିଆ, ଏପରିକି ଯେଉଁ ସ୍କୁଲରେ ବେଶୀ ଜୁ ପିଲା ଥାଆନ୍ତି, ସେମାନଙ୍କର ଅଲଗା କରି ବୁଦ୍ଧି ପରୀକ୍ଷା କରାହୋଇଥାଏ, ହିସାବରେ ଅସୁବିଧା ହେବ ବୋଲି । ବ୍ୟବସାୟ ବାଣିଜ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସେମାନେ ଖୁବ୍‌ ଶୀଘ୍ର ଉପରକୁ ଉଠିଥାଆନ୍ତି-ତେଣୁ ଏମାନଙ୍କ ପ୍ରତି ଈର୍ଷା ହେବା ସ୍ୱାଭାବିକ । ପୃଥିବୀରେ ସବୁଦେଶରେ ମଧ୍ୟ ଜୁମାନଙ୍କର ମାନସିକ ଓ ବୈଷୟିକ ବୁଦ୍ଧି ଅନ୍ୟମାନଙ୍କ ଠାରୁ ନିଶ୍ଚୟ ବେଶୀ । ନୋବେଲ ପ୍ରାଇଜ ପାଇଥିବା ଲୋକଙ୍କ ଭିତରେ ଅଧିକାଂଶ ହେଉଛନ୍ତି ଜୁ, ଯଦିଚ ସେମାନଙ୍କ ଲୋକସଂଖ୍ୟା ଅନ୍ୟମାନଙ୍କ ଅନୁପାତରେ ବହୁତ କମ୍‌ ।

 

ଖାଲି ବାହାରର ଲୋକଙ୍କୁ ଯେ ଏପରି ଘୃଣା କରନ୍ତି ତା ନୁହେଁ, ନିଜ ଦେଶ ଭିତରେ ସ୍କଟିସ୍‌ ଓ ୱେଲସ୍‌ଲୋକଙ୍କ ପ୍ରତି ମଧ୍ୟ ଖୁବ୍‌ ବିଦ୍ୱେଷ ଦେଖାଯାଏ । ଆମ ଦେଶରେ ପ୍ରାଦେଶିକତା ଯେପରି ଅଛି, ତାଙ୍କ ଦେଶରେ ସ୍କଟଲାଣ୍ଡ ଓ ଇଂଲଣ୍ଡ ଭିତରେ ସେପରି କଳହ ଦେଖାଯାଏ; ଏପରିକି ଅନେକ ସ୍କଟଲାଣ୍ଡବାସୀ ଗୋଟିଏ ସ୍ୱତନ୍ତ୍ର ସ୍କଟଲାଣ୍ଡ ସରକାର ଗଢ଼ିବାର ଇଚ୍ଛା ପ୍ରକାଶ କରିଥାଆନ୍ତି । ଦୁଇ ଦେଶର ଆଚାର ବ୍ୟବହାର ବହୁତ ପୃଥକ୍‌ । ସ୍କଟସ ନାଚ, ଗୀତ ଓ ପର୍ବପର୍ବାଣୀ ମଧ୍ୟ ଅଲଗା । ସେମାନଙ୍କର ଶିକ୍ଷାପଦ୍ଧତି ଓ ଆଇନବିଭାଗ ଇଂଲଣ୍ଡଠାରୁ ପୃଥକ ଭାବରେ ଚାଳିତ ହୋଇଥାଏ । ଶିକ୍ଷାକ୍ଷେତ୍ରରେ ସ୍କଟିସ ଶିକ୍ଷାପ୍ରଣାଳୀ ଇଂଲିଶ ଶିକ୍ଷାପ୍ରଣାଳୀଠାରୁ ଅନେକ ଭଲ ବୋଲି ଶିକ୍ଷାବିତ୍‌ମାନଙ୍କର ମତ । ବ୍ୟବହାରରେ ମଧ୍ୟ ସ୍କଟଲାଣ୍ଡର ଲୋକେ ଅନେକ ଭଲ । ସେମାନେ ଖୁବ ମିଶୁକ ଏବଂ ଉପରେ ପଡ଼ି ସାହାଯ୍ୟ କରି ଥାଆନ୍ତି । ଇଂରେଜମାନେ ସାହାଯ୍ୟ କରନ୍ତି ସତ, କିନ୍ତୁ ତାଙ୍କ ପାଖକୁ ପ୍ରଥମେ ଯିବାକୁ ହେବ । ୧୯୪୭ରେ ବ୍ରିଟିଶ ବିଜ୍ଞାନ ସମ୍ମିଳନୀ ସ୍କଟଲାଣ୍ଡର ଦଣ୍ଡି ସହରରେ ହୋଇଥିଲା । ତା ପରବର୍ଷ ଇଂଲଣ୍ଡର ବ୍ରାଇଟନ୍‌ରେ ହୋଇଥିଲା । ଏ ଦୁଇଟି ସମ୍ମିଳନୀରେ ମୁଁ ଯୋଗ ଦେବାକୁ ଯାଇ ହପ୍ତାଏ କରି ରହିଥିଲି; କିନ୍ତୁ କି ତଫାତ୍‍ ! ଦଣ୍ଡି ସହରର ସାଧାରଣ ଲୋକେ ବହୁତ ଖୁସି ଆମମାନଙ୍କୁ ଦେଖି; କିଛି ସାହାଯ୍ୟ କରିପାରିଲେ ନିଜକୁ ଭାଗ୍ୟବାନ୍‌ ବୋଲି ଯେପରି ମନେକରନ୍ତି; କିନ୍ତୁ ବ୍ରାଇଟନରେ ସମସ୍ତେ ଉଦାସୀନ । କଣ ହେଉଛି କେହି ଯେପରି ଜାଣନ୍ତିନି ବା ଜାଣିବାକୁ ଖୁବ୍‌ ଆଗ୍ରହାନ୍ୱିତ ବୋଲି ବି ଜଣାଯାଏ ନାହିଁ । ଗ୍ଳାସଗୋରେ ଆମେ କେତେ ଜଣ ଭାରତୀୟ ଗୋଟିଏ ଭାରତୀୟ ହୋଟେଲ କଥା ଟ୍ରାମ କଣ୍ଡାକ୍‍ଟରକୁ ପଚାରି ଥିଲୁଁ । ସେ ନ କହି ପାରି ଡ୍ରାଇଭରକୁ ଯାଇ ପଚାରିଲା । ଡ୍ରାଇଭର ଟ୍ରାମ ବନ୍ଦ ହେବା ଜାଗାରେ ଟ୍ରାମ ବନ୍ଦ କରି ଖୁବ୍‌ ଶୀଘ୍ର ଗାଡ଼ିରୁ ଓହ୍ଲାଇ ଦୌଡ଼ି ଦୌଡ଼ି ଯାଇ ଆମକୁ ହୋଟେଲଟି ଦେଖାଇ ଫେରି ଆସିଲା । ଇଂଲଣ୍ଡରେ ଯାହାକୁ ପଚାରିବ ସେ ଯେ ସାହାଯ୍ୟ ନ କରେ ତା ନୁହେଁ; କିନ୍ତୁ ଏପରି ଉତ୍ସାହ ଓ ଆଗ୍ରହ ଖୁବ୍‌ କମ ଦେଖିବାକୁ ମିଳେ ।

 

ଅନେକ ଇଂରେଜ ମଧ୍ୟ ଏହାକୁ ସ୍ୱୀକାର କରିଥାଆନ୍ତି । ଏ ଦୁଇ ଜାତି ଭିତରେ ଯେ ଗୋଟାଏ ଦ୍ୱେଷ ସବୁବେଳେ ରହିଛି ଏହା ଯେ କୌଣସି ଲୋକ ବୁଝିପାରିବ । ଇଂରେଜମାନେ କହିଥାଆନ୍ତି ସେ ଜଣେ Typically Scottish-ଅର୍ଥାତ୍‌ ସେ ଜଣେ ଅସଲି ସ୍କଟିସ୍‌-ମାନେ ସେ ଜଣେ କୃପଣ । ଏହା କେତେ ଦୂର ସତ କହିବା ମୁସ୍କିଲ; କିନ୍ତୁ ଏହା ଇଂରେଜମାନଙ୍କର ମନୋଭାବ ପରିଷ୍କାର ଦେଖାଇ ଦେଉଛି । ଓ୍ୱେଲସ ଓ ଆଇରିସ୍‍ଙ୍କ ପ୍ରତି ମଧ୍ୟ ଏପରି ବିଦ୍ୱେଷ ଭାବ ପରିଲକ୍ଷିତ ହୁଏ ।

 

ଏମାନଙ୍କର ଦେଶଭକ୍ତି ଏତେ ବେଶି ଏବଂ ତା ସାଙ୍ଗେ ସାଙ୍ଗେ ଅନ୍ୟ ଦେଶ ପ୍ରତି ଏତେ ବେଶି ହେୟ ଜ୍ଞାନ ଯେ ସାଧାରଣ ଜିନିଷ ପତ୍ର ବ୍ୟବହାରରେ ମଧ୍ୟ ଏହା ଜଣାଯାଇଥାଏ । ଇଂରେଜ ବିଲାତି ବାଇଗଣ କୁଆଡ଼େ ପୃଥିବୀର ସବୁ ଦେଶର ବିଲାତି ବାଇଗଣ ଅପେକ୍ଷା ଭଲ । ଅନ୍ୟ ଦେଶର ଅଣ୍ଡା ସବୁ ବଡ଼ ଛୋଟ-ବ୍ରିଟିଶ ଅଣ୍ଡା ପରି ନୁହେଁ-ବିଲାତି ଫଳସବୁ ଖୁବ୍‌ ମିଠା-ବିଲାତର ସବୁ ଜିନିଷ ପୃଥିବୀର ଅନ୍ୟ ଜିନିଷ ଅପେକ୍ଷା ନିଶ୍ଚୟ ଉକ୍ତୃଷ୍ଟ । ଯାହା ବିଲାତରେ ନାହିଁ ଅଥଚ ଅନ୍ୟ ଦେଶରେ ଅଛି ସେ ସବୁ ହୁଏ ତ ଅସ୍ୱାସ୍ଥ୍ୟକର ବା ଅସାମାଜିକ । ମୋଟାମୋଟି ସଭ୍ୟସମାଜରେ ନିଶ୍ଚୟ ଅଗ୍ରହଣୀୟ । ଏହା ପଛରେ ଜାତିଗତ ବଡ଼ିମା ଯେ ରହିଛି ଏଥିରେ ସନ୍ଦେହ ନାହିଁ । ଯେଉଁ ଦେଶର ଉତ୍ପାଦିତ ବସ୍ତୁ ସର୍ବୋତ୍କୃଷ୍ଟ ସେଠାକାର ଲୋକେ ତ ନିଶ୍ଚୟ ଅନ୍ୟମାନଙ୍କଠାରୁ ସବୁ ଦିଗରେ ଖୁବ୍‌ ଉଚ୍ଚରେ ହେବେ-ଏଥିରେ ସନ୍ଦେହ କଣ ? ମନେହୁଏ ଯେପରି ସାରା ଜାତିଟା ଆତ୍ମବଡ଼ିମା ଓ ଆତ୍ମପ୍ରଶଂସାର ଗୋଟିଏ ଦୁର୍ଭେଦ୍ୟ ଗଡ଼ ଭିତରେ ନିଜକୁ ଅଭେଦ୍ୟ କରି ରଖିଛନ୍ତି । ଯଦି ନିଜର ସବୁ ଭଲ ହେଲା ଏବଂ ସେମାନେ ସଭ୍ୟଜାତି, ତାହେଲେ ସେମାନଙ୍କର ରୀତିନୀତି ଓ ଚାଲିଚଳଣଠାରୁ ଯାହା ପୃଥକ୍‌ ତାହା ନିଶ୍ଚୟ ଅସଭ୍ୟତାର ଚିହ୍ନ । ଯେ କୌଣସି ଜାତି ସଭ୍ୟ ହେବାକୁ ହେଲେ ତାଙ୍କ ଭାଷା ଶିଖିବା ଦରକାର-ତାଙ୍କର ଚାଲିଚଳଣ ଅନୁକରଣ କରିବା ଉଚିତ ଓ ଠିକ୍‌ ସେମାନଙ୍କ ଦେଶର ସରକାର ପରି ସରକାର ଗଢ଼ିବା ଉଚିତ । ତା ନ ହେଲେ ସେମାନେ ଗଣତନ୍ତ୍ରର ଉପଯୁକ୍ତ ମର୍ଯ୍ୟାଦା କରିପାରିବେ ନାହିଁ । ଇଉରୋପୀୟାନ୍ ଦେଶ ସବୁ ଇଂଲଣ୍ଡର ଏତେ ପାଖରେ; କିନ୍ତୁ ଖୁବ୍ କମ ଇଂରେଜ ଅନ୍ୟାନ୍ୟ ଭାଷା ଜାଣି ଥାଆନ୍ତି । କଣ୍ଟିନେଣ୍ଟାଲ ଦେଶରେ ଭାରତୀୟମାନଙ୍କର ଅବସ୍ଥା ଯାହା ଭାଷା ସମ୍ୱନ୍ଧରେ ଏମାନଙ୍କର ମଧ୍ୟ ଠିକ୍‍ ସେହି ଅବସ୍ଥା । ଆମ ଦେଶର ଯେପରି କେତେକ ଲୋକ ପ୍ରାଦେଶିକ ଗାରିମାରେ ଏତେ ଅନ୍ଧ ଯେ, ଅନ୍ୟ ପ୍ରଦେଶରେ ଅନେକ ବର୍ଷ ରହିଲା ପରେ ମଧ୍ୟ ନିଜର ଭାଷାକୁ କଦର୍ଯ୍ୟ ଭାବରେ କହୁଥିବେ ସିନା-ଆଞ୍ଚଳିକ ଭାଷା ଭୁଲରେ ସୁଦ୍ଧା କହିବେ ନାହିଁ, ଇଂରେଜୀମାନଙ୍କର ଠିକ୍‌ ସେହିପରି ଗୋଟିଏ ବଦ୍‍ଗୁଣ ଅଛି ।

 

ସମୟ ଥିଲା ଯେତେବେଳେ ସେମାନେ ନିଜର ଆତ୍ମଗାରିମାରେ ଭୋଳ ହୋଇ ଅନ୍ୟମାନଙ୍କୁ ହେୟଜ୍ଞାନ କରୁଥିଲେ; କିନ୍ତୁ ବର୍ତ୍ତମାନ ସମୟ ବଦଳିଛି । ସେମାନେ ଯଦି ଏ ଯୁଗରେ ଅନ୍ୟମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ସ୍ଥାନ ନ ଦିଅନ୍ତି ଓ ସେମାନଙ୍କ ପ୍ରତି ଦ୍ୱେଷଭାବ ନ ଛାଡ଼ନ୍ତି ତାହେଲେ ପୃଥିବୀରେ ଶାନ୍ତି ଅସମ୍ଭବ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ବୋଲି ଦୁଇଟି ଦଳ ହେବାର ଗୋଟିଏ କାରଣ ହେଉଛି ଏଇ ବିଦ୍ୱେଷ । ଯେତେ ଦିନ ଯାଏ ସବୁ ଜାତି ସମାନ ଆସନ ଓ ସମ୍ମାନ ନ ପାଇଛି, ସେତେ ଦିନଯାଏ ଏ ପ୍ରକାର କଳହର ସମାଧାନ ଅସମ୍ଭବ ।

•••

 

–ସାତ–

ବ୍ୟକ୍ତିପ୍ରତି ଶ୍ରଦ୍ଧା-ଗଣତାନ୍ତ୍ରିକ ସ୍ୱାତନ୍ତ୍ର୍ୟ-

ମତ ପ୍ରକାଶରେ ସ୍ୱାଧୀନତା

 

ସ୍ୱାଧୀନ ଓ ପରାଧୀନ ଦେଶର ଲୋକମାନଙ୍କ ଭିତରେ କି ଆକାଶ ପାତାଳ ତଫାତ ତାହା ଇଂଲଣ୍ଡରେ କିଛି ଦିନ ରହିଲା ପରେ ପ୍ରତ୍ୟେକ ଭାରତୀୟ ବୁଝିପାରିବ । ହଜାର ହଜାର ବର୍ଷର ସ୍ୱାଧୀନତାର ଗୋଟିଏ ଛାପ ଯେପରି ଇଂରେଜ ଲୋକଙ୍କର କଥାବାର୍ତ୍ତା, ଚାଲିଚଳଣ, ଆଚାର ବ୍ୟବହାରରେ ଦେଖିବାକୁ ମିଳେ । ଆଉ ପରାଧୀନତାର ଜଘନ୍ୟ ଦାସତ୍ୱ ଆମ ଦେଶ ଲୋକଙ୍କର ପ୍ରତ୍ୟେକ ହାବଭାବରେ ଯେପରି ଫୁଟିଉଠେ । କୁଲି ମଜୁରିଆଙ୍କଠୁ ଆରମ୍ଭ କରି ଆମର ଉଚ୍ଚପାହିଆ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଉପରିସ୍ଥ ହାକିମଙ୍କ ପ୍ରତି ଭୟ ଓ ଗୋଲାମୀର ନମ୍ରତାରେ ଜଡ଼ସଡ଼ । କଥା ବାର୍ତ୍ତାର ଭାଷା ଓ ସ୍ୱର ବଦଳିଯାଏ, ପରିସ୍ଥିତି ଓ ପରସ୍ପର ସମ୍ପର୍କ ଅନୁସାରେ । ଜିଲାସାହେବ, ପ୍ରାଦେଶିକ କମିଶନର ଓ ସେକ୍ରେଟରୀଙ୍କ ପ୍ରତି ଲାଟସାହେବଙ୍କର ବିରକ୍ତି ସମାଜର ଦାସତ୍ୱ ସୋପାନ ଶ୍ରେଣୀ ଦେଇ ରାସ୍ତାର ମେହେନ୍ତର ପିଠିରେ ଆସି ଚାବୁକ ବେଶରେ ଲାଗେ । ମେହେନ୍ତରର ପ୍ରତିକ୍ରିୟା ତାରି ମନଭିତରେ ହିଁ ମରିଯାଏ-ଉପରକୁ ଯିବାର ସମ୍ଭାବନା ନାହିଁ । ଏକମାତ୍ର ଆସିବା ପଥରେ ଫେରିଯିବାର ରାସ୍ତା ନ ଥାଏ । ତେବେ ପ୍ରତିକ୍ରିୟାର ବିଷ ସାରା ସାମାଜିକ ଜୀବନକୁ ଶଠତା, ଅସାଧୁତା, ଅପାରଗତା ପ୍ରଭୃତି ଦୁର୍ଗୁଣରେ କଳୁଷିତ କରିଦିଏ । ତେଣୁ ପରସ୍ପର ଭିତରେ ସାଧୁ ସରଳ ସମ୍ପର୍କ ପରିବର୍ତ୍ତେ ଚିର ବିଦ୍ୱେଷ ଭାବ ଦେଖା ଦେଇଥାଏ । କିନ୍ତୁ ସ୍ୱାଧୀନ ଇଂଲଣ୍ଡର ସାମାଜିକ ଜୀବନ ଏହାଠାରୁ ବହୁତ ଉପରେ । ସମସ୍ତେ ଯେ ନିଜକୁ ଖାଲି ସ୍ୱାଧୀନ ବୋଲି ମଣନ୍ତି ତା ନୁହେଁ, ଅନ୍ୟମାନଙ୍କୁ ମଧ୍ୟ ସ୍ୱାଧୀନ ବୋଲି ସ୍ୱୀକାର କରିଥାଆନ୍ତି । ତେଣୁ ବ୍ୟକ୍ତିର ସ୍ୱାତନ୍ତ୍ର୍ୟ ସ୍ୱୀକାର କରିବା ସାଙ୍ଗେ ସାଙ୍ଗେ ସାମାଜିକ ଜୀବନରେ ବ୍ୟକ୍ତିପ୍ରତି ଅସୀମ ଶ୍ରଦ୍ଧା ସମସ୍ତେ ଦେଖାଇଥାଆନ୍ତି । ଧନୀ ଦରିଦ୍ର, ଶାସକ ଶାସିତ, ମାଲିକ ମଜୁରିଆ, ଏପରିକି ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଏହାର ବ୍ୟତିକ୍ରମ ଦେଖାଯାଏ ନାହିଁ । ଧନ ଶିକ୍ଷା ଦିଗରେ ବହୁତ ପ୍ରଭେଦ ଥିଲେ ମଧ୍ୟ ଜଣେ ଜଣକୁ ବେଖାତିର କରି କଥା କହିଦିଏ ନାହିଁ କି ତୁଚ୍ଛ ବୋଲି ମନେ କରେନାହିଁ । ରାସ୍ତା ସଫା କରୁଥିବା ଲୋକଙ୍କୁ ମଧ୍ୟ ଉଚ୍ଚ ପାହିଆର ଲୋକମାନେ ‘‘ଦୟାପୂର୍ବକ’’ କିଛି କରିଦେବାକୁ କହନ୍ତି ଓ କରିଦେଲେ ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରନ୍ତି-ନିଜର ଭୁଲ ହୋଇଗଲେ କ୍ଷମାପ୍ରାର୍ଥନା କରନ୍ତି । ଘର ଚାକରାଣୀ ସହିତ ମଧ୍ୟ ସେହିପରି ଭଦ୍ର ବ୍ୟବହାର କରନ୍ତି । ଯେ ନିମ୍ନଧରଣର କାୟିକ ପରିଶ୍ରମ କଲା ତାକୁ ‘ବେ, ବା, ଶଳା, କହି ମାରିବା ଓ ଯେ ଚୌକିରେ ବସି କାଗଜ ଦେଖିଲା ତାକୁ ଆଜ୍ଞା ଅବଧାନ କରିବା ନୀତିକୁ ଏମାନେ କେଭେଁ ପସନ୍ଦ କରନ୍ତି ନାହିଁ ଏବଂ କେହି ଯଦି ପସନ୍ଦ କରେ ସାଧାରଣ ଲୋକଙ୍କର ଆତ୍ମସମ୍ମାନ ଜ୍ଞାନ ଏତେ ବେଶୀ ଯେ ଏହା ସମ୍ଭବ ହୋଇପାରିବ ନାହିଁ । ମୋ ଡିପାର୍ଟମେଣ୍ଟର ପ୍ରଫେସର ମଝିରେ ମଝିରେ ଲାବୋରେଟରୀ ଆସିଷ୍ଟାଣ୍ଟକୁ ଅନୁରୋଧ କରନ୍ତି ତଳୁ ଚା ଆଣିବା ପାଇଁ; କିନ୍ତୁ ସେ ଯେତେବେଳେ ଦେଖିଲା ଯେ କ୍ରମେ କ୍ରମେ ଅନୁରୋଧ ଆଦେଶରେ ପରିଣତ ହେବାକୁ ଯାଉଛି, ସାଙ୍ଗେ ସାଙ୍ଗେ ମନାକଲା ଯେ ସେ ଆଉ ଚା ଆଣିପାରିବ ନାହିଁ ସେମାନଙ୍କ ପାଇଁ । ତାପରେ ପ୍ରଫେସର ନିଜେ ଯାଇ ଚା ଆଣନ୍ତି । ପ୍ରଫେସରଙ୍କର ତା ଉପରେ ଯଥେଷ୍ଟ କର୍ତ୍ତୃତ୍ୱ ଥିଲେ ମଧ୍ୟ ସେ କିଛି କଲେନାହିଁ । ଆସିଷ୍ଟାଣ୍ଟର ସାହସ ଓ ଆତ୍ମସମ୍ମାନ ଜ୍ଞାନ ଯେପରି ପ୍ରଶଂସନୀୟ ପ୍ରଫେସର ମହୋଦୟଙ୍କର ସହିଷ୍ଣୁତା ଓ ଅନ୍ୟର ମନୋଭାବ ପ୍ରତି ନ୍ୟାଯ୍ୟ ସମ୍ମାନପ୍ରଦର୍ଶନ ସେହିପରି ଅନୁକରଣୀୟ । ଗୋଟିଏ ସିଗାରେଟ କାରଖାନାର ପରିଚାଳନା ଦେଖିବାକୁ ମୁଁ ଯାଇଥାଏ ସେଠାକାର ମନୋବିଜ୍ଞାନ ବିଭାଗରେ ଗୋଟିଏ ଜଟିଳ ସମସ୍ୟା ଆଲୋଚନା ହେଉଥାଏ ଯେ କାରଖାନାର କୌଣସି ଗୋଟିଏ ବିଭାଗର ପରିଚାଳକ ତାର ଅଧୀନସ୍ଥ ଶ୍ରମିକମାନଙ୍କ ପ୍ରତି ଭଦ୍ର ବ୍ୟବହାର କରୁନାହିଁ; ତେଣୁ ଶ୍ରମିକମାନେ ତା ବିରୁଦ୍ଧରେ ଦରଖାସ୍ତ କରିଥାଆନ୍ତି । କିଏ ଲେଖିଛି ଯେ ତାକୁ ଧନ୍ୟବାଦ ନ ଦେଇ ଅପମାନ କଲା, କିଏ ଲେଖିଛି ଯେ ତାକୁ ଚା ସିଗାରେଟ ଆଣିବାକୁ କହିଲା, ଆଉ କିଏ ଲେଖିଥାଏ ଯେ ସେ କେଭଁହେଲେ ଭୁଲରେ ମଧ୍ୟ କ୍ଷମାପ୍ରାର୍ଥନା କରେନାହିଁ ଇତ୍ୟାଦି, ଇତ୍ୟାଦି । ମନୋବିଜ୍ଞାନ ବିଭାଗର ଭାବନା ସେ ଉକ୍ତ ବିଭାଗରେ କିପରି ଭଲ ସମ୍ପର୍କ ସ୍ଥାପିତ ହୋଇପାରିବ ବିନା ଦଣ୍ଡ ବିଧାନରେ । କାରଣ ହଠାତ୍‌ କାହାକୁ ଜୋରିମାନା କରିଦେବା ବା ଚାକିରୀରୁ ବରଖାସ୍ତ କରିଦେବା ତାଙ୍କ ଦେଶରେ ସମ୍ଭବ ନୁହେଁ; ତେଣୁ ମନସ୍ତତ୍ତ୍ୱବିତ୍‍ମାନଙ୍କୁ ଏ ବିଷୟରେ ପଚରା ଯାଇଥାଏ । ସେ ବିଷୟରେ ସେମାନଙ୍କର ଅନେକ ପ୍ରକାର ଯୁକ୍ତିତର୍କ ଓ ଆଲୋଚନା ଚାଲିଥାଏ । ମୁଁ ଏହା ଦେଖି ଅବାକ୍‌ ହୋଇଗଲି । ମନେ ମନେ ଭାବିଲି ପ୍ରକୃତରେ ଆମଦେଶର ଲୋକେ ମାନବିକ ସଭ୍ୟତାର କେତେ ତଳେ ଅଛନ୍ତି ! ଆମ ଦେଶର କୋଟି କୋଟି ନିମ୍ନସ୍ତରର ଲୋକେ ମାନବିକତାର କେତେ ତଳକୁ ନ ଗଲେ ଏପରି ନିଦାରୁଣ ଅତ୍ୟାଚାର ଯୁଗ ଯୁଗ ଧରି ମୁଣ୍ଡ ପୋତି ସହି ନେଇଛନ୍ତି ଓ ଯେଉଁମାନେ ଏଥିଲାଗି ଦାୟୀ ସେମାନେ କେତେ ଦୂର ନିର୍ଦ୍ଦୟ ଓ ଅମନୁଷ୍ୟ ନୁହନ୍ତି ? ଅଥଚ ଏହିମାନେହିଁ ଭାରତର ସଂସ୍କୃତି ଭାରତର ଆଧ୍ୟାତ୍ମିକ ଉତ୍‍କର୍ଷ ବିଷୟରେ ଲମ୍ୱା ଲମ୍ୱା ବକ୍ତୃତା ଦିଅନ୍ତି ।

 

ଏପ୍ରକାର ବ୍ୟକ୍ତି ପ୍ରତି ଶ୍ରଦ୍ଧା ଓ ସମ୍ମାନଯୋଗୁଁ ଗଣତାନ୍ତ୍ରିକ ସ୍ୱାଧୀନତା ଓ ସ୍ୱାଧୀନ ମତାମତ ପ୍ରକାଶ ସମ୍ଭବ ହୋଇପାରିଛି । ଗଣତନ୍ତ୍ରର ଅର୍ଥ ହେଉଛି ସାଧାରଣ ଲୋକେ ନିଜ ଭିତରୁ ନିଜ ରୁଚି ଓ ନିଜ ହିତ ଦୃଷ୍ଟିରୁ ପ୍ରତିନିଧି ବାଛି ସର୍ବସାଧାରଣଙ୍କ ଲାଗି ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତି ସାମାଜିକ କାର୍ଯ୍ୟ ସବୁ ତୁଲାଇବେ । ପ୍ରତିନିଧିମାନେ ଭୁଲ କଲେ ତାଙ୍କୁ ବାହାର କରି ଅନ୍ୟମାନଙ୍କୁ ପଠାଇବେ । କିନ୍ତୁ ତାହା ସମ୍ଭବ ହେବ, ଯଦି ସେମାନଙ୍କ ଭିତରେ ସୌହାର୍ବ୍ଦ୍ୟ, ବିଶ୍ୱାସ ଓ ସାମ୍ୟ ସମପରିମାଣରେ ଥାଏ । ତା ନ ହେଲେ ଗଣତନ୍ତ୍ରର କୌଣସି ଅର୍ଥ ରହିଲା ନାହିଁ । ଆମ ଦେଶର ଅଶିକ୍ଷିତ ଦୁର୍ଭିକ୍ଷପ୍ରପୀଡ଼ିତ କୋଟି କୋଟି ଅସ୍ପୃଶ୍ୟ ନରକଙ୍କାଳ କି ପ୍ରକାରେ ଗଣତନ୍ତ୍ରଶାସନ ଚଳାଇବେ ଭାବି ହୁଏ ନା । ତା ଛଡ଼ା ଉପର ଶ୍ରେଣୀ ଲୋକଙ୍କ ଭିତରେ ଯେ ପ୍ରକାର ଗର୍ହିତ ଦାସତ୍ୱ ତଥା ଉଦ୍ଧତ ହାକିମି ମନୋଭାବ ରହିଛି ସେଥିରେ ମଧ୍ୟ ଗଣତନ୍ତ୍ରର କୌଣସି ମର୍ଯ୍ୟାଦା ରହିବ ନାହିଁ ।

 

ସେଠାକାର ଲୋକେ ବୁଝି ସୁଝି ସମାଜର ସମୂହ ମଙ୍ଗଳ ଲାଗି ଯାହାକୁ ନିର୍ବାଚନ କଲେ ଭଲ ହେବ ବୋଲି ଭାବନ୍ତି, ତାକୁ ପାର୍ଲିଆମେଣ୍ଟକୁ ପଠାଇ ଥାଆନ୍ତି । ସାମାଜିକ ହିତ ଲାଗି ବ୍ୟକ୍ତିଗତ ବା ପାରିବାରିକ କ୍ଷମତାକୁ ମଧ୍ୟ ଅନେକ ସମୟରେ ବଳି ଦେଇଥାଆନ୍ତି । ଯୁଦ୍ଧ ସମୟରେ ଚର୍ଚ୍ଚିଲ ଓ ତାଙ୍କ ଦଳ ଖୁବ ଲୋକପ୍ରିୟ ହୋଇଥିଲେ ସୁଦ୍ଧା ଯୁଦ୍ଧପରେ ଲୋକେ ଯେତେବେଳେ ଦେଖିଲେ ଯେ ଶ୍ରମିକ ସରକାରଙ୍କଦ୍ୱାରା ଦେଶର ସମୂହ କଲ୍ୟାଣ ସାଧିତ ହେବ, ସେମାନଙ୍କୁ ଲୋକେ ଅଧିକ ସଂଖ୍ୟାରେ ଭୋଟ ଦେଇ ନିର୍ବାଚିତ କରିଥିଲେ । ନିର୍ବାଚନ ହେଲା ପରେ ସଂଖ୍ୟାଧିକ ଦଳ ସରକାର ଗଢ଼େ । କିନ୍ତୁ ବେସରକାରୀ ଦଳ ସବୁ ନିର୍ବିଘ୍ନରେ ସେମାନଙ୍କର କାର୍ଯ୍ୟକଳାପରେ ରତ ଥାଆନ୍ତି । ସେମାନେ ଯେତେ ପ୍ରକାର କଟୁ ସମାଲୋଚନା କଲେ ମଧ୍ୟ ସରକାରୀ ଦଳ ତାଙ୍କୁ ଅଯଥା ହଇରାଣ କରନ୍ତି ନାହିଁ କି କଥା କଥାରେ ସଭା ଶୋଭାଯାତ୍ରା ସବୁ ଆଇନବିରୁଦ୍ଧ କରି ଦିଅନ୍ତି ନାହିଁ । କାଁ ଭାଁ କୁଠି ଏପରି ଗୋଟିଏ ଘଟଣା ଘଟିଗଲେ ପାର୍ଲିଆମେଣ୍ଟରେ ଅନେକ ପ୍ରଶ୍ନ ହୋଇଯାଏ ଓ ସାଧାରଣ ଲୋକେ ଖୁବ୍‌ ପ୍ରତିବାଦ କରି ଥାଆନ୍ତି । ବର୍ତ୍ତମାନ କେତେ ଜଣ କମ୍ୟୁନିଷ୍ଟଙ୍କୁ ସରକାରୀ ଗୁପ୍ତ ବିଭାଗରୁ ବାହାର କରା ହୋଇଛି; କିନ୍ତୁ ସେତକ କରିବାକୁ ମାସ ମାସ ସମୟ ଲାଗିଯାଏ- ଯାହାକୁ ଗୋଟିଏ ବିଭାଗରୁ ଅନ୍ତର କରାଯାଏ ତାକୁ ଉପଯୁକ୍ତ କାରଣ ଦେଖା ହୋଇଥାଏ ଓ ତାର ଆର୍ଥିକ କ୍ଷତି ନ କରି ଆଉ ଗୋଟିଏ ବିଭାଗରେ ନେଇ ଚାକିରି ଦିଆ ହୋଇଥାଏ । ଯେତେ ଦିନ ପର୍ଯ୍ୟନ୍ତ କର୍ମଚ୍ୟୁତ କରାଯାଏ, ପୁରାପୂରି ଦରମା ଦିଆ ହେଉଥାଏ । ତଥାପି ଅନେକ ପ୍ରକାର ଅସନ୍ତୋଷ ଓ ବିରକ୍ତି ସର୍ବସାଧାରଣରେ ପ୍ରକାଶ ପାଇଥାଏ ।

 

ଗଣତାନ୍ତ୍ରିକ ସ୍ୱାଧୀନତାର ଉତ୍କୃଷ୍ଟ ଉଦାହରଣ ଲଣ୍ଡନ ହାଇଡ଼୍ ପାର୍କକୁ ସନ୍ଧ୍ୟାବେଳେ ଗଲେ ମିଳିପାରିବ । ଯେ କୌଣସି ଲୋକ ଯେକୌଣସି ବିଷୟରେ ହାଇଡ୍‍ ପାର୍କରେ କହିପାରିବ । ଦଳ ଦଳ ହୋଇ ଲୋକେ ଜମିଥାଆନ୍ତି ଓ ଯେ ଯାହାର ସ୍ୱାଧୀନ ମତ ପ୍ରକାଶ କରେ । ଗୋଟିଏ କଥା ଅଛି-ଥରେ ଜଣେ ବିଦେଶୀ ଭଦ୍ରଲୋକ ମଟର ସାଇକେଲରେ ସେ ବାଟେ ଯାଉ ଯାଉ ହାଇଡ଼ ପାର୍କରେ ଗୋଟିଏ ସ୍ଥାନରେ ଜଣେ ଇଂଲଣ୍ଡର ରାଜାଙ୍କୁ ଗାଳିଦେଇ ବକ୍ତୃତା ଦେବାର ଶୁଣିପାରି ଖୁବ୍‌ କୌତୂହଳୀ ହୋଇ ତା ପାଖରେ ଯାଇ ଠିଆହେଲେ । ମନେ ମନେ ଭାବୁଥାଆନ୍ତି ଯେ ଯେଉଁ ପୋଲିସ ସେଆଡ଼େ ଆସୁଛି ସେ ନିଶ୍ଚୟ ବକ୍ତାଙ୍କୁ ହାତକଡ଼ି ପକାଇ ଚାଲାଣ କରିବ । ପୋଲିସ ପାଖକୁ ଆସି ଓଲଟି ସେ ବିଦେଶୀ ଭଦ୍ରଲୋକଟିକୁ କହିଲା ଯେ ସେ ଯଦି ସଭାପାଖରେ ମଟର ସାଇକେଲର ଶବ୍ଦ ବନ୍ଦ ନ କରି ଠିଆହୁଅନ୍ତି ତାହେଲେ ସେ ସଭାର ଲୋକେ କିପରି ଶୁଣିବେ, ବକ୍ତା କଣ କହୁଛନ୍ତି । ତେଣୁ ତାକୁ ହଟିଯିବାକୁ ହେବ ସଭାସ୍ଥାନରୁ । ଏଥିରୁ ଜଣାଯାଏ ତାଙ୍କର ଗଣତାନ୍ତ୍ରିକ ସ୍ୱାଧୀନତା କେତେ ବେଶୀ ।

 

ଇଂଲଣ୍ଡର ନରନାରୀ ପ୍ରତି କ୍ଷେତ୍ରରେ ଯେପରି ମୁକ୍ତବାୟୁ ସେବନ କରନ୍ତି ସେହିପରି ଯାହା ଭାବନ୍ତି ତାହା କରିଥାଆନ୍ତି; ପୋଲିସ ଭୟରେ ମାନସିକ ଅଜୀର୍ଣ୍ଣ ହୁଏ ନା । ବିଶ୍ୱବିଦ୍ୟାଳୟ ଭିତରେ ସବୁପ୍ରକାର ମତର ସଂଘବଦ୍ଧ ସମାଜ ଅଛି । ସେମାନଙ୍କ ଭିତରେ ବରାବର ବାଦ ପ୍ରତିବାଦ, ଆଲୋଚନା ସମାଲୋଚନା ଚାଲିଥାଏ । ଯେ କୌଣସି ସମସ୍ୟାର ସମାଧାନ ଦିଗରେ ବିଭିନ୍ନ ରାଜନୈତିକଦଳର ଛାତ୍ରସଂଘ ସବୁ ଆଲୋଚନା କରି ମତାମତ ପ୍ରକାଶ କରିଥାଆନ୍ତି । ଭବିଷ୍ୟତ ଚାକିରୀ ଭୟରେ ନିଜର ସ୍ୱାଧୀନମତକୁ ତଣ୍ଟିଚିପି ମାରିଦିଅନ୍ତି ନାହିଁ । ପ୍ରଫେସରମାନେ ମଧ୍ୟ ସ୍ୱାଧୀନ ଭାବରେ ବିଭିନ୍ନ ଦଳ ଅନ୍ତର୍ଭୁକ୍ତ ହୋଇ ଥାଆନ୍ତି ଓ ପ୍ରକାଶ୍ୟଭାବରେ କ୍ଳାସ ଭିତରେ ସେମାନଙ୍କର ମତାମତ ପ୍ରକାଶ କରିବାରେ ଦ୍ୱିଧାବୋଧ କରନ୍ତି ନାହିଁ । ଇଂଲଣ୍ଡର ଅନେକ ବଡ଼ ବଡ଼ ପ୍ରଫେସର କମ୍ୟୁନିଷ୍ଟଦଳ ମେମ୍ୱର ଓ ପ୍ରକାଶ୍ୟରେ ସଭାସମିତିରେ ବକ୍ତୃତା ଦିଅନ୍ତି ଏବଂ ଦଳଗତ ଖବରକାଗଜର ପରିଚାଳନାରେ ଭାଗ ନିଅନ୍ତି । ସରକାର ପକ୍ଷରୁ କୌଣସି ପ୍ରକାର ବାଧା ଆସେନା । ଏ ପ୍ରକାର ମୁକ୍ତବାୟୁମଣ୍ଡଳରେ ଯେଉଁ ଛାତ୍ରମାନେ ବଢ଼ନ୍ତି, ତାଙ୍କୁ ଦେଖିଲେ ବାସ୍ତବିକ ଆନନ୍ଦ ଓ ଈର୍ଷା ହୁଏ । ସେମାନେ ଏପରି ମାନସିକ ସ୍ୱାସ୍ଥ୍ୟ ନେଇ କର୍ମକ୍ଷେତ୍ରରେ ଯୋଗ ଦିଅନ୍ତି ଯେ କୌଣସି ପ୍ରକାର ବାଧାବିଘ୍ନ ସେମାନଙ୍କୁ ଅଯଥା ଡରାଇ ପାରେ ନା । ଛାତ୍ରଜୀବନରୁ ସେମାନେ ପରସ୍ପରର ମତକୁ ସମ୍ମାନ ଦେଖାଇବାକୁ ଶିଖିଥିବାରୁ କର୍ମକ୍ଷେତ୍ରରେ ମଧ୍ୟ ତାର ବ୍ୟତିକ୍ରମ ହୁଏନା । କିନ୍ତୁ ଯେଉଁ ଛାତ୍ର, ଶିକ୍ଷକ ଅଭିଭାବକ ସରକାରୀ ଗୋଇନ୍ଦା ଦ୍ୱାରା ପ୍ରତିମୁହୂର୍ତ୍ତରେ ଚାପିହୋଇ ରହିଥାଏ ସେ କର୍ମକ୍ଷେତ୍ରରେ ମଧ୍ୟ ଅନ୍ୟମାନଙ୍କୁ ସେପରି ଚାପିଦେବାକୁ ଚାହେଁ; ଅତ୍ୟାଚାର, ଅବିଶ୍ୱାସ ଓ ନିର୍ଦ୍ଦୟତାର ଗୋଟିଏ ଅବିଶ୍ରାନ୍ତ ବୃତ୍ତ ଅନବରତ ସମାଜରେ ଚାଲୁ ରହେ । ତେଣୁ ସମାଜ ଗଠନରେ ଏପ୍ରକାର ପରାଧୀନତା ଯେ ଖୁବ ମାରାତ୍ମକ ଏହା ଯେ କୌଣସି ମନସ୍ତତ୍ତ୍ୱବିତ୍‌ ଓ ସମାଜସଂସ୍କାରକ ସ୍ୱୀକାର କରିବେ, ଏଥିରେ ସନ୍ଦେହ ନାହିଁ ।

 

ଅନେକ ଦିନ ଧରି ସ୍ୱାଧୀନତାର ମାଧୁର୍ଯ୍ୟ ଉପଭୋଗକରି ଆସିଥିବାରୁ ବ୍ୟକ୍ତିଗତ ମତ ମତ ପ୍ରତି ସମ୍ମାନ ଏମାନଙ୍କର ରକ୍ତଗତ ହୋଇଯାଇଛି କହିଲେ ଚଳେ । ଅବଶ୍ୟ ଏଇଟା ନିଜ ଦେଶ ଲୋକଙ୍କ ସମ୍ପର୍କରେହିଁ ଦେଖାଯାଏ । ସେହି ଇଂରେଜମାନେ ଯେତେବେଳେ ଭାରତ ଓ ଅନ୍ୟାନ୍ୟ ଅଧୀନସ୍ଥ ରାଜ୍ୟକୁ ଆସନ୍ତି, ଏ ବିଷୟରେ ସମ୍ପୂର୍ଣ୍ଣ ବିପରୀତ ବ୍ୟବହାର ଦେଖାଯାଏ । ଭାରତରେ ସେମାନଙ୍କର ବ୍ୟବହାର କଥା ଶୁଣିଲେ ଅନେକେ ବିଶ୍ୱାସ କରିପାରନ୍ତି ନାହିଁ । ଗଡ଼ଜାତ ରାଜା ଓ ଆମର ପୋଲିସଙ୍କ ବ୍ୟବହାର ବିଷୟରେ ମୁଁ ଯେତେବେଳେ କହେ ଏମାନେ ଏକାବେଳକେ ସ୍ତମ୍ଭିତ ହୋଇ ପଡ଼ନ୍ତି ।

 

ଦାସତ୍ୱର ବାହ୍ୟ ପାଶ ଛିଣ୍ଡି ଯାଇଥିଲେ ମଧ୍ୟ ଆମ ଦେଶରେ ବର୍ତ୍ତମାନ ସୁଦ୍ଧା ବ୍ୟକ୍ତିଗତ ସ୍ୱାଧୀନତା ଆସିନାହିଁ । ମନୋବିଜ୍ଞାନରେ ଗୋଟିଏ ମତ ଅଛି ଯେ ମା ଝିଅ ସହିତ ଯେପରି ବ୍ୟବହାର କରିଥାଏ, ଝିଅ ମାଆ ହେଲେ ଠିକ୍‌ ସେହିପରି ତା ନିଜ ଝିଅ ସହିତ ବ୍ୟବହାର କରେ । ବୋଧହୁଏ ଅତ୍ୟାଚାରୀ ବ୍ରିଟିଶ ଦ୍ୱାରା ନିର୍ଯ୍ୟାତିତ ହୋଇ ଆସି ଥିବାରୁ ଆମ୍ଭେମାନେ କିଛି ଦିନ ନିଶ୍ଚୟ ପରସ୍ପର ଭିତରେ ସେ ପ୍ରକାର ବ୍ୟବହାର କରିବୁ । କିନ୍ତୁ ଗୋଟିଏ କଥା ଆମର ମନେ ରଖିବା ଉଚିତ ଯେ ଜୋର ଜବରଦସ୍ତ କୌଣସି ପ୍ରକାର ମତକୁ ଚାପି ଦେବା ଅସମ୍ଭବ । ବରଂ ତାକୁ ଯେତେ ଜୋରରେ ଦବା ହେବ ସେ ସେତିକି ବେଶି ସମାଜ ଭିତରେ ମାଡ଼ିଯିବ । ମଣିଷର କୌତୂହଳୀ ମନ ନିଷେଧ କରିଥିବା କଥାରେ ହିଁ ବେଶୀ ଝୁଙ୍କିପଡ଼େ ।

•••

 

–ଆଠ–

ସାଧାରଣ କ୍ଷେତ୍ରରେ

ଶୃଙ୍ଖଳା-ସୁସଂଯତ କାର୍ଯ୍ୟପ୍ରଣାଳୀ ସାଧାରଣ ଲୋକଙ୍କର

କାର୍ଯ୍ୟସମ୍ପାଦିକାଶକ୍ତି ଓ ନିପୂଣତା

 

ଆମ ଦେଶରେ ପ୍ରଧାନ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗାଁ ଅବଧାନଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଶର ବିଶୃଙ୍ଖଳା ବିଷୟରେ ବହୁତ ଆପତ୍ତି କରିଥାଆନ୍ତି । ଯାହାକୁ ପଚାର ସେ କହୁଛି ଯେ ଶୃଙ୍ଖଳା ତ ନାହିଁ, ହବ କଅଣ ? ଅଥଚ ଦିନକୁ ଦିନ ଅବସ୍ଥା ଆହୁରି ଖରାପ ହେଉଛି । ଅନେକ ସମୟରେ ମନେହୁଏ, ବିଶୃଙ୍ଖଳା ପାଇଁ ଦାୟୀ କିଏ ? ମନୋବିଜ୍ଞାନରେ ଗୋଟିଏ ମତ ଅଛି ଯେ ଯେଉଁମାନେ କୌଣସି ଗୋଟିଏ ଦୁର୍ଗୁଣରେ ଯେତେ ଦୋଷୀ, ସେମାନେ ସେହି ପରିମାଣରେ ତାହାରି ବିରୁଦ୍ଧରେ ଆପତ୍ତି କରିଥାଆନ୍ତି ଏବଂ ସବୁ ସମୟରେ ଅନ୍ୟ ଉପରେହିଁ ଦୋଷାରୋପ କରି ବିରକ୍ତ ହୋଇଥାଆନ୍ତି-ଏହାକୁ Projection କୁହାଯାଏ । ଆମ ଦେଶରେ ବଡ଼ ବଡ଼ ବକ୍ତୃତା ସବୁ ଶୁଣିଲେ ମୋର ସେଇୟା ମନେ ହୁଏ ।

 

ବିଲାତରେ ସାଧାରଣ ଶୃଙ୍ଖଳା ବଡ଼ ପ୍ରଶଂସନୀୟ । ଯେଉଁଆଡ଼େ ଯିବ ଦେଖିପାରିବ-ସ୍ତ୍ରୀପୁରୁଷମାନେ ଧାଡ଼ି ଧାଡ଼ି ହୋଇ ଠିଆ ହୋଇଛନ୍ତି-ବାସ୍‌ ଲାଗି ଅପେକ୍ଷା କରିଛନ୍ତି ଗୋଟିଏ ଲମ୍ୱା ଧାଡ଼ିରେ-ଦୋକାନରେ ପରିବାପତ୍ର କିଣୁଛନ୍ତି ଓ ସମସ୍ତେ ପଛକୁ ପଛ ହୋଇ ଅପେକ୍ଷା କରିଛନ୍ତି-ସିନେମା, କଲେଜ ଅଫିସ, ପାର୍ଲିଆମେଣ୍ଟ ହାଉସ ତଥା ଚାଦୋକାନରେ ସେହି ଏକପ୍ରକାର ଦୃଶ୍ୟ ସମସ୍ତେ ଯୁଦ୍ଧକ୍ଷେତ୍ରକୁ ଯାଉଥିବା ସୈନିକ ପରି ସୁସଂଯତଭାବରେ ଠିଆହୋଇଛନ୍ତି । ଯେ ଆଗେ ଆସିଲା ପାଇବ-ତାଙ୍କର ପ୍ରଧାନମନ୍ତ୍ରୀ ଯଦି ପରିବା କିଣିବାକୁ କିମ୍ୱା ପୋଷ୍ଟ ଅଫିସକୁ ଟିକଟ କିଣିବାକୁ ଆସନ୍ତେ, ତାହେଲେ ନିଶ୍ଚୟ ସେ ତାଙ୍କର ଯଥାସ୍ଥାନରେ ଯାଇ ଠିଆ ହୁଅନ୍ତେ । ଆମ କଲେଜର ଅନେକ ବଡ଼ ବଡ଼ ପ୍ରଫେସର ମଧ୍ୟ ଛାତ୍ରମାନଙ୍କର ଲମ୍ୱା ଧାଡ଼ି ଭିତରେ ତାଙ୍କର ପାଳି ଆସିବା ପର୍ଯ୍ୟନ୍ତ ଠିଆ ହୋଇଥାଆନ୍ତି । ଉତ୍ତମରୂପେ ଶିକ୍ଷାପ୍ରାପ୍ତ ଅଭ୍ୟସ୍ତ ସୈନିକ ଯେପରି ଡ୍ରିଲର ଆଦେଶ ପାଇଲା ମାତ୍ରେ ଯଥାସ୍ଥାନରେ ଯାଇ ଠିଆ ହୋଇଯାଏ, ମୁହୂର୍ତ୍ତକ ମଧ୍ୟରେ, ଏମାନେ ସେପରି ବିନା ଦ୍ୱିଧା, ବିନା ଆପତ୍ତିରେ ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଶୃଙ୍ଖଳା ଓ ନିୟମାନୁଯାୟୀ ସେମାନଙ୍କର ନ୍ୟାଯ୍ୟ ସ୍ଥାନରେ ଯାଇ ଠିଆ ହୋଇପଡ଼ନ୍ତି । ଏହାର ବ୍ୟତିକ୍ରମ ମୁଁ କେଉଁଠାରେ ହେଲେ ଦେଖିବାକୁ ପାଇଛି ବୋଲି ମୋର ମନେ ହୁଏନାହିଁ । ଏହା ଫଳରେ ସବୁଠି କାମ ଶୀଘ୍ର ହୋଇଯାଏ । ପ୍ରଥମେ ପ୍ରଥମେ ଅନେକ ବଡ଼ ଲମ୍ୱା ଧାଡ଼ି ଦେଖି ମୋର ଇଚ୍ଛା ହୁଏନାହିଁ ଯାଇ ପଛରେ ଠିଆ ହେବାପାଇଁ-ଭାବେ, ଅନ୍ତତଃ ଦୁଇଘଣ୍ଟା ଲାଗିବ, ଶେଷ ଲୋକଟିର ପାଳି ଆସିବାକୁ । କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ଯେଉଁଠି ମୁଁ ଦୁଇ ଘଣ୍ଟା ଲାଗିବ ବୋଲି ଭାବିଥାଏ ସେଠି ପ୍ରାୟ ଅଧଘଣ୍ଟାଏରୁ କମ ଲାଗେ । ଧାଡ଼ିର ସମସ୍ତେ ମନ୍ଥର ଗତିରେ ଆଗକୁ ଆଗକୁ ପ୍ରତି ମୁହୂର୍ତ୍ତରେ ଚାଲୁ ଥାଆନ୍ତି-ଏହା ସମ୍ଭବ ହୁଏ କିଣିବା ଲୋକଙ୍କର ଶୃଙ୍ଖଳା ଓ ବିକ୍ରି କରୁଥିବା ଲୋକଙ୍କର ନିରଳସ କାର୍ଯ୍ୟପଟୁତା ଯୋଗୁ । ଏହି ସବୁ କାରଣରୁ ହଜାର ହଜାର ଲୋକଙ୍କର ସମାଗମ ହେଉଥିଲେ ସୁଦ୍ଧା ଅଯଥା ହୈଚୈର ସୃଷ୍ଟି ହେଉ ନ ଥାଏ । ଏହା ଯେ ଖାଲି ବଡ଼ ବଡ଼ ସହରମାନଙ୍କରେ ଦେଖାଯାଏ ତା ନୁହେଁ; ଗାଁଗହଳରେ ମଧ୍ୟ ଠିକ୍‌ ସେହିପରି ଶୃଙ୍ଖଳା ଏବଂ ନିୟମ-

 

ଅବଶ୍ୟ ଏପ୍ରକାର ଶୃଙ୍ଖଳାର କାରଣ ଅଛି । ଯେଉଁମାନେ ପଚାଶ ଗଜ ଲମ୍ୱା ଧାଡ଼ି ପଛରେ ଯାଇ ଅବିଚଳିତ ଭାବରେ ଠିଆ ହୋଇ ଖବରକାଗଜ ପଢ଼ୁଛନ୍ତି, ନିଜ ନିଜ ପାଳି ଅପେକ୍ଷାରେ ସେମାନଙ୍କର ଦୃଢ଼ ଧାରଣା ଯେ କିଛି ସମୟ ପରେ ସେମାନେ ନିଶ୍ଚୟ ଆକାଙ୍‍କ୍ଷିତ ଜିନିଷ ପାଇବେ । ଯେ ଗାଡ଼ି ପାଇଁ ଠିଆହୋଇଛି ସେ ବୁଝୁଛି ଯେ ଯେତେ ଡେରି ହେଲେ ସୁଦ୍ଧା ସେ ବସିବାକୁ ପାଇବ । ଯେ ମାଂସ ଦୋକାନରେ ଠିଆହୋଇଛି, ସେ ଜାଣେ ସେ ଯେତେବେଳେ ହେଲେ ତାର ନ୍ୟାଯ୍ୟ ଅଂଶ ସେ ପାଇବ । ତେଣୁ ହୈଚୈ ମାଡ଼ଗୋଳର ଆବଶ୍ୟକତା ହୁଏ ନାହିଁ । ଆମଦେଶରେ ଯାହାର ଜୋର ବେଶୀ ସେ ଭଲ ସ୍ଥାନ ପାଇବ; ଆଉ ଯେ ପଛରେ ରହିବ, ତାକୁ ଗାଡ଼ିର ରେଲିଂ ଧରି ବାଦୁଡ଼ି ପରି ଓହଳି ଯିବାକୁ ପଡ଼ିବ । ଖଣ୍ଡେ ହାଡ଼ ପାଇଁ କୋଡ଼ିଏ ଭୋକିଲା କୁକୁର ମାଡ଼ଗୋଳ କଲାପରି ଶହ ଶହ ଲୋକେ ଆମ ଷ୍ଟେସନମାନଙ୍କରେ ଗୋଟିଏ ରେଳ ବଖରା ପାଇଁ ପାଟିତୁଣ୍ଡ କରି ମରାମରି ହେଉଥାନ୍ତି । କୌଣସିମତେ ଢୁ କି ନ ଗଲେ ହୁଏତ ଆଉ ଚବିଶଘଣ୍ଟା ଷ୍ଟେସନରେ ପଡ଼ି ରହିବାକୁ ପଡ଼ିବ । ଏ ଅବସ୍ଥାରେ ଶୃଙ୍ଖଳା ଆଶା କରିବା ବିଡ଼ମ୍ୱନା ନୁହେଁ କି ? ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଯେ ଯେତେ ଜୋରଜବରଦସ୍ତ କରିଆଗେଇ ପାରିଲା ତାର ସେତେ ବାହାଦୂରି କାମ୍ୟ ବସ୍ତୁ ପ୍ରାପ୍ତିରେ ନିଶ୍ଚୟତା ଯେ ଏପ୍ରକାର ଶୃଙ୍ଖଳାର ମୂଳରେ, ଏଥିରେ ସନ୍ଦେହ ନାହିଁ ।

 

ତା ଛଡ଼ା ଜନସାଧାରଣଙ୍କର ବାଧ୍ୟତାମୂଳକ ସାମରିକ ଶିକ୍ଷା ଏପରି ବ୍ୟବହାରରେ ସାହାଯ୍ୟ କରିଥାଏ । ସେଥିଲାଗି ସହର ଓ ପୁରପଲ୍ଲୀ ସବୁଠାରେ ଏକା ପ୍ରକାର ବ୍ୟବହାର ଦେଖା ଯାଇଥାଏ । ସାମରିକ ଶିକ୍ଷାଜନିତ ଶୃଙ୍ଖଳା ଇଂରେଜମାନଙ୍କର ଜାତିଗତ ଲକ୍ଷଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ତା ସାଙ୍ଗକୁ ଲୋକଙ୍କର ତତ୍ପରତା ଓ ସମୟନିଷ୍ଠା ଏହାକୁ ଆହୁରି ମଧୁର ଓ ସୁସଯଂତ କରିଥାଏ । ଇଂରେଜମାନଙ୍କର ସମୟଜ୍ଞାନ ପୃଥିବୀବିଖ୍ୟାତ । ମିନିଟ୍‌ ସେକେଣ୍ଡ କଣ୍ଟା ଉପରେ ଆଖି ରଖି ସବୁ କାମ କରି ଥାଆନ୍ତି । ଯଦି ସମୟ ଦିଅନ୍ତି ୧୨।୧୫, ଠିକ୍‍ ୧୨।୧୫ରେ ଆସି ପହଞ୍ଚିବେ । ଏକ ମିନିଟ ଡେରି ହେଲେ କ୍ଷମାପ୍ରାର୍ଥନା କରିଥାନ୍ତି । ଆମେ ଇଂରେଜଙ୍କଠାରୁ ପେଣ୍ଟ ଓ ଟାଇ କେତେ ପ୍ରକାର ପିନ୍ଧିବାକୁ ହୁଏ ଶିଖିଥିଲେ ସୁଦ୍ଧା ତାଙ୍କର ସମୟନିଷ୍ଠା ବିଷୟରେ ଧାର ଧାରୁନା । ଗଣ୍ୟମାନ୍ୟ ଲୋକଙ୍କର ଟିକିଏ ଡେରି କରି ଆସିବା ବରଂ ଆଭିଜାତ୍ୟର ପରିଚୟ ଦେଇଥାଏ । ଆଗରୁ ଖଞ୍ଜା ହୋଇଥିବା ସମୟ ଅନୁସାରେ ସମସ୍ତେ ଆସିଯାଆନ୍ତି ଓ ଠିକ୍‌ କାମ ପାଇଁ ଯାହା କହିବାର କଥା କହି ଚାଲିଯାଆନ୍ତି । ତଦ୍ଦ୍ୱାରା ଅଯଥା ସମୟ ନଷ୍ଟ ହୁଏ ନାହିଁ । ଅଫିସ, କଲେଜ, ଦୋକାନ ପ୍ରଭୃତିରେ ସମସ୍ତେ ସାଢ଼େ ନ’ଟାଠାରୁ ସାଢ଼େ ପାଞ୍ଚଟା କାମ କରି ଘରକୁ ଫେରନ୍ତି । ଯଦି ଦୋକାନ ଉପରେ ଲେଖା ହୋଇଥାଏ ଯେ ଏତେଟାରୁ ଏତେଟା ମଧ୍ୟାହ୍ନ ଭୋଜନ ପାଇ ବନ୍ଦ ରହିବ, ଠିକ୍‌ ସେହି ସମୟତକ ବନ୍ଦ ହୋଇ ନିୟମିତ ସମୟରେ ଦୋକାନ ଖୋଲେ । ପାଞ୍ଚଟା ସାଢ଼େପାଞ୍ଚଟା ହୋଇଗଲେ ଆଉ କାହାରି ଦେଖାନାହିଁ, ଅଫିସ ବା ଦୋକାନ ଭିତରେ । ସମସ୍ତେ ବାହାରି ଯାଆନ୍ତି-କିଏ ଘରକୁ ଫେରିଲା ରନ୍ଧାରନ୍ଧି କରିବା ପାଇଁ ତ, କିଏ ସିନେମା ଦେଖି ବାହାରିଲା-କିଏ ପାର୍କରେ ଯାଇ ବସିଲା କିମ୍ୱା କ୍ଳବରେ ବିଭିନ୍ନ ଖେଳରେ ଯୋଗ ଦେଲା । ଆମ ଦେଶରେ ଅଫିସ ସବୁ ରାତି ୯ଟା ଯାଏଁ ଚାଲିଥାଏ-କିଏ କେତେ ବେଳେ ଆସିଲା ଠିକ୍‌ ନାହିଁ-ସବୁଆଡ଼େ ଗୋଟାଏ ଗଣ୍ଡଗୋଳିଆ ଭାବ-ବାହାରେ-ଭିତରେ-ଟେବୁଲ ଉପରେ । କିଏ ଆସିଲାତ ଘଣ୍ଟା ଘଣ୍ଟା ଧରି କଥା କହିଲା । କିଏ ବକ୍ତୃତା ଦେଲା ତ ଘଣ୍ଟା ଘଣ୍ଟାଧରି ବକ୍ତୃତା ଦେଲା । କାମ କିଛି ହୋଇପାରିଲା ନାହିଁ-ରାତି ନ’ଟାରେ ମଧ୍ୟ ଗଦାଏ ଫାଇଲ ଧରି ଘରକୁ ଫେରିବାକୁ ହୁଏ । ଅବସର ଉପଭୋଗ କରିବାର ଆଉ ସମୟ କାହିଁ ? ତେଣୁ ଯେକୌଣସି ପ୍ରକାର ଉପଭୋଗ ଆମ ସମାଜରେ ଅପରିପକ୍ୱ ମସ୍ତିଷ୍କର ଚଗଲାମି ବୋଲି ବିବେଚିତ ହୋଇଥାଏ ।

 

ଖାଲି ବ୍ୟବସାୟ ଓ ଅଫିସ କାର୍ଯ୍ୟରେ ଯେ ସମୟନିଷ୍ଠା ଓ ନିର୍ଦ୍ଦିଷ୍ଟ କାର୍ଯ୍ୟନିର୍ଘଣ୍ଟ ସେଠାରେ ଅଛି ତା ନୁହେ, ସାଧାରଣ ସାମାଜିକ ତଥା ପାରିବାରିକ କର୍ମଯୋଜନାରେ ମଧ୍ୟ ସେହିପରି ସୁସଂଯତ କାର୍ଯ୍ୟପ୍ରଣାଳୀ ଦେଖାଯାଏ-ଖାଇବା ପିଇବା ଲାଗି ଗୋଟିଏ ନିର୍ଦ୍ଦିଷ୍ଟ ସମୟ ବନ୍ଧା ହୋଇଛି । ଠିକ୍‌ ସେହି ସମୟରେ ସମସ୍ତେ ଖାଇବେ । ରାତି ସାଢ଼େ ୬ଟାଠାରୁ ୮ଟା ଭିତରେ ବୋଧହୁଏ ସାରା ଦେଶରେ ରାତ୍ରିଭୋଜନ ଶେଷ ହୋଇଥାଏ । ତାପରେ ଖୋଜିଲେ ମଧ୍ୟ ଅଧିକାଂଶ ହୋଟେଲରେ ଖାଇବାକୁ ମିଳିବନାହିଁ । ଅବଶ୍ୟ କେତେଗୁଡ଼ିଏ ହୋଟେଲ ଅନେକ ରାତିଯାଏଁ କିଛି କିଛି ରଖନ୍ତି; କିନ୍ତୁ ସେସବୁ ଖୋଜି ବାହାର କରିବାକୁ ହେବ । ଯେଉଁ ରାସ୍ତାରେ ପ୍ରତି ଆଠ ଦଶ ଗଜ ଦୂରରେ ହୋଟେଲ ଅଛି, ସେଠି ରାତି ଆଠଟା ପରେ ହୋଟେଲକୁ ଖୋଜିବାକୁ ପଡ଼ିବ । ଏହାର ଗୋଟିଏ ମସ୍ତବଡ଼ ସୁବିଧା ଅଛି । ଗୋଟିଏ ନିର୍ଦ୍ଦିଷ୍ଟ ସମୟ ପରେ ସମସ୍ତ କାର୍ଯ୍ୟରୁ ଅବ୍ୟାହତି ପାଇ ଅନ୍ୟାନ୍ୟ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ରାତ୍ରିଭୋଜନ ପରେହିଁ କ୍ଳବଜୀବନ ମୁଖରିତ ହୋଇ ଉଠେ-ପାରିବାରିକ ଆମୋଦ ଜମିପାରେ-ଅନ୍ୟାନ୍ୟ ଘରକୁ ଯିବାର ସୁବିଧା ହୁଏ । ଆଠଟା ଠାରୁ ରାତି ଏଗାରଟା ପର୍ଯ୍ୟନ୍ତ ସମସ୍ତେ ଶଇଥଲ ଭାବରେ ବିଶ୍ରାମ କରନ୍ତି । ଏହି ସମୟରେହିଁ ସବୁତକର ସାମାଜିକ ମିଳାମିଶା ହୋଇଥାଏ । କିନ୍ତୁ ଆମ ଦେଶରେ ଖିଆପିଆ ଚାଲିଥାଏ, ସକାଳ ସାତଟାଠାରୁ ରାତି ବାରଟା ପର୍ଯ୍ୟନ୍ତ । ପୁଝାରୀ, ଚାକର ଓ ଘରର ସ୍ତ୍ରୀଲୋକମାନେ ଦିନରାତି କିଛି ନା କିଛି କାମରେ ବ୍ୟସ୍ତ ରହନ୍ତି । ରନ୍ଧା ବଢ଼ା ଛଡ଼ା ସେମାନଙ୍କର ଆଉ କୌଣସି କାମ କରିବାକୁ ସମୟ ହୁଏନାହିଁ । ସେମାନଙ୍କ ଦେଶରେ ସ୍ତ୍ରୀଲୋକମାନେ ଘରର ସବୁକାମ ବିନା ଚାକର ଚାକରାଣୀ ସାହାଯ୍ୟରେ କରୁଥିଲେ ସୁଦ୍ଧା ନିର୍ଦ୍ଦିଷ୍ଟ ସମୟରେ ସବୁକାମ ଶେଷ କରି ଅନେକ ସମୟ ପାଇଥାଆନ୍ତି ବିଶ୍ରାମ ପାଇଁ । ଏପରିକି ଅନେକ ଝିଅ ବାହା ହୋଇ ଘରର ସବୁ କାମ କରି ସୁଦ୍ଧା କଲେଜରେ ପଢ଼ୁଥାଆନ୍ତି କିମ୍ୱା ଅନ୍ୟାନ୍ୟ ଚାକିରି କରୁଥାନ୍ତି । ସବୁ ବିଷୟରେ ଗୋଟାଏ ପ୍ରଣାଳୀ ଥିବାରୁ ଓ ଠିକ୍‌ ଠିକ୍‌ ସମୟରେ ସବୁ କାମ ଶେଷ ହେଉଥିବାରୁ ସେମାନଙ୍କ ପକ୍ଷରେ ଏହା ସମ୍ଭବ ହୋଇପାରେ । ଆମ ଦେଶର ସ୍ତ୍ରୀ ସ୍ୱାଧୀନତା ପକ୍ଷପାତୀ ସମାଜସଂସ୍କାରକମାନଙ୍କର ଏହା ପ୍ରଣିଧାନର ବିଷୟ । ବିଶୃଙ୍ଖଳ ପାରିବାରିକ ଜୀବନ ସ୍ତ୍ରୀମାନଙ୍କର ଶିକ୍ଷା ଓ ସ୍ୱାଧୀନତା ବିଷୟରେ ଗୋଟିଏ ମସ୍ତବଡ଼ ପ୍ରତିବନ୍ଧକ ହୋଇ ଯେ ଠିଆହେବ ଏଥିରେ ସନ୍ଦେହ ନାହିଁ ।

 

ଶୃଙ୍ଖଳା, ସମୟନିଷ୍ଠା ଓ ସୁସଂଯତ କାର୍ଯ୍ୟପ୍ରଣାଳୀ ସହିତ ସାଧାରଣ ବ୍ୟକ୍ତିର କାର୍ଯ୍ୟକ୍ଷେତ୍ରରେ ନିପୁଣତା ଓ ସାଧୁତା ଯେପରି ମଣିକାଞ୍ଚନର ସଂଯୋଗ । ଆମ ଦେଶରେ ମୁହଁ ବୁଲାଇଦେଲେ ଲୋକେ ଠକି ଦେବେ । ଯେତେ ଲୋକ ନିଯୁକ୍ତ ହୋଇଥାଆନ୍ତି, ଅନେକ ସମୟରେ ଠିକ ସେତିକି ଲୋକ ସେମାନଙ୍କର କାମ ଦେଖିବା ଲାଗି ରହିଥାଆନ୍ତି; କିନ୍ତୁ ସେଠାରେ ଯାହାକୁ ଯେଉଁ କାମ ଦିଆ ହୋଇଥାଏ, ସେ ତାହା ଭଲଭାବରେ କରିବାକୁ ଚେଷ୍ଟା କରେ । ତାର ନିର୍ଦ୍ଦିଷ୍ଟ ସମୟରେ ସେ ମନ ପ୍ରାଣ ଦେଇ କାମ କରୁଥାଏ; ଟିକିଏ ହେଲେ ବସି ପଡ଼େନାହିଁ । ଆମ କଲେଜରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଖାଇବା ପିଇବାର ବନ୍ଦୋବସ୍ତ ସାମାନ୍ୟ କେତେ ଜଣ ସ୍ତ୍ରୀଲୋକ ଏପରି ସୁରୁଖୁରୁରେ ଚଳାଇ ଦିଅନ୍ତି ଯେ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଜଣେ ଶହ ଶହ କପ ଚା ଘଣ୍ଟାକ ଭିତରେ ତିଆରି କରି ଯୋଗାଇ ଦେଇପାରେ । ଦୋକାନ, ହୋଟେଲ, ବାସ, ଟ୍ରାମ ପ୍ରଭୃତିର କର୍ମଚାରୀମାନେ ଏତେ ଦକ୍ଷତା ସହିତ କାମ ତୁଲାନ୍ତି ଯେ ଖୁବ କମ ସମୟ ଭିତରେ ଅନେକ କାମ ହୋଇପାରେ । ଉଦାହରଣ ସ୍ୱରୂପ ପ୍ରତ୍ୟେକ ଦୋତାଲା ବାସରେ ୫୬ ଜଣ ଲୋକଙ୍କର ବସିବା ସ୍ଥାନ ଥିବା ସ୍ଥଳେ ସ୍ତ୍ରୀ କିମ୍ୱା ପୁରୁଷ କଣ୍ଡକ୍‍ଟର ଥାଏ । ବୁଢ଼ାବୁଢ଼ୀମାନଙ୍କୁ ହାତ ଧରି ଉଠାଇବାଠାରୁ ଆରମ୍ଭ କରି ସମସ୍ତଙ୍କୁ ଟିକଟ ଦେଇ ବାସର ଯାବତୀୟ କାମ ଖୁବ ଦକ୍ଷତାର ସହ ତୁଲାଇଥାଏ । ପ୍ରତ୍ୟେକ କ୍ଷେତ୍ରରେ ଏମାନଙ୍କର ଏ ପ୍ରକାର ପାରଗତା ଆଖିରେ ପଡ଼େ । ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ଶେଷ କରିଦେଇ ପାରିବାରୁ ଅନେକ ସମୟ ଅବସର ମିଳେ ଓ ନିଜ ନିଜର ପ୍ରିୟ କାମ (hobby)ରେ ସମୟ କଟାଇବାରେ ସୁବିଧା ମିଳେ । ଦେଶର କାର୍ଯ୍ୟକାରୀ ଶକ୍ତି ବଢ଼ିବା ସାଙ୍ଗେ ସାଙ୍ଗେ ସାହିତ୍ୟ ଓ କଳାର ମଧ୍ୟ ଉନ୍ନତି ହୁଏ । ଶିକ୍ଷାର ପ୍ରସାର ଏବଂ ସମାଜର ସମୂହ ହିତ ଲାଗି ଆଲୋଚନା କରିବାର ସମୟ ଓ ସୁବିଧା ମିଳେ । ଅବଶ୍ୟ କର୍ମତତ୍ପରତା ଓ ବ୍ୟକ୍ତିବିଶେଷର ଉତ୍ପାଦିକା ଶକ୍ତି ତାହାର ସ୍ୱାସ୍ଥ୍ୟ ଓ ପାରିପାର୍ଶ୍ୱିକ ଅବସ୍ଥା ଉପରେ ନିର୍ଭର କରେ । ପୁଷ୍ଟିକାରକ ଖାଦ୍ୟ ନ ପାଇଲେ ଲୋକଙ୍କର ସେ ଶକ୍ତି ରହିବ ନାହିଁ । ତେଣୁ ଭାରତବର୍ଷର ଲୋକମାନଙ୍କଠାରୁ ବର୍ତ୍ତମାନ ସେପରି କାର୍ଯ୍ୟପଟୁତା ବା efficiency ଆଶା କରିବା ବୃଥା । ସାଧୁତା ମଧ୍ୟ ପାରିପାର୍ଶ୍ଵିକ ଅବସ୍ଥା ଉପରେ ନିର୍ଭର କରେ ।

 

ଦେଶର ଅର୍ଥନୈତିକ ଅବସ୍ଥା ବୈଜ୍ଞାନିକପ୍ରଣାଳୀରେ ସଂଗଠିତ କରିବାକୁ ହେଲେ ଓ ସମଗ୍ର ସମାଜର ଧାରାବାହିକ ଉନ୍ନତିର ପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିବାକୁ ହେଲେ ଦେଶର ସମଗ୍ର ପାରିବାରିକ ତଥା ବ୍ୟକ୍ତିଗତ ଜୀବନକୁ ମଧ୍ୟ ସୁସଂଯତ ଓ ସୁଶୃଙ୍ଖଳିତ କରିବା ଅତ୍ୟନ୍ତ ଆବଶ୍ୟକ । ତାରି ଉପରେ ଅନେକଟା ଆମର ଭାବନାଶକ୍ତି ମଧ୍ୟ ନିର୍ଭର କରିଥାଏ । ବିଶୃଙ୍ଖଳ ପାରିବାରିକ ଆବହାଓ୍ୱା, ଅସଜଡ଼ା ଟେବୁଲ, ଅଫିସ ଓ କଳକାରଖାନାର ପଦ୍ଧତିହୀନ କାର୍ଯ୍ୟନିର୍ଘଣ୍ଟ ଓ ଅନିୟମିତ ଜୀବନପ୍ରଣାଳୀ ମନ ଭିତରେ ଗୋଳମାଳିଆ ଭାବନାର ସଞ୍ଚାର କରିଥାଏ-ବୈଜ୍ଞାନିକ ଭାବନା ଅସମ୍ଭବ ହୋଇପଡ଼େ । ତେଣୁ ବର୍ତ୍ତମାନ ଆମ ଦେଶର ଯେପରି ଅବସ୍ଥା ସେଥିରେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଗୋଟାଏ ବିରାଟ ବିପ୍ଳବ ଆସିବା ଉଚିତ ।

•••

 

–ନଅ–

-ଅବସର-ବିଶ୍ରାମ-ଉପଭୋଗ ପ୍ରଣାଳୀ

 

ଶୃଙ୍ଖଳା, ସମୟନିଷ୍ଠା ପ୍ରଭୃତି ବିଷୟରେ ଯେପରି ଆମର ବହୁତ ଶିଖିବାର ଅଛି, ସେମାନେ ଯେପରି ଭାବରେ ଅବସର ସମୟର ସଦ୍‍ବ୍ୟବହାର କରନ୍ତି ତାହା ମଧ୍ୟ ଅନୁକରଣୀୟ-। ଜଣକୁ ଦିନକୁ ଆଠଘଣ୍ଟା କରି ସପ୍ତାହରେ ପାଞ୍ଚ ଛଅ ଦିନ ଭଲ ଭାବେ କାମ କରିବାକୁ ହେଲେ ସପ୍ତାହରେ ଦିନେ ଓ ପ୍ରତିଦିନ କିଛି ସମୟ ତାର ପୂରାପୂରି ବିଶ୍ରାମ ନେବା ଉଚିତ । ତା ନ ହେଲେ କାମ ଉତ୍ତମ ରୂପେ ସମ୍ପାଦିତ ହେବା ଅସମ୍ଭବ । ତେଣୁ ଯେଉଁମାନେ ସକାଳୁ ରାତି ୧୨ଟା ଯାଏଁ କିଛି ନା କିଛି କାମ କରୁ ଥାଆନ୍ତି-କୌଣସି ଅବସର ନ ଥାଏ କି କୌଣସି ପ୍ରକାର ଆମୋଦ ପ୍ରମୋଦର ବ୍ୟବସ୍ଥା ନଥାଏ-ସେମାନେ ସମସ୍ତ ସମସ୍ତ ଏକାପରି କାମ କରିପାରନ୍ତି ନାହିଁ; ବରଂ ସମସ୍ତ ଦିନର କାମ ଢିଲା ଢିଲା ହୋଇଥାଏ । ବିଲାତରେ କୁଲି ମଜୁରିଆଙ୍କଠାରୁ ଆରମ୍ଭ କିରି ବଡ଼ ବଡ଼ ଅଫିସ କର୍ମଚାରୀ ପର୍ଯ୍ୟନ୍ତ ହପ୍ତାରେ ପ୍ରାୟ ୪୦ଘଣ୍ଟା କାମ କରନ୍ତି-ପ୍ରତିଦିନ ୫ଟା ସାଢ଼େ ପାଞ୍ଚଟା ପରେ ସମସ୍ତେ ଘରକୁ ଫେରନ୍ତି, ତା ପରେ ଆଉ କୌଣସି କାମ ନାହିଁ- ନାଚ, ଗୀତ, ସିନେମା ପ୍ରଭୃତି ନାନା ପ୍ରକାର ଆମୋଦ ପ୍ରମୋଦରେ ସମୟ କଟାନ୍ତି । ଶନିବାର ରବିବାର ଦିନ ବାହାରନ୍ତି ବଣଭୋଜି କିମ୍ୱା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ସବୁ ଘୂରି ବୁଲିବାକୁ । ପାଣିପାଗ ଅବସ୍ଥା ଭଲ ଥିଲେ ଲୋକେ ଛୁଟନ୍ତି ସହର ବାହାରକୁ-ଘଣ୍ଟାରେ ହଜାରେଠାରୁ ପନ୍ଦରଶହ ପର୍ଯ୍ୟନ୍ତ କାର ଲଣ୍ଡନ ବାହାରକୁ ପଡ଼ିଥିବା ରାସ୍ତାରେ ଚାଲେ । ପାଣିପାଗ ଅଫିସ ଛୁଟି ପୂର୍ବରୁ ଏ ବିଷୟରେ ବିଶଦବିବରଣୀ ଦେଇଥାଏ-ଭଲ ପାଗ ଥିଲେ ଲୋକେ ଆଗ୍ରହର ସହିତ ବିଭିନ୍ନ ସ୍ଥାନକୁ ବୁଲି ବାହାରନ୍ତି ।

 

ପ୍ରତି ହପ୍ତାରେ ଏହିପରି ଦିନେ ଦି ଦିନ ଛୁଟିର ଯେପରି ସଦ୍‍ବ୍ୟବହାର କରନ୍ତି, ବର୍ଷକୁ ଥରେ ପ୍ରାୟ ସମସ୍ତେ ଗୋଟିଏ ଲମ୍ୱା ଛୁଟି ନେଇ ବୁଲି ବାହାରନ୍ତି କିମ୍ୱା କୌଣସି ଗୋଟିଏ ସ୍ୱାସ୍ଥ୍ୟକର ସ୍ଥାନରେ ଯାଇ ବିଶ୍ରାମ କରନ୍ତି । ବିଶେଷତଃ ଖରାଦିନରେ ଏପରି ଲମ୍ୱା ଛୁଟି ଲୋକେ ନେଇ ଥାଆନ୍ତି । ସେଠାକାର ଖରାଦିନ ବଡ଼ ଚମତ୍କାର-ବେଶି ଶୀତ ନାହିଁ କି ବେଶି ଥଣ୍ଡା ନାହିଁ - ଆମର ଶୀତ ଦିନ ପରି ଲାଗେ । ଚାରିଆଡ଼େ ସବୁଜ ଘାସ, ସବୁଜ ପତ୍ରରେ ଗଛ ସବୁ ନବଜୀବନ ଲାଭ କରି ଥାଏ-ଫୁଲରେ ଅଧିକାଂଶ ଗଛ ଯେପରି ଭାଙ୍ଗି ପଡ଼ୁଥାନ୍ତି-ବସନ୍ତର ପ୍ରକୃତ ମାଧୁର୍ଯ୍ୟ ଏ ଦେଶରେହିଁ ଦେଖା ଯାଇଥାଏ । ଶୀତଦିନେ ପକ୍ଷୀ ସବୁ କେଉଁ ଅନ୍ଧିସନ୍ଧିରେ ଲୁଚି ରହିଥାଆନ୍ତି-ଏପ୍ରିଲ୍‌ ମାସ ହେଲା କ୍ଷଣି ଯେପରି କେଉଁ ଅଜଣା ସଙ୍କେତରେ ଶିହରୀ ଉଠନ୍ତି-କୋଇଲି, ନାଇଟ୍‌ଙ୍ଗେଲ ପ୍ରଭୃତି ପକ୍ଷୀମାନଙ୍କର କାକଳୀରେ ଶୀତଦିନର ବରଫାବୃତା ବୃଦ୍ଧା ବସୁନ୍ଧରାର ଯେପରି ନୈରାଶ୍ୟ ସ୍ୱପ୍ନ ହଠାତ୍‌ ଭାଙ୍ଗିଯାଏ-ବିଗତ ଯୌବନ ଫେରି ଆସେ । ଏ ପ୍ରକାର ଅଦ୍ଭୁତ ପରିବର୍ତ୍ତନ ସମସ୍ତଙ୍କୁ ଆକର୍ଷଣ କରିଥାଏ-ଶୀତ ଓ ବସନ୍ତର ବୈସାଦୃଶ୍ୟ ଏତେ ବେଶି ଯେ ପରିବର୍ତ୍ତନର ମାଧୁର୍ଯ୍ୟ ସମସ୍ତଙ୍କୁ ସ୍ପର୍ଶ କରିଥାଏ । ଯଦି କେହି ଆଗନ୍ତୁକ ଶୀତଦିନ ତକ ରହି ଫେରିଯାଏ ଓ ପରେ କେତେବେଳେ ବସନ୍ତ ଋତୁରେ ଆସି ପହଞ୍ଚେ, ସେ କେଭେ ବିଶ୍ୱାସ କରିପାରିବ ନାହିଁ ଯେ ଠୁଙ୍କା ଠୁଙ୍କା ଗଛଗୁଡ଼ାକ ଏପରି ମନମତାଣିଆ ନୂତନ କଳେବର ଧାରଣ କରିପାରେ । ଏପ୍ରିଲ୍‍ଠାରୁ ଆରମ୍ଭ କରି ପ୍ରାୟ ଅକଟୋବର ପର୍ଯ୍ୟନ୍ତ ପାଣିପାଗ ଅବସ୍ଥା ଭଲଥାଏ । ଏହି ଛ ମାସ ଭିତରେ ଲୋକେ ଲମ୍ୱା ଛୁଟି ନେଇ ବିଭିନ୍ନ ସ୍ଥାନକୁ ପରିଭ୍ରମଣରେ ବାହାରି ଥାଆନ୍ତି । ଅନେକେ ଇଂଲଣ୍ଡ ଭିତରେ ବିଶେଷତଃ ସମୁଦ୍ରକୂଳ ସ୍ଥାନ-କବିପ୍ରସିଦ୍ଧ ହ୍ରଦବହୁଳ ଅଞ୍ଚଳ (English Lake District) ଓ ସ୍କଟଲାଣ୍ଡର ପାହାଡ଼ିଆ ଅଞ୍ଚଳକୁ ଯାଆନ୍ତି ଛୁଟି କଟାଇବାକୁ; ଆଉ ଅନେକେ ୟୁରୋପର ବିଭିନ୍ନ ଅଂଶକୁ ଯାଇ ଥାଆନ୍ତି ମଧ୍ୟ । ଖାଲି ଇଂରେଜୀମାନେ ଯେ ଏପରି ଅଭିଯାନରେ ବାହାରନ୍ତି ତାନୁହେ, ବାହାରର ଅନେକେ ମଧ୍ୟ ଇଂଲଣ୍ଡକୁ ବୁଲି ଆସି ଥାଆନ୍ତି-। ଏତେ ଲୋକ ଆସନ୍ତି ଯେ ସରକାର ସେ ଦିଗରୁ ଗୋଟିଏ ଆଖିଦୃଷ୍ଟିଆ ଆୟ ଆଶା କରନ୍ତି । ବିଶେଷତଃ ଡଲାର ଦେଶବାସୀଙ୍କଠାରୁ । ତେଣୁ ହୋଟେଲ ସବୁ ଅଧିକା ଖାଦ୍ୟପେୟ ପାଇଁ ଅନୁମତି ପାଇଥାଆନ୍ତି । କେତେକ ଅଞ୍ଚଳ ଅଛି ଯେଉଁଠି ଅଧିକାଂଶ ଲୋକେ ବର୍ଷର ଛଅମାସ ହୋଟେଲ ପ୍ରଭୃତି ବ୍ୟବସାୟ କରି ବେଶ୍‌ ଉପାର୍ଜନ କରନ୍ତି ଏବଂ ଅନ୍ୟ ଛଅ ମାସ ସେହି ଉପାର୍ଜନ ଉପରେ ଚଳନ୍ତି । ସେମାନଙ୍କ ହୋଟେଲ ହାର ଦୁଇ ପ୍ରକାର ହୋଇଥାଏ । ବସନ୍ତଋତୁରେ ଯାହା-ଅନ୍ୟ ସମୟରେ ତାଠାରୁ ଢେର କମ ଦର ।

 

ଏ ପ୍ରକାର ଦେଶଭ୍ରମଣ ଏତେ ବେଶି ଲୋକପ୍ରିୟ ଯେ ସରକାର ତଥା ଜନସାଧାରଣ ଏ ବିଷୟରେ ବହୁତ ସୁବିଧା କରିଥାଆନ୍ତି । ଦ୍ରଷ୍ଟବ୍ୟ ସ୍ଥାନ ସବୁ ଖୁବ ଚମତ୍କାର ଭାବରେ ପରିଚାଳିତ ହୋଇଥାଏ, ରାସ୍ତା ଘାଟ ପରିଷ୍କାର ପରିଚ୍ଛନ୍ନ କରି ରଖିବା ଛଡ଼ା ସେ ସବୁ ସ୍ଥାନର ସୌନ୍ଦର୍ଯ୍ୟ କିପରି ବୃଦ୍ଧି ହେବ ତାର ମଧ୍ୟ ବନ୍ଦୋବସ୍ତ ହୋଇଥାଏ । ପ୍ରତ୍ୟେକ ଅଞ୍ଚଳରେ କି କି ଦର୍ଶନୀୟ ସ୍ଥାନ ଅଛି-ତାହାର ଐତିହାସିକ ବିବରଣୀ ଓ ଅନ୍ୟାନ୍ୟ ଜ୍ଞାତବ୍ୟ ବିଷୟ ସହ ସେସବୁର ଫଟୋଗ୍ରାଫ୍‌ ଏପରି ଚମତ୍କାର ଭାବରେ ପୁସ୍ତକ ଆକାରରେ ପ୍ରକାଶ କରା ଯାଇଥାଏ ଯେ ଦେଖିଲା କ୍ଷଣି ଗୋଟାଏ ମୋଟାମୋଟି ଧାରଣା ହୋଇଯାଏ ଓ ଦେଖିବାରୁ ପ୍ରୋଗ୍ରାମ ନ ଥିଲେ ମଧ୍ୟ ଦେଖିବା ପାଇଁ ଆଗ୍ରହ ହୁଏ । ମୁଁ ଯେତେବେଳେ ଇଂଲିଶ ହ୍ରଦବହୁଳ ଅଞ୍ଚଳକୁ ଯାଇଥିଲି, ଭାବିଥିଲି ଚାରି ଦିନ ରହି କେତେଟା ହ୍ରଦ ବୁଲି ଫେରି ଆସିବି; କିନ୍ତୁ ସେଠାକାର ରମଣୀୟ ସ୍ଥାନ ଛଡ଼ା ରହିବା ଓ ବୁଲିବାର ସୁବନ୍ଦୋବସ୍ତ ଏତେ ଭଲ ଲାଗିଲା ଯେ ସେ ଅଞ୍ଚଳର ସବୁ ହ୍ରଦ ନ ଦେଖି ଆସିପାରିଲି ନାହିଁ । ଚିତ୍ରବହୁଳ ବହି ଖଣ୍ଡକରେ ସବୁ ଅଛି-କିପରି କେଉଁଠାକୁ ଯିବାକୁ ହେବ, କେଉଁ ନମ୍ୱର ବାସ କେଉଁଠାରୁ ନେବାକୁ ହେବ ଇତ୍ୟାଦି ସବୁ; କାହାକୁ ପଚାରିବା ଦରକାର ପଡ଼େନାହିଁ । ଅନେକ ସମୟରେ ମୁଁ ଚାଲି ଚାଲି ବାହାରେ । ସକାଳେ ହୋଟେଲରେ ଖାଇ ବାହାରେ-ତା ପରେ କିଛି ସମୟ ଚାଲିଲା ପରେ ଯେଉଁଠି ଭୋକ କିମ୍ୱା ଶୋଷ କରେ, ଆଖି ବୁଲାଇଲେହିଁ କିଛି ଗୋଟାଏ ଛୋଟ ବଡ଼ ହୋଟେଲ ଦେଖାଯାଏ-ଚାଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ସବୁ ପ୍ରକାର ବନ୍ଦୋବସ୍ତ ଥାଏ କିମ୍ୱା ଦଶପନ୍ଦର ମାଇଲ ଚାଲିଲା ପରେ ଯଦି କ୍ଳାନ୍ତ ଲାଗେ ତା ହେଲେ ଯେକୌଣସି ସ୍ଥାନରୁ ବାସରେ ଫେରି ଆସି ହେବ । ବାସ ପାଇଁ ଟିକିଏ ଅପେକ୍ଷା କରିବାର ଇଚ୍ଛା ନ ହେଲେ ସେ ରାସ୍ତାରେ ଆସୁଥିବା ଯେ କୌଣସି ଘରୋଇ ମଟରକୁ ହାତ ଦେଖାଇଲେ ବସିବାର ସୁବିଧା ମିଳେ । ମଟର ଚାଳକମାନେ ବିନା ଦ୍ୱିଧାରେ ବସାଇ ଥାଆନ୍ତି । ଅନେକ ସମୟରେ ଲୋକେ ଏହିପରି ଭାବରେ ତିନିଶହ ଚାରିଶହ ମାଇଲ ବୁଲି ଆସନ୍ତି । ଏହାକୁ ହିଚ୍ ହାଇକିଂଗ୍‌ କହନ୍ତି । ଯେଉଁମାନେ ବସନ୍ତି ସେମାନଙ୍କର ଆତ୍ମସମ୍ମାନରେ ବାଧା ହୁଏନା ବା ଯେଉଁମାନେ ବସାନ୍ତି ସେମାନଙ୍କର ଆଭିଜାତ୍ୟରେ ଆଞ୍ଚ ଲାଗେନାହିଁ । ଆମଦେଶରେ ଏପରି ଅନୁରୋଧ ଭୟାନକ ଆସ୍ପର୍ଦ୍ଧାର ପରିଚୟ ଦେଇଥାଏ । ତା ଛଡ଼ା ଯେ ମଟରରେ ଯାଆନ୍ତି ଓ ଯେ ରାସ୍ତାରେ ଚାଲନ୍ତି ତାଙ୍କ ଭିତରେ ଗୋଟାଏ ମସ୍ତବଡ଼ ଶ୍ରେଣୀ ତାରତମ୍ୟ । ତେଣୁ ଅନେକ ସମୟରେ ଅହି-ନକୁଳ ସମ୍ପର୍କ । ଯେଉଁ ଦେଶର ଲୋକେ ମଟରରେ ବସିବାରେ ଯେତେ ଆନନ୍ଦ ନ ପାଆନ୍ତି ରାସ୍ତାରେ ଚାଲୁଥିବା ଲୋକଙ୍କ ଉପରେ କାଦୁଅ ପାଣି ଛିଟା ପକାଇ ତାଠୁ ବେଶୀ ଆନନ୍ଦ ପାଇଥାନ୍ତି; ସେଠାରେ ସେହି ରାସ୍ତାର ଲୋକଙ୍କୁ ଗାଡ଼ିରେ ସ୍ଥାନ ଦେବା ବିଡ଼ମ୍ୱନା ମାତ୍ର; ଏପରି କି ସମାନସ୍କନ୍ଦ ତଥା ନିଜର ପ୍ରିୟବନ୍ଧୁଙ୍କୁ ରାସ୍ତାରେ ଚାଲୁଥିବା ବେଳେ ଦେଖିଲେ ମଟର ହାଙ୍କ ଯାଉଥିବା ବାବୁଙ୍କର ମୁହଁର ଭାବ ଅଲଗା ହୋଇଥାଏ ।

 

ହୋଟେଲ ରେଷ୍ଟୋରାଁ ଛଡ଼ା ଆଉ ଗୋଟିଏ ଚମତ୍କାର ବ୍ୟବସ୍ଥା ଅଛି ଏ ଦେଶରେ । ଅନେକ ସମୟରେ ହୋଟେଲରେ ରହିଲେ ବେଶି ଖର୍ଚ୍ଚ ପଡ଼େ; ଛାତ୍ର କିମ୍ୱା ଅନ୍ୟାନ୍ୟ ସ୍ୱଳ୍ପବେତନର ଲୋକଙ୍କ ପକ୍ଷରେ ଅନେକ ସ୍ଥାନ ବୁଲି ଦେଖିବାର ସୁବିଧା ହୁଏ ନାହିଁ । ତେଣୁ ୟୁଥ୍ ହଷ୍ଟେଲ ବୋଲି ଗୋଟିଏ ଅନୁମାନ ଚାରିଆଡ଼େ ଅଛି । ଏହା ଜନସାଧାରଣ ଓ ବ୍ୟକ୍ତିଗତ ଦାନ ଦ୍ୱାରା ପରିଚାଳିତ । ପ୍ରତି ଦଶ ପନ୍ଦର ମାଇଲ ଭିତରେ ମୋଟିଏ ୟୁଥ ହଷ୍ଟେଲ ଥାଏ । ସାମାନ୍ୟ କିଛି ଦେଇ ୟୁଥ୍ ହଷ୍ଟେଲ ଆସୋସିଏନର ମେମ୍ୱର ହେବାକୁ ହୁଏ । ସେହି ମେମ୍ୱର କାର୍ଡ ନେଇ ଯେ କୌଣସି ହଷ୍ଟେଲରେ ରହିହେବ । ସେଠାରେ ଶୋଇବା ଓ ଖାଇବା ପିଇବାର ବନ୍ଦୋବସ୍ତ ଥାଏ । ଜଣେ ଲେଖାଏ ପରିଚାଳିକା ଥାଆନ୍ତି । କିନ୍ତୁ ଯେଉଁମାନେ ଯାଆନ୍ତି ସେମାନେ ନିଜ ଭିତରେ ସବୁ କାମ କରନ୍ତି । ମେଟ୍ରୋନ ଖାଲି କାମ ଦେଖୁଥାଏ । ଖୁବ୍‌ ଶସ୍ତାରେ ଖାଇବା ପିଇବା ମିଳେ । ସକାଳୁ ଉଠି କିଏ ବିଛଣା କରେ, କିଏ ବାସନ ମାଜେ, କିଏ ଘର ସଫାକରେ, କିଏ ବଗିଚାକାମ କରେ-ଏପରି ସମସ୍ତ କାମ ଆଗୁନ୍ତୁକମାନେ ନ’ଟା ଭିତରେ ଶେଷ କରି ଯେଝା ରାସ୍ତାରେ ବାହାରନ୍ତି । ନ’ଟାଠାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ କେହି ରହିପାରିବେ ନାହିଁ ହଷ୍ଟେଲ ଭିତରେ । ବୁଲିବା ଉଦ୍ଦେଶ୍ୟରେ ଆସି ହଷ୍ଟେଲରେ ବସି ରହିବା ନିୟମବିରୁଦ୍ଧ, ପ୍ରତି ସଂଧ୍ୟାରେ ନୂଆ ନୂଆ ଲୋକ: ସ୍ତ୍ରୀ ପୁରୁଷ ଉଭୟଙ୍କ ପାଇଁ ଏକା ହଷ୍ଟେଲରେ ଅଲଗା ବନ୍ଦୋବସ୍ତ କରାହୋଇଥାଏ । ଏହି ୟୁଥ୍‍ ହଷ୍ଟେଲ ଅନୁଷ୍ଠାନଟି ପ୍ରକୃତରେ ଭାରି ଚମତ୍କାର । ମୁଁ ଅନେକ ସମୟରେ ଏମାନଙ୍କର ଗାଁଗହଳିର ଅଭିଜ୍ଞତା ଅର୍ଜନ କରିବା ପାଇଁ ମୋର କେତେକ ଇଂରାଜୀ ବନ୍ଧୁଙ୍କ ସହ ପଦବ୍ରଜରେ ବୁଲି ବାହାରେ । ଦିନକୁ ପ୍ରାୟ ପନ୍ଦର କୋଡ଼ିଏ ମାଇଲ ଚାଲିଲା ପରେ ସନ୍ଧ୍ୟାରେ ଗୋଟିଏ ୟୁଥ ହଷ୍ଟେଲରେ ଆସି ପହଞ୍ଚୁ । ଆମପରି ଆହୁରି ଅନେକ ସ୍ତ୍ରୀପୁରୁଷ ଦଳ ଦଳ ହୋଇ ଆସି ପହଞ୍ଚନ୍ତି । ପ୍ରାୟ ଏକାପରି ହାଲୁକା ପୋଷାକ-କାନ୍ଧରେ ଗୋଟିଏ ଗୋଟିଏ ୟୂଥ୍‍ ହଷ୍ଟେଲ ବେଗ୍‍-(ମୁଣୀ) ମୁହଁରେ କ୍ଳାନ୍ତି ତଥା ମୁକ୍ତ ବାୟୁମଣ୍ଡଳଜନିତ ପ୍ରଫୁଲ୍ଲତାର ଗୋଟିଏ ହସ-ସ୍ତ୍ରୀ ପୁରୁଷ, ବାଳକ ବାଳିକା ହାତ ଧରାଧରି ହୋଇ ଗୀତ ଗାଇ ଗାଇ ଆସି ପହଞ୍ଚନ୍ତି ପରସ୍ପର ପଚରାପଚରି ହୁଅନ୍ତି-କିଏ କେଉଁଆଡ଼ୁ ଆସିଲା, କେଉଁଆଡ଼େ ଯିବ, କେତେ ଦୂର ଚାଲିଲେଣି ଇତ୍ୟାଦି । ତା ପରେ ସମସ୍ତେ ଲାଗି ଯାଆନ୍ତି ହଷ୍ଟେଲ କାମରେ-ଯେପରି ଗୋଟିଏ ପରିବାର-ଅନେକ ଦିନର ଜଣାଶୁଣା ସାଙ୍ଗସାଥି-ସ୍ତ୍ରୀପୁରୁଷ ସମସ୍ତେ ଏକାଠି ହସି ଗୀତ ଗାଇ ଥଟ୍ଟା କରି କାମ କରି ଯାଆନ୍ତି-ହଷ୍ଟେଲଟି ମୁଖରିତ ହୋଇ ଉଠେ-ସକାଳୁ ଉଠି ସମସ୍ତେ ଲାଗି ଯାଆନ୍ତି ପୁଣି ଯେଝା କାମରେ; ଆସିଲା ବେଳକୁ ହଷ୍ଟେଲ ଯେପରି ପରିଷ୍କାର ଥାଏ ଗଲାବେଳକୁ ଠିକ୍‌ ସେହିପରି ଚକ୍‌ ଚକ୍‌ କରି ଯାଆନ୍ତି । ବଗିଚା, ରାସ୍ତା, ଫୁଲଗଛ ସବୁ ଦଶଟା ଚାକର ଲାଗିଥିବା ବଗିଚା ପରି ଝଟକୁଥାଏ । କାମ ଶେଷ କରି ପରସ୍ପରଠାରୁ ବିଦାୟ ନେଇ ଯେ ଯାହା ରାସ୍ତାରେ ପୁଣି ବାହାରନ୍ତି-। ପୁଷ୍ପ ଫଳ ଓ ନବପତ୍ର ଆଚ୍ଛାଦିତା ବୃକ୍ଷଲତା, ସବୁଜ କୋମଳ ଦୁର୍ବାଦଳ ପରିଶୋଭିତ ପଲ୍ଲୀପ୍ରାନ୍ତର ଓ ବସନ୍ତ ବିମୁଗ୍‍ଧ ସ୍ୱାସ୍ଥ୍ୟସଂପନ୍ନା । ଯୁବକ ଯୁବତୀଙ୍କର ମନଫୁଲାଣିଆ ଗାନ ଓ ବିହାର ଦେଖିଲେ ମନ ପ୍ରକୃତରେ ଆନନ୍ଦରେ ପୂରି ଉଠେ । ବାଟରେ ଦେଖାହେଲେ ହସି ହସି ପଚାରନ୍ତି-Isn't it lovely-How do you like it-(ଚମତ୍କାର, ନୁହେଁ ? କିମିତି ଲାଗୁଛି-?) ତା ପରେ ବାଇ ବାଇ (Bye Bye) କରି ଯେଝା ରାସ୍ତାରେ ଚାଲି ଯାଆନ୍ତି ମୋତେ ଆଶ୍ଚର୍ଯ୍ୟ ଲାଗେ ଯେ ଯେଉଁ ଇଂରେଜିମାନେ ସହରରେ ଏପରି ଅମିଶୁକ ଓ କୃତ୍ରିମ ବାହ୍ୟଆଡ଼ମ୍ୱରର ଦାସ ସେମାନେ ପୁଣି ଏପରି ଭାବରେ ମିଳାପି ଓ ଖୁସିବାସିଆ ହୋଇପାରନ୍ତି ! ଏହା ନିଶ୍ଚୟ ମୁକ୍ତବାୟୁ ଓ ଖୋଲା ଆକାଶର ପ୍ରଭାବ । ଏ ପ୍ରକାର ଭ୍ରମଣ ମୋତେ ଏତେ ଭଲ ଲାଗେ ଯେ ଯେବେ ସୁବିଧା ପାଏ ନ ଯାଇ ରହି ପାରେ ନା ଏବଂ ବରାବର ଲକ୍ଷ୍ୟ କରିଛି ଏପରି ଭାବରେ ହପ୍ତାଏ ବୁଲି ଆସିଲା ପରେ ମନ ଓ ଦେହ ଖୁବ୍‌ ପ୍ରଫୁଲ୍ଲ ରହେ ଓ ମୋର ଓଜନ ବଢ଼ିଯାଏ-

 

ସେମାନଙ୍କ ଦେଶରେ ଯେ ସବୁ ଜିନିସ ଦେଖିବାର ଅଛି, ତାହା ଯେ ଆମଦେଶରେ ନାହିଁ ତା ନୁହେଁ; ବରଂ ଆମ ଦେଶରେ ତାଠାରୁ ଅନେକ ବେଶୀ ଦେଖିବାର ଅଛି । କିନ୍ତୁ ଆମର ସେ ମନ ନାହିଁ କି ସେଥିଲାଗି ଅନ୍ୟାନ୍ୟ ସୁବିଧା ଓ ସୁଯୋଗ ନାହିଁ । ଏ ଦୁଇଟି ପରସ୍ପର ଉପରେ ନିର୍ଭର କରେ । ମନ ଥିଲେ ସୁବିଧା କରାହୁଏ ଏବଂ ସୁବିଧା ଥିଲେ ମନ ହୁଏ ଯିବା ଲାଗି । ତା ଛଡ଼ା ମଧ୍ୟ ଆମ ଦେଶରେ ଯେଉଁ ମାନେ କାମ କରନ୍ତି, ସେମାନେ ସବୁବେଳେ କାମ କରୁ ଥାଆନ୍ତି ଓ ଅକର୍ମାମାନେ ସବୁବେଳେ ଅଳସୁଆ ହୋଇ ବୁଲନ୍ତି । ତେଣୁ ଉପଭୋଗ ବା ବିଶ୍ରାମ କରିବାର ବାସନା ଆମମାନଙ୍କର ମରିଯାଇଛି । ଯେଉଁମାନେ ଅବସର ଉପଭୋଗ କରିପାରନ୍ତି ନାହିଁ, ସେମାନଙ୍କ ପକ୍ଷରେ ମନର ଶାନ୍ତି ଅସମ୍ଭବ ଓ ମନର ଶାନ୍ତି ଅଭାବରେ କାର୍ଯ୍ୟ ମଧ୍ୟ ସୂଚାରୁ ରୂପେ ସମ୍ପାଦିତ ହୋଇପାରେ ନାହିଁ; ଖାଲି ସେତିକି ନୁହେଁ ସମାଜର ସଂସ୍କୃତି ଓ କଳାର ଉନ୍ନତି କିମ୍ୱା ମନର ବିକାଶ ହୋଇପାରେ ନାହିଁ । ପ୍ରକୃତିର ଖୋଲା ପୁସ୍ତକ ମନୁଷ୍ୟର ପ୍ରାଣକୁ ଯେପରି ଉଦ୍‍ବୁଦ୍ଧ କରିଥାଏ, ତାହା ଅନ୍ୟ କୌଣସି ପ୍ରକାରେ ସମ୍ଭବ ନୁହେଁ । ଅବଶ୍ୟ ଆର୍ଥିକ ସ୍ୱଚ୍ଛଳତା ଉପରେ ଏ ପ୍ରକାର ମନୋବୃତ୍ତି ଅନେକଟା ନିର୍ଭର କରେ । କିନ୍ତୁ ଯେଉଁମାନଙ୍କର ସେ ସୁବିଧା ଅଛି ସେମାନଙ୍କର ତାହାର ସୁଯୋଗ ନେବା ଉଚିତ ଓ ସରକାର ତରଫରୁ ମଧ୍ୟ ସେ ବିଷୟରେ ଉତ୍ସାହ ଦେଖା ଦେବା ଉଚିତ । ଆମ ଦେଶ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିଲେ ମଧ୍ୟ ସାମାନ୍ୟ କେତେକ କବିଙ୍କୁ ଛାଡ଼ିଦେଲେ ଆମ ଜନସାଧାରଣଙ୍କର ଆଖି ସେସବୁ ଦେଖିପାରେ ନାହିଁ । ଏତେ ସୁନ୍ଦର କାଠଯୋଡ଼ି କୂଳେ ବସିବାର ଉପାୟ ନାହିଁ ବିଷ୍ଠା ଗନ୍ଧରେ ନାକ ପୂରି ଉଠେ-କେନାଲ କୂଳ ନାନା ଆବର୍ଜନାରେ ପୂର୍ଣ୍ଣ-ସାଧାରଣ ପୋଖରୀ ସବୁ ମଶା-ଉତ୍ପାଦକ କିମ୍ୱା ମ୍ୟୁନିସିପାଲିଟି ମଇଳାରେ ପୋତା ହେଉଛି-କୋଣାର୍କ ପରି ମନ୍ଦିର ଦେଖିବାକୁ ଯିବାକୁ ହେଲେ ମୁହଁ ରଙ୍ଗା ପଡ଼ିଯାଏ-ସାତ ଥର ଗଙ୍ଗା ଯିବା ସିନା ସମ୍ଭବ ହୁଏ; ଥରେ ଚନ୍ଦ୍ରଭାଗା ଯାଇ ହୁଏ ନାହିଁ-ଏତେ ସୁନ୍ଦର ସୁନ୍ଦର ମନ୍ଦିର ଥିଲେ ସୁଦ୍ଧା ଗୋଟିଏ ଛବି କିଣିବାକୁ ମିଳେନାହିଁ-ତଥାପି ଆମେ କହୁ ଯେ ଆମର ସଂସ୍କୃତି, ଆମର କଳାଜ୍ଞାନ, ଆମର ସାହିତ୍ୟ ପୃଥିବୀଶ୍ରେଷ୍ଠ । ଗୋଟିଏ ଦେଶର ସଭ୍ୟତା, ସଂସ୍କୃତି ସେହି ଦେଶର ଜନସାଧାରଣଙ୍କଠାରୁ ଜଣାଯାଏ-ସାମାନ୍ୟ କେତେ ଜଣ ଉଚ୍ଚପଦସ୍ଥ ରାଜସେବୀ କବି ପଣ୍ଡିତଙ୍କ ଲେଖାରୁ ନୁହେଁ, ଏପ୍ରକାର ମାପକାଠି ଅନୁସାରେ ଆମ ଦେଶର ସାଧାରଣ ସୌନ୍ଦର୍ଯ୍ୟ ଜ୍ଞାନ ଯେ ଇଂରେଜୀଙ୍କର ସୌନ୍ଦର୍ଯ୍ୟ ଜ୍ଞାନଠାରୁ ବହୁତ ତଳେ ଏଥିରେ ସନ୍ଦେହ ନାହିଁ । ସିନେମା, ଥିଏଟର, ଅପେରା ଗୀତ, ନୃତ୍ୟ ପ୍ରଭୃତି ମଧ୍ୟ ସାଧାରଣ ଲୋକଙ୍କର ଖୁବ୍‌ ପ୍ରିୟ । ଗାଁ ଗଣ୍ଡାରେ ସୁଦ୍ଧା ଏହାର ବହୁ ପ୍ରଚଳନ ଅଛି । ଖୁବ୍‌ ଉଚ୍ଚଧରଣର ସଙ୍ଗୀତ ଓ ନୃତ୍ୟରେ ସାଧାରଣ ଲୋକଙ୍କର ବେଶ ଆଗ୍ରହ ଦେଖାଯାଏ । ଉଦୟଶଙ୍କର ନୃତ୍ୟଦଳ ପରି ଆମ ଦେଶରେ ବା କେତୋଟି ଅନୁଷ୍ଠାନ ଅଛି-ଯେ କେତୋଟା ଅଛି ତାହା ସାଧାରଣ ଲୋକଙ୍କର ବୁଦ୍ଧି ଓ ପସନ୍ଦର ବାହାରେ । ତେଣୁ କେତୋଟି ବଡ଼ ବଡ଼ ସହର ଛାଡ଼ି ଦେଲେ ଏ ପ୍ରକାର ଉନ୍ନତଧରଣର କଳାର ପ୍ରସାର ବଡ଼ କମ୍‍ । ତାଙ୍କ ଦେଶରେ କିନ୍ତୁ ଏ ପ୍ରକାର ଉଚ୍ଚଧରଣର ନୃତ୍ୟ ଓ ସଙ୍ଗୀତ କଳା ବେଶ ଆଦୃତ ହୋଇଥାଏ-ସମସ୍ତେ ଊଣା ଅଧିକେ କିଛି କିଛି ଗୀତ ଜାଣି ଥାଆନ୍ତି-ବଡ଼ ବଡ଼ ଗାୟକ ଓ ନୃତ୍ୟବିଶାରଦମାନଙ୍କର ପ୍ରସିଦ୍ଧ ଗୀତ ଓ ନାଚ ବିଷୟରେ ଅନେକ ଖବର ରଖନ୍ତି । ମୋଟାମୋଟି ଜନସାଧାରଣଙ୍କର ସଂସ୍କୃତି ବେଶ ଉଚ୍ଚଧରଣର ବୋଲି ମନେହୁଏ; ଅର୍ଥାତ୍‌ ତାଙ୍କ ଦେଶର ସଂସ୍କୃତି ଓ କଳାର ନଭଶ୍ଚୁମ୍ୱୀ ଅଟ୍ଟାଳିକାର ସୁପ୍ରଶସ୍ତ ଭିତ୍ତି ଜନସାଧାରଣଙ୍କଠାରୁ ଆରମ୍ଭ ହୋଇ କ୍ରମଶଃ ସୂକ୍ଷ୍ମୀଭୂତ ହୋଇଯାଇଛି; କିନ୍ତୁ ଆମ ଦେଶ ସଂସ୍କୃତିର ଅତି ଉଚ୍ଚ ସୂକ୍ଷ୍ମ ଅଗ୍ରଭାଗ ଥିଲେ ସୁଦ୍ଧା ତାର ମୂଳଭିତ୍ତି ବଡ଼ ସଂକୀର୍ଣ୍ଣ ବୋଲି ମନେହୁଏ । ଏଥିଲାଗି ଅବଶ୍ୟ ଆମର ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ମୁଖ୍ୟତଃ ଦାୟୀ ।

•••

 

Unknown

–ଦଶ–

ଛାତ୍ରଜୀବନ-ଛାତ୍ର ଓ ରାଜନୀତି-ଛାତ୍ର-ଶିକ୍ଷକ ସମ୍ପର୍କ

 

ଯେ କୌଣସି ଦେଶର ଛାତ୍ରସମାଜର ମତିଗତି ଓ ସାଧାରଣ ମନୋବୃତ୍ତି ଅନୁସାରେ ସେହି ଦେଶର ଭବିଷ୍ୟତ ନିର୍ଦ୍ଧାରିତ ହୋଇଥାଏ । ସେମାନେହିଁ ବିଭିନ୍ନ କ୍ଷେତ୍ରରେ କର୍ଣ୍ଣଧାର ହୋଇ ବାହାରନ୍ତି; ତେଣୁ ସେମାନଙ୍କର ଚରିତ୍ରଗଠନ ଜାତୀୟ ପୁନର୍ଗଠନ ପରିକଳ୍ପନାରେ ପ୍ରଥମ ସ୍ଥାନ ଅଧିକାର କରିବା ଉଚିତ । ଏହା କିନ୍ତୁ ଆମ ଦେଶରେ ଆମେ ଭୁଲିଯାଉଁ । ଶିକ୍ଷା ଓ ଛାତ୍ରମାନଙ୍କ ଲାଗି ବହୁତ କମ୍‌ ଦୃଷ୍ଟି ଆମେମାନେ ଦେଇଥାଉଁ । ସେମାନଙ୍କୁ ଆମ ସମାଜ ଓ ଦେଶସେବୀ ନେତାମାନେ କୌଣସି ପ୍ରେରଣା ବା ଉତ୍ସାହ ନ ଦେଇପାରିବାରୁ ଅଧିକାଂଶ ଛାତ୍ର ଜାତୀୟ ଉନ୍ନତି, ଆନ୍ତର୍ଜାତିକ ଭ୍ରାତୃଭାବ ଓ ମନୁଷ୍ୟସମାଜର ସାଧାରଣ ମଙ୍ଗଳ ପ୍ରଭୃତି ମହତ୍‌ ଆଦର୍ଶରେ ଅନୁପ୍ରାଣିତ ହୋଇପାରନ୍ତି ନାହିଁ; ତେଣୁ ସେମାନେ ହତୋତ୍ସାହୀ, ସଂକୀର୍ଣ୍ଣମନା, ଦୁର୍ବଳ ମନୋଭାବସମ୍ପନ୍ନ ଓ ବିଶ୍ୱନିନ୍ଦୁକ ହୋଇପଡ଼ନ୍ତି । ‘ଜଗତ୍‌ ଦୁଃଖମୟ ଏହି ଦର୍ଶନ ଯୁବକମନକୁ ନିଷ୍କ୍ରିୟ କରିଦିଏ । କୌଣସି ମତେ ଚାକିରିଟିଏ କରି ଜୀବନଟାକୁ ଯେ କୌଣସି ପ୍ରକାରେ ଚଳାଇନେବା ଛଡ଼ା ଆଉ କିଛି କରିବାର ଥାଇପାରେ ବୋଲି ସେମାନେ ଭାବିପାରନ୍ତି ନାହିଁ । ମୋ ମତରେ ଆମଦେଶର ଅଧିକାଂଶ ଛାତ୍ର ଓ ଯୁବକଙ୍କର ଏ ପ୍ରକାର ଦୁର୍ବଳ ମନୋଭାବ ଆମର ସମାଜକୁ ଏପରି ନିମ୍ନଗାମୀ କରି ପକାଇଛି । ଅନ୍ୟ ଦେଶର ଛାତ୍ରମାନଙ୍କୁ ଦେଖିଲେ ବଡ଼ ଆନନ୍ଦ ହୁଏ ଏବଂ ଆମଦେଶ ସହିତ ତୁଳନା କରି ମନ ଦୁଃଖରେ ଦବିଯାଏ ।

 

ବିଲାତ ତଥା ଅନ୍ୟାନ୍ୟ ଉନ୍ନତ ଦେଶର ଛାତ୍ରସମାଜ ବଡ଼ ଉଦାର ଏବଂ ଜାଗ୍ରତ । ବ୍ୟର୍ଥତାର ଆତ୍ମାଘାତୀ ବିଷରେ ସେମାନଙ୍କର ପ୍ରାଣ ରୁଗ୍‍ଣ ଓ ପଶ୍ଚାତମୁଖୀ ହୋଇ ନ ଥାଏ । ସମସ୍ତଙ୍କର ଉଦାର ଆନ୍ତର୍ଜାତିକ ପ୍ରବୃତ୍ତି ନ ଥିଲେ ସୁଦ୍ଧା ଅନ୍ତତଃ ଜାତୀୟ ତଥା ବ୍ୟକ୍ତିଗତ ମଙ୍ଗଳ କାମନାରେ ଅନୁପ୍ରାଣିତ । ଏପ୍ରକାର ମନୋଭାବ ଶିକ୍ଷା, ଶାସନ ପ୍ରଭୃତି ସାମାଜିକ ଅନୁଷ୍ଠାନ ଭିତର ଦେଇ ବାଲ୍ୟାବସ୍ଥାରୁ ସେମାନଙ୍କ ମନରେ ଅନ୍ତର୍ନିହିତ କରା ହୋଇଥାଏ । ତେଣୁ କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ କେତେ ଜଣ ରୁଗ୍‍ଣ ଭାବାପନ୍ନ ଯୁବକଙ୍କୁ ଛାଡ଼ିଦେଲେ ଅଧିକାଂଶ ଯୁବକ ଅଯଥା ଶକ୍ତିବିନଷ୍ଟକାରୀ ଓ ଉଦ୍ଦେଶ୍ୟହୀନ ବାକବିତଣ୍ଡାରେ ସମୟ ବ୍ୟୟ ନ କରି ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ଓ ଫଳବତୀ ଗବେଷଣାରେ ସମୟ ବ୍ୟୟ କରିଥାଆନ୍ତି ।

 

ସେମାନଙ୍କର ସବୁଦିଗରେ ଜାଣିବାର ଇଚ୍ଛା ଓ ଉତ୍ସାହ ଖୁବ୍‌ ବେଶି । ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କ ସଙ୍ଗେ କଥାବାର୍ତ୍ତା କଲେ ଜଣାଯାଏ ସେମାନେ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ଗବେଷଣା କରୁଥିଲେ ସୁଦ୍ଧା ଅନ୍ୟାନ୍ୟ ବିଷୟରେ ବହୁତ କିଛି ଜାଣିଥାଆନ୍ତି । ଦୈନନ୍ଦିନ ଅର୍ଥନୈତିକ ଓ ରାଜନୈତିକ ଘଟଣାଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ବୈଜ୍ଞାନିକ ମତାମତର ଗୋଟାଏ ମୋଟାମୋଟି ଧାରଣା ଅଧିକାଂଶ ଛାତ୍ରମାନଙ୍କର ଥାଏ । ଅବଶ୍ୟ ଶିକ୍ଷାପ୍ରଣାଳୀ ଓ ପୁସ୍ତକାଳୟର ବହୁଳ ପ୍ରଚାର ଏଥିରେ ଅନେକ ସାହାଯ୍ୟ କରିଥାଏ । କଲେଜର ଯେ କୌଣସି ଶାଖାର ଆଲୋଚନା ସଭା ହେଲେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ଯୋଗ ଦେଇଥାଆନ୍ତି । ବହି କିଣିବା ଇଚ୍ଛା ଏମାନଙ୍କର ଖୁବ ପ୍ରବଳ । ପ୍ରତ୍ୟେକ ଛାତ୍ରର ଗୋଟିଏ ଛୋଟ ଛୋଟ ଘରୋଇ ଲାଇବ୍ରେରୀ ଥାଏ ।

 

ଏଠାକାର ଛାତ୍ରମାନେ ଯେ ଖାଲି ପଢ଼ୁଥାଆନ୍ତି ତା ନୁହେଁ । ଅଧିକାଂଶ ଛାତ୍ର ନିୟମିତରୂପେ ପ୍ରାୟ ସାଢ଼େ ନଟା ଦଶଟାଠାରୁ ପାଞ୍ଚଟାଛଅଟା ପର୍ଯ୍ୟନ୍ତ କଲେଜକୁ ଆସି କ୍ଳାସ କରନ୍ତି ଏବଂ କ୍ଳାସ ନ ଥିବା ସମୟରେ ଲାଇବ୍ରେରୀରେ ବସି ପଢ଼ନ୍ତି । ତା ପରେ ସନ୍ଧ୍ୟାରେ କ୍ଳବ, ସିନେମା ପ୍ରଭୃତି ଆମୋଦକର ବିଷୟରେ ସମୟ କଟାନ୍ତି । ହପ୍ତା ଶେଷ ଶନିବାର ସନ୍ଧ୍ୟା ଓ ରବିବାର ଦିନ ଖୁବ କମ୍ ଛାତ୍ର ପଢ଼ନ୍ତି । ସାରା ହପ୍ତା ଏପରି ନିୟମିତ ଭାବେ କାମ କରନ୍ତି ଯେ ଶନିବାର ରବିବାର ଦିନ ପଢ଼ିବା ଦରକାର ହୁଏ ନାହିଁ । ଏମାନେହିଁ ବିଶ୍ରାମର ମଜା ବୁଝନ୍ତି । ଛାତ୍ରମାନଙ୍କର ବଣଭୋଜି ଓ ପଦଭ୍ରମଣ (Rambling) ଅତି ପ୍ରିୟ । ଖରା ଦିନେ ଏହାର ପ୍ରଚଳନ ଖୁବ୍‌ ବେଶୀ । ନିୟମିତ ଭାବେ ପଢ଼ିବା ଓ ଆମୋଦ ପ୍ରମୋଦ କରିବା ଛଡ଼ା ଏମାନେ ଅନ୍ୟାନ୍ୟ ସାମାଜିକ ଓ ରାଜନୈତିକ କାର୍ଯ୍ୟକଳାପରେ ମଧ୍ୟ ଭାଗ ନେଇ ଥାଆନ୍ତି । ଆମ ଦେଶରେ ଆଜିକାଲି ଏ ବିଷୟରେ ଖୁବ୍‌ ବାଦାନୁବାଦ ଲାଗିଛି । କେତେକ କହନ୍ତି ଯେ ଛାତ୍ରମାନଙ୍କର ପଢ଼ିବା ଛଡ଼ା ଆଉ କୌଣସି ସକ୍ରିୟ ରାଜନୈତିକ ଓ ସାମାଜିକ କାମରେ ଯୋଗ ଦେବା ଉଚିତ ନୁହେ-ଆଉ ଅନେକେ ଛାତ୍ରମାନଙ୍କୁ ଏ ବିଷୟରେ ଅନୁପ୍ରାଣିତ କରୁଛନ୍ତି । ଏହା ସେ ଗୋଟିଏ ଜଟିଳ ସମସ୍ୟା ଏଥିରେ ସନ୍ଦେହ ନାହିଁ ; କିନ୍ତୁ ଆମ୍ଭେମାନେ ଏ ବିଷୟରେ କୌଣସି ମାତ୍ରା ଅମାତ୍ରାର ବିଚାର ନ କରି ସିଧା ସଳଖ ହଁ ନାହିଁ କରିବା ଭୁଲ । ଛାତ୍ରମାନେ କେତେକ ପରିମାଣରେ ଏସବୁ ଜଟିଳ ସମସ୍ୟାରେ ଛାତ୍ରାବସ୍ଥାରୁ ଯୋଗ ନ ଦେଲେ ଭବିଷ୍ୟତ କାର୍ଯ୍ୟକ୍ଷେତ୍ରରେ ସେମାନେ ଉତ୍ସାହ ଓ ଅଭିଜ୍ଞତାର ସହ କାମ ତୁଲାଇ ପାରିବେ ନାହିଁ । ଛୋଟ ଛୋଟ ପିଲାମାନଙ୍କର ଖେଳ ଯେପରି ପର ଜୀବନର ପୂର୍ବାଭିନୟ, ଛାତ୍ରମାନଙ୍କର ନାଗରିକ ଦାୟିତ୍ୱର ଏହା ଉତ୍କୃଷ୍ଟ ଶିକ୍ଷାକ୍ଷେତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ । ଲଣ୍ଡନ ବିଶ୍ୱବିଦ୍ୟାଳୟ ପ୍ରଭୃତି ଶିକ୍ଷାକେନ୍ଦ୍ରମାନ ବଡ଼ ବଡ଼ ସଦର ଭିତରେ ରଖିବା ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କୁ ସମାଜର ସମସ୍ତ ପରିବର୍ତ୍ତନର ସ୍ପର୍ଶରେ ଆଣିବା । ପୂର୍ବକାଳରେ ଯେତେବେଳେ ସମାଜ ସରଳର ଓ ଲୋକମାନେ ରକ୍ଷଣଶୀଳ ଥିଲେ, ସେତେବେଳେ କେମ୍ୱ୍ରିଜ ଅକ୍‍ସଫୋର୍ଡ ପ୍ରଭୃତି ଅନୁଷ୍ଠାନ ଭିତରେ ଛାତ୍ରମାନଙ୍କୁ ସାଧାରଣ ସମାଜଠାରୁ ବିଚ୍ଛିନ୍ନ କରି ଅଲଗା ଭାବରେ ରଖାଯିବାର ବ୍ୟବସ୍ଥା କରା ହୋଇଥିଲା । କିନ୍ତୁ ଏ ପ୍ରକାର ବିଚ୍ଛେଦ ଯେ ଯୁଗୋପଯୋଗୀ ନାଗରିକ ଜ୍ଞାନ ବିତରଣର ଅନୁପଯୁକ୍ତ ଏଥିରେ ସନ୍ଦେହ ନାହିଁ ।

 

ତେବେ ଆମ ଦେଶରେ ଏ ପ୍ରକାର ସହଯୋଗ ସମୟେ ସମୟେ ଖୁବ୍‌ ବିଷମୟ ଓ ଶିକ୍ଷାଦିଗରୁ ଖୁବ୍‌ କ୍ଷତିକାରକ ହୋଇ ପଡ଼ୁଥିବାର ଅନେକ ଅପସନ୍ଦ କରିଥାଆନ୍ତି । ଆମଦେଶରେ ଶାସକ ଓ ଶାସିତ ଭିତରେ ତାରତମ୍ୟ ବେଶୀ ଥିବାରୁ ସବୁ ପ୍ରକାର ସାମାଜିକ ଓ ରାଜନୈତିକ କାର୍ଯ୍ୟକଳାପ ଭିତରେ ଶତ୍ରୁତା ବେଶୀ ଦେଖା ଦେଇଥାଏ । ସାମାନ୍ୟ ସାମାନ୍ୟ କଥାରେ ଅତ୍ୟାଚାର ଓ ନିଷ୍ପେଷଣ ହୁଏ; ତେଣୁ ଛାତ୍ରମାନେ ଏ ପ୍ରକାର ରକ୍ତାକ୍ତ ବାତ୍ୟାବର୍ତ୍ତ ଭିତରକୁ ଆସି ବହୁତ କ୍ଷତି ଗ୍ରସ୍ତ ହୋଇ ପଡ଼ନ୍ତି । କିନ୍ତୁ ସେମାନଙ୍କ ଦେଶରେ ଏ ପ୍ରକାର ତିକ୍ତ ସମ୍ପର୍କ ନ ଥିବା ରୁ ଏବଂ ରାଜନୈତିକ ଓ ସାମାଜିକ ଆନ୍ଦୋଳନରେ ଏପ୍ରକାର ଦ୍ୱନ୍ଦ୍ଵ ଓ ତୀବ୍ର ଅସହିଷ୍ଣୁତା ଏତେ ବେଶୀ ନ ଥିବାରୁ ଛାତ୍ରମାନେ ନିଜ ଇଚ୍ଛାନୁସାରେ ସେମାନଙ୍କ ଅବସର ସମୟରେ ଆନନ୍ଦର ସହ ଏ ସବୁ ପରୀକ୍ଷା କରି ଦେଖିଥାଆନ୍ତି (They try it as a hobby) ଏବଂ ଏହା ସେମାନଙ୍କର ଅସଲ ଶିକ୍ଷା ଦିଗରେ ଯେପରି ସାହାଯ୍ୟ କରେ, ସମାଜକୁ ମଧ୍ୟ ସେପରି ସାହାଯ୍ୟ କରିଥାଏ । ଗ୍ରହଣେଚ୍ଛୁ ଯୁବକର ଉତ୍ସୁକ ମନକୁ ସକ୍ରିୟ ସାମାଜିକ କାର୍ଯ୍ୟାବଳୀ ଅନୁପ୍ରାଣିତ କରେ ଓ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ିବା ସଙ୍ଗେ ସଙ୍ଗେ ଭବିଷ୍ୟତ କର୍ମପନ୍ଥାରେ ଉତ୍ସାହ ଆସେ । ସେମାନେ ଶିକ୍ଷା ଶେଷ ହେବା ପରେ ଅନଭିଜ୍ଞ ଆଗନ୍ତୁକ ହିସାବରେ ନିଜ ଦେଶ ଲୋକଙ୍କ ଆଗରେ ଆସି ଠିଆ ହୁଅନ୍ତି ନାହିଁ ।

 

ଛାତ୍ରମାନଙ୍କର ଏ ପ୍ରକାର ସୁସ୍ଥ ଓ ସତେଜ ମନୋଭାବର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳେ । ଇଂଲଣ୍ଡରେ ୧୯୪୭ର ପ୍ରଚୁର ବରଫ ବୃଷ୍ଟିଯୋଗୁଁ କୋଇଲାର ଖୁବ୍‌ ଅଭାବ ପଡ଼ିଲା; ସହସ୍ରାଧିକ ଛାତ୍ର ଖରାଛୁଟିରେ କୋଇଲାଖଣିରେ ଯାଇ କାମ କରିବା ପାଇଁ ସ୍ୱେଚ୍ଛାରେ ବାହାରି ପଡ଼ିଲେ । ଛୁଟିରେ ଅଂସଖ୍ୟ ଛାତ୍ର ଗାଁଗହଳକୁ ଯାଇ କୃଷକମାନଙ୍କୁ ସାହାଯ୍ୟ କରିଥାନ୍ତି । ଦିନଯାକ ସେମାନଙ୍କ ସାଙ୍ଗରେ କାମ କରି ସନ୍ଧ୍ୟାରେ ଗୀତନୃତ୍ୟ ପ୍ରଭୃତି ନାନାପ୍ରକାର ଆମୋଦପ୍ରମୋଦରେ ଗାଁଲୋକମାନଙ୍କୁ ଖୁସି କରାଇଥାଆନ୍ତି । ଖାଲି ଇଂଲଣ୍ଡରେ ନୁହେ, ୟୁରୋପର ଅନ୍ୟାନ୍ୟ ଦେଶରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କର ଏ ପ୍ରକାର ସ୍ୱେଚ୍ଛା ସହଯୋଗ ଦେଖାଯାଏ, ପୂର୍ବ-ୟୁରୋପର ସାମ୍ୟବାଦୀ ଦେଶ ମାନଙ୍କରେ ଛାତ୍ର ଓ ଯୁବକମାନଙ୍କର ସାମାଜିକ କାର୍ଯ୍ୟରେ ଉତ୍ସାହ କଳ୍ପନାତୀତ । ଯୁଗୋସ୍ଳୋଭିଆ, ବୁଲଗେରିଆ ପ୍ରଭୃତି ଦେଶରେ ଲମ୍ବାଲମ୍ବା ରେଳରାସ୍ତା ଓ ସଡ଼କସବୁ ଗ୍ରୀଷ୍ମଛୁଟି ମଧ୍ୟରେ ଯୁବକମାନଙ୍କ ଦ୍ୱାରା ତିଆରି ହୋଇଛି । ଏଥିଲାଗି ବିଭିନ୍ନ ଦେଶର ଯୁବକମାନେ ଯୋଗ ଦେଇଥାଆନ୍ତି । ଏତେ ବେଶୀ ଦରଖାସ୍ତ ପଡ଼େ ଯେ ସେଥିଲାଗି କେତେକଙ୍କୁ ବାଛିବା ଦରକାର ପଡ଼େ । ବିଭିନ୍ନ ଦେଶର ହଜାର ହଜାର ଯୁବକ-ଯୁବତୀ ଏକାଠି ହସିଖେଳି ଗୀତ ଗାଇ କାୟିକ ପରିଶ୍ରମ କରି ରାସ୍ତା ତିଆରି କରିବାରେ ଲାଗିଥାଆନ୍ତି । ଦୁଇ ତିନି ମାସରେ ଚମତ୍କାର ରାସ୍ତା, ରେଳ ଲାଇନ, ସ୍କୁଲ ଓ କ୍ଳବ ଘର ପ୍ରଭୃତି ଖୁବ୍‌ କମ ଖର୍ଚ୍ଚରେ ତିଆରି ହୋଇଯାଏ । ବିଭିନ୍ନ ଦେଶର ଯୁବକମାନେ ପରସ୍ପରକୁ ଜାଣିବାର ସୁବିଧା ପାଆନ୍ତି । କାମ ହେଉଥିବା ଦେଶରେ ଐତିହାସିକ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି । ସେମାନଙ୍କର ଅର୍ଥନୈତିକ ଓ ସାମାଜିକ ସମ୍ପର୍କ ବିଷୟରେ ପ୍ରକୃତ ଶିକ୍ଷା ଲାଭ କରନ୍ତି । ଅଥଚ ନିଜକୁ ବେଶୀ କିଛି ପଇସା ଖର୍ଚ୍ଚ କରିବାକୁ ପଡ଼େ ନାହିଁ । ବାସ୍ତବିକ ଛୁଟି କଟାଇବାର କି ଚମତ୍କାର ପ୍ରଣାଳୀ । ଏଥି ସଙ୍ଗେ ସଙ୍ଗେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବଡ଼ ବଡ଼ ପଣ୍ଡିତମାନେ ଆସି ବକ୍ତୃତା ଦେଇ ଯାଆନ୍ତି-

 

ଅବଶ୍ୟ ଛାତ୍ର ତଥା ଜନସାଧାରଣଙ୍କର କାୟିକ ପରିଶ୍ରମରେ ଲଜ୍ଜା ନ ଥିବାରୁ ଓ ଏହାର ଉପଯୁକ୍ତ ମର୍ଯ୍ୟାଦା ଏମାନେ ସ୍ୱୀକାର କରୁଥିବାରୁ ଏପ୍ରକାର ସହଯୋଗ ସମ୍ଭବ ହୋଇପାରେ । ଆମ ଦେଶର ବିଭିନ୍ନ ପ୍ରକାର ସାମାଜିକ ଶ୍ରେଣୀବିଭାଗ ଯୋଗୁଁ ଦଳେ କାୟିକ ପରିଶ୍ରମ କରିବା ପାଇଁ ଜନ୍ମ ହୋଇ ଥାଆନ୍ତି ଓ ଆଉ ଦଳେ ବସି ସେମାନଙ୍କର ସ୍ୱେଦୋପାର୍ଜିତ ଫଳ ଭୋଗ କରନ୍ତି ଓ ଯେଉଁମାନଙ୍କ ପରିଶ୍ରମର ରକ୍ତରେ ଟିଙ୍କ ପରି ଫୁଲି ରହିଥାଆନ୍ତି, ସେହିମାନଙ୍କ ଘୃଣା ଓ ସେମାନଙ୍କର ପରିଶ୍ରମକୁ ହେୟ ମନେ କରନ୍ତି । ତେଣୁ ଏ ପ୍ରକାର ସହଯୋଗ ଆମ୍ଭମାନଙ୍କର କଳ୍ପନା ତୀତ ସ୍ନିଗ୍‌ଧ ଓ ଶାନ୍ତିଦାୟକ କାୟିକ ପରିଶ୍ରମର କୋମଳତା ଓ ବାହାର ଜଗତର ସଂସ୍ପର୍ଶ ଅଭାବରୁ ଆମମାନଙ୍କର ଯୁବକମାନେ ବିଶ୍ୱନିନ୍ଦୁକ ଓ ଶୂନ୍ୟବାଦୀ ହୋଇ ପଡ଼ିଛନ୍ତି । ମନୁଷ୍ୟର ଉନ୍ନତି-ଆନ୍ତର୍ଜାତିକ ଶାନ୍ତି ଓ ସହଯୋଗରେ ସେମାନଙ୍କର କୌଣସି ବିଶ୍ୱାସ କିଂବା ଉତ୍ସାହ ଥିଲାପରି ମନେ ହୁଏ ନାହିଁ । ମନର ଅବସାଦ ଘୁଞ୍ଚାଇବା ଛୁଟିର ଉଦ୍ଦେଶ୍ୟ ହେଲେହେଁ ଛାତ୍ରମାନେ ଆଳସ୍ୟର ଜଡ଼ତାରେ ବରଂ ଆହୁରି ବେଶି କ୍ଳାନ୍ତ ହୋଇ ଶିକ୍ଷାକ୍ଷେତ୍ରକୁ ଫେରି ଆସନ୍ତି । କିନ୍ତୁ ସେ ଦେଶର ଛାତ୍ରମାନେ ଛୁଟି ପରେ କଲେଜକୁ ଫେରି ସେମାନଙ୍କର ଅଭିଜ୍ଞତା ସବୁ ବିଶଦ ଭାବରେ ବର୍ଣ୍ଣନା କରି କି ଆନନ୍ଦ ପାଇ ନ ଥାନ୍ତି । ନବ ଉତ୍ସାହ ଓ ନବ ପ୍ରେରଣାରେ ସେମାନେ ଆହୁରି ଅନୁପ୍ରାଣିତ ହୋଇ ଫେରି ଆସନ୍ତି । କାରଣ ମନୁଷ୍ୟର ସର୍ବପ୍ରକାର ସନ୍ତୋଷ ଓ ସର୍ବବିଧ ବିକାଶ ଲାଗି ମାନସିକ ପରିଶ୍ରମ ଯଥେଷ୍ଟ ନୁହେ । ଶାରୀରିକ ଶ୍ରମ ମାନସିକ ପରିଶ୍ରମର ଅନୁପୂରକ ।

 

ଏମାନଙ୍କର ଏ ପ୍ରକାର ସାମାଜିକ କାର୍ଯ୍ୟପନ୍ଥା ଛାଡ଼ି କଲେଜ ଭିତରେ ମଧ୍ୟ ନାନା ପ୍ରକାର କାର୍ଯ୍ୟକଳାପ ଦେଖାଯାଏ । ବିଭିନ୍ନ ପ୍ରକାର ସମିତିର କାର୍ଯ୍ୟନିର୍ଘଣ୍ଟ ସଙ୍ଗେ ସଙ୍ଗେ ଥିଏଟର, ନାଚ, ଗୀତ, ଚାଭୋଜି ପ୍ରଭୃତି ଅନେକ ରକମର ଆମୋଦକର ଉଦ୍ୟୋଗରେ ଏମାନେ ଖୁବ ଉତ୍ସାହର ସହିତ ଯୋଗ ଦେଇଥାନ୍ତି । ଛାତ୍ରମାନେ ସବୁ ନିଜେ ନିଜେ କରନ୍ତି । ଆମ କଲେଜର ପ୍ରତ୍ୟେକ କଥାରେ ପ୍ରଫେସରମାନଙ୍କୁ ନିଯୁକ୍ତ କଲା ପରି ଏ ଦେଶର ପ୍ରଫେସରମାନେ ଏସବୁ କାର୍ଯ୍ୟରେ ନିଯକ୍ତି ହୁଅନ୍ତି ନାହିଁ । ବର୍ଷସାରା କିଛି କିଛି ଲାଗି ରହିଥାଏ । ଅଥଚ ପଢ଼ାପଢ଼ି ଠିକ୍‌ ନିୟମିତଭାବରେ ହେଉଥାଏ । ମୁଁ ଅନେକ ଛାତ୍ର ଦେଖିଛି, ଯେଉଁମାନେ ପଢ଼ାପଢ଼ିରେ ଯେପରି ଭଲ ଏସବୁ କାର୍ଯ୍ୟରେ ମଧ୍ୟ ସେପରି ନିପୁଣ । ଆମ ଦେଶ ଛାତ୍ରମାନଙ୍କ ମଧ୍ୟରେ ଯେପରି ମସ୍ତବଡ଼ ଗୋଟାଏ ବ୍ୟବଧାନ ରହିଯାଇଛି ଏ ଦୁଇ କ୍ଷେତ୍ରରେ । ଯେ ଭଲ ପଢ଼େ ସେ ରୁଗ୍‌ଣ, କୁଜା, ଓ ଅଧାଅଧି ଅନ୍ଧ-କହିପାରେ ନାହିଁ ଗତ ପୃଥିବୀଯୁଦ୍ଧ କାହା କାହା ଭିତରେ ହୋଇଥିଲା । କିନ୍ତୁ ଯେ ଖେଳାଳୀ କିମ୍ବା ଦୁଇଚାରିଟା ସମିତିର ସମ୍ପାଦକ ସେ ବହି ବିଷୟରେ ଧାର ଧାରେ ନାହିଁ-

 

ଛାତ୍ରମାନଙ୍କ ବିଷୟରେ କହିବାକୁ ଯାଇ ଛାତ୍ର ଓ ଶିକ୍ଷକ ସମ୍ପର୍କ ବିଷୟରେ ପାଦେ ନ କହିଲେ ଅପୂର୍ଣ୍ଣ ରହିଯିବ । ଏହା ଆମ ଦେଶରେ ଗୋଟିଏ ପ୍ରଧାନ ଜଟିଳ ସମସ୍ୟା । ସେଠାରେ ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ଖୁବ୍‌ ମଧୁର ସମ୍ପର୍କ ଦେଖାଯାଏ । ସେମାନେ ପରସ୍ପରକୁ ବନ୍ଧୁ ପରି ଦେଖିଥାଆନ୍ତି । କୌଣସି ପ୍ରକାର କୃତ୍ରିମ ବ୍ୟବଧାନ ନ ଥାଏ । ଆମ ଦେଶରେ ଯେପରି ଗୋଟାଏ ତିକ୍ତ ଶାସକଶାସିତ ଭାବ ରହିଛି, ସେ ଦେଶରେ ଏହା ସମ୍ପୂର୍ଣ୍ଣ ଅସମ୍ଭବ । ତାର କାରଣ ହେଉଛି, ଛାତ୍ରମାନଙ୍କୁ ପ୍ରଫେସରମାନେ ପୂରାପୂରି ସ୍ୱାଧୀନତା ଦେଇଥାଆନ୍ତି । ସେମାନେ ନିଜ ନିଜ କାମ ନିଜେ ଚଳାନ୍ତି । ତା ଛଡ଼ା ସାମାଜିକ ଜୀବନରେ, ଶାସକ ଶାସିତ ଶ୍ରେଣୀ ବିଭାଗରେ ତିକ୍ତତା ନ ଥିବାରୁ, ଶିକ୍ଷକମାନେ ଶାସିତ ଦଳଭୁକ୍ତ ହୋଇ ଛାତ୍ରମାନଙ୍କୁ ଶାସନ କରିବାକୁ ଚେଷ୍ଟା କରନ୍ତି ନାହିଁ-। ରାଜନୈତିକ ପ୍ରତିଦ୍ୱନ୍ଦିତା ଏତେ ବେଶୀ ତୀବ୍ର ଭାବରେ ନ ଥିବାରୁ ଛାତ୍ରମାନେ କେଭେଁ ଧର୍ମଘଟର ଆଶ୍ରୟ ନିଅନ୍ତି ନାହିଁ; ତେଣୁ ଶିକ୍ଷାକ୍ଷେତ୍ରରେ ପରସ୍ପର ଭିତରେ ସହଯୋଗ ଓ ସାଧାରଣ କ୍ଷେତ୍ରରେ ସୌହାର୍ଦ୍ୟ ଥାଏ । ଆମ ଦେଶରେ କଲେଜ ଶିକ୍ଷକମାନଙ୍କୁ ଗୋଇନ୍ଦା ଓ ପୋଲିସ ପରି ଛାତ୍ରମାନଙ୍କ ଉପରେ ଆଖି ରଖି ସରକାରଙ୍କୁ ଜଣାଇବା ପାଇଁ କୁହାଯାଏ ଓ ଶିକ୍ଷକମାନେ କଚେରୀରେ ଛାତ୍ରମାନଙ୍କ ବିରୁଦ୍ଧରେ ସାକ୍ଷୀ ରୂପେ ଠିଆ ହୁଅନ୍ତି । ସରକାରଙ୍କ ବିଶେଷ ପ୍ରିୟପାତ୍ର ହେବାହିଁ ଜୀବନର ମୁଖ୍ୟ କାମ୍ୟ ବୋଲି ମନେ କରନ୍ତି । ତେବେ ଛାତ୍ରମାନେ କିପରି ଶିକ୍ଷକମାନଙ୍କୁ ବନ୍ଧୁଭାବରେ ଦେଖିପାରିବେ ଓ ଶିକ୍ଷକମାନେ ବା କିପରି ଉଭୟ କାର୍ଯ୍ୟ ତୁଲାଇ ପାରିବେ । ଯେଉଁ ଶିକ୍ଷକମାନେ ଉପରିସ୍ଥ ହାକିମମାନଙ୍କୁ ତୋଷାମଦ କରି ରଖି ପାରନ୍ତି, ସେମାନଙ୍କର ଉତ୍ତରୋତ୍ତର ଉନ୍ନତି ହୁଏ । ବରଂ ଯେଉଁମାନେ ଛାତ୍ରମାନଙ୍କର ପ୍ରିୟ, ସେହିମାନଙ୍କ ଉପରେ ସରକାରଙ୍କ କୋପଦୃଷ୍ଟି ପଡ଼ିବାର ସମ୍ଭାବନା ଥାଏ; ଏ ଦୁଇ ଦଳର ସ୍ୱାର୍ଥ ଯେପରି ପରସ୍ପର ବିରୋଧୀ । ତେଣୁ ଅନେକ ପଢ଼ାପଢ଼ି ବି ଗବେଷଣାରେ ମନ ନ ଦେଇ ଚାକିରୀ ଦିଗରେ ଉନ୍ନତି କରିବାର ସହଜସାଧ୍ୟ ପନ୍ଥା ଅବଲମ୍ବନ କରିଥାଆନ୍ତି । ଇଂଲଣ୍ଡରେ ପ୍ରଫେସର ଚାକିରୀ ଅନ୍ୟସବୁ ଚାକିରୀଠାରୁ ବେଶୀ ସମ୍ମାନାସ୍ପଦ; କିନ୍ତୁ ଆମ ଦେଶରେ ପୋଲିସ ଓ ମାଜିଷ୍ଟ୍ରେଟ ଅନ୍ୟ ସମସ୍ତଙ୍କଠାରୁ ଶକ୍ତିଶାଳୀ ଓ ସରକାରଙ୍କ ଦ୍ୱାରା ଆଦୃତ ହୋଇଥିବାରୁ ଅଧିକାଂଶ ଶିକ୍ଷକ ସେମାନଙ୍କୁ ଈର୍ଷା କରିଥାନ୍ତି ଏବଂ ଅଜ୍ଞାତସାରରେ ଅନୁକରଣ ମଧ୍ୟ କରନ୍ତି । ଆମ ଦେଶରେ ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ଦେଶର ଶିକ୍ଷକ ଓ ଛାତ୍ରମାନଙ୍କର ମୌଳିକ ଗବେଷଣା ଓ ଜ୍ଞାନଚର୍ଚ୍ଚାରେ ଜୀବନ ଯାପନ ନିଷ୍ଠା ସମ୍ଭବ ନୁହେ । ତାହାର କାରଣ ପ୍ରତ୍ୟେକ ଶିକ୍ଷାବିତ୍‌ ଜାଣନ୍ତି । ଯେତେ ଦିନ ପର୍ଯ୍ୟନ୍ତ ଏ ପ୍ରକାର ଅବସ୍ଥା ନ ବଦଳିଛି, ଛାତ୍ର-ଶିକ୍ଷକ ସମ୍ପର୍କ ତଥା ଜାତିର ବହୁମୂଲ୍ୟ ଶିକ୍ଷାର ଉନ୍ନତି ଅସମ୍ଭବ ।

•••

 

–ଏଗାର–

ବିଲାତ ନାରୀ-ଶିକ୍ଷା ସ୍ୱାଧୀନତା–କର୍ମକୁଶଳତା

 

ମାନବସମାଜରେ ଯଦି ଅର୍ଦ୍ଧେକ ନାରୀ ଓ ଅର୍ଦ୍ଧେକ ପୁରୁଷ ତାହେଲେ ସମାଜରେ ସର୍ବାଙ୍ଗୀନ ଉନ୍ନତି ଉଭୟଙ୍କର ଶିକ୍ଷା, ସ୍ୱାଧୀନତା ଉପରେ ନିର୍ଭର କରେ । ଯେ ସଭ୍ୟତାରେ ମାତୃଜାତିର ସ୍ଵାଧୀନତା ଓ ଦାନ ନାହିଁ, ସେ ସଭ୍ୟତାର ମୂଲ୍ୟ ବଡ଼ କମ୍‌ ଏବଂ ତାହା ଖୁବ୍‌ କ୍ଷଣସ୍ଥାୟୀ-। ତେଣୁ ଅତି ପୁରାତନ କାଳରୁ ସ୍ୱାଧୀନଚେତା ମନୀଷୀମାନେ ନାରୀସ୍ୱାଧୀନତା ଓ ନାରୀଶିକ୍ଷା ଉପରେ ବହୁତ ଗୁରୁତ୍ୱ ଦେଇ ଆସିଛନ୍ତି ଏବଂ ବର୍ତ୍ତମାନ ଯୁଗର ପ୍ରଗତିଶୀଳ ରାଜନୀତିକ ଦଳ ସବୁ ବିନା ସର୍ତ୍ତରେ ତାହା ଗ୍ରହଣ କରୁଅଛନ୍ତି । ଦେଶର ଅର୍ଦ୍ଧାଂଶ ନାରୀ ଓ ଅନ୍ୟ ଏକଚତୁର୍ଥାଂଶ ବାଳକ ଓ ବୃଦ୍ଧ ଯଦି ଅକର୍ମଣ୍ୟ ଓ ପରନିର୍ଭରଶୀଳ ହୁଅନ୍ତି, ତା ହେଲେ ପ୍ରତ୍ୟେକ କାର୍ଯ୍ୟକ୍ଷମ ପୁରୁଷକୁ ନିଜ ଛଡ଼ା ଆଉ ତିନିଜଣଙ୍କର ସମସ୍ତ ଭାର ନେବାକୁ ହେବ । ଆମ ଦେଶର ଅବସ୍ଥା ଯାହା, ସେଥିରେ ଏହା ବୁଝିବାକୁ କଷ୍ଟ ହେବ ନାହିଁ । ଜଣେ ଲୋକ ଯେ ଖାଲି ଉର୍ପାଜନ କରେ ତାହା ନୁହେ; ଘରର ଅନ୍ୟାନ୍ୟ ସବୁ ଖବର ମଧ୍ୟ ତାକୁ ବୁଝିବାକୁ ପଡ଼େ । ସାରାଦିନର ଅକ୍ଳାନ୍ତ ପରିଶ୍ରମ ପରେ ଘରକୁ ସନ୍ଧ୍ୟାବେଳେ ଫେରି ଆସିଲା ପରେ ମଧ୍ୟ ଶାନ୍ତି ନ ଥାଏ । ଘରେ କାହାର ଦେହ ଖରାପ ହୋଇଛି ତ ଡାକ୍ତର ଡାକିବାକୁ ହେବ-ଔଷଧ ଆଣିବାକୁ ହେବ-ବଜାରକୁ ଯାଇ ପରିବା କିଣିବା ଦରକାର, ତା ଛଡ଼ା ନିଜ ଛୁଆପିଲାଙ୍କର ଶିକ୍ଷା ବିଷୟରେ ମଧ୍ୟ ଦୃଷ୍ଟି ଦେବାକୁ ହେବ । ପର୍ଦ୍ଦା ଯୋଗୁଁ ସ୍ତ୍ରୀର ବାହାରକୁ ଯିବାର ଉପାୟ ନାହିଁ, ଶିକ୍ଷା ଅଭାବରୁ ପିଲାମାନଙ୍କର ସମସ୍ତ ଭାର ନେବାର କ୍ଷମତା ନାହିଁ । ତେଣୁ ବିଚରା ଗୃହକର୍ତ୍ତାକୁ ସବୁ କରିବାକୁ ହୁଏ ଓ ଏଥିଲାଗି ଅଧିକାଂଶ ସମୟରେ ପରସ୍ପର ଭିତରେ ସଂଘର୍ଷ ଦେଖା ଦେଇଥାଏ-ପିଲାମାନଙ୍କର କୋମଳ ପ୍ରାଣରେ ଏ ପ୍ରକାର ଦ୍ୱନ୍ଦ୍ଵ ଖୁବ୍‌ ଖରାପ ପ୍ରଭାବ ପକାଇଥାଏ-ସେମାନେ ବଡ଼ ହେଲେ ଠିକ ସେପରି ବ୍ୟବହାର କରିଥାଆନ୍ତି ।

 

ନିମ୍ନଶ୍ରେଣୀର ସ୍ତ୍ରୀଲୋକମାନେ ବାହାରକୁ ଯାଇ କାମ କଲେ ସୁଦ୍ଧା ସେମାନଙ୍କର ନାଗରିକ ସ୍ୱାଧୀନତା ଖୁବ୍‌ କମ । ଖାଲି ସେତିକି ନୁହେ ଶିକ୍ଷା ଓ ସ୍ୱାଧୀନତା ଅଭାବରୁ ସ୍ତ୍ରୀଲୋକମାନଙ୍କର କୌଣସି ପ୍ରକାର ମାନସିକ ବିକାଶ କିମ୍ବା ଶାରୀରିକ ଉନ୍ନତି ହୁଏ ନାହିଁ । ମଣିଷ ମନ ଜାଗ୍ରତ ଅବସ୍ଥାରେ ସର୍ବଦା ସକ୍ରିୟ; ସବୁବେଳେ କିଛି ନା କିଛି ଗୋଟାଏ ବିଷୟ ନେଇ ମୁଣ୍ଡ ଘୂରାଇବାକୁ ହୁଏ । ବାହାର ଜଗତର ସମ୍ପର୍କ ଅଭାବରୁ ସେମାନଙ୍କ ଭାବନାର ପରିସର ଖୁବ୍‌ ସଂକୀର୍ଣ୍ଣ ହୋଇପଡ଼େ ଓ ସେହି କେତୋଟି ଘରୋଇ ଭାବନାର କ୍ଷୁଦ୍ର ବୃତ୍ତ ମଧ୍ୟରେ ମନ ଖାଲି ଘୂରି ବୁଲୁଥାଏ । ତଦ୍ଦ୍ୱାରା ସେମାନେ ସବୁବେଳେ ସେହି କଥା କହିଥାନ୍ତି ଓ କଳହପ୍ରିୟ ହୋଇପଡ଼ନ୍ତି । ତା ସଙ୍ଗେ ସଙ୍ଗେ ଶାରୀରିକ ଦୁର୍ବଳତା ମଧ୍ୟ ଦେଖା ଦେଇଥାଏ । ପୁଷ୍ଟିକାରକ ଖାଦ୍ୟ ତଥା ବାହାରର ମୁକ୍ତବାୟୁ ସେବନ ଅଭାବରୁ ସେମାନଙ୍କର ରୋଗ ପ୍ରତିରୋଧ କରିବାର ଶକ୍ତି କମିଯାଏ-। ତେଣୁ ଆମ ଦେଶରେ ଏତେ ବେଶୀ ସୂତିକା ମୃତ୍ୟୁ ଘଟିଥାଏ ଇଂଲଣ୍ଡରେ ନବପ୍ରସୂତ ଶିଶୁମୃତ୍ୟୁ ହଜାରରୁ ପଚାଶ ହେଲେ ଆମ ଦେଶରେ ୧୬୭ । କ୍ରମେ କ୍ରମେ ଏ ପ୍ରକାର ମୃତ୍ୟୁ ସେ ଦେଶରେ କମି ଆସୁଥିବା ସ୍ଥଳେ ଆମ ଦେଶରେ ବଢ଼ି ଚାଲିଛି । ଆର୍ଥିକ ଅନାଟନ ଏହାର ଗୋଟିଏ ପ୍ରଧାନ କାରଣ ହେଲେହେଁ ଶିକ୍ଷାଭାବ କମ ଦାୟୀ ନୁହେଁ । ଯେଉଁମାନେ ବଞ୍ଚନ୍ତି ସେମାନଙ୍କର ନାଗରିକ ଶିକ୍ଷା ଠିକ୍‌ ଭାବେ ହୋଇପାରେ ନାହିଁ । ମା ପିଲାକୁ ଯେପରି ଭାବରେ ଶିକ୍ଷା ଦେଇପାରିବ, ହଜାରେ ଘରୋଇ ଶିକ୍ଷକ ସେପରି ଶିକ୍ଷା ଦେଇପାରିବେ ନାହିଁ । ତେଣୁ ବର୍ତ୍ତମାନ ଯୁଗରେ କେତେ ଜଣ ରକ୍ଷଣଶୀଳ ଲୋକଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ଏ ବିଷୟରେ ତତ୍ପର ବୋଲି ମନେହୁଏ ।

 

ଇଂଲଣ୍ଡର ନାରୀମାନଙ୍କଠାରୁ ଅନେକ ଶିଖିବାର ଅଛି । ସେମାନେ ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ପୁରୁଷ ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ସମାନସ୍କନ୍ଧ ହୋଇପାରି ନ ଥିଲେ ସୁଦ୍ଧା ସାମାଜିକ କ୍ଷେତ୍ରରେ ଅନେକ ଆଗେଇ ପାରିଛନ୍ତି । ଇଂଲଣ୍ଡ ଶହ ଶହ ବର୍ଷ ଧରି ଗଣତାନ୍ତ୍ରିକ ଦେଶ ବୋଲି ଗର୍ବ କରୁଥିଲେ ସୁଦ୍ଧା ୧୯୨୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସ୍ତ୍ରୀମାନଙ୍କୁ ଭୋଟ କ୍ଷମତା ଦେଇ ନ ଥିଲା । ପ୍ରଥମ ମହାଯୁଦ୍ଧ ପୂର୍ବେ ଓ ପରେ ସେମାନେ ଏଥିଲାଗି ଯେତେବେଳେ ଖୁବ୍‌ ଆନ୍ଦୋଳନ କରିଥିଲେ, ସେତେବେଳକାର ସରକାର ବଳପ୍ରୟୋଗ ପୂର୍ବକ ତାହା ଦବାଇବାକୁ ଚେଷ୍ଟା କରିଥିଲେ । ଅନେକ ଥଟ୍ଟା କରି କହୁଥିଲେ ‘ଆଜି ସ୍ତ୍ରୀଲୋକମାନଙ୍କୁ ଭୋଟ କ୍ଷମତା ଦେଲେ କାଲି ବିରାଡ଼ି କୁକୁରମାନଙ୍କୁ ମଧ୍ୟ ଭୋଟ କ୍ଷମତା ଦେବାକୁ ପଡ଼ିବ ।’ ତଥାପି ଅକ୍ଳାନ୍ତ ପରିଶ୍ରମ ଓ ବିରାଟ ଆନ୍ଦୋଳନ ଫଳରେ ସେମାନେ କ୍ଷମତା ପାଇଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡରେ ସେମାନେ ଅନ୍ୟାନ୍ୟ ସାମ୍ୟବାଦୀ ଦେଶ ତୁଳନାରେ କମ କ୍ଷମତା ପାଇଛନ୍ତି । ବର୍ତ୍ତମାନର ମନ୍ତ୍ରୀମଣ୍ଡଳରେ କେହି ଜଣେ ହେଲେ ନାରୀମନ୍ତ୍ରୀ ନାହାନ୍ତି-କୌଣସି ଉଚ୍ଚପଦ ସରକାରୀ ଚାକିରୀରେ କିମ୍ବା ବାହାର ରାଜ୍ୟରେ ରାଜଦୂତ ରୂପେ କେହି ନାହାନ୍ତି । କଳ କାରଖାନାମାନଙ୍କରେ ଅନେକ ସ୍ତ୍ରୀଲୋକ କାମ କରୁଥିଲେ ସୁଦ୍ଧା ପୁରୁଷମାନଙ୍କଠାରୁ କମ ମଜୁରୀ ପାଆନ୍ତି । ମୁଁ କେତେକ କାରଖାନା ପରିଚାଳକଙ୍କୁ ପଚାରି ବୁଝିଛି ଯେ ସେମାନେ ଅନେକ ସମୟରେ ପୁରୁଷଙ୍କଠାରୁ ବେଶୀ କାମ କରିଥାଆନ୍ତି । କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପୁରୁଷମାନେ ସ୍ତ୍ରୀମାନଙ୍କ ପରି କାମ କରିପାରିବେ ନାହିଁ-ତଥାପି ସେମାନେ ପୁରୁଷଙ୍କ ଅନୁପାତରେ କମ ପାଇଥାଆନ୍ତି । ଅକ୍‌ସଫୋର୍ଡ଼ ଓ କେଂବ୍ରିଜରେ ସେମାନେ ପରୀକ୍ଷାରେ ପ୍ରଥମ ହେଲେ ମଧ୍ୟ ପୁରୁଷ ଛାତ୍ରମାନଙ୍କ ପରି ସମସ୍ତ ସୁବିଧା ପାଆନ୍ତି ନାହିଁ ।

 

ତେବେ ଏ ପ୍ରକାର ଅନେକ ଅସୁବିଧା ଭୋଗ କରୁଥିଲେ ସୁଦ୍ଧା ସାଧାରଣ ନାରୀମାନଙ୍କର ସାମାଜିକ ଓ ନାଗରିକ ଚରିତ୍ର ଗଠନରେ ପ୍ରଭୂତ ଦାନ ଅଛି । ଅତି ଉଚ୍ଚସ୍ତରର ରାଜନୈତିକ କ୍ଷେତ୍ର ଛାଡ଼ିଦେଲେ ଅନ୍ୟାନ୍ୟ ସମସ୍ତ ଦିଗରେ ସେମାନେ ପୁରୁଷମାନଙ୍କର ଯେ ସମାନସ୍କନ୍ଧ ଏଥିରେ ସନ୍ଦେହ ନାହିଁ । ସେମାନେ ପୁରୁଷମାନଙ୍କ ପରି ସବୁପ୍ରକାର କାମ କରି ନିଜ ଜୀବିକା ଉପାର୍ଜନ କରି ପାରନ୍ତି । ସେଥିଲାଗି ଅନେକ ଦିନ ପର୍ଯ୍ୟନ୍ତ ବିବାହ ନ କରି ମଧ୍ୟ ରହିପାରନ୍ତି । ସ୍କୁଲ କଲେଜରେ ସମାନ ଅଧିକାର ପାଇଥାଆନ୍ତି ଏବଂ ପୁଅମାନଙ୍କ ସହିତ ସ୍ୱାଧୀନଭାବରେ ମିଶି ପାରନ୍ତି । ଆମ ଦେଶରେ ଯେପରି ସ୍କୁଲକଲେଜମାନଙ୍କରେ ଅଲଗା ସ୍ଥାନରେ ଅସ୍ପୃଶ୍ୟା ହିସାବରେ ସେମାନେ ବସିଥାଆନ୍ତି ଓ ଟିକିଏ କଥାରେ ଅପମାନିତ ବୋଧ କରନ୍ତି ତାହା ଏଠାରେ ନାହିଁ । ପୁରୁଷ ସ୍ତ୍ରୀ ସମସ୍ତେ ଏକାଠି ବସନ୍ତି-ଏକାଠି ଖାଆନ୍ତି-ମୁକ୍ତଭାବରେ ସମସ୍ତ ପ୍ରକାର ଆଲୋଚନାରେ ଯୋଗ ଦିଅନ୍ତି । ସମାନ ସମ୍ପର୍କ ଯୋଗୁଁ ଅଯଥା ଆତ୍ମଶ୍ଳାଘାର ବଶବର୍ତ୍ତୀ ହୋଇ ସାମାନ୍ୟ-ସାମାନ୍ୟ କଥାରେ ଅପମାନିତ ବୋଧ କରନ୍ତି ନାହିଁ କି ପ୍ରିନିସ୍‌ପାଲ ଆଗରେ ବୃଥା ଆପତ୍ତି କରନ୍ତି ନାହିଁ । ପୁଅମାନେ ମଧ୍ୟ ଅଯଥା କୌତୂହଳର ବଶବର୍ତ୍ତୀ ହୋଇ ଟିକିଏ ଥଟ୍ଟା କରି ଦେବା ପାଇଁ ସୁଯୋଗ ଖୋଜି ବସନ୍ତି ନାହିଁ । ପରସ୍ପର ଭିତରେ ଚମତ୍କାର ସଦ୍‌ଭାବ ଦେଖାଯାଏ । ଅନେକ ହୁଏତ ପଢ଼ିବା ଅବସ୍ଥାରେ ପ୍ରେମରେ ପଡ଼ିଥାଆନ୍ତି ଓ ବିବାହ ମଧ୍ୟ କରନ୍ତି-ଏହା ଅଯଥା ଲଜ୍ଜା ଓ ନିନ୍ଦାର ସାମଗ୍ରୀ ହୋଇ ଉଠେନାହିଁ, କି ସେମାନଙ୍କ ପଛରେ ଅନ୍ୟମାନେ ଫୁସ୍‌ ଫୁସ୍‌ ହୁଅନ୍ତି ନାହିଁ । ଏକାଠି ମୁକ୍ତଭାବରେ ମିଶିବାରୁ ପରସ୍ପର ପରସ୍ପରକୁ ଜାଣିବାର ସୁବିଧା ପାଆନ୍ତି ଓ ଉପଯୁକ୍ତ ଶିକ୍ଷା ପାଇବାର ଉଭୟଙ୍କର ମାନସିକ ବିକାଶ ହୁଏ । ଅର୍ଥନୈତିକ ସ୍ୱାଧୀନତା ଓ ଉଚ୍ଚଶିକ୍ଷାର ସୁବିଧା ଯୋଗୁଁ ଅନେକ ଡେରିରେ ନିଜ ଇଚ୍ଛାନୁସାରେ ପାତ୍ର ଖୋଜି ବିବାହ କରନ୍ତି । ତଦ୍ଦ୍ଵାରା ସନ୍ତାନପ୍ରସବ ଯୋଗୁଁ ଅଯଥା ସ୍ୱାସ୍ଥ୍ୟହାନି ଘଟେ ନାହିଁ ଏବଂ ସେମାନଙ୍କର ପିଲାପିଲି ସଂଖ୍ୟା ମଧ୍ୟ ଖୁବ୍ ବେଶି ବଢ଼ିପାରେ ନାହିଁ ।

 

ଗୃହକର୍ତ୍ତ୍ରୀ ହିସାବରେ ସେମାନେ ଅନେକ କାମ କରି ଥାଆନ୍ତି । ସ୍ୱାମୀମାନେ ସକାଳୁ ଖିଆପିଆ କରି ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ବାହାରି ଯାଆନ୍ତି ଓ ଆସନ୍ତି ସନ୍ଧ୍ୟାବେଳକୁ । ଇତି ମଧ୍ୟରେ ଘରର ଯାବତୀୟ କାମ ସ୍ତ୍ରୀ ତୁଲାଇଥାଏ । ସ୍ୱାମୀ ଫେରି ଆସିଲା ପରେ ମଧ୍ୟ ପ୍ରାୟ ବିଶେଷ କିଛି ବୁଝେ ନାହିଁ । ସେଠାରେ ଚାକର ଚାକରାଣୀ ରଖିବା ଖୁବ୍‌ ବ୍ୟୟସାପେକ୍ଷ; ତେଣୁ ଅଧିକାଂଶ ପରିବାର-ପ୍ରାୟ ଶତକଡ଼ା ପଞ୍ଚାନବେ ବିନା ଚାକରାଣୀରେ କାମ ତୁଲାନ୍ତି; ଅର୍ଥାତ ଗୃହକର୍ତ୍ତ୍ରୀମାନେ ଘରର ସବୁ କାମ କରନ୍ତି । ରନ୍ଧାବଢ଼ା, ବଜାର ସଉଦା ଓ ଘର ସଫାଠାରୁ ଆରମ୍ଭକରି ପିଲାମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାମୀମାନଙ୍କ ପାଇଁ କିଣାବିକା ମଧ୍ୟ କରିଥାଆନ୍ତି । ତେଣୁ ଦୋକାନମାନଙ୍କରେ ସ୍ତ୍ରୀକିଣାଳୀଙ୍କ ସଂଖ୍ୟା ବହୁତ ବେଶୀ । ମାଛ, ମାଂସ, ପରିବା ଓ ଘରକରଣା ଜିନିଷ ଦୋକାନରେ ସେମାନଙ୍କ ଛଡ଼ା ପୁରୁଷ କିଣାଳୀ ଦେଖିବା ବିରଳ । ପିଲାମାନଙ୍କୁ ହାତ ଗାଡ଼ି (Perambulator)ରେ ବସାଇ, ପରିଷ୍କାର ଜାମା, କୋଟ ପିନ୍ଧି ହର୍ଷୋତ୍‌ଫୁଲ୍ଲମନରେ ଦୋକାନ ଦୋକାନ ବୁଲି ସଉଦା କରୁଥାଆନ୍ତି । ଏଠି ପ୍ରଶ୍ନ ଉଠିପାରେ ଯେ ଏତେ କାମ କରିବାକୁ କିପରି ସମୟ ମିଳେ ? ଆମ ଦେଶରେ ତ ପରିବା କାଟି ରନ୍ଧାବଢ଼ା କରୁ କରୁ ସମୟ ଚାଲିଯାଏ; ତେଣୁ ବିନା ଚାକର ପୁଝାରୀରେ କିଛି କରି ହୁଏନା । ଏମାନଙ୍କର ରନ୍ଧାପ୍ରଣାଳୀ ଖୁବ୍‌ ସରଳ ଏବଂ ଗ୍ୟାସ ଓ ବିଜୁଳି ଶକ୍ତିର ସୁବିଧା ଥିବା ଯୋଗୁଁ କମ୍‌ ପରିଶ୍ରମରେ ଓ ଅଳ୍ପସମୟ ଭିତରେ ରନ୍ଧାକାମ ଶେଷ ହୁଏ । ସକାଳ ଭୋଜନ ପ୍ରସ୍ତୁତ କରିବାରେ ଅଧଘଣ୍ଟାଏ ଲାଗେ-ପ୍ରାୟ ଆଠଟା ନଅଟା ବେଳକୁ ସବୁ ଶେଷ ହୋଇଯାଏ । ତାପରେ ମଧ୍ୟାହ୍ନଭୋଜନ ସମସ୍ତେ ପ୍ରାୟ ବାହାରେ ଖାଇଥାନ୍ତି-ଘରେ ଖାଇଲେ ସୁଦ୍ଧା ଅଧଘଣ୍ଟାଏ ଘଣ୍ଟ କରୁ ବେଶୀ ଲାଗେ ନାହିଁ-ତା ଛଡ଼ା ସମସ୍ତେ ଠିକ୍‌ ସମୟରେ ଖାଇବସୁଥିବାରୁ ବଡ଼ ଶୀଘ୍ର ସବୁକାମ ଶେଷ ହୋଇପାରେ । ଆମ ଦେଶରେ ତ ପିଲାପିଲିଥିବା ଘରେ ସକାଳୁ ରାତି ୧୨ଟା ପର୍ଯ୍ୟନ୍ତ ରନ୍ଧା ଓ ବଢ଼ାବଢ଼ି ଚାଲିଥାଏ-ଅନ୍ୟାନ୍ୟ କାମ କରିବାକୁ ସମୟ କାହିଁ ? ତେଣୁ ସ୍ତ୍ରୀମାନଙ୍କୁ ଅନ୍ୟାନ୍ୟ ବିଷୟରେ ଶିକ୍ଷା ଦେବାକୁ ହେଲେ ପ୍ରଥମେ ଆମ୍ଭମାନଙ୍କର ରନ୍ଧାବଢ଼ା-ପ୍ରଣାଳୀକୁ ଖୁବ୍‌ ସରଳ କରିବାକୁ ହେବ ଓ ନିର୍ଦ୍ଦିଷ୍ଟ ସମୟରେ ସମସ୍ତ ଖିଆପିଆ ଶେଷ କରିବାକୁ ହେବ । ତା ନ ହେଲେ ସେମାନେ ଅବସର ପାଇବେ ନାହିଁ ଅନ୍ୟ କିଛି କରିବା ଲାଗି । ଗୃହକର୍ତ୍ତ୍ରୀର ଦକ୍ଷତା ସ୍ୱାମୀକୁ ଅନେକ କାମରୁ ଅବ୍ୟାହିତ ଦିଏ । ସମସ୍ତେ ଅବସର ପାଆନ୍ତି ଓ ସେହି ସମୟରେ ଯେ ଯାହାର ପ୍ରାୟ ଗବେଷଣା (Hobbey)ରେ ଲାଗିପାରେ ।

 

ତେଣୁ ସ୍ତ୍ରୀମାନଙ୍କର ସ୍ୱାଧୀନତା ସମାଜର ସମୂହ ହିତସାଧନ କରେ । ଯୁଦ୍ଧ ସମୟରେ ସେଠାକାର ସ୍ତ୍ରୀଲୋକମାନେ ଯେପରି କାମ କରିଥିଲେ, ଆମେମାନେ କଳ୍ପନା କରିପାରିବୁଁ ନାହିଁ । ନିଆଁ ଲିଭାଇବା, ରାସ୍ତା ସଫାକରିବା, ରୋଗୀମାନଙ୍କୁ ଡାକ୍ତରଖାନାକୁ ନେବାଠାରୁ ଆରମ୍ଭ କରି ଯୁଦ୍ଧକ୍ଷେତ୍ର ପର୍ଯ୍ୟନ୍ତ ସମସ୍ତପ୍ରକାର କାମ ସ୍ତ୍ରୀଲୋକମାନେ କରି ପାରୁଥିଲେ । ଆମ ଦେଶ ହୋଇଥିଲେ ଯେ ନିଶ୍ଚୟ ପରାସ୍ତ ହୋଇଥାଆନ୍ତା । ଏଥିରେ ସନ୍ଦେହ ନାହିଁ । ଅନେକ ବିଖ୍ୟାତ ଗୁପ୍ତଚର କାର୍ଯ୍ୟ ଏମାନେ ଚଳାଇଛନ୍ତି । ୟୁରୋପର ପ୍ରତ୍ୟେକ ଦେଶରେ ଏମାନଙ୍କର ଯୁଦ୍ଧସମୟର କାର୍ଯ୍ୟକଳାପ ବଡ଼ ପ୍ରଶଂସନୀୟ । ଆଧୁନିକ ଯୁଗର ଯୁଦ୍ଧ ଦେଶର ସମସ୍ତ ପ୍ରକାର ସମାଜିକ ଓ ଅର୍ଥନୈତିକ ଜୀବନକୁ ପଙ୍ଗୁ କରିଦେବାକୁ ଚେଷ୍ଟାକରେ । ଏପ୍ରକାର ସର୍ବଗ୍ରାସୀ ଯୁଦ୍ଧରେ ଦେଶର ଅର୍ଦ୍ଧେକ ଲୋକସଂଖ୍ୟା-ନାରୀ ଯଦି ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ ନ କରେ, ତେବେ ଯୁଦ୍ଧରେ ଜୟଲାଭ କରିବା ଅସମ୍ଭବ ବର୍ତ୍ତମାନ ଯଦି କୌଣସି ପାଶ୍ଚାତ୍ୟ ଜାତି ବିରୁଦ୍ଧରେ ଆମ ଦେଶ ଯୁଦ୍ଧ କରେ, ତାହେଲେ ଆମ ଦେଶ ଏତେ ବଡ଼ ହେଲେ ସୁଦ୍ଧା ଯେ ହାରିଯିବ ଏଥିରେ ସନ୍ଦେହ ନାହିଁ । ତେଣୁ ବଞ୍ଚିରହିବା ସଂଗ୍ରାମ ସକାଶେ ସ୍ତ୍ରୀଶିକ୍ଷା ଓ ସ୍ତ୍ରୀସ୍ୱାଧୀନତା ନିହାତି ପ୍ରୟୋଜନ । ଗତ ମହାଯୁଦ୍ଧରେ ରୁଷିଆରେ ଗୋଟିଏ ଅଞ୍ଚଳ ପୂରାପୂରି ଭାବରେ ପୁରୁଷଶୂନ୍ୟ ହୋଇ ଯାଇଥିଲେ ସୁଦ୍ଧା ସ୍ତ୍ରୀଲୋକମାନେ ଚାଷକାମଠାରୁ ଆରମ୍ଭ କରି ଯୁଦ୍ଧ କରିବା ପର୍ଯ୍ୟନ୍ତ ସମସ୍ତ କାମ ଚଳାଇ ପାରିଥିଲେ । ରୁଷିଆର ନାରୀସ୍ୱାଧୀନତା ଓ ନାରୀଶିକ୍ଷା ଇଂଲଣ୍ଡଠାରୁ ବହୁତ ଉଚ୍ଚରେ ବୋଲି ଅନେକେ କହିଥାଆନ୍ତି । ସେଠାରେ ପ୍ରତ୍ୟେକ କ୍ଷେତ୍ରରେ ସ୍ତ୍ରୀମାନଙ୍କର ପୂର୍ଣ୍ଣ ସ୍ୱାଧୀନତା ରହିଛି । ଅନ୍ୟାନ୍ୟ ସାମ୍ୟବାଦୀ ଦେଶରେ ମଧ୍ୟ ଏ ପ୍ରକାର ଚେଷ୍ଟା ଚାଲିଛି ।

 

ବର୍ତ୍ତମାନ ପରିସ୍ଥିତିରେ ସ୍ତ୍ରୀସ୍ୱାଧୀନତା ଆଲୋଚନାସଭାର ବସ୍ତୁ ହିସାବରେ ପରିଗଣିତ ହେବାର ଅବକାଶ ନାହିଁ । କୌଣସି ଆଧୁନିକ ଜାତିକୁ ବଞ୍ଚିରହିବାକୁ ହେଲେ ସ୍ତ୍ରୀସ୍ୱାଧୀନତାକୁ ପୂରାପୂରି ଗ୍ରହଣ କରିବାକୁ ହେବ; ଗ୍ରହଣ ନ କଲେ ଭାଙ୍ଗି ପଡ଼ିବ, ଲୋପ ପାଇଯିବ । ଏ କ୍ଷେତ୍ରରେ ତ ଆଉ ତୃତୀୟ ପନ୍ଥା ନାହିଁ; ତେଣୁ ବୃଥା ଯୁକ୍ତିତର୍କର ମୂଲ୍ୟ କଅଣ ?

 

ପରିଶିଷ୍ଟ-୧୯୩୮-୩୯ରେ ବିଶ୍ୱବିଦ୍ୟାଳୟର ମୋଟ ଛାତ୍ରଙ୍କ ସଂଖ୍ୟା ୫୦,୨୪୬ରୁ ଛାତ୍ରୀଙ୍କ ସଂଖ୍ୟା ୧୧୬୮୯ ଏବଂ ତାହା ବଢ଼ି ୧୯୪୭କୁ ମୋଟ ସଂଖ୍ୟା ୭୬୭୬୪ରୁ ୧୯୨୪୪ ହୋଇଛି । ଅର୍ଥାତ୍‌ ବିଶ୍ୱବିଦ୍ୟାଳୟରେ ଶତକରା ୨୬ ହେଉଛନ୍ତି ଝିଅ । ଆଗ ଅପେକ୍ଷା ମାତ୍ର ଶତକରା ୩ ବଢ଼ିଛି । ଇଂଲଣ୍ଡ ପରି ସ୍ୱାଧୀନ ଦେଶରେ ଏହା ଯଥେଷ୍ଟ ନୁହେଁ । ପୂରାପୂରି ଅର୍ଥନୈତିକ ସ୍ୱାଧୀନତାର ଅଭାବ ଏହାର କାରଣ ହୋଇପାରେ । ନିମ୍ନଲିଖିତ ହିସାବରୁ ଜଣାଯିବ, କିପରି ବିଭିନ୍ନ ବିଭାଗରେ ସେମାନଙ୍କର ପ୍ରବେଶ ଅଛି ।

 

 

ପୁଅ

ଝିଅ

ଶତକରା ଭାଗ

କଳା (Arts subject)

୨୨୦୧୪

୧୨୧୦୬

୫୪.୮

ବିଜ୍ଞାନ (Pure Science)

୧୧୧୯୩

୩୩୨୭

୨୯.୭

ଡାକ୍ତରୀ

୧୨୩୮୯

୩୧୭୫

୨୫.୬

ଇଞ୍ଜିନିଅରିଂ ପ୍ରଭୃତି

୯୮୫୦

୨୯୩

୩.୦

କୃଷିଶିକ୍ଷା

୧୯୯୪

୩୪୩

୧୭.୨

 

୫୭୫୨୦

୧୯୨୪୪

୨୬.୦

•••

 

–ବାର–

ବାଧ୍ୟତାମୂଳକ ଓ ଅବୈତନିକ ଶିକ୍ଷାପ୍ରଣାଳୀ-ପ୍ରାଇମେରୀ,

ସେକେଣ୍ଡାରୀ ଓ ବିଶ୍ୱବିଦ୍ୟାଳୟ ଶିକ୍ଷା

 

ଯେ କୌଣସି ଗଣତାନ୍ତ୍ରିକ ସରକାରର ପ୍ରଥମ କର୍ତ୍ତବ୍ୟ ହେଉଛି ଯେ ଦେଶର ସମସ୍ତ ନରନାରୀ ବିଶେଷତଃ ବାଳକବାଳିକାମାନଙ୍କର ଶିକ୍ଷା ଲାଗି ସମସ୍ତ ପ୍ରକାର ସୁବିଧା କରିଦେବା । ଆମ ଦେଶରେ ଯାହାର ପଇସା ଅଛି, ସେ ପଢ଼ାଇ ପାରିବ ଓ ଅନ୍ୟମାନଙ୍କର ଅକ୍ଷର ଚିହ୍ନିବାର ବି ସୁଯୋଗ ନାହିଁ । ଅର୍ଥାତ୍‌ ଅନ୍ୟାନ୍ୟ ପଣ୍ୟଦ୍ରବ୍ୟ ପରି ଶିକ୍ଷା ମଧ୍ୟ ଟଙ୍କାଦ୍ୱାରା କିଣା ହୋଇଥାଏ । ତେଣୁ ଶାସକଶ୍ରେଣୀ ଓ ଅନ୍ୟାନ୍ୟ ଉପରଶ୍ରେଣୀ ଲୋକମାନେହିଁ ଶିକ୍ଷାର ଯାହା କିଛି ସୁବିଧା ପାଇଥାଆନ୍ତି । ଆଉ ଶତକଡ଼ା ନବେ ପଞ୍ଚାନବେ ଲୋକ ଅକ୍ଷର ଚିହ୍ନନ୍ତି ନାହିଁ । ତଦ୍ଦ୍ୱାରା ଏହି ମୁଷ୍ଟିମେୟ ଲୋକଙ୍କୁ ଅବାଧ ରାଜତ୍ଵ କରିବାରେ ସବୁ ସୁବିଧା ମିଳେ ଏବଂ ଏହା ଶହ ଶହ ବର୍ଷ ଧରି ଚାଲି ଆସିଛି । ଇଂଲଣ୍ଡ ପ୍ରଭୃତି ଗଣତାନ୍ତ୍ରିକ ଦେଶମାନଙ୍କରେ ଶିକ୍ଷାକ୍ଷେତ୍ରରେ ଏତେ ବେଶି ତାରତମ୍ୟ ଦେଖାଯାଏ ନାହିଁ ।

 

ଇଂଲଣ୍ଡରେ ବର୍ତ୍ତମାନ ସୁଦ୍ଧା ପୂରାପୂରି ସାମ୍ୟବାଦ ନୀତି ଅନୁଯାୟୀ ସବୁକ୍ଷେତ୍ରରେ ସାର୍ବଜନୀନ ଶିକ୍ଷାର ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ନ ଥିଲେହେଁ ଯାହା ଅଛି ଏବଂ ପ୍ରତିବର୍ଷ ଯେପରି ଭାବରେ ତାର ବିକାଶ ହେଉଛି, ତାହା ଆମର ନିଶ୍ଚୟ ଅନୁକରଣୀୟ । ଜନ୍ମ ହେଲା ଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ମଣିଷର ସମସ୍ତ ପ୍ରକାର ଶିକ୍ଷାର ସୁବନ୍ଦୋବସ୍ତ କରିବା ହେଉଛି ଏମାନଙ୍କର ପ୍ରଧାନ ଲକ୍ଷ୍ୟ । ବର୍ତ୍ତମାନ ଶିକ୍ଷାବିତ୍‌ମାନେ ସଂପୂର୍ଣ୍ଣଭାବେ ଅନୁଭବ କରୁଛନ୍ତି ଯେ ଦେଶର ତଥା ପୃଥିବୀର ସର୍ବପ୍ରକାର ବିକାଶ ଲାଗି ଏ ପ୍ରକାର ଜୀବନବ୍ୟାପୀ ଶିକ୍ଷାର ବହୁତ ଆବଶ୍ୟକ ଓ ଏହାର ଅଭାବରେ ଗଣତନ୍ତ୍ର ଶାସନ ଅସମ୍ଭବ । ଇଂଲଣ୍ଡ, ଆମେରିକା, ରଷିଆ ପ୍ରଭୃତି ଦେଶମାନଙ୍କ ସହିତ ଆମର ଯେତେ ଆଦର୍ଶଗତ ପାର୍ଥକ୍ୟ ଥିଲେ ସୁଦ୍ଧା ଶିକ୍ଷାଦିଗରେ ଯେ ଆମର ବହୁତ କିଛି ଶିଖିବାର ଅଛି, ସେଥିରେ ସନ୍ଦେହ ନାହିଁ ।

 

ଇଂଲଣ୍ଡ ଅନେକ ଦିନରୁ ଶିକ୍ଷା ଲାଗି ତତ୍ପର ଥିଲେ ସୁଦ୍ଧା ଅନ୍ୟାନ୍ୟ ସଭ୍ୟଦେଶ ତୁଳନାରେ ବହୁତ ପଛରେ ରହିଥିଲା । ପୁଞ୍ଜିପତି ଓ ରକ୍ଷଣଶୀଳ ଶାସକଶ୍ରେଣୀ ନିଜ ନିଜ ଲାଗି ଶିକ୍ଷାର ଯେପରି ସୁବିଧା କରୁଥିଲେ ଦେଶର ସାଧାରଣ କୁଲି ମଜୁରିଆଙ୍କ ପାଇଁ ସେ ପ୍ରକାର ସୁବିଧା କରିବା ସକାଶେ ଆଦୌ ତତ୍ପର ନ ଥିଲେ । ଫଳରେ ଅନେକ ଦିନ ପର୍ଯ୍ୟନ୍ତ ଅକ୍‌ସଫୋର୍ଡ଼ ଓ କେଂବ୍ରିଜ ପରି ରକ୍ଷଣଶୀଳ ବିଶ୍ୱବିଦ୍ୟାଳୟ ଓ ହାରୋ, ଇଟନ ପ୍ରଭୃତି ପବ୍ଳିକ (Public) ସ୍କୁଲର ପ୍ରାଧାନ୍ୟ ଖୁବ୍‌ ଥିଲା । ବର୍ତ୍ତମାନ ସୁଦ୍ଧା ଏସବୁ ଅନୁଷ୍ଠାନରେ କୁଳୀନ ଓ ଧନିକ ସମ୍ପ୍ରଦାୟର ପିଲାମାନେ ଅଧିକ ସୁବିଧା ପାଇଥାଆନ୍ତି । ଜାଠଦଳର ନେତା ଚର୍ଚ୍ଚିଲ ତାଙ୍କ My Early Life (ମୋର ପ୍ରଥମ ଜୀବନ) ନାମକ ବହିରେ ଲେଖିଛନ୍ତି ଯେ ହାରୋ ପବ୍ଳିକ ସ୍କୁଲ ଲାଗି ପ୍ରବେଶିକା ପରୀକ୍ଷା ଖାତାରେ ସେ ତାଙ୍କର ନାମ ଛଡ଼ା ଆଉ କିଛି ନ ଲେଖିଥିଲେ ସୁଦ୍ଧା ହେଡ଼ମାଷ୍ଟର ତାଙ୍କୁ ସ୍କୁଲରେ ନେଇଥିଲେ । ଏ ପ୍ରକାର ସ୍କୁଲରେ ସାଧାରଣ ଲୋକଙ୍କ ପାଇଁ କୌଣସି ସୁବିଧା ନ ଥିଲା-। କିନ୍ତୁ ବର୍ତ୍ତମାନ ଯୁଗରେ ସାଧାରଣ ଲୋକେ ଯେପରି ଜାଗ୍ରତ ହୋଇଛନ୍ତି ଏ ପ୍ରକାର ପାତରଅନ୍ତର ବ୍ୟବହାର ଇଂଲଣ୍ଡରେ ସମ୍ଭବ ନୁହେଁ । ୧୯୪୪ ମସିହାର ଶିକ୍ଷାଆଇନ ସଂପୂର୍ଣ୍ଣ ଗଣତାନ୍ତ୍ରିକ ନୀତି ଅନୁସାରେ ପ୍ରସ୍ତୁତ ହୋଇଛି ।

 

ବର୍ତ୍ତମାନ ପାଞ୍ଚ ବର୍ଷଠାରୁ ୧୫ ବର୍ଷ ପର୍ଯ୍ୟନ୍ତ ସବୁ ପ୍ରକାର ଶିକ୍ଷା ବିନା ଦରମାରେ ଦେଶର ସମସ୍ତ ବାଳକବାଳିକାଙ୍କ ପାଇଁ ବାଧ୍ୟତାମୂଳକ । ଦୁଇ ବର୍ଷଠାରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଛୋଟପିଲାଙ୍କ ପାଇଁ ମଧ୍ୟ ନର୍ସେରୀ ସ୍କୁଲ (Nursery School)ର ବନ୍ଦୋବସ୍ତ ଅଛି । ତଦ୍ଦ୍ୱାରା ଛୋଟ ଛୋଟ ପିଲାମାନଙ୍କର କ୍ରୀଡ଼ା କୌତୁକ ଭିତର ଦେଇ ମାନସିକ ବିକାଶ ହୁଏ ଓ ମାଆମାନଙ୍କୁ ମଧ୍ୟ ଯଥେଷ୍ଟ ସମୟ ମିଳେ ।

 

ଇଂଲଣ୍ଡରେ ଦୁଇ ବର୍ଷଠାରୁ ପନ୍ଦର ବର୍ଷ ପର୍ଯ୍ୟନ୍ତ ବୟସର ବାଳକବାଳିକା ସଂଖ୍ୟା ପ୍ରାୟ ପଞ୍ଚାବନଲକ୍ଷ । ଦୁଇବର୍ଷଠାରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ନର୍ସେରୀ ସ୍କୁଲରେ ରହିଲା ପରେ ସମସ୍ତେ ପ୍ରାଥମିକ ଶିକ୍ଷା (Primary Education) ପାଇବା ପାଇଁ ବିଭିନ୍ନ ସ୍କୁଲକୁ ଯାଇଥାଆନ୍ତି । ପ୍ରାଇମେରୀ ସ୍କୁଲରେ ଏଗାର ବର୍ଷ ପର୍ଯ୍ୟନ୍ତ ରହି ତା ପରେ ଛାତ୍ରଛାତ୍ରୀଗୁଡ଼ିଙ୍କର ରୁଚି ଓ ଯୋଗ୍ୟତା ଅନୁସାରେ ତିନୋଟି ବିଭିନ୍ନ ପ୍ରକାର ସ୍କୁଲକୁ ପଠାହୁଅନ୍ତି । ଯେଉଁମାନଙ୍କର ବୁଦ୍ଧି ସାଧାରଣ ପିଲାଙ୍କଠାରୁ ଟିକିଏ ବେଶି ଓ ଭବିଷ୍ୟତରେ ବିଶ୍ୱବିଦ୍ୟାଳୟକୁ ଯିବାର ଆଶା ଅଛି, ସେମାନଙ୍କୁ ଗ୍ରାମର ସ୍କୁଲ (Grammar School)କୁ ପଠାହୁଏ । ଏମାନଙ୍କର ସଂଖ୍ୟା ଶତକଡ଼ା ୧୫।୨୦ ହୋଇପାରେ ଏମାନଙ୍କୁ ଆମ ଦେଶର ଉଚ୍ଚ ଇଂରାଜୀ ସ୍କୁଲ (High School) ଛାତ୍ରଙ୍କ ସହିତ ତୁଳନା କରାଯାଇ ପାରେ । ଯେଉଁମାନଙ୍କର ଯାନ୍ତ୍ରିକ ଓ ବ୍ୟବସାୟିକ ବୁଦ୍ଧି ଭଲ, ସେମାନେ ବୈଷୟିକ ବା ଟେକ୍‌ନିକାଲ ସ୍କୁଲ (Technical School)କୁ ପଠାହୁଅନ୍ତି । ଏଠାରେ ସାଧାରଣ ଶିକ୍ଷା ଛଡ଼ା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟବସାୟ ବିଷୟରେ ବିଶେଷ ଶିକ୍ଷା ଦିଆଯାଏ । ଏମାନଙ୍କ ସଂଖ୍ୟା ମଧ୍ୟ ଖୁବ୍‌ ବେଶୀ ନୁହେ । ତା ଛଡ଼ା ଆଉ ଯେଉଁମାନେ ରହିଲେ ସେମାନେ ଆଧୁନିକ ସ୍କୁଲ (Modern School)କୁ ପଠାହୁଅନ୍ତି । ଶତକରା ୭୦ ଏ ପ୍ରକାର ସ୍କୁଲକୁ ଯାଆନ୍ତି । ଏଠାରେ ସମସ୍ତ ପ୍ରକାର ଶିକ୍ଷାର ବନ୍ଦୋବସ୍ତ ଥାଏ । ସବୁଠୁ କିଛି କିଛି ଶିକ୍ଷା ହୁଏ-ଏମାନେହିଁ ସ୍କୁଲ ଶିକ୍ଷା ପରେ ବିଭିନ୍ନ କଳକାରଖାନା ରେ ସାଧାରଣ ଶ୍ରମିକ ରୂପେ କାର୍ଯ୍ୟ କରିଥାଆନ୍ତି । ଉପରୋକ୍ତ ତିନି ପ୍ରକାର ଶିକ୍ଷା ସାଧାରଣ ସେକେଣ୍ଡାରୀ ଶିକ୍ଷା (Secondary Education) ନାମରେ ଅଭିହିତ । ଏପ୍ରକାର ଶ୍ରେଣୀବିଭାଗ ଲାଗି ବହୁତ ସମାଲୋଚନା ରହିଛି-। ତେଣୁ ବର୍ତ୍ତମାନ ସର୍ବପ୍ରକାର ଶିକ୍ଷାକୁ ଠୁଳକରି ଗୋଟିଏ ସାର୍ବଜନୀନ ସ୍କୁଲ କରିବା ପାଇଁ ବହୁତ ଆନ୍ଦୋଳନ ଚାଲିଛି । ଏପ୍ରକାର ସ୍କୁଲକୁ (Comprehensive School) କୁହାଯାଏ-। ଆମେରିକା, ରୁଷିଆ, ସ୍କଟଲାଣ୍ଡ ପ୍ରଭୃତି ଦେଶରେ ଏପ୍ରକାର ଶିକ୍ଷା ବହୁତ ପ୍ରସାର ଲାଭ କରିଛି ଏବଂ ଏମାନଙ୍କ ମତରେ ଏହା ଇଂଲଣ୍ଡର ଶିକ୍ଷାପ୍ରଣାଳୀଠାରୁ ଅନେକ ଭଲ । ଏହି ତିନି ପ୍ରକାର ସେକେଣ୍ଡାରୀ ସ୍କୁଲରେ ପନ୍ଦରବର୍ଷ ପର୍ଯ୍ୟନ୍ତ ସମସ୍ତେ ବିନା ଖରଚରେ ଶିକ୍ଷା ପାଇଥାଆନ୍ତି ଓ ଏହା ସମସ୍ତଙ୍କ ଲାଗି ବାଧ୍ୟତାମୂଳକ । ପନ୍ଦରବର୍ଷ ପରେ ସ୍କୁଲ ଛାଡ଼ି ବିଭିନ୍ନ କ୍ଷେତ୍ରରେ କାମ କଲାପରେ ମଧ୍ୟ ଶିକ୍ଷା ପାଇଁ ବିଶେଷ ବନ୍ଦୋବସ୍ତ ଅଛି । ପନ୍ଦରବର୍ଷ ଠାରୁ ଅଠରବର୍ଷ ପର୍ଯ୍ୟନ୍ତ ବୟସର ଯେଉଁମାନେ ଅନ୍ୟ କୌଣସି ସ୍ଥାୟୀ ଶିକ୍ଷାରେ ନିଯୁକ୍ତ ନୁହନ୍ତି, ସେମାନେ ଆସି ଏପ୍ରକାର ସ୍କୁଲରେ ପଢ଼ିଥାଆନ୍ତି । କାରଖାନା ମାଲିକମାନେ ଉପଯୁକ୍ତ ବୟସର ଯୁବକମାନଙ୍କୁ ହପ୍ତାରେ ଏକ ପୂରାଦିନ କିମ୍ୱା ଓଳିଏ କରି ଦୁଇଦିନ ଛାଡ଼ି ଦିଅନ୍ତି । ଏମାନେ ସାଧାରଣ ଶିକ୍ଷା ଛଡ଼ା ନିଜ ନିଜର ବୈଷୟିକ ଶିକ୍ଷା ମଧ୍ୟ ପାଇଥାଆନ୍ତି । କ୍ରୀଡ଼ା କୌତୁକ ଭିତର ଦେଇ ସେମାନଙ୍କ ନାଗରିକ ଜୀବନ ଗଢ଼ିବା ଲାଗି ବିଶେଷ ଧ୍ୟାନ ଦିଆହୋଇଥାଏ । ଏ ପ୍ରକାର ଅନୁଷ୍ଠାନକୁ (Country College) ଆଞ୍ଚଳିକ ଗ୍ରାମ୍ୟ କଲେଜ କୁହାଯାଏ । ଶିକ୍ଷା ଛଡ଼ା ଏହା ସେହି ଅଞ୍ଚଳର ସାମାଜିକ ମିଳାମିଶାର ପୀଠରୂପେ ବ୍ୟବହାର କରାଯାଏ ।

 

ପନ୍ଦର ବର୍ଷ ପରେ ବାଧ୍ୟତାମୂଳକ ଶିକ୍ଷା ଛାଡ଼ିଲା ପରେ ବିଶ୍ୱବିଦ୍ୟାଳୟ ଶିକ୍ଷା ବ୍ୟତୀତ ଆହୁରି ଅନେକ ପ୍ରକାର ଶିକ୍ଷାର ବନ୍ଦୋବସ୍ତ କରାଯାଇଅଛି । ଏ ପ୍ରକାର ବ୍ୟବସ୍ଥା ସାଧାରଣତଃ ବିଭିନ୍ନ ଅଞ୍ଚଳର ସୁବିଧା ଅସୁବିଧା ଦୃଷ୍ଟିରୁ ହୋଇଥାଏ । ସାମୟିକ ସନ୍ଧ୍ୟା କ୍ଳାସଠାରୁ ଆରମ୍ଭକରି ବିଭିନ୍ନ ଦିଗରେ ସୁସଂଗଠିତ ସ୍କୁଲ ପର୍ଯ୍ୟନ୍ତ ନାନା ପ୍ରକାର ଶିକ୍ଷାର ବ୍ୟବସ୍ଥା ଅଛି । ମୋଟାମୋଟି କୁହାଯାଇ ପାରେ ଯେ ବାଧ୍ୟତାମୂଳକ ଶିକ୍ଷା ଶେଷ ହେଲା ପରେ ପ୍ରତ୍ୟେକ ଲୋକର ଅବସର ସମୟରେ ନିଜ ନିଜ ରୁଚି ଅନୁଯାୟୀ ଶିକ୍ଷାଲାଭ କରିବାରେ ସମସ୍ତ ପ୍ରକାର ସୁଯୋଗ ଦେବାଲାଗି ବର୍ତ୍ତମାନ ଶ୍ରମିକ ସରକାର ଯତ୍ପରୋନାସ୍ତି ଚେଷ୍ଟାକରୁଛି ।

 

ମୁଁ ଆଗରୁ କହିଛି-ଦୁଇ ବର୍ଷ ଠାରୁ ପନ୍ଦର ବର୍ଷ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଶିକ୍ଷା ସମସ୍ତେ ବିନା ଖରଚରେ ପାଇ ଥାଆନ୍ତି । ବହିପତ୍ରଠାରୁ ଆରମ୍ଭ କରି ଅନେକ ସମୟରେ ଯିବା ଆସିବା ଗାଡ଼ିଭଡ଼ା ପର୍ଯ୍ୟନ୍ତ ସବୁ ମିଳିଥାଏ । ବର୍ତ୍ତମାନ ସବୁ ସ୍କୁଲ ଛାତ୍ରଙ୍କ ପାଇଁ ବିନା ମୂଲ୍ୟରେ ଦୁଧ ଯୋଗାଇ ଦିଆହୁଏ । ପ୍ରାୟ ଅଧାଅଧି ଛାତ୍ର ବିନା ମୂଲ୍ୟରେ ମଧ୍ୟାହ୍ନ ଭୋଜନ ପାଇ ଥାଆନ୍ତି । ଯେଉଁମାନଙ୍କୁ ଦାମ୍‌ ଦେବାକୁ ପଡ଼େ ତାହା ଖୁବ ସାମାନ୍ୟ । ପିଲାମାନଙ୍କୁ ଉପଯୁକ୍ତ ପରିମାଣରେ ବିଭିନ୍ନ ପୁଷ୍ଟିକାରକ ଖାଦ୍ୟଦେବା ଲାଗି ଏ ପ୍ରକାର ବ୍ୟବସ୍ଥା ହୋଇଛି । ଯେଉଁଠି ନିୟମିତରୂପେ ଏହାର ବ୍ୟବସ୍ଥା ଅଛି, ସେଠାକାର ପିଲାମାନେ ଅନ୍ୟାନ୍ୟ ପିଲାଙ୍କ ଠାରୁ ଅଧିକ ସ୍ୱାସ୍ଥ୍ୟବାନ ବୋଲି ଜଣାଯାନ୍ତି । ଉଦାହରଣ ସ୍ୱରୂପ କୁହା ଯାଇ ପାରେ ଯେ ଏପରି ବ୍ୟବସ୍ଥା ଥିବା ଅନୁଷ୍ଠାନମାନଙ୍କରେ (Christ Hospital) ପିଲାମାନେ ସାଧାରଣ ପିଲାଙ୍କଠାରୁ ୪ଇଞ୍ଚ ବେଶୀ ଉଚ୍ଚ ଥିବାର ଦେଖାଯାଇଛି । ସ୍କୁଲ ପିଲାମାନଙ୍କ ମଧ୍ୟରେ ମୃତ୍ୟୁହାର ଶତକଡ଼ା ୩୦ ଓ ଯକ୍ଷ୍ମାରୋଗ ଜନିତ ମୃତ୍ୟୁ ଶତକଡ଼ା ୬୬ କମିଯାଇଛି । ଏହାକୁହିଁ ସାମାଜିକ ଓ ସାଂସ୍କୃତିକ ବିପ୍ଳବ କୁହାଯାଇ ପାରେ ।

 

ସବୁଶ୍ରେଣୀର ଛାତ୍ରମାନଙ୍କୁ ବିନାମୂଲ୍ୟରେ ଚିକିତ୍ସା କରାହୁଏ । ସ୍କୁଲ ଡାକ୍ତରଠାରୁ ଆରମ୍ଭ କରି ବଡ଼ ବଡ଼ ବିଶେଷଜ୍ଞ ପ୍ରଭୃତି ଏମାନଙ୍କୁ ବିନା ମୂଲ୍ୟରେ ଦେଖି ଥାଆନ୍ତି । ସେମାନଙ୍କର ସାଧାରଣ ସ୍ୱାସ୍ଥ୍ୟ ବିଷୟ ଛଡ଼ା ଅନ୍ୟାନ୍ୟ ସାହାଯ୍ୟ ମଧ୍ୟ ଦିଆହୁଏ । ଯେ ପିଲାଙ୍କର ଅଭିଭାବକ-ମାନେ ପୋଷାକପତ୍ର ଖର୍ଚ୍ଚ ତୁଲାଇ ପାରିବେ ନାହିଁ, ସେମାନଙ୍କୁ ପୋଷାକ ପ୍ରଭୃତି ଦିଆ ହୋଇଥାଏ-। ଯିବା ଆସିବା ଲାଗି ଅନେକଙ୍କୁ ଗାଡ଼ିଭଡ଼ା ସୁଦ୍ଧା ଯୋଗାଇ ଦିଆ ହୋଇଥାଏ ।

 

ସାଧାରଣ ବୁଦ୍ଧି ଓ ଶାରୀରିକ ସ୍ୱାସ୍ଥ୍ୟସମ୍ପନ୍ନ ବାଳକ ବାଳିକା ବ୍ୟତୀତ ଅନ୍ଧ, କାଲ ଓ ଅନ୍ୟାନ୍ୟ ଶାରୀରିକ ଓ ମାନସିକ ଦୋଷଯୁକ୍ତ ପିଲାମାନଙ୍କ ପାଇଁ ଅଲଗା ବନ୍ଦୋବସ୍ତ ଅଛି । ଯେଉଁମାନଙ୍କର ବୁଦ୍ଧି କମ ବା ଯେଉଁମାନେ ନାନା କାରଣରୁ ଅବ୍ୟବସ୍ଥିତ ଚିତ୍ତ ସେମାନଙ୍କ ପାଇଁ ବିଭିନ୍ନ ଶିକ୍ଷାପ୍ରଣାଳୀ ଖଞ୍ଜା ହୋଇଅଛି । ବାଧ୍ୟତାମୂଳକ ଶିକ୍ଷା ଦେବା ନିୟମ ଅନୁସାରେ ଏମାନଙ୍କୁ ମଧ୍ୟ ଶିକ୍ଷା ଦିଆ ହୋଇଥାଏ, ଯଦିଚ ଶିକ୍ଷାପ୍ରଣାଳୀ ଭିନ୍ନ ଭିନ୍ନ ।

 

ଶିକ୍ଷାପ୍ରଣାଳୀ ବିଷୟରେ କହିବାକୁ ଯାଇ ଶିକ୍ଷକ ଓ ଅଭିଭାବକ ବିଷୟରେ କିଛି ନ କହିଲେ ଏହା ଅସମ୍ପୂର୍ଣ୍ଣ ରହିଯିବ । ଏଡ଼େବଡ଼ ଶିକ୍ଷାନୁଷ୍ଠାନର ଫଳାଫଳ ଶିକ୍ଷକ ଉପରେ ନିର୍ଭର କରେ । ତେଣୁ ଶିକ୍ଷକର ଶିକ୍ଷା, ମନର ସନ୍ତୋଷ ଓ ଅନ୍ୟାନ୍ୟ ସାମାଜିକ ସମ୍ପର୍କ ବିଷୟରେ ଖୁବ ତୀକ୍ଷ୍ଣ ଦୃଷ୍ଟି ଦେବା ଦରକାର । ଆମ ଦେଶରେ ଶିକ୍ଷକଙ୍କୁ ସରକାର ଓ ଜନସାଧାରଣ ଯେପରିଭାବରେ ଦେଖିଥାଆନ୍ତି, ସେଥିରୁ ଶିକ୍ଷାପ୍ରତି କାହାରି ଆସ୍ଥା ଥିଲା ପରି ଜଣାଯାଏ ନାହିଁ । ପୋଲିସ ଓ ଜେଲ ଯେଉଁ ପରିମାଣରେ ଜାତୀୟ ପୁନର୍ଗଠନରେ ଉଚ୍ଚସ୍ଥାନ ଲାଭ କରିଛି, ଶିକ୍ଷା ସେହି ପରିମାଣରେ ନୀଚସ୍ଥାନ ପାଇଆସିଛି । ତାହାର ବ୍ୟତିକ୍ରମ ହେବାର ପ୍ରାୟ ଦେଖା ଯାଉନାହିଁ-। ଶିକ୍ଷକ ସମସ୍ତଙ୍କଠାରୁ କମ ସମ୍ମାନ ଓ ସୁବିଧା ପାଇଥାଏ । ଶିକ୍ଷକମାନେ ପିଲାପିଲି ନେଇ ଦିମୁଠା ଭଲକରି ମଧ୍ୟ ଖାଇବାକୁ ପାଆନ୍ତି ନାହି । ତେଣୁ ସେମାନେ ଅନ୍ୟଦିଗରୁ କିଛି କିଛି ରୋଜଗାର ନ କଲେ ବଞ୍ଚି ରହିବା ମୁଷ୍କିଲ । ଆଜିପର୍ଯ୍ୟନ୍ତ ସରକାରଙ୍କର ଏମାନଙ୍କ ପ୍ରତି ଏପରି ପାତର ଅନ୍ତର ବ୍ୟବହାର ଯେ, ଯେତେ ଯୋଗ୍ୟତା ଥିଲେ ମଧ୍ୟ ଶିକ୍ଷକମାନେ ଅନ୍ୟମାନଙ୍କଠାରୁ ବହୁତ କମ ଦରମା ଓ ଅନ୍ୟାନ୍ୟ ସୁବିଧା ପାଇ ଥାଆନ୍ତି । ପୋଲିସ ଓ ମାଜିଷ୍ଟ୍ରେଟମାନେ ଯେତେ ଖରାପ ବ୍ୟବହାର କଲେ ସୁଦ୍ଧା ସବୁ ବିଷୟରେ ସେମାନେ ବିଶେଷ ସୁବିଧା ପାଇଥାଆନ୍ତି । ଏପରି ପରିସ୍ଥିତିରେ ଯେତେ ଲମ୍ୱା ଲମ୍ୱା ବକ୍ତୃତା କଲେ ମଧ୍ୟ ଶିକ୍ଷାର ଉନ୍ନତି ହେବ କୁଆଡ଼ୁ ?

 

ତାଙ୍କ ଦେଶରେ ସହକାରୀ ଶିକ୍ଷକଙ୍କ ଦରମାହାର ନିମ୍ନରେ ଦିଆଗଲା । ପ୍ରଥମେ ବର୍ଷକୁ ୪,୦୦୦ ଟଙ୍କାରୁ ଆରମ୍ଭକରି ପ୍ରତିବର୍ଷ ୨୦୦ ଟଙ୍କା ବଢ଼ି ବଢ଼ି ଶେଷକୁ ୭,୦୦୦ ଟଙ୍କା ପର୍ଯ୍ୟନ୍ତ ଯାଏ । ହେଡ଼ମାଷ୍ଟରଙ୍କ ସର୍ବନିମ୍ନ ଦରମା ହାର ବର୍ଷକୁ ୭୫୦୦ ଟଙ୍କାରୁ ଆରମ୍ଭ କରି ୧୦,୦୦୦ ପର୍ଯ୍ୟନ୍ତ ଯାଇଥାଏ । ଖାଲି ସେତିକି ନୁହେଁ, ବିଶ୍ୱବିଦ୍ୟାଳୟରୁ ବିଶେଷ ଯୋଗ୍ୟତା ଅର୍ଜନ କରିଥିଲେ ବା ଲଣ୍ଡନ ପ୍ରଭୃତି ଖର୍ଚ୍ଚିଆ ସ୍ଥାନରେ ରହିଲେ ବଷକୁ ପ୍ରାୟ ୭୦୦ ଟଙ୍କାଠାରୁ ୧୪୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଭତ୍ତା ପାଇଥାନ୍ତି । ସେହି ଯୋଗ୍ୟତାର ଅନ୍ୟାନ୍ୟ ଚାକିରୀଠାରୁ ଏହା କୌଣସି ଗୁଣରେ କମ ହୋଇ ନ ଥିବାରୁ ଶିକ୍ଷକମାନେ ସୁବିଧାରେ ଚଳିପାରନ୍ତି । ତା ଛଡ଼ା ସବୁ ଶ୍ରେଣୀର ଲୋକେ ଏମାନଙ୍କୁ ଉପଯୁକ୍ତ ଶ୍ରଦ୍ଧା ଓ ସମ୍ମାନ ଦେଖାଇ ଥାଆନ୍ତି । ଶିକ୍ଷକମାନେ ମଧ୍ୟ ଅଭିଭାବକମାନଙ୍କ ସହିତ ଛାତ୍ରଛାତ୍ରୀମାନଙ୍କ ବିଷୟରେ ଅଧିକ ଆଲୋଚନା କରି ସେମାନଙ୍କର ଭବିଷ୍ୟତ କର୍ମପନ୍ଥା ସ୍ଥିର କରି ଥାଆନ୍ତି । ଏଦିଗରେ ବହୁତ ପ୍ରକାର ସୁବିଧା ଦିଆ ହୋଇଥାଏ । ରୁଷିଆରେ ଅଭିଭାବକମାନଙ୍କୁ ଛାତ୍ରସମ୍ପ୍ରଦାୟ ସମ୍ପର୍କରେ ଉପଯୁକ୍ତ ଶିକ୍ଷା ଦେବାଲାଗି ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଅଛି । ଏ ଦେଶରେ ଏତେ ବେଶୀ ସୁବିଧା ନ ଥିଲେ ମଧ୍ୟ ପରସ୍ପର ଭିତରେ ବହୁତ ସହଯୋଗ ଦେଖାଯାଏ ।

 

ଇଂଲଣ୍ଡର ବିଶ୍ୱବିଦ୍ୟାଳୟ ଶିକ୍ଷା ଆମ ଦେଶ ଶିକ୍ଷା ତୁଳନାରେ ଖୁବ୍‌ ଉଚ୍ଚରେ ହେଲେ ସୁଦ୍ଧା ଅନ୍ୟାନ୍ୟ ଦେଶ ତୁଳନାରେ ବହୁତ ପଛରେ ପଡ଼ିଥିବାର ଦେଖାଯାଏ । ଯୁଦ୍ଧ ପୂର୍ବରୁ ଆମେରିକା ଯୁକ୍ତରାଷ୍ଟ୍ରରେ ଜନସଂଖ୍ୟାର ପ୍ରତି ୧୨୫ ଜଣରେ ଜଣେ ବିଶ୍ୱବିଦ୍ୟାଳୟ ଛାତ୍ର । ଫ୍ରାନ୍‌ସରେ ୪୮୦ରୁ ଜଣେ, ଇଟାଲୀରେ ୮୦୮ରୁ ଜଣେ ଏବଂ ଇଂଲଣ୍ଡରେ ୧୦୧୩ ଭିତରୁ ଜଣେ । ଯୁଦ୍ଧ ପରେ ଏହା ବଢ଼ି ପ୍ରତି ୬୦୦ରେ ଜଣେ ବିଶ୍ୱବିଦ୍ୟାଳୟ ଶିକ୍ଷା ପାଉଛି । ଅବଶ୍ୟ ସ୍କଟଲାଣ୍ଡର ଶିକ୍ଷାପ୍ରଣାଳୀ ଇଂଲଣ୍ଡଠାରୁ ଅନେକ ଭଲ । ସ୍କଟଲାଣ୍ଡରେ ପ୍ରାଥମିକ ଶିକ୍ଷା ଯେପରି ଉନ୍ନତ ଧରଣର, ବିଶ୍ୱବିଦ୍ୟାଳୟ ଶିକ୍ଷା ମଧ୍ୟ ସେପରି ଉଚ୍ଚ ଆସନ ଲାଭ କରିଥାଏ । ସ୍କଟଲାଣ୍ଡ ଇଂଲଣ୍ଡଠାରୁ ଗରିବ ହେଲେ ସୁଦ୍ଧା ଇଂଲଣ୍ଡରେ ହଜାରକେ ଜଣେ ବିଶ୍ୱବିଦ୍ୟାଳୟ ଛାତ୍ର ଥିବା ସ୍ଥଳେ ସ୍କଟଲାଣ୍ଡରେ ହଜାରରେ ଦୁଇ ଜଣ । ସ୍କଟଲାଣ୍ଡରେ ବହୁ ବ୍ୟୟସାପେକ୍ଷ ଅକସଫୋର୍ଡ, କେମ୍ବ୍ରିଜ ପରି ବିଶ୍ୱବିଦ୍ୟାଳୟ ନ ଥିବାରୁ ଓ ସେମାନଙ୍କର ବିଶ୍ୱବିଦ୍ୟାଳୟ ଶିକ୍ଷା କମ ଖର୍ଚ୍ଚରେ ସମ୍ଭବ ହୋଇପାରୁଥିବାରୁ ସେଠାକାର ଉଚ୍ଚଶିକ୍ଷା ଇଂରେଜୀ ଶିକ୍ଷାଠାରୁ ଅନେକ ଉଚ୍ଚରେ । ଅନେକ ଗୁଣରେ ଇଂରେଜୀମାନେ ଆମର ଅନୁକରଣୀୟ ହେଲେହେଁ ବିଶ୍ୱବିଦ୍ୟାଳୟ ଶିକ୍ଷାରେ ଆଦୌ ଆଦର୍ଶସ୍ଥାନୀୟ ନୁହନ୍ତି । ଗୋଟିଏ ପ୍ରବାଦ ଅଛି ଯେ, ‘‘Scottish People have a passion for education whereas English people do not mind it’’ ସ୍କଟଲାଣ୍ଡ ଲୋକଙ୍କର ଶିକ୍ଷା ପ୍ରତି ବିଶେଷ ଅନୁରାଗ ଥିବା ସ୍ଥଳେ ଇଂରେଜମାନଙ୍କର ଉଦାସୀନତା ଦେଖାଯାଏ ।

 

କିଛି ଦିନ ତଳେ ଇଂଲଣ୍ଡରେ କଲେଜ ଶିକ୍ଷା ବହୁ ବ୍ୟୟସାପେକ୍ଷ ଥିଲା । ତେଣୁ ସାଧାରଣ ଲୋକେ ତାର ସୁବିଧା ପାଉ ନ ଥିଲେ । ଆଗେ ବୃତ୍ତିସଂଖ୍ୟା ଖୁବ୍‌ କମ ଥିବା ହେତୁ ଯେଉଁମାନଙ୍କର ବହୁତ ପଇସା ଥିଲା ସେହିମାନେହିଁ ଏ ସୁବିଧା ପାଉଥିଲେ । ବର୍ତ୍ତମାନ ସମଗ୍ର ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କ ଭିତରୁ ପ୍ରାୟ ଶତକଡ଼ା ପଚାଶ କୌଣସି ନା କୌଣସି ଦିଗରୁ ବୃତ୍ତି ପାଇଥାନ୍ତି । ସରକାରୀ ବୃତ୍ତି ବର୍ଷକୁ ପ୍ରତି ଛାତ୍ର ପାଇଁ ୧୮୫୦ ଟଙ୍କାଠାରୁ ଆରମ୍ଭ କରି ଖର୍ଚ୍ଚ ବହୁଳ ସ୍ଥାନ ପାଇଁ ୨୩୦୦।୨୪୦୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ଏ ପ୍ରକାର ବୃତ୍ତି ଅଳ୍ପ ଉପାର୍ଜନ କରୁଥିବା ଲୋକଙ୍କର ପିଲାମାନଙ୍କୁ କେବଳ ମିଳିଥାଏ । ତଥାପି ଅନେକ ପ୍ରଗତିଶୀଳ ଲୋକେ ଏ ପ୍ରକାର ଶିକ୍ଷାକୁ ସମାଲୋଚନା କରିଥାନ୍ତି-ସେମାନଙ୍କର ମତରେ ଉପଯୁକ୍ତ ଯୋଗ୍ୟତାର ଲୋକଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଶିକ୍ଷା ସଂପୂର୍ଣ୍ଣ ଅବୈତନିକ ହେବା ଉଚିତ ଓ ସେମାନଙ୍କର ଆଉ ସମସ୍ତ ବ୍ୟୟ ସରକାର ବହନ କରିବା ଉଚିତ ।

 

ସମଗ୍ର ଗ୍ରେଟ ବ୍ରିଟେନରେ ୨୧ଟି ବିଶ୍ୱବିଦ୍ୟାଳୟର ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭୬୭୬୪ ଭିତରୁ ଖାଲି ଲଣ୍ଡନ ବିଶ୍ୱବିଦ୍ୟାଳୟରେ ୧୫,୭୮୯ଜଣ ପଢ଼ନ୍ତି । କେଂବ୍ରିଜ, ଅକସଫୋର୍ଡରେ ମୋଟ ୧୪୪୪୩ ଜଣ ପଢ଼ନ୍ତି, ଅର୍ଥାତ୍‌ ତିନୋଟି ବିଶ୍ୱବିଦ୍ୟାଳୟରେ ୩୦୨୩୨ ଜଣ ଛାତ୍ରଛାତ୍ରୀ-ଅବଶିଷ୍ଟାଂଶ ଅନ୍ୟ ୧୮ଟି ବିଶ୍ୱବିଦ୍ୟାଳୟରେ ପଢ଼ନ୍ତି । ଅନେକଙ୍କ ମତରେ ଏ ପ୍ରକାର ଛାତ୍ରବିଭାଗ ଯୋଗୁ ଅଧିକାଂଶ ବିଶ୍ୱବିଦ୍ୟାଳୟ ଖୁବ ଦୁର୍ବଳ ହୋଇପଡ଼ନ୍ତି; ତେଣୁ ଗବେଷଣା ଓ ଅନ୍ୟାନ୍ୟ ଅନେକ ପ୍ରକାର ଅସୁବିଧା ଦେଖାଯାଏ ।

 

ତଥାପି ଯେତୋଟି ଅନୁଷ୍ଠାନ ଅଛି, ସେମାନଙ୍କର ଶିକ୍ଷାପ୍ରଣାଳୀ, ଛାତ୍ର ଓ ଶିକ୍ଷକମାନଙ୍କ ଲାଗି ଗବେଷଣାର ସୁଯୋଗ ଏବଂ ବାହାରର ଅନ୍ୟାନ୍ୟ ବିଦ୍ୟୋତ୍ସାହୀ ନରନାରୀଙ୍କ ପାଇଁ ସାମୟିକ ଶିକ୍ଷାପଦ୍ଧତି ବଡ଼ ପ୍ରଶଂସନୀୟ । ଗବେଷଣା ଲାଗି ଅନେକ ଖର୍ଚ୍ଚ ହୁଏ । ଛାତ୍ରମାନେ ସେଥିଲାଗି ବୃତ୍ତି ପାଇଥାନ୍ତି ଓ ସେମାନଙ୍କର ଭବିଷ୍ୟତ ଆମ ଛାତ୍ରମାନଙ୍କର ଭବିଷ୍ୟତ ପରି ଅନିଶ୍ଚିତ ନ ଥିବାରୁ ସେମାନେ ଅବାଧରେ ଅନେକ ଦିନ ପର୍ଯ୍ୟନ୍ତ ଗବେଷଣା କାମରେ ନିଯୁକ୍ତ ରହନ୍ତି । ପ୍ରଫେସରମାନେ ମଧ୍ୟ ବହୁତ ଅବସର ପାଇଥାନ୍ତି, ଏ ପ୍ରକାର ଗବେଷଣାରେ ସାହାଯ୍ୟ କରିବା ପାଇଁ । ସବୁ ବିଶ୍ୱବିଦ୍ୟାଳୟ ସରକାରୀ ସାହାଯ୍ୟ ପାଇଲେ ସୁଦ୍ଧା ସରକାରଙ୍କ ଅଧୀନରେ ନ ଥାଏ । କଲେଜରେ ମଧ୍ୟ ବିଭାଗୀୟ ସ୍ୱାଧୀନତା ଖୁବ ବେଶୀ । ଅଧ୍ୟାପକମାନେ ନିଜ ନିଜର ରୁଚି ଅନୁସାରେ ଗବେଷଣା କରିଥାନ୍ତି ଏବଂ ସେମାନଙ୍କ କାମରେ ଉପରୁ ଅଯଥା ହସ୍ତକ୍ଷେପ କରାହୁଏ ନାହିଁ । ଆମ ଦେଶରେ ପ୍ରତ୍ୟେକ ଅଧ୍ୟାପକଙ୍କ ଉପରେ ହଜାରେ ହାକିମ । ପୁଲିସ ବିଭାଗରେ ଯେପରି ଉପର ତଳ ଶ୍ରେଣୀବିଭାଗ ଓ ଶାସନପ୍ରଣାଳୀ ଶିକ୍ଷାବିଭାଗରେ ମଧ୍ୟ ସେହିପରି । ସାମାନ୍ୟ ଗୋଟିଏ କଥାରେ ହଜାରେ ଶେଣାରେ ପାଣି ଉଠେ ଏବଂ ହଜାରେ ଲୋକଙ୍କୁ ସଲାମ ନ ବଜାଇଲେ ଚାକିରୀରେ ଉନ୍ନତି ହୁଏ ନାହିଁ । ତେଣୁ ସବୁଠୁ କମ୍‌ ଶିକ୍ଷା ପାଇଥିବା ଲୋକ ଉପରକୁ ଉପରକୁ ଉଠିଯାନ୍ତି ଖୋସାମତ କରି ଏବଂ ଉପଯୁକ୍ତ ଯୋଗ୍ୟତା ଥିବା ଲୋକ ପଡ଼ି ରହେ, ସଲାମ ବଜାଇବାରେ ହେଳା ଓ ଅପାରଗତା ଯୋଗୁଁ । ଶିକ୍ଷା କ୍ଷେତ୍ରରେ ଏ ପ୍ରକାର ମନୋଭାବ ଭୟଙ୍କର ବିଚାର ଓ ଘୃଣାଜନକ । ଯଦି ଶିକ୍ଷକମାନଙ୍କୁ ଏପରି ବୁରୋକ୍ରାଟିକ ଓ ଖୋସାମତ ପ୍ରିୟ ହେବାକୁ ପଡ଼େ, ତାହେଲେ ଛାତ୍ରସମାଜ ସେମାନଙ୍କଠାରୁ ଶିଖିବେ ବା କଣ ? ତେବେ ବୁଦ୍ଧିଜୀବୀ ଶିକ୍ଷକଶ୍ରେଣୀ ପକ୍ଷରେ ସ୍ୱାଧୀନ ଚିନ୍ତାଧାରା ଓ ଅବାଧ ଗବେଷଣା କିପରି ସମ୍ଭବ ହୋଇପାରେ । ଅବଶ୍ୟ ଦେଶ ସ୍ୱାଧୀନ ହେଲା ପରେ ଏ ପ୍ରକାର ମନୋବୃତ୍ତି କ୍ରମେ କ୍ରମେ ବଦଳିଯିବ ବୋଲି ଆଶା କରାଯାଏ-ଅନେକ କ୍ଷେତ୍ରରେ ତାର ସୂଚନା ମଧ୍ୟ ମିଳୁଛି ।

 

ଏଠାକାର କଲେଜମାନଙ୍କରେ ସ୍ଥାୟୀ ଛାତ୍ରଙ୍କ ଛଡ଼ା ଅନେକ ସାମୟିକ ଛାତ୍ର ମଧ୍ୟ ଯୋଗ ଦେଇଥାଆନ୍ତି । ଅନେକେ ବାହାରର ଛାତ୍ର ହିସାବରେ ପରୀକ୍ଷା ଦେଇ ଡିଗ୍ରୀ ପାଇଥାନ୍ତି । ମୋ ସାଙ୍ଗରେ ଅନେକ ଛାତ୍ର-ଛାତ୍ରୀ ମଝିରେ ମଝିରେ ଆସି ପଢ଼ୁଥିଲେ, ଯେଉଁମାନେ କି ଦିନସାରା ଅନ୍ୟ ଚାକିରୀ କରନ୍ତି ଓ ସନ୍ଧ୍ୟାରେ କିମ୍ୱା ସେମାନଙ୍କ ସୁବିଧା ଅନୁସାରେ ଅନ୍ୟ ସମୟରେ ଆସି କ୍ଳାସରେ ଉପସ୍ଥିତ ହୁଅନ୍ତି କିମ୍ୱା ଗବେଷଣା କରନ୍ତି । ଅନେକେ ଏପରି ଭାବରେ ବିଶେଷ ଶିକ୍ଷା ପାଇଥାନ୍ତି । ମୁଁ ଆଗରୁ କହିଛି ଗ୍ରାମ୍ୟ କଲେଜର ଆଦର୍ଶ ହେଲା ଏ ପ୍ରକାର ଚାକିରିଆମାନଙ୍କ ପାଇଁ ଉଚ୍ଚଶିକ୍ଷାର ବନ୍ଦୋବସ୍ତ କରିଦେବା; ଅର୍ଥାତ୍‌ ଶିକ୍ଷାବିତ୍‌ ତଥା ଦେଶର ସରକାରଙ୍କର ପ୍ରାଣପଣ ଚେଷ୍ଟା ଯେ ଯେଉଁମାନେ କଲେଜକୁ ଆସି ପାରୁନାହାନ୍ତି, ସେମାନଙ୍କ ପାଖକୁ କଲେଜ ଶିକ୍ଷା ନେଇ ପହଞ୍ଚାଇ ଦେବା । କାରଣ ସେମାନେ ବୁଝଛନ୍ତି ଯେ, ଯେଉଁମାନେ କଲେଜକୁ ଆସି ପାରୁନାହାନ୍ତି ସେମାନେ ଯେ ନିଜ ଦୋଷରୁ ଆସୁନାହାନ୍ତି, ତା ନୁହେଁ । ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଉଚ୍ଚଶିକ୍ଷା ସେମାନଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନାହିଁ । ତେଣୁ ଦେଶର ଗଣତାନ୍ତ୍ରିକ ସରକାରର କର୍ତ୍ତବ୍ୟ ଯେ ଯେଉଁମାନଙ୍କର ଝାଳବୁହା ଧନରେ ସାରା ସମାଜ ବଞ୍ଚିରହିଛି, ସେମାନଙ୍କର ଗୋଡ଼ତଳେ ନେଇ ଉଚ୍ଚଶିକ୍ଷାର ସମସ୍ତ ସୁବିଧା ପହଞ୍ଚାଇଦେବା । ଏପ୍ରକାର ଉଦ୍ୟମ ଖୁବ ବେଶି ଆଗେଇ ନ ଥିଲେ ସୁଦ୍ଧା ଯେତେ ଦୂର ସମ୍ଭବ ଚେଷ୍ଟା ଚାଲିଛି-ଶିକ୍ଷା ପ୍ରତି ଏ ପ୍ରକାର ଗଣତାନ୍ତ୍ରିକ ମନୋବୃତ୍ତିହିଁ ଖୁବ ପ୍ରଶଂସନୀୟ । କିନ୍ତୁ ଆମ ଦେଶରେ କଲେଜ ଶିକ୍ଷା ମୁଷ୍ଟିମେୟ ପଇସା ଥିବା ଛାତ୍ରମାନଙ୍କ ଲାଗିହିଁ ସମ୍ଭବ । ଯେଉଁମାନଙ୍କର ପ୍ରବଳ ଉତ୍ସାହ ଓ ଉପଯୁକ୍ତ ବୁଦ୍ଧି ଅଛି, ଅଥଚ ପଇସା ନାହିଁ, ସେମାନଙ୍କ ଲାଗି ବିଶେଷ ସୁବିଧା ନାହିଁ । ଯଦି ଜଣେ ଚାକିରୀ କରି ତାର ଅବସର ସମୟରେ ପଢ଼ାପଢ଼ି କରି କଲେଜ ପରୀକ୍ଷା ଦେବାକୁ ଚାହେଁ, ତାକୁ ବିଶ୍ୱବିଦ୍ୟାଳୟ ଅନୁମତି ଦିଏ ନାହିଁ । ଅନେକ ଉତ୍ସାହୀ ବୁଦ୍ଧିଆ ଛାତ୍ର ପଇସା ଅଭାବରୁ ମାଟ୍ରିକ୍ୟୁଲେସନ ପରେ ଚାକିରୀ କରିଥାଆନ୍ତି, ସେମାନଙ୍କର ଆଉ କୌଣସି ଉପାୟ ନାହିଁ ଉଚ୍ଚଶିକ୍ଷା ପାଇବାରେ । ଏମାନଙ୍କ ପାଇଁ ସନ୍ଧ୍ୟା କ୍ଳାସ ପ୍ରଥା ତ ଆମଦେଶରେ ନାହିଁ । ଯେଉଁଥିରେ ସନ୍ଧ୍ୟା କ୍ଳାସ ଅଛି, ସେଥିପାଇଁ ମଧ୍ୟ ଚାକିରୀ କରୁଥିବା ଲୋକଙ୍କୁ ଅନୁମତି ମିଳେ ନାହିଁ । କିଛି ଦିନ ଆଗେ ଚାକିରୀ କରି ଲୋକେ ଆଇନ ପଢ଼ି ପାରୁଥିଲେ; କିନ୍ତୁ ବର୍ତ୍ତମାନ କେତେକ କ୍ଷେତ୍ରରେ ସେତକ ମଧ୍ୟ ବନ୍ଦ ହୋଇଯାଉଛି ।

 

ଏଠାକାର କଲେଜ ଶିକ୍ଷା ଆମ କଲେଜ ଶିକ୍ଷାଠାରୁ ଅନେକ ଉଚ୍ଚରେ । ଛାତ୍ରମାନେ ଖୁବ୍‌ ଉତ୍ସାହୀ ଓ ପରିଶ୍ରମୀ ଏବଂ ପ୍ରଫେସରମାନେ ମଧ୍ୟ, ଖୁବ୍‌ ନ୍ୟାୟପରାୟଣ ଓ ସୁଯୋଗ୍ୟ । ମାଟ୍ରିକ୍ୟୁଲେସନ୍‌ ପରେ ଯେକୌଣସି ଛାତ୍ର କଲେଜକୁ ଆସେ ନା-ଯେଉଁମାନଙ୍କର ବିଶ୍ୱବିଦ୍ୟାଳୟ ଶିକ୍ଷା ବିଷୟରେ ଉପଯୁକ୍ତ ଆଗ୍ରହ ଅଛି, ସେହିମାନେହିଁ ଆସନ୍ତି । ତେଣୁ ସେମାନଙ୍କର ପଢ଼ାପଢ଼ିରେ ବହୁତ ଉତ୍ସାହ ଥାଏ । ଆମଦେଶରେ ଛାତ୍ରମାନେ ଚାକିରୀ ଉଦ୍ଦେଶ୍ୟରେ କଲେଜକୁ ଆସନ୍ତି, ଯାହାର ପଇସା ଓ ପତିପତ୍ତି ଅଛି, ସେମାନଙ୍କ ପିଲାମାନେ ଯେତେ ଖରାପ ଛାତ୍ର ହେଲେ ମଧ୍ୟ କଲେଜକୁ ଆସିପାରନ୍ତି । ତା ଛଡ଼ା ମାଟ୍ରିକ୍ୟୁଲେସନ ଓ ବି, ଏ, ପାଶ କରିଥିବା ଲୋକଙ୍କ ଭିତରେ ଅର୍ଥ ଉପାର୍ଜନ ଦିଗରେ ଏତେ ତଫାତ୍‌ ହୋଇଥାଏ ଯେ ପଢ଼ିବାରେ ଇଚ୍ଛା ନ ଥିଲେ ସୁଦ୍ଧା ଅନେକେ କଲେଜକୁ ଆସିଥାଆନ୍ତି ଯେକୌଣସି ପ୍ରକାରେ କିଛି ଗୋଟାଏ ପାଶ କରି ବଡ଼ ଚାକିରୀଟାଏ ପାଇବା ଆଶାରେ । ସେଠାରେ ପନ୍ଦର ବର୍ଷ ବୟସରେ ବାଧ୍ୟତାମୂଳକ ପାଠ ଶେଷ କରି ନିଜ ରୁଚି ଅନୁସାରେ ବିଭିନ୍ନ ଦିଗରେ ଯିବାର ସୁବିଧା ଅଛି ଓ ବିଭିନ୍ନ ବିଭାଗର ଦରମାହାରର ତାରତମ୍ୟ ସେତେ ବେଶୀ ନ ଥାଏ; ତେଣୁ ଅଯଥା ପ୍ରତିଯୋଗିତାରେ ଜୀବନର ବହୁମୂଲ୍ୟ ସମୟ ଓ ଶକ୍ତି ନଷ୍ଟ ହୁଏ ନାହିଁ ।

 

ପ୍ରଫେସରମାନଙ୍କ ସାମାଜିକ ସମ୍ମାନ ଓ ଅନ୍ୟାନ୍ୟ ଚାକିରିଆଙ୍କ ତୁଳନାରେ ଆର୍ଥିକ ବୈଷମ୍ୟ ନ ଥିବାରୁ ମନର ଶାନ୍ତି ଓ ସନ୍ତୋଷର ସହିତ କାମ କରିଥାଆନ୍ତି । ଆମ ଦେଶ ପରି ଦିନକୁ ଚାରି ପାଞ୍ଚଘଣ୍ଟା ଚିତ୍କାର କରିବାକୁ ପଡ଼େ ନାହିଁ । ଯଥେଷ୍ଟ ଅବସର ପାଉଥିବାରୁ ପଢ଼ାପଢ଼ି ଓ ଅନ୍ୟାନ୍ୟ ଗବେଷଣା ସମ୍ଭବ ହୋଇପାରେ । ଆମଦେଶରେ ଏପରି କଲେଜ ଅଛି ଯେଉଁଠାରେ ଜଣେ ଅଧ୍ୟାପକ ଆଇ, ଏ, ବି, ଏ, ର ଚାରି କ୍ଳାସର ସବୁ ବିଷୟ ପଢ଼ାନ୍ତି; କାରଣ ପିଲାଙ୍କ ସଂଖ୍ୟା କମ ଥିବାରୁ ହପ୍ତାରେ ତାଙ୍କର ନିର୍ଦ୍ଦିଷ୍ଟ ପିରିଏଡ ସଂଖ୍ୟା ପୂରଣ କରିବାକୁ ହେଲେ ସବୁ କ୍ଳାସରେ ପଢ଼ାଇବା ଦରକାର ପଡ଼େ । ଅନେକ ସମୟରେ ଉପରୁ ଯୁକ୍ତି ହୁଏ ଯେ ହପ୍ତାରେ ୨୦।୨୧ ଘଣ୍ଟା ଯଦି ପଢ଼ାଇପାର ଆଉ ଚାରିଘଣ୍ଟା ପଢ଼ାଇଦେଲେ କ୍ଷତି କ’ଣ ? ମୋ ପ୍ରଫେସର ଯେତେବେଳେ ଶୁଣିଲେ ଯେ ମୁଁ ହପ୍ତାରେ ୨୦।୨୧ ଘଣ୍ଟା ପଢ଼ାଏ, ସେ ଏକାବେଳେକେ ଅବାକ୍‌ ହୋଇ ପଚାରିଲେ-‘ତୁମ ଦେଶରେ କଣ ଏହା ବିଶ୍ୱବିଦ୍ୟାଳୟ ଶିକ୍ଷା ! ତାଙ୍କ ମତରେ ଯେ ୨୧ ଘଣ୍ଟା କଲେଜରେ ପଢ଼ାଏ ସେ କିଛି ପଢ଼ାଏ ନାହିଁ । ସେମାନଙ୍କ ଆଗରେ ଆମ କଲେଜ କଥା କହିବାକୁ ପ୍ରକୃତରେ ଲାଜ ମାଡ଼େ ।

 

ପ୍ରଫେସର ଓ ଛାତ୍ରମାନଙ୍କର ସାଧୁତା ବଡ଼ ପ୍ରଶଂସନୀୟ । ପ୍ରଫେସରମାନେ ରେଜିଷ୍ଟ୍ରି ଖାତା ଧରି ପିଲାଙ୍କର ନାଁ ଡାକନ୍ତି ନାହିଁ । କେତେ ଖଣ୍ଡ ସାଧା କାଗଜ କ୍ଳାସ ବେଞ୍ଚ ଉପରେ ରଖା ଯାଇଥାଏ । ଯେଉଁମାନେ ଆସିଥାଆନ୍ତି, ସେମାନେ ନିଜ ନିଜ ନାଁ ଲେଖି ଛାଡ଼ିଯାନ୍ତି । କେହି ନ ଆସି ବନ୍ଧୁଦ୍ୱାରା ନାଁ ଲେଖାଇବାକୁ ଚେଷ୍ଟା କରେ ନାହିଁ । ସମସ୍ତେ ସ୍ୱେଚ୍ଛାରେ ଆଗ୍ରହର ସହିତ ପଢ଼ିବାକୁ ଆସୁଥିବାରୁ ଏ ପ୍ରକାର ଶଠତାର ଦରକାର ପଡ଼େ ନାହିଁ । ଆମ ଦେଶର ଛାତ୍ରଙ୍କ ପରି ତ ଖାଲି ଚାକିରୀ ଉଦ୍ଦେଶ୍ୟରେ କଲେଜ ଆସି ନ ଥାନ୍ତି, ପ୍ରକୃତ ବିଦ୍ୟାର୍ଜନ ଲାଗି କଲେଜରେ ଭର୍ତ୍ତି ହୋଇଥାନ୍ତି । ପ୍ରଫେସର ଏବଂ ଅନ୍ୟାନ୍ୟ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତାମାନେ ମଧ୍ୟ ବଡ଼ ନିରପେକ୍ଷ ଭାବରେ କର୍ତ୍ତବ୍ୟ କରି ଥାଆନ୍ତି । ଆମ ଦେଶରେ ତ ସବୁ ନିୟମକାନୁନ କୋହଳ ହୋଇଥାଏ, ବ୍ୟକ୍ତିବିଶେଷର ପ୍ରତିପତ୍ତି ଅନୁସାରେ । ଆମ ଶିକ୍ଷାନୁଷ୍ଠାନମାନଙ୍କରେ ଯେପରି ଅନ୍ୟାୟ, ପକ୍ଷପାତ ଓ ଭଦ୍ରଚୋରି ଲାଗି ରହିଛି, ସେଥିରେ ମନ ବିଦ୍ରୋହୀ ହୋଇ ଉଠେ-ଦେଖାଯାଉ ସ୍ୱାଧୀନ ଭାରତର ଯୁବକମାନେ କିପରି ଏହାର ସମାଧାନ କରୁଛନ୍ତି !

•••

 

–ତେର–

ଇଂଲଣ୍ଡର ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସାମାଜିକ ହିତକର କାର୍ଯ୍ୟ

 

ଆମ ଦେଶର ଏକାନ୍ନପରିବାର ଭିତରେ କେହି ଜଣେ ଯଦି ରୋଗରେ ପଡ଼େ କିମ୍ୱା କୌଣସି କାରଣ ଯୋଗୁଁ ଚାକିରୀ ଛାଡ଼ି ଯାଏ, ସେତ ଆଉ ରାସ୍ତାକୁ ଯାଏନା ଭିକ ମାଗିବାକୁ-ତାକୁ ସମସ୍ତେ ସାହାଯ୍ୟ କରିଥାଆନ୍ତି । ଏକ ପରିବାରଭୁକ୍ତ ଥିବାରୁ ପରସ୍ପର ମଧ୍ୟରେ ସହଯୋଗ ଥାଏ । ଏ ପ୍ରକାର ଆଦର୍ଶରେ ଗଣତନ୍ତ୍ର ଶାସନର ଅସଲ ଭିତ୍ତି ପ୍ରତିଷ୍ଠା ହେବା ଉଚିତ । ଇଂଲଣ୍ଡରେ ଗଲା ପଚାଶ ବର୍ଷ ହେଲା ଅନେକ ପ୍ରକାର ନିୟମକାନୁନ ହୋଇ ଆସୁଛି-ବିଧବା, ରୋଗୀ, ଆଘାତପ୍ରାପ୍ତ ଶ୍ରମିକ, ପ୍ରଭୃତି ଅଭାବଗ୍ରସ୍ତ ଲୋକମାନଙ୍କର ସାହାଯ୍ୟ ଲାଗି । କିନ୍ତୁ ପ୍ରଥମେ ପ୍ରଥମେ ଏପ୍ରକାର ସାହାଯ୍ୟ ଶାସକଶ୍ରେଣୀ ତଥା ଉଦାରମନା ବ୍ୟକ୍ତିବିଶେଷ ଧନିକର ଦୟା ଓ ସହାନୁଭୂତି ଉପରେ ନିର୍ଭର କରୁଥିଲା । ଦାନ କରିବା ଲୋକର ବଡ଼ିମା ଓ ଗ୍ରହଣ କରିବା ଲୋକର ହୀନତା ଏପ୍ରକାର ସାହାଯ୍ୟ ଭିତରେ ଲୁଚି ରହିଥିଲା । ବର୍ତ୍ତମାନ ଆମ ଦେଶର ବ୍ୟକ୍ତିବିଶେଷଙ୍କର ଦାନ ପଛରେ ଏପରି ଆତ୍ମଗୌରବ ରହିଛି । କେତେକ ଲୋକଙ୍କୁ ନାନା ଉପାୟରେ ଠକି ଅପର୍ଯ୍ୟାପ୍ତ ଲାଭ କଲାପରେ ସେଥିରୁ କିଛି ସ୍କୁଲ କଲେଜକୁ ଦାନ କରି କିମ୍ୱା ଗୋଟାଏ କୁଷ୍ଠାଶ୍ରମ ବା ବିଧବାଶ୍ରମ, ଧର୍ମଶାଳା କରି ସମାଜରେ ବିଶେଷ ସମ୍ମାନ ପାଇଛନ୍ତି । ଏ ପ୍ରକାର ଦାନ ଯେ ଉଭୟପକ୍ଷକୁ ନୀଚ କରିଦିଏ, ଏଥିରେ ସନ୍ଦେହ ନାହି । ବର୍ତ୍ତମାନ ଇଂଲଣ୍ଡରେ ଯେଉଁସବୁ ସାମାଜିକ ହିତକର କାର୍ଯ୍ୟ ସରକାର ତରଫରୁ ହେଉଛି ସେସବୁ ପଛରେ ଏ ପ୍ରକାର ମାନହାନି ବା ଆତ୍ମଗାରିମାର କୌଣସି ଚିହ୍ନ ନାହିଁ, ଗଣତାନ୍ତ୍ରିକ ମୂଳନୀତି ଅନୁଯାୟୀ ଲୋକଙ୍କର ଅସଲ ଦାବୀକୁ ସ୍ୱୀକାର କରାହେଉଛି ମାତ୍ର । ଏଥିଲାଗି ନବଜାଗ୍ରତ ଶ୍ରମିକ ଓ ଜନସାଧାରଣ ଦାୟୀ । ଧନୀ ଦରିଦ୍ର ନିର୍ବିଶେଷରେ ଏହା ସମାନ ଭାବରେ ସମସ୍ତଙ୍କ ପ୍ରତି ପ୍ରଯୁଜ୍ୟ । ଅବଶ୍ୟ ଧନିକର ଅନ୍ୟର ଝାଳବୁହା ଧନରୁ ଆତ୍ମସାତ ଓ ତତ୍‌ଜନିତ ଆତ୍ମଗାରିମ ବର୍ତ୍ତମାନ ସୁଦ୍ଧା ପୂରାପୂରି ଇଂଲଣ୍ଡରେ ଲୋପ ନ ପାଇଥିଲେ ସୁଦ୍ଧା ଅନେକଟା କମିଯାଇଛି । ସମାଜର ସାର୍ବଜନୀନ ହିତକର କାର୍ଯ୍ୟ ସବୁ ଯେପରି ହେବାର କଥା ବର୍ତ୍ତମାନ ସୁଦ୍ଧା ଏମାନଙ୍କ ଯୋଗୁଁ ସେପରି ସମ୍ପୂର୍ଣ୍ଣଭାବେ ସମାହିତ ହୋଇପାରୁ ନଥିଲେ ମଧ୍ୟ ଯାହା ହେଉଛି, ତାହା ଯେ ଖୁବ୍‌ ପ୍ରଶଂସନୀୟ । ଏଥିରେ ସନ୍ଦେହ ନାହିଁ ।

 

୧୯୪୬ ମସିହାର ସ୍ୱାସ୍ଥ୍ୟ ଆଇନ୍‌ ଅନୁସାରେ ବର୍ତ୍ତମାନ ଇଂଲଣ୍ଡର ସମସ୍ତେ ବିନା ଖରଚରେ ଯେକୌଣସି ଚିକିତ୍ସା ପାଇପାରିବେ, ପ୍ରତ୍ୟେକେ ଜଣେ ଡାକ୍ତର ପାଖରେ ନିଜର ନାଁ ଲେଖାଇଲା ପରେ ଯେତେବେଳେ ଯାହା ହେବ ସେ ଡାକ୍ତରଠାରୁ ବିନାମୂଲ୍ୟରେ ପାଇ ପାରିବେ । ଔଷଧ ପତ୍ରଠୁ ଆରମ୍ଭ କରି ଚଷମା ଦାନ୍ତବନ୍ଧା ପର୍ଯ୍ୟନ୍ତ ସମସ୍ତ ଜିନିଷ ମାଗଣା ପାଇବେ । ଖୁବ୍‌ ବଡ଼ ବଡ଼ ଅପରେଶନ ମଧ୍ୟ ସଙ୍ଗେ ସଙ୍ଗେ ବଡ଼ଡାକ୍ତରଖାନାରେ ବିନାଖରଚରେ ସମ୍ଭବ ହୋଇପାରିବ । ଏକ୍‌ସରେ, ମଳ, ମୂତ୍ର, ରକ୍ତପରୀକ୍ଷା, ରେଡ଼ିୟେମ, ପେନିସିଲିନ୍‌ ପ୍ରଭୃତି ବହୁ ବ୍ୟୟସାପେକ୍ଷ ଚିକିତ୍ସା ଯେକୌଣସି ଲୋକ ପକ୍ଷରେ ବର୍ତ୍ତମାନ ସମ୍ଭବ । କିଛି ଦିନ ଭିତରେ ପ୍ରତ୍ୟେକ ପଡ଼ାରେ ଗୋଟିଏ ସ୍ୱାସ୍ଥ୍ୟ ନିବାସ ତିଆରି ହେବ ଏବଂ ସେଥିରେ ଚିକିତ୍ସା, ପଢ଼ିବାଘର, ପୁସ୍ତକାଗାର ପ୍ରଭୃତିର ସବୁପ୍ରକାର ବନ୍ଦୋବସ୍ତ କରାଯିବ । ସ୍ୱାସ୍ଥ୍ୟ ବିଷୟରେ ନିୟମିତ ଭାବରେ ବକ୍ତୃତା ଓ ସିନେମା ପ୍ରଭୃତି ସାହାଯ୍ୟରେ ପ୍ରଚାର କାର୍ଯ୍ୟ ମଧ୍ୟ ସମ୍ପାଦିତ ହେବ । ଏପ୍ରକାର ବ୍ୟବସ୍ଥା ହେଲେ ଲୋକେ ଯେ ଖାଲି ସ୍ୱାସ୍ଥ୍ୟସମ୍ପନ୍ନ ହୋଇ ଅନେକ ଦିନ ବଞ୍ଚିପାରିବେ ତା ନୁହେଁ, ରୋଗସଂଖ୍ୟା ବି କମିଯିବ । ପଇସା ଅଭାବରୁ ଲୋକ ଡାକ୍ତର ପାଖକୁ ନ ଯାଇପାରି ଦେହରେ ରୋଗ କିଛିଦିନ ମାରିନିଅନ୍ତି-ନିହାତି ବେଶୀ ହେଲେ ଯାଇ ଡାକ୍ତରପାଖକୁ ଯାଆନ୍ତି । ସେତେବେଳକୁ ରୋଗ ଏପରି ବଢ଼ିଯାଇଥାଏ ଯେ ଡାକ୍ତରକୁ ଯେତିକି ପରିଶ୍ରମ କରିବାକୁ ହୁଏ, ରୋଗୀର ମଧ୍ୟ ସେତିକି ବେଶୀ ଖରଚ ହୋଇଥାଏ । ବର୍ତ୍ତମାନ ଅବସ୍ଥାରେ ସାମାନ୍ୟ ଟିକିଏ କିଛି ହେଲାକ୍ଷଣି ଡାକ୍ତର ସାହାଯ୍ୟ ନେଲେ ରୋଗ ଆଉ ଜଟିଳ ହୋଇ ପାରିବ ନାହିଁ । ତେଣୁ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ିପାରେ; କିନ୍ତୁ ମାରାତ୍ମକ ରୋଗସଂଖ୍ୟା ନିଶ୍ଚୟ କମିଯିବ । ଏ ପ୍ରକାର ବ୍ୟବସ୍ଥା ଆରମ୍ଭ ହେବାର ଛମାସ ଭିତରେ ପ୍ରାୟ ୩୦ ଲକ୍ଷ ଚଷମା ଦରକାର ପଡ଼ିଛି । ଡାକ୍ତରଙ୍କ ମତରେ ଅଧିକାଂଶ ଲୋକେ ଭୁଲ ଚଷମା ଲଗାଉଥିଲେ-ଅନେକଙ୍କର ଆଖି ଖୁବ୍‌ ଖରାପ ଅବସ୍ଥାରେ ଥିଲେ ସୁଦ୍ଧା ସେମାନେ ପଇସା ଅଭାବରୁ ଚଷମା ଲଗାଇ ପାରୁ ନ ଥିଲେ । କିନ୍ତୁ କ୍ରମେ କ୍ରମେ ଏମାନଙ୍କ ସଂଖ୍ୟା ଯେ କମିଯିବ ଏଥିରେ ସନ୍ଦେହ ନାହିଁ । ଖାଲି ଶାରୀରିକ ବ୍ୟାଧି ଲାଗି ଯେ ଏପ୍ରକାର ବ୍ୟବସ୍ଥା ଅଛି ତା ନୁହେଁ, ମାନସିକ ବିକାର ଲାଗି ମଧ୍ୟ ସବୁପ୍ରକାର ବନ୍ଦୋବସ୍ତ ବିନା ଖରଚରେ ହୋଇପାରିବ । ମୋ ପଡ଼ିଶାଘରେ ଗୋଟିଏ ମାନସିକ ବିକାରଗ୍ରସ୍ତା ସ୍ତ୍ରୀକୁ ଉପଯୁକ୍ତ ସ୍ୱାସ୍ଥ୍ୟନିବାସକୁ ପଠାଇବା ପାଇଁ ମୁଁ ଚେଷ୍ଟା କରିଥିଲି । ମୁଁ ଫୋନ କଲାକ୍ଷଣି ସଙ୍ଗେ ସଙ୍ଗେ ସମସ୍ତ ଠିକଣା ଟିପି ନେଲେ ଏବଂ ପ୍ରାୟ ଦୁଇଘଣ୍ଟା ଭିତରେ ଦୁଇଜଣ ନର୍ସ ଆସି ପହଞ୍ଚିଲେ, ରୋଗୀ ଓ ତାର ଘରର ଆର୍ଥିକ ଅବସ୍ଥା ପ୍ରଭୃତି ବିଷୟରେ ସମସ୍ତ ବିବରଣ ସଂଗ୍ରହ କରିବା ପାଇଁ । ରୋଗୀର ଆର୍ଥିକ ଅବସ୍ଥା ଭଲ ନ ଥିଲେ ତା ଉପରେ ନିର୍ଭର କରୁଥିବା ଲୋକଙ୍କୁ ସାହାଯ୍ୟ ମିଳିବାର ବନ୍ଦୋବସ୍ତ ଅଛି । ତା ପରଦିନ ଗାଡ଼ିରେ ରୋଗୀକୁ ଗୋଟିଏ ଚମତ୍କାର ସ୍ୱାସ୍ଥ୍ୟନିବାସରେ ନେଇ ରଖାଇ ଦିଆଗଲା । ଏତେ ଚମତ୍କାର ସ୍ୱାସ୍ଥ୍ୟନିବାସ ଦେଖି ମୁଁ ଏକାବେଳକେ ମୁଗ୍‌ଧ ହୋଇଗଲି । ଆମ ଦେଶର ରାଜରାଜୁଡ଼ା ନଅର ମଧ୍ୟ ଏତେ ଚକ୍‌ ଚକ ଓ ଏତେ ଜାକଜମକ ହୋଇ ନ ଥିବ । ଚାରିଆଡ଼େ ଫୁଲ ଓ ଫଳର ବଗିଚା-ପ୍ରତ୍ୟେକ ରୋଗୀ ପାଇଁ ଟେବୁଲ ଉପରେ ଫୁଲତୋଡ଼ା-ପ୍ରତ୍ୟେକ ରୋଗୀ ପାଇ ନର୍ସ-ଖାଇବା ପାଇଁ ଚମତ୍କାର ବ୍ୟବସ୍ଥା-ପିଆନୋ, ରେଡ଼ିଓ ଓ ଟେଲିଭିଜନ ରୋଗୀମାନଙ୍କ ପାଇଁ-ନାଚିବା ପାଇଁ ଚକ୍‌ ଚକ୍‌ କରୁଥିବା ବିରାଟ ହଲ । ମୋର ମନେ ହେଲା ବିନା ଚିକିତ୍ସାରେ ତ ରୋଗୀ ଏପ୍ରକାର ପରିସ୍ଥିତିରେ ଅଧେ ଭଲ ହୋଇଯିବ । ମନେ ମନେ ଭାବିଲି ଆମେ କେତେ ତଳେ ପଡ଼ିଛୁ-ଆମ ଦେଶର ଡାକ୍ତରଖାନାର କି ବୀଭତ୍ସ ଦୃଶ୍ୟ, କି କଦର୍ଯ୍ୟ ବ୍ୟବହାର-କି ଭୟଙ୍କର ଆବହାଓ୍ୱା । ସୁସ୍ଥଲୋକ ମଧ୍ୟ ଆମ ଦେଶର ତଥାକଥିତ ସ୍ୱାସ୍ଥ୍ୟନିବାସରେ ରୋଗୀ ହୋଇ ପଡ଼ିବ-ନର୍ସ ଡାକ୍ତରଙ୍କର କି କଦର୍ଯ୍ୟ ବ୍ୟବହାର-ରୋଗୀ ଚିତ୍କାର କରୁଛି-ନର୍ସ ଡାକ୍ତର ସହିତ ଥଟ୍ଟା ପରିହାସ କରୁଛି-ଡାକ୍ତରର ସାଧାରଣ ରୋଗୀକୁ ବଡ଼ ବେଖାତର । ରୋଗୀର ଖାଦ୍ୟରୁ ଅନେକ ସମୟରେ ଡାକ୍ତର ଓ କଣ୍ଟ୍ରାକଟରମାନେ ମଧ୍ୟ କିଛି ଲାଭ କରି ନିଅନ୍ତି । ହାୟରେ ଅଭାଗା ଦେଶ-ତୋର ଉନ୍ନତି କଣ ଏ ଯୁଗରେ ସମ୍ଭବ ନୁହେଁ ।

 

ଏ ଦେଶରେ ରୋଗୀମାନଙ୍କ ପାଇଁ ଯେପରି ସୁବ୍ୟବସ୍ଥା ଅଛି ସ୍ୱାସ୍ଥ୍ୟବାନ ନରନାରୀ ତିଆରି କରିବାରେ ମଧ୍ୟ ଅକ୍ଳାନ୍ତ ପରିଶ୍ରମ କରା ହେଉଛି । ମାତୃମଙ୍ଗଳ କେନ୍ଦ୍ରରେ ନବପ୍ରସୂତ ଶିଶୁ ବିଷୟରେ ସମସ୍ତ ପ୍ରକାର ପରାମର୍ଶ ଓ ତାର ଉପଯୁକ୍ତ ଖାଦ୍ୟ ବିନାମୂଲ୍ୟରେ କିମ୍ୱା ସାମାନ୍ୟ କିଛି ପଇସା ନେଇ ଦିଆଯିବାର ବନ୍ଦୋବସ୍ତ ହୋଇଛି । କଡ଼୍‌ମାଛ ତେଲ, ଅଣ୍ଡା, କମଳା ରସ ପ୍ରଭୃତି ପୁଷ୍ଟିକର ଖାଦ୍ୟ ଏମାନଙ୍କ ଲାଗି ଦିଆହୁଏ । ତେଣୁ ଗତ ଦୁଇ ତିନି ବର୍ଷ ଭିତରେ ଇଂଲଣ୍ଡରେ ଶିଶୁମୃତ୍ୟୁ ସବୁଠୁ କମ୍‌ ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଖୁବ୍‌ ଭଲ । ଖାଦ୍ୟ ଅଫିସରୁ ଗର୍ଭବତୀ ସ୍ତ୍ରୀ ପିଲା ଜନ୍ମ ପୂର୍ବରୁ ଓ ପରେ ଅନେକ ଦିନ ଧରି ବିଶେଷ ରେସନ କାର୍ଡ଼ ପାଇଥାଏ-ଅଣ୍ଡା-ଦୁଧ ପ୍ରଭୃତି ପୁଷ୍ଟିକାରକ ଖାଦ୍ୟ ତାକୁ ସର୍ବପ୍ରଥମେ ଯୋଗାଇ ଦିଆହୁଏ ।

 

ତାଙ୍କ ଦେଶରେ ସଂକ୍ରାମକ ରୋଗ ନାହିଁ କହିଲେ ଚଳେ । ଆମ ଦେଶରେ ଯେପରି ହଇଜା, ବସନ୍ତ, ଟାଇଫଏଡ ଓ ମେଲେରିଆ ଅନବରତ ଲାଗି ରହିଛି ସେଠାରେ କୌଣସି ରୋଗକୁ ଏପରି ଭାବରେ କ୍ରମାଗତ ସମାଜର ରକ୍ତ ଶୋଷଣ କରିବାକୁ ଦିଆହୁଏ ନାହିଁ । ପ୍ରାୟ ପଚାଶ ବର୍ଷ ତଳେ ଇଂଲଣ୍ଡରେ ମଧ୍ୟ ହଇଜା, ବସନ୍ତ, ଟାଇଫଏଡ ଓ ପ୍ଳେଗ ଖୁବ୍‌ ବ୍ୟାପକ ଭାବରେ ଦେଖା ଦେଉଥିଲା; କିନ୍ତୁ ଖାଦ୍ୟ ପେୟ ଓ ପ୍ରତିଷେଧକ ଇଞ୍ଜେକସନ ପ୍ରଭୃତି ସାହାଯ୍ୟରେ ଏପରି ଭାବରେ ସେସବୁ ଆୟତ୍ତ କରା ହୋଇ ପାରିଛି ଆଜିକାଲି ଏସବୁ ରୋଗ ଆଦୌ ନାହିଁ । ଉପରୋକ୍ତ ସଂକ୍ରାମକ ରୋଗସବୁକୁ ଯେ ମଣିଷ ଏକାବେଳେ ନିର୍ମୂଳ କରି ଦେଇପାରେ ଏହା ତାହାର ପ୍ରମାଣ । ବ୍ୟକ୍ତିବିଶେଷ ଅପେକ୍ଷା ଦେଶର ସରକାର ଏସବୁ ରୋଗ ପାଇଁ ସମ୍ପୂର୍ଣ୍ଣ ଦାୟୀ । ପାଣି, ଖାଦ୍ୟ, ପଚାନାଳ ପ୍ରଭୃତି କତୋଟି ଜିନିଷ ଆୟତ୍ତ କରି ନେଲେ ଅନେକ ରୋଗ ଲୋପ ପାଇଯିବ । ଆମ ଦେଶର ପଚାନାଳ ଦୁର୍ଗନ୍ଧ ଖୋଲା ପାଇଖାନା ପରିବେଷ୍ଟିତ ଘରେ ରହି ମାଛି ଭଣ ଭଣ ବସୁଥିବା ପଚାନାଳ କଡ଼ ଜଳଖିଆ ଦୋକାନରେ ଖାଇ, ଗୋରୁ, ମହିଁଷି ଗାଧୋଉଥିବା ପୋଖରୀରୁ ପାଣି ପିଇ ଆମେମାନେ ଯେ କିପରି ବଞ୍ଚି ରହିଛୁ ସେଇୟା ଭାବିଲେ ଆଶ୍ଚର୍ଯ୍ୟ ଲାଗେ-। ଅବଶ୍ୟ ଯେପରି ଭାବରେ ବଂଚି ରହିଛୁ ତାହା ସମସ୍ତେ ଅନୁଭବ କରୁଛୁ । ବାହାରୁ ଆସୁଥିବା ପାଉଡ଼ର କ୍ରିମ ଅତର ପ୍ରଭୃତି ବିଳାସସାମଗ୍ରୀ ଓ ଚକ୍‌ଚକ୍‌ ଆମେରିକାନ ମଟର ତ ବଜାରରେ ଅଭାବ ନାହିଁ ।

 

ରୋଗ ନ ହେବା ପାଇଁ ପ୍ରତିଶେଧମୂଳକ ବ୍ୟବସ୍ଥା ଓ ରୋଗ ହେଲା ପରେ ସୁଚିକିତ୍ସାର ବନ୍ଦୋବସ୍ତ କରିଦେଲେ ଯଥେଷ୍ଟ ହେବ ନାହିଁ । ଲୋକମାନଙ୍କର ଆର୍ଥିକ ଉନ୍ନତି ହେବା ଉଚିତ । ସେଥିଲାଗି ମଧ୍ୟ ଯଥାସମ୍ଭବ ବ୍ୟବସ୍ଥା କରା ହୋଇଛି । ଇଂଲଣ୍ଡର ଲୋକେ ୧୯୨୯-୧୯୩୨ର ବ୍ୟବସାୟ ଓ ଉତ୍ପାଦିତ ବସ୍ତୁର ମୂଲ୍ୟହ୍ରାସଜନିତ ଯେଉଁ ବିରାଟ ବେକାର ସମସ୍ୟା ଦେଖା ଦେଇଥିଲା ତାହା ଭୁଲି ପାରିନାହାନ୍ତି । ଲକ୍ଷ ଲକ୍ଷ ଲୋକ କାମ ନପାଇ ଘରଦ୍ୱାର ଛାଡ଼ି ହାହାକାର ହୋଇ ବୁଲୁଥିଲେ । ପୁଞ୍ଜିପତି ଦେଶମାନଙ୍କରେ ଏହା ଗୋଟିଏ ଚିରନ୍ତନ ବ୍ୟାଧି । ବର୍ତ୍ତମାନର ଶ୍ରମିକ ସରକାର ପ୍ରାଣପଣେ ଚେଷ୍ଟା କରୁଛି ଯେ ସେ ଅବସ୍ଥା ଯେପରି ଆଉ ଥରେ ଦେଖା ନ ଦିଏ-। ବର୍ତ୍ତମାନର ଅର୍ଥନୈତିକ ପରିସ୍ଥିତିରେ-ଆମେରିକାରେ ପୁଞ୍ଜିପତିଙ୍କ ଉପରେ ନିର୍ଭର କରି ତାହା କେତେ ଦୂର ସମ୍ଭବ ହେବ କହି ହେବ ନାହିଁ । ତେବେ ଯୁଦ୍ଧ ପରେ ସେମାନେ ପ୍ରତ୍ୟେକ କାର୍ଯ୍ୟକ୍ଷମ ଲୋକକୁ କାମ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି-ଯଦି କେହି କାମ ନ ପାଏ ସେଥିଲାଗି ହପ୍ତାକୁ ୧୬ଟଙ୍କା କରି ଅକର୍ମା ଭତ୍ତାର ମଧ୍ୟ ବନ୍ଦୋବସ୍ତ ହୋଇଛି । ଅର୍ଥାତ କେହି ଯେପରି କାମ ନ ପାଇ ଅଭାବଗ୍ରସ୍ତ ନ ହୁଏ ସେଥିପ୍ରତି ତୀକ୍ଷ୍‍ଣ ଦୃଷ୍ଟି ଦିଆହେଉଛି କିମ୍ୱା କାମ କରିବା ସମୟରେ ଯଦି କେହି କୌଣସି ପ୍ରକାର ଆଘାତ ପ୍ରାପ୍ତ ହୁଏ, ତାହେଲେ ସେ ମଧ୍ୟ ବିଶେଷ ଭତ୍ତା ପାଏ । ପୁରୁଷ ମାନେ ବ୬୫ର୍ଷ ବୟସରେ ଓ ସ୍ତ୍ରୀମାନେ ବ୬୦ର୍ଷ ବୟସରେ ବୃଦ୍ଧ ବୟସ ଭତ୍ତା ପାଇଥାଆନ୍ତି । ଜଣକୁ ହପ୍ତାରେ ପ୍ରାୟ ୧୮ଟଙ୍କା, ସ୍ୱାମୀସ୍ତ୍ରୀ ଉଭୟଙ୍କୁ ହପ୍ତାରେ ୨୮ଟଙ୍କା କରି ପେନସନ ମିଳିଥାଏ । ତା ଛଡ଼ା ଗର୍ଭବତୀ ସ୍ତ୍ରୀକୁ ଏକକାଳୀନ ପ୍ରାୟ ୫୩ଟଙ୍କା ଓ ପ୍ରାୟ ତେର ହପ୍ତା ପର୍ଯ୍ୟନ୍ତ ହପ୍ତାକୁ ୨୪ ଟଙ୍କା କରି ଦିଆହୁଏ ।

 

ବିଧବା ସ୍ତ୍ରୀ ପାଇଁ ମଧ୍ୟ ହପ୍ତାକୁ ୧୮ଟଙ୍କା କରି ଭତ୍ତା ମିଳିଥାଏ । କାମକରୁଥିବା ଲୋକର କ୍ରମେ କ୍ରମେ ପରିବାର ବୃଦ୍ଧି ଯୋଗୁ ଆର୍ଥିକ ଅସୁବିଧା ହେବାର ସଂଭାବନା-ତଦ୍ଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟହାନି ମଧ୍ୟ ଘଟିପାରେ; ତେଣୁ ପ୍ରଥମ ସନ୍ତାନ ଛଡ଼ା ପ୍ରତ୍ୟେକ ସନ୍ତାନ ପାଇଁ ହପ୍ତାକୁ ପ୍ରାୟ ଟ ୫।୬ ଅଧିକ ଭତ୍ତା ମିଳିଥାଏ । ଶିକ୍ଷା, ଚିକିତ୍ସା ପ୍ରଭୃତି ସବୁ ବିନା ଖରଚରେ ହୋଇ ପାରୁଥିବାରୁ ଓ ସେମାନଙ୍କର ଖାଦ୍ୟପେୟ ପାଇଁ ଅଧିକା ଭତ୍ତା ମିଳୁଥିବାରୁ ପିତାମାତାଙ୍କର କୌଣସି ଅଭାବ ଅସୁବିଧା ହୁଏ ନାହିଁ । ଏ ପ୍ରକାର ସୁବିଧା ଦେଶର ଯେକୌଣସି ଲୋକ ପାଇପାରିବ । ତେଣୁ ଆମ ଦେଶ ପରି ସାମାଜିକ ଜୀବନର ଅନିଶ୍ଚିତତା ଓ ତା ସାଙ୍ଗେ ସାଙ୍ଗେ ନାନାପ୍ରକାର ବ୍ୟକ୍ତିଗତ ତ୍ରୁଟି ଓ ଅସାମାଜିକ ଉଚ୍ଛୃଙ୍ଖଳତା ଦେଖାଯାଏ ନାହିଁ । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଶିକ୍ଷା, ଚିକିତ୍ସା, କାମ କରିବାର ସୁବିଧା ଓ କାମ ନ କରି ପାରିଲେ ମଧ୍ୟ ଜୀବନଧାରଣ କରିବାର ଉପାୟ ସମସ୍ତଙ୍କ ପାଇଁ ସମାନ ଭାବରେ ଏବଂ ସବୁପ୍ରକାର ଅବସ୍ଥାରେ ଖଞ୍ଜିବା ଏମାନଙ୍କର ଲକ୍ଷ୍ୟ ।

 

ଖାଇବା ପିଇବା, କାମ କରିବା, ପାଠପଢ଼ିବା ଛଡ଼ା ତ ଫେରେ ରହିବା ପାଇଁ ଘରର ଆବଶ୍ୟକ । ଯୁଦ୍ଧ ସମୟରେ ଅନେକ ଘର ଭାଙ୍ଗି ଯାଇଛି ଓ ତାପୂର୍ବରୁ ଜାଠଦଳର ରାଜତ୍ଵରେ ଅନେକ ଶ୍ରମିକ ବଡ଼ ଖରାପ ଘରରେ ବାସ କରୁଥିଲେ । ସେମାନଙ୍କ ପାଇଁ ଉପଯୁକ୍ତ ଘର ତିଆରି କରିବା ଶ୍ରମିକ ସରକାରର ଆଉ ଗୋଟିଏ ଉଦ୍ଦେଶ୍ୟ । ସେଥିଲାଗି ଘର ତିଆରି ବ୍ୟବସାୟ ଜାତୀୟ ବ୍ୟବସାୟରେ ପରିଣତ କରାହୋଇଛି । ସେଥିଲାଗି ଜାଠଦଳ ଲୋକଙ୍କର ଖୁବ ରାଗ । ସେମାନଙ୍କର ଇଚ୍ଛା ଯେ ଧନୀମାନେ ଇଚ୍ଛାନୁସାରେ ଘର ତିଆରି କରି ଲୋକମାନଙ୍କୁ ଭଡ଼ା ଦିଅନ୍ତୁ ଏବଂ ଘର ତିଆରି ବ୍ୟବସାୟ ବ୍ୟକ୍ତି ବିଶେଷର ଏକଚାଟିଆ ବ୍ୟବସାୟ ରୂପେ ରହୁ । ଘରର ଆବଶ୍ୟକତା ଦୃଷ୍ଟିରୁ ସରକାର ଏହାକୁ ହସ୍ତଗତ କରିଛନ୍ତି-ତେବେ ଶ୍ରମିକ ସରକାରର ରାଜନୈତିକ ରକ୍ଷଣଶୀଳତା ଓ ଆହୁରି କେତେକ ତ୍ରୁଟି ଯୋଗୁ ଏହା ଖୁବ୍‌ ବେଶୀ କାମ ଦେଇପାରୁନାହିଁ । ତଥାପି ଯୁଦ୍ଧପରଠାରୁ ପ୍ରାୟ ସାଢ଼େ ସାତ ଲକ୍ଷ ଘର ଇଂଲଣ୍ଡରେ ତିଆରି ହୋଇପାରିଛି । ଘର ତିଆରି ଓ ଅନ୍ୟାନ୍ୟ ସାମାଜିକ ହିତକର କାର୍ଯ୍ୟ ସବୁ ଯାହାକି ପୂର୍ବେ ବର୍ଣ୍ଣନା କରା ହୋଇଛି-ଆହୁରି ଭଲ ଭାବରେ କରାଯାଇପାରନ୍ତା ଯଦି ଇଂଲଣ୍ଡ ଆମେରିକା ସାଙ୍ଗରେ ପଡ଼ି ଭବିଷ୍ୟତ ଯୁଦ୍ଧ ପାଇଁ ଏତେ ବେଶୀ ଖର୍ଚ୍ଚ ନ କରନ୍ତା । ଯୁଦ୍ଧ ପରେ ଇଂଲଣ୍ଡର ଏପରି କିଛି ସ୍ୱଚ୍ଛଳ ଅବସ୍ଥା ନାହିଁ ଯେ ଉଭୟ କାମ ଏକା ସାଙ୍ଗେ କରିପାରିବ । ତେଣୁ ଯଦିଚ ଉପରୋକ୍ତ ଜନହିତକର କାର୍ଯ୍ୟାବଳୀ ଖୁବ୍‌ ପ୍ରଶଂସନୀୟ ତଥାପି ବୈଦେଶିକ ନୀତି ଓ ଅନ୍ୟାନ୍ୟ ରାଜନୈତିକ ଭୁଲ କ୍ରମେ କ୍ରମେ ଏତେ ବେଶୀ ଉତ୍କଟ ହୋଇପଡ଼ୁଛି ଯେ ହୁଏତ ଖୁବ୍‌ ନିକଟରେ ସେସବୁ ଭୁଷୁଡ଼ି ପଡ଼ିବ । ଶ୍ରମିକ ସରକାରର ଘରୋଇ ନୀତି ଓ ବାହାର ନୀତି ଭିତରେ ଖୁବ୍‌ ବୈଷମ୍ୟ ରହିଛି ସାମ୍ୟବାଦ ପ୍ରତିଷ୍ଠା କରିବା ଘରୋଇ ନୀତି ହେଲେ ସୁଦ୍ଧା ପୁଞ୍ଜିପତିମାନଙ୍କ କଳାକୌଶଳ ଦୃଢ଼ଭାବରେ ଏଡ଼ି ଚାଲିବା ଏମାନଙ୍କ ପକ୍ଷରେ ସଂଭବ ହେଉନାହିଁ । ଫେଡ଼େରେଶନ ଅଫ୍‌ ବ୍ରିଟିସ୍‌ ଇଣ୍ଡଷ୍ଟ୍ରିଜ୍‌ (Federation of British Industries) ପରି ପୁଞ୍ଜିପତି ଅନୁଷ୍ଠାନର ଖୁବ୍‌ ବେଶୀ ପ୍ରଭାବ ରହିଛି । ତେଣୁ ଏସବୁ ସାମାଜିକ କାର୍ଯ୍ୟ କେତେ ଦୂର ସୁରୁଖୁରୁରେ ଚାଲି ପାରିବ ଦେଖିବାର ବାସନା ରହିଲା ।

•••

 

–ଚଉଦ–

ଖବରକାଗଜ

 

ବିଲାତରେ ଖବରକାଗଜ ଗୋଟିଏ ପ୍ରଧାନ ବ୍ୟବସାୟ । ସମସ୍ତେ ଚଉଦ ପନ୍ଦରବର୍ଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଶିକ୍ଷା ପାଇଥିବାରୁ ଖବରକାଗଜ ପଢ଼ିବାରେ ଅସୁବିଧା ହୋଇ ନ ଥାଏ । ଜଣାଯାଏ ଯେ ଶତକରା ନବେ ପଞ୍ଚାନବେ ଲୋକ ଖବରକାଗଜ କିଣନ୍ତି । ଅର୍ଥାତ୍‌ ଗୋଟିଏ ପରିବାର ଏକାଧିକ କାଗଜ କିଣିଥାଆନ୍ତି । କାମ ଶେଷକରି ସନ୍ଧ୍ୟାରେ ଘରକୁ ଫେରି ଆସିଲା ବେଳକୁ ସମସ୍ତଙ୍କ ହାତରେ ଖଣ୍ଡେ ଦି ଖଣ୍ଡ କାଗଜ ଦେଖାଯାଏ । ଗୋଟିଏ ରେଲ ଡବାରେ ହୁଏତ ଶହେ ଜଣ ଭର୍ତ୍ତି ହୋଇଥିବେ ଅଥଚ ସମସ୍ତେ ଖବରକାଗଜ ଖୋଲି ବସିଛନ୍ତି କିବା ଠିଆ ହୋଇଛନ୍ତି । ଅମିଳାପୀ ଉଦାସୀନ ଇଂରେଜମାନଙ୍କର ଖବରକାଗଜ ଯେପରି ଗୋଟିଏ ମସ୍ତବଡ଼ ଅବଲମ୍ୱନ ହୋଇ ପଡ଼ିଥାଏ । ଅବଶ୍ୟ ଅଧିକାଂଶ ସଂଧ୍ୟାକାଗଜର ଉପର ପୃଷ୍ଠାର ଖବର ପ୍ରାୟ ସମାନ ହୋଇଥିଲେ ହେଁ ଅନେକେ ଦୁଇ ତିନିଟା କରି କିଣିଥାଆନ୍ତି; କାରଣ ଭିତରେ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ଅର୍ଦ୍ଧଲଗ୍ନ ନାରୀ, ଅତ୍ୟାଚାରୀ ଦଂପତିଙ୍କର ବିଭତ୍ସ ଛାଡ଼ପତ୍ର କାହାଣୀ, ବରୋଦା ମହାରାଜାଙ୍କର ୧୦ ଲକ୍ଷ ଟଙ୍କାର ଘୋଡ଼ା ଓ ତାଙ୍କ ସ୍ତ୍ରୀଙ୍କର ଚକ୍‌ ଚକିଆ ଶାଢ଼ୀର ଧଡ଼ି ପ୍ରଭୃତି ବିବରଣୀ ବିଭିନ୍ନ କାଗଜରେ ଭିନ୍ନ ଭିନ୍ନ ପ୍ରକାରେ ଆଲୋଚିତ ହୋଇଥାଏ ।

 

ଆଧୁନିକ ସମାଜରେ ଗଣଶିକ୍ଷା ଲାଗି ଖବରକାଗଜର ପ୍ରସାର ନିହାତି ଆବଶ୍ୟକ-ସାରା ଦେଶର ମତାମତ ବୈଜ୍ଞାନିକ ପ୍ରଣାଳୀରେ ଗଢ଼ିବାକୁ ଖବରକାଗଜ ବହୁତ ସାହାଯ୍ୟ କରିଥାଏ । ଯେତେବେଳେ ବିଭିନ୍ନ ବୈଜ୍ଞାନିକ ଆବିଷ୍କାର ଓ ଶିଳ୍ପବାଣିଜ୍ୟର ପ୍ରସାର ଯୋଗୁଁ ସାରା ପୃଥିବୀ ସମୟ ଓ ସ୍ଥାନ ଦୃଷ୍ଟିରୁ ସଂକୀର୍ଣ୍ଣ ହୋଇପଡ଼ିଛି, ସେତେବେଳେ ସାରା ପୃଥିବୀର ଖବର ଖୁବ୍‌ ଅଳ୍ପ ସମୟ ଭିତରେ ସମସ୍ତଙ୍କର ଦୃଷ୍ଟିଗତ କରିବାକୁ ହେଲେ ଖବରକାଗଜର ପ୍ରସାର ଖୁବ୍‌ ବିସ୍ତୃତ ଭାବେ ହେବା ଦରକାର । ଅଳ୍ପ ଖର୍ଚ୍ଚରେ ବହୁତ ପ୍ରକାର ଜ୍ଞାନବିଜ୍ଞାନ, ଦେଶ ବିଦେଶର ସାଧାରଣ ଖବର ଲୋକଙ୍କ ଆଗରେ ପହଞ୍ଚାଇ ଦେବା ଉଚିତ; କିନ୍ତୁ ଆଧୁନିକ ଜଗତରେ ସମସ୍ତ ପ୍ରକାର ବୈଜ୍ଞାନିକ ଉଦ୍ଭାବନ ମୁଷ୍ଟିମେୟ ଲୋକଙ୍କର ସ୍ୱାର୍ଥସିଦ୍ଧି ଲାଗି ଯେପରି ବିକୃତ ଭାବରେ ବ୍ୟବହାର ହେଉଛି, ଖବରକାଗଜ ମଧ୍ୟ ସେହିମାନଙ୍କ ହାତରେ ଅଧିକାଂଶ ସମୟରେ ସେମାନଙ୍କର ନିର୍ଦ୍ଦିଷ୍ଟ ସ୍ୱାର୍ଥସିଦ୍ଧି ଲାଗି ବ୍ୟବହୃତ ହୋଇଥାଏ । ଇଂଲଣ୍ଡ-ଆମେରିକା ପରି ପୁଞ୍ଜିପତି ଦେଶମାନଙ୍କରେ ମୁଷ୍ଟିମେୟ ପୁଞ୍ଜିପତିଙ୍କ ହାତରେ ଖବରକାଗଜଗୁଡ଼ିକ ରହିଛି । ସେମାନେ ଏହାକୁ ବ୍ୟବସାୟ ଓ ଲାଭ ଦୃଷ୍ଟିରୁ ଦେଖୁଥିବାରୁ ନାନା ଉପାୟରେ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟା କରିଥାଆନ୍ତି ଓ ତା ସଙ୍ଗେ ସଙ୍ଗେ ନିଜ ନିଜ ସ୍ୱାର୍ଥକୁ ସାହାଯ୍ୟ କଲା ଭଳି ଖବରମାନ କେବଳ ବାଛି ବାଛି ଦେଇଥାନ୍ତି । ଏଥିଲାଗି ମୋ ମତରେ ସାମାନ୍ୟ କେତେଖଣ୍ଡ କୁଳୀନ ଖବରକାଗଜ ଛାଡ଼ିଦେଲେ (ସେମାନଙ୍କର କାଟତି ଅବଶ୍ୟ ଜନପ୍ରିୟ କାଗଜ ତୁଳନାରେ ଖୁବ କମ୍‌) ଆଉସବୁ କାଗଜ ବଡ଼ କଦର୍ଯ୍ୟ । ଏପ୍ରକାର କାଗଜ ସବୁ ଏପରି ଭାବରେ ସମ୍ୱାଦସବୁ ବାଛି ଏବଂ ଏପରି ଭାବରେ ସଜାଡ଼ି ଦିଅନ୍ତି ଯେ ପ୍ରକୃତ ଘଟଣା ଅସମ୍ଭବ ଭାବରେ ବକ୍ର ହୋଇ ଦେଖାଦିଏ । ଆଧୁନିକ ମନୋବିଜ୍ଞାନ ସାହାଯ୍ୟରେ ଏମାନେ ସାଧାରଣ ଲୋକଙ୍କ ମନ ଭିତରେ ନିଜ ନିଜର ମତାମତ ବଡ଼ କୌଶଳର ସହିତ ପ୍ରବେଶ କରାଇ ଦିଅନ୍ତି । ଉଦାହରଣ ସ୍ୱରୂପ ଭାରତବର୍ଷ ବିଷୟରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ଛଡ଼ା ଆଉ ବିଶେଷ କିଛି ବାହାରେ ନାହିଁ । କାଗଜସବୁ ଦେଖାଇବାକୁ ଚାହାନ୍ତି ଯେ ଇଂରେଜମାନେ ଭାରତ ଛାଡ଼ିଲା ପରେ ଅରାଜକତା ଛଡ଼ା ଆଉ କିଛି ନାହିଁ । ୧୯୪୨ ଗଣ୍ଡଗୋଳ ପରେ ସେଠାକାର ପ୍ରଧାନ ଜନପ୍ରିୟ କାଗଜ ‘ଡେଲି ଏକ୍‌ସପ୍ରେସ୍‌’ ଲେଖିଥିଲା ଯେ ଗାନ୍ଧୀ ପ୍ରଭୃତି ଅନ୍ୟାନ୍ୟ ଗଣ୍ଡଗୋଳକାରୀମାନଙ୍କୁ ଭାରତର ହିତ ଦୃଷ୍ଟିରୁ ଦେଶରୁ ଅତିଶୀଘ୍ର ନିର୍ବାସନ କରିବା ଉଚିତ-ଅନ୍ୟ ସମୟରେ ରାଜା-ମହାରାଜାଙ୍କ ପରି ଭାରତର ତଥାକଥିତ ବିଶିଷ୍ଟ ଲୋକଙ୍କର ଘୋଡ଼ାଦୌଡ଼, କୋଠାବାଡ଼ି, ସମ୍ପତ୍ତିର ହିସାବ ପ୍ରଭୃତି ବିଷୟରେ ଛାଡ଼ିଦେଲେ ଆଉ ବିଶେଷ କିଛି ବାହାରେ ନାହିଁ । ଭାରତ ସରକାରର ହାଇଦରାବାଦ ଅଭିଯାନ ସମୟରେ ନିଜାମ ବିଷୟରେ ବହୁତ କରୁଣାତ୍ମକ ଖବର ବାହାରୁଥିଲା । ରୁଷିଆ ଓ ଅନ୍ୟାନ୍ୟ ସାମ୍ୟବାଦୀ ଦେଶମାନଙ୍କ ବିଷୟରେ ତ ଅତି କଦର୍ଯ୍ୟ ଭାବରେ ଲେଖା ହୋଇଥାଏ । ଆମଦେଶର ଖବରକାଗଜମାନେ ମଧ୍ୟ ଏ ଦିଗରେ ସେମାନଙ୍କୁ ବହୁତ ଅନୁକରଣ କରୁଛନ୍ତି । ଜେକୋସ୍ଳୋଭାକିଆରେ ୧୯୪୮ ଫେବୃଆରୀରେ ବିନା ରକ୍ତପାତରେ ଯେଉଁ ବିପ୍ଳବ ହୋଇଥିଲା, ସେ ବିଷୟରେ କେତେକ କାଗଜ ବଡ଼ ବଡ଼ ଅକ୍ଷରରେ ଲେଖିବାକୁ ଆରମ୍ଭ କଲେ ଯେ କିପରି ଛାତ୍ରମାନେ ପୁଲିସ ମାଡ଼ରେ ରକ୍ତାକ୍ତ ହୋଇପଡ଼ିଛନ୍ତି-କିନ୍ତୁ ‘ଟାଇମସ୍‌’ କାଗଜରେ ବାହାରି ଥାଏ ଯେ କେତେ ଜଣ ଛାତ୍ର ଶୋଭାଯାତ୍ରାରେ ଠେଲାପେଲାରେ ତଳେ ପଡ଼ି ସାମାନ୍ୟ ଆଘାତ ପାଇଛନ୍ତି ମାତ୍ର । ‘ଟାଇମସ’ ଖବରକାଗଜର ଖୁବ୍‌ ନାମ ଥିଲେ ସୁଦ୍ଧା ଖୁବ୍‌ କମ୍‌ ଲୋକ ପଢ଼ନ୍ତି; ତେଣୁ ବର୍ତ୍ତମାନ ସୁଦ୍ଧା ଲୋକେ ସେହି ଭୁଲ ଖବର ଜାଣନ୍ତି ।

 

ପ୍ରଥମ କଥା ଏମାନେ ଛାଡ଼ପତ୍ର, ଚୋରି ଡକାୟତି, ସ୍ତ୍ରୀମାନଙ୍କର ସୁନ୍ଦର ଗୋଡ଼, ମୁହଁ ଓ ମୁଣ୍ଡର ବାଳ, ଅଶ୍ଳୀଳ ଓ ରୋମାଞ୍ଚକର ଖବର ସବୁକୁ ବେଶୀ ସ୍ଥାନ ଦେଇଥାଆନ୍ତି; ତାଛଡ଼ା ଆନ୍ତର୍ଜାତିକ ଓ ଅନ୍ୟାନ୍ୟ ଅର୍ଥନୈତିକ ଓ ରାଜନୈତିକ ଖବର ଯାହା ଦିଅନ୍ତି ତାକୁ ଏପରି ଭାବରେ ଦିଅନ୍ତି ଯେ ଲୋକଙ୍କ ମନରେ ଭୁଲ ଧାରଣା ହୋଇଥାଏ । ଉଦାହରଣ ସ୍ୱରୂପ ଶ୍ରମିକ ଦଳର ମୁଖପତ୍ର ‘ଡେଲି ହେରାଲ୍‌ଡ଼’ ଯାହାର କାଟତି ଦିନକୁ ୨୧ ଲକ୍ଷ ୪୦ ହଜାର-ଗ୍ରୁପ କ୍ୟାପଟେନ ଡନାଳଡ଼ସନ (ଜଣେ ସାଧାରଣ ଲୋକ ମାତ୍ର) ର ଛାଡ଼ପତ୍ର କଳଙ୍କ ବିଷୟରେ ଏବଂ ତାର ପୂର୍ବ ଓ ପର ସ୍ତ୍ରୀର ଛବି ସହ ବିଶଦ ବିବରଣୀ ୧୨ଇଞ୍ଚ (ସ୍ତମ୍ଭ ଧାଡ଼ିର ମାପ) ବାହାରିଥିବା ସ୍ଥଳେ ଚାଇନାରେ ଗୃହଯୁଦ୍ଧ ବନ୍ଦ ବିଷୟରେ ଚାଏଙ୍ଗକାଇଶେକଙ୍କର ସନ୍ଧିପ୍ରସ୍ତାବ ବିଷୟରେ ଦେଢ଼ଇଞ୍ଚ (ସ୍ତମ୍ଭଧାଡ଼ି) ମାତ୍ର ସ୍ଥାନ ଦିଆ ହୋଇଥାଏ । ‘ଡେଲି ଏକ୍‌ସପ୍ରେସ’ର ଦିନକୁ କାଟତି ୮ ଲକ୍ଷ ୬୦ ହଜାର । ହାରାହାରି ଶତକରା ୩୩ଭାଗ ବୈଦେଶିକ, ଘରୋଇ, ଅର୍ଥନୈତିକ ପ୍ରଭୃତି ସବୁ ପ୍ରକାର ଦରକାରୀ ଖବର ଲାଗି ଦେଇଥିବା ସ୍ଥଳେ ଯୌନ, ଚୋରି ଡକାୟତି, ଖେଳ ଓ ଅନ୍ୟାନ୍ୟ ଖବରପାଇଁ ଅନେକ ବେଶୀ ସ୍ଥାନ ଦିଆହୋଇଥାଏ । ‘ଡେଲିମିଚ୍‌’ର ଦିନକୁ ୩୬ ଲକ୍ଷ ଓ ରବିବାର କାଗଜ ‘ଦି ପିପୁଲ’ର ୪୬ ଲକ୍ଷ ଦଶ ହଜାର କାଟତି ହୋଇଥାଏ । କିନ୍ତୁ ଟାଇମସ୍‌, ମାଞ୍ଚେଷ୍ଟର ଗାଡ଼ିଆନ ପ୍ରଭୃତି କେତୋଟି ଉଚ୍ଚ ଧରଣର କାଗଜ ଛାଡ଼ିଦେଲେ ଆଉ ସମସ୍ତ କାଗଜ ଏପରି ବାଜେ ଧରଣର ଲେଖାରେ ଭର୍ତ୍ତି ହୋଇଥାଏ ।

 

ତେବେ ପ୍ରଶ୍ନ ହୁଏ ଯେ ଇଂଲଣ୍ଡ ପରି ସଭ୍ୟ ଦେଶରେ ଏ ପ୍ରକାର କଦର୍ଯ୍ୟ ଧରଣର ଖବରକାଗଜସବୁ କାହିଁକି ଏତେ ବେଶୀ ପ୍ରଚଳିତ ? ଇଂରେଜମାନେ ନିଜଦେଶର ଖବରକାଗଜମାନଙ୍କର ସ୍ୱାଧୀନତା ଓ ଗଣତାନ୍ତ୍ରିକ କ୍ଷମତା ବିଷୟରେ ବହୁତ ବଡ଼ିମା କରିଥାଆନ୍ତି । ୧୯୪୮ ମାର୍ଚ୍ଚ ୨୩ରେ ଜେନିଭାରେ ବସିଥିବା ସ୍ୱାଧୀନ ମତ ପ୍ରକାଶ ବିଷୟରେ ଆନ୍ତର୍ଜାତିକ ସମ୍ମିଳନୀରେ ଇଂଲଣ୍ଡ ଓ ଆମେରିକାର ପ୍ରତିନିଧିମାନେ ନିଜ ନିଜ ଦେଶର ଖବରକାଗଜମାନଙ୍କ ସ୍ୱାଧୀନତା ବିଷୟରେ ଲମ୍ୱା ଲମ୍ୱା ବକ୍ତୃତାମାନ ଦେଇଥିଲେ । ସେମାନଙ୍କ ମତରେ ତାଙ୍କ ଦେଶରେହିଁ ଖବରକାଗଜମାନେ ସ୍ୱାଧୀନଭାବରେ ଲୋକସେବା କରୁଛନ୍ତି କିନ୍ତୁ ଖବରକାଗଜର ଆଲୋଚ୍ୟ ବିଷୟରୁ ଜଣାଯାଏ ଯେ ଏହା ଲୋକସେବା ପରିବର୍ତ୍ତେ ଲୋକଙ୍କର କି ଭୟଙ୍କର କ୍ଷତି କରୁଛି । ଇଂଲଣ୍ଡର ପ୍ରାୟ ସବୁ କାଗଜ ବଡ଼ ବଡ଼ ଧନୀ ବ୍ୟବସାୟୀଙ୍କର ଏକଚାଟିଆ ବ୍ୟବସାୟ ରୂପେ ରହିଛି । ଅନେକ ଖବରକାଗଜ ଗୋଟିଏ ଗୋଟିଏ ପୁଞ୍ଜିପତିଙ୍କ ଗୋଷ୍ଠୀରୁ ପ୍ରକାଶ ପାଇଥାଏ । ଏ ପ୍ରକାର ପ୍ରଧାନ ୫ଟି ଗୋଷ୍ଠୀ ଭିତରୁ ପ୍ରାୟ ୫୦ଟି ଖବରକାଗଜ ବାହାରିଥାଏ ଓ ସେମାନଙ୍କର ମୋଟାମୋଟି କାଟତି ପ୍ରାୟ ଅଢ଼େଇ କୋଟି । ଅର୍ଥାତ ଦେଶର ଅଧିକାଂଶ ଖବରକାଗଜ ଏହି କେତେ ଜଣଙ୍କ ଦ୍ୱାରା ପରିଚାଳିତ ଓ ଲାଭାଂଶ ଏହିମାନେହିଁ ପାଇଥାଆନ୍ତି । ଲର୍ଡ଼ ରଥରମିଏରଙ୍କ ଆୟତ୍ତରେ ଲଣ୍ଡନ ସହରରେ କେବଳ ପାଞ୍ଚିଟି ଦୈନିକ ଖବରକାଗଜ ଓ ମଫସଲରେ ଆଉ ଦଶଟା କାଗଜ ରହିଛି । ଏହା ‘ଡେଲିମେଲ ଗୋଷ୍ଠୀ’ ନାମରେ ପରିଚିତ । ଲର୍ଡ଼ କେମ୍‌ସ୍ଳେ (Lord Kemsley) ଗୋଷ୍ଠୀଦ୍ୱାରା ଲଣ୍ଡନରେ ତିନୋଟି କାଗଜ ଓ ବାହାରର ୨୦ଟି କାଗଜ ପ୍ରକାଶିତ ହୁଏ । ବେଭେରବ୍ରକ ଗୋଷ୍ଠୀରୁ ଚାରୋଟି ବଡ଼ ବଡ଼ କାଗଜ ବାହାରି ଥାଏ । ପ୍ରାଦେଶିକ ଗୋଷ୍ଠୀ ମଧ୍ୟରୁ ସାର ହାର୍‌ବାର୍ଟ ଗ୍ରେଟ୍ରେନ ଏଡ଼ିନବରାଷ୍ଟ ଆଉ ଚରୋଟି କାଗଜ ବାହାର କରନ୍ତି । ଜେ, ବି. ମୋରେଲ ନାମକ ଜଣେ ବଡ଼ ବ୍ୟବସାୟୀଙ୍କ ଆୟତ୍ତରେ ଆଉ ୨୪ଟି ପ୍ରାଦେଶିକ ଖବରକାଗଜ ବାହାରିଥାଏ । ଏମାନଙ୍କା ଛଡ଼ା ଆହୁରି ଅନେକ କମ୍ପାନି ଅଛନ୍ତି ଯେଉଁମାନେ ଅବଶିଷ୍ଟାଂଶ କାଗଜ ଚଳାନ୍ତି । ବର୍ତ୍ତମାନର ଶ୍ରମିକ ଦଳର ମୁଖପତ୍ର ଡେଲି ହେରାଲ୍‌ଡ଼ ମଧ୍ୟ ସେପରି ଭାବରେ ବ୍ୟବସାୟୀଙ୍କ ଦ୍ୱାରା ଆୟତ୍ତ । ଏପରି ଗୋଷ୍ଠୀସବୁ ଥିବା ଯୋଗୁଁ ଛୋଟ ଛୋଟ ଖବରକାଗଜ ବାହାରି ପାରେନା; ଅର୍ଥାତ ଯାହାର ଲକ୍ଷ ଲକ୍ଷ ଟଙ୍କା ଅଛି ସେହି କେବଳ ଖବରକାଗଜ ପ୍ରକାଶ କରି ପାରିବ । ଲର୍ଡ ନର୍ଥକ୍ଳଫ, ଯେକି ତାଙ୍କ ଜୀବନରେ ନିଜେ ୭୦ଟି କାଗଜ ଚଳାଇଥିଲେ, ଲେଖିଛନ୍ତି ଯେ ଗୋଟିଏ ଖବରକାଗଜ ବାହାରକରିବା ଲାଗି ଅନ୍ୟୁନ ୨୦ ଲକ୍ଷ ପାଉଣ୍ଡ (ଅର୍ଥାତ ପ୍ରାୟ ୨କୋଟି ୬୭ ଲକ୍ଷ ଟଙ୍କା) ଦରକାର । ଏଥିରୁ ସହଜରେ ଅନୁମେୟ ଯେ ଖବରକାଗଜର ମାଲିକ କିଏ ? ତେବେ ମୁଷ୍ଟିମେୟ ପୁଞ୍ଜିପତିଙ୍କର ଯାହା ସ୍ୱାର୍ଥଗତ ତାହା ଛଡ଼ା ଅନ୍ୟ ଜିନିଷ କିପରି ବାହାରିବ ? ଗଣତାନ୍ତ୍ରିକ ସ୍ୱାଧୀନତା କଣ ଏ ପ୍ରକାର କାଗଜରୁ ଆଶା କରାଯାଏ ? ଖାଲି ସେତିକି ନୁହେଁ ସାଧାରଣ ଲୋକଙ୍କର ଖବରକାଗଜ କିଣିବା ଖର୍ଚ୍ଚରୁ କାଗଜ ମାଲିକର ମୂଳଖର୍ଚ୍ଚ ମଧ୍ୟ ଉଠେ ନାହିଁ । ଖର୍ଚ୍ଚ ତୁଲାଇ ଲାଭ କରିବାକୁ ହେଲେ ବିଜ୍ଞାପନ ଉପରେ ନିର୍ଭର କରିବାକୁ ହେବ । ହିସାବ କରି ଦେଖାଯାଇଛି ଯେ କୌଣସି କାଗଜରେ ଯେବେ ୩୦ଲକ୍ଷ ପାଉଣ୍ଡ ଖର୍ଚ୍ଚ ହୁଏ, କାଗଜ ବିକ୍ରିରୁ ଉଠେ ୧୫ଲକ୍ଷ ଓ ବିଜ୍ଞାପନରୁ ଆଦାୟ ହୁଏ ୧୮ ଲକ୍ଷ । ତେଣୁ ସେମାନେ ବିଜ୍ଞାପନର ମାଲିକଙ୍କୁ ସନ୍ତୁଷ୍ଟ କରିବାକୁ ନିଶ୍ଚୟ ଚେଷ୍ଟା କରିବେ । ତେବେ ଲୋକସେବାର ସ୍ଥାନ ରହିଲା କେଉଁଠି ? ନିରପେକ୍ଷ ଭାବରେ ଆନ୍ତର୍ଜାତିକ ଖବର ଦେବାର ସ୍ୱାଧୀନତା ଆସିଲା କୁଆଡ଼ୁ ? ପ୍ରଗତିଶୀଳ ଶ୍ରମିକ ସାପ୍ତାହିକର ସମ୍ପାଦକ Kingsley Martin-(ଯାହାଙ୍କର କାଗଜ ସମ୍ପାଦକ ହିସାବରେ ଆନ୍ତର୍ଜାତିକ ସୁଖ୍ୟାତି ଅଛି)-ତାଙ୍କର ‘‘The Press the Public wants’’ (୧୯୪୭ ନାମକ ବହିରେ ଲେଖିଛନ୍ତି-‘‘Thus the freedom of Press, still immensly important in the sense of the freedom, freely to inform, comment and criticise, has become in the sense of the right to start and run a daily news paper, as meaningless as the slum dweller's legal freedom to live in the Ritz or to spend his unemployment pay in touring the Riviera in Rolls-Rovce.’’ (P. 32)

 

‘‘About a dozen men are in a position to dictate what news and views shall be available in the press that is read by the vast majority of man and women in this country.’’ (P. 141)

 

ଅର୍ଥାତ୍‌ ‘‘ବର୍ତ୍ତମାନ ସୁଦ୍ଧା ସ୍ୱାଧୀନ ଭାବରେ ଖବର ଯୋଗାଇବା, ମତବ୍ୟକ୍ତ କରିବା ଏବଂ ସମାଲୋଚନା କରିବା ଖୁବ୍‌ ଜରୁରି ହେଲେହେଁ କୁଟୀରବାସୀ ପକ୍ଷରେ ଖର୍ଚ୍ଚବହୁଳ ରିତ୍‌ସରେ ରହିବା କିମ୍ୱା ଅକର୍ମାର ସାମାନ୍ୟ ଅକର୍ମା ଉତ୍ତାରେ ରୋଲ୍‌ସ-ରୟସ୍‌ ଗାଡ଼ିରେ ରିଭିୟୋରା (ଖର୍ଚ୍ଚବହୁଳ ବିଳାସର ସ୍ଥାନ) ବୁଲିଯିବା ଯେପରି ଅର୍ଥହୀନ, ଗୋଟିଏ ଦୈନିକ ଖବରକାଗଜ ବାହାର କରି ତାକୁ ଚଳାଇବା ବିଷୟରେ ସ୍ୱାଧୀନତା ସେପରି ଅର୍ଥହୀନ’’

 

ଏହି ଦେଶର ଅଧିକାଂଶ ନରନାରୀ ଖବରକାଗଜରେ ଯେଉଁସବୁ ଖବର ଓ ମତାମତ ପଢ଼ନ୍ତି ତାହା ପ୍ରାୟ ଦଶ ବାର ଜଣ ଲୋକଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।’’

 

ଏଥିରୁ ଜଣାଯାଏ ଖବରକାଗଜରେ ଗଣତାନ୍ତ୍ରିକ ସ୍ୱାଧୀନତା ଏପରିକି ସମ୍ପାଦକୀୟ ମଧ୍ୟ ଉପର କେତେ ଜଣଙ୍କ ଆଦେଶରେ ଲେଖା ହୋଇଥାଏ । ସାମାନ୍ୟକିଛି ମତଭେଦ ହେଲେ ସେମାନଙ୍କୁ ବାହାର କରି ଦିଆ ହୁଏ । ସେମାନଙ୍କୁ ବିସ୍ତର ଦରମା ଦେଇ ରଖା ହୋଇ ଥିବାରୁ ସେମାନେ ଚାକିରି ଛାଡ଼ି ପାରନ୍ତି ନାହିଁ; ତେଣୁ ପୁଞ୍ଜିପତିଙ୍କ କଥା ଅନୁସାରେ ଚାଳିତ ହୋଇ ଥାଆନ୍ତି-। Kingsley Martin ଲେଖିଛନ୍ତି-

 

‘‘They freely admit in private conversation that they despise much of the work they have to do.’’ (P. 21)

 

ଅର୍ଥାତ୍‌ ‘‘ସେମାନେ ଘରୋଇ କଥାବାର୍ତ୍ତାରେ ସ୍ୱୀକାର କରିଥାନ୍ତି ଯେ ଯାହା ସେମାନଙ୍କୁ କରିବାକୁ ପଡ଼େ ସେଥିରୁ ଅନେକ କାମ ସେମାନେ ଘୃଣା କରିଥାନ୍ତି ।’’

 

ଅବଶ୍ୟ ଅଧିକାଂଶ ଖବରକାଗଜ ଏପରି ଭାବରେ ଧନୀ ଲୋକଙ୍କ ଦ୍ୱାରା ଆୟତ୍ତ ହୋଇ ମିଥ୍ୟା ଓ ଅତିରଞ୍ଜିତ ଖବର ସବୁ ପ୍ରଚାର କରୁଥିଲେ ସୁଦ୍ଧା ଏବଂ ଏମାନଙ୍କର ଖୁବ୍‌ କାଟତି ହେଲେ ମଧ୍ୟ ଅନେକ ସମୟରେ ଲୋକେ ସ୍ୱାଧୀନ ଭାବରେ କାମ କରିଥାନ୍ତି । ତା ନ ହୋଇ ଥିଲେ ୧୯୪୫ରେ ଶ୍ରମିକଦଳ ଜାଠଦଳକୁ ପରାସ୍ତ କରିପାରି ନ ଥାନ୍ତା । ତଥାପି ଏପ୍ରକାର ବ୍ୟବସାୟ ଜାତୀୟ ଓ ଆନ୍ତର୍ଜାତିକ ଦୃଷ୍ଟିରୁ ବଡ଼ ଗର୍ହିତ । ମୁଷ୍ଟିମେୟ ଲୋକଙ୍କର ଲାଭ ପାଇଁ ସାରା ସମାଜର ନରନାରୀଙ୍କ ମନରେ ବିଷ ବିଞ୍ଚି ଦେବାରେ ସ୍ୱାଧୀନତା କେତେ ଦୂର ବାଞ୍ଛନୀୟ ଭାବିବାର ବିଷୟ ।

 

ସାମାନ୍ୟ କେତେ ଖଣ୍ଡ କାଗଜରେ ଖୁବ୍‌ ଭଲ ଭଲ ପ୍ରବନ୍ଧ ସବୁ ବାହାରିଥାଏ । ‘ଟାଇମସ୍‌’ ଜାଠଦଳର ଆୟତ୍ତ ହେଲେ ମଧ୍ୟ ପୃଥିବୀର ଅନ୍ୟାନ୍ୟ ଦେଶର ଖବର ଅନେକ ସମୟରେ ନିର୍ଭୁଲଭାବରେ ଦେଇଥାଏ । ଟାଇମସ୍‌ର ଖବର ଅଂଶ ଖୁବ୍‌ ଭଲ-ସମ୍ପାଦକୀୟ ରକ୍ଷଣଶୀଳ ମନୋବୃତ୍ତିର ପରିଚୟ ଦିଏ । ରୁଷିଆ ଓ ଅନ୍ୟାନ୍ୟ ସାମ୍ୟବାଦୀ ଦେଶମାନଙ୍କ ବିଷୟରେ ଅନେକ ପ୍ରବନ୍ଧ ବାହାରେ ଯାହାକି ଅନେକ ସମୟରେ ବିଶ୍ୱାସଯୋଗ୍ୟ ହୋଇଥାଏ । ‘ଡେଲି ଓ୍ୟାର୍କର’ ଉପରୋକ୍ତ କାଗଜଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ତା ବିଷୟରେ ପଦେ ଲେଖିବା ଉଚିତ । ‘ଡେଲି ଓ୍ୟାର୍କର’ ହେଉଛି ଏକମାତ୍ର କାଗଜ ଯେଉଁଥିରେ ବିଟ୍ରିଶ ଶାସକମାନଙ୍କର ଅଧୀନସ୍ଥ ରାଜ୍ୟମାନଙ୍କରେ ଅତ୍ୟାଚାର ବିଷୟ ବିସ୍ତୃତ ଭାବେ ଦିଆଯାଇଥାଏ । ମାଲୟର ଜାତୀୟବାଦୀମାନଙ୍କୁ ଧରିବା ଲାଗି ପଠା ହେଉଥିବା କାମୁଡ଼ା ଆଲ୍‌ସେସିୟାନ୍‌ କୁକୁରର ଜାହାଜ ଉପରକୁ ଉଠିବାର ଛବି ବାହାରିଥାଏ । ବର୍ମାର କ୍ୟାରେନ୍‌ମାନଙ୍କୁ ସାହାଯ୍ୟ ଦେବା ଲାଗି ବଡ଼ ବଡ଼ ସାମରିକ ଅଫିସରଙ୍କର ଚିଠିସବୁ ଛାପା ହୋଇଥାଏ-ଗୋଲ୍‌ଡ଼କୋଷ୍ଟରେ କିପରି ଭୋକିଲା ଆଦିବାସୀଙ୍କୁ ଗୁଳି କରି ମାରିଦିଆ ହେଉଛି, ତାର ଛବି ପ୍ରଥମ ପୃଷ୍ଠାରେ ବାହାରିଥାଏ । ଭାରତ ବିଷୟରେ ମଧ୍ୟ ଅନେକ ଭଲ ଭଲ ଖବର ଥାଏ-ସାମ୍ପ୍ରଦାୟିକ ଗଣ୍ଡଗୋଳ ସମ୍ୱନ୍ଧରେ ଆଦୌ ଉଲ୍ଲେଖ ନ ଥାଏ ମୋଟା ମୋଟି କେତେଗୁଡ଼ିଏ ଖବର ଯାହାକି ଅନ୍ୟ କୌଣସି କାଗଜରୁ ମିଳିବାର ସମ୍ଭାବନା ନାହିଁ, ତାହା ଏହି କାଗଜରେ ଦେଖିବାକୁ ମିଳେ । ପ୍ରତି ଗୁରୁବାର ଦିନ ସନ୍ଧ୍ୟାରେ ଯେକୌଣସି ପାଠକ ଯାଇ ସମ୍ପାଦକଙ୍କ ସହିତ କାଗଜ ପରିଚାଳନା ବିଷୟରେ ମନ୍ତବ୍ୟ ପ୍ରକାଶ କରିପାରେ-ଆଲୋଚନାରେ ଯୋଗ ଦିଏ । ସମ୍ପୂର୍ଣ୍ଣ ଗଣତନ୍ତ୍ର ନୀତିରେ ଏହା ପରିଚାଳିତ ହୋଇଥାଏ-ପାଠକମାନେ ତାର ଅଂଶ କିଣନ୍ତି-୨୦୦ ପାଉଣ୍ଡରୁ ବେଶୀ ଅଂଶ କାହାରି କିଣିବାର ନିୟମ ନାହିଁ । ପୃଥିବୀ ବିଖ୍ୟାତ ବୈଜ୍ଞାନିକ ପ୍ରଫେସର ହଲ୍‌ଡ଼େନ (Haldane) ଓ ପ୍ରସିଦ୍ଧ କ୍ୟାଣ୍ଟରବେରୀର ଧର୍ମଯାଜକ (Dean of Canterbury) ଏହାର ସମ୍ପାଦକୀୟ ବୋର୍ଡ଼ରେ କାମକରୁଅଛନ୍ତି । ପ୍ରଫେସର ହଲ୍‌ଡ଼େନ (Prof. Haldane)ପ୍ରତି ସୋମବାର ଦିନ ବିଭିନ୍ନ ବିଷୟରେ ସୁଚିନ୍ତିତ ବୈଜ୍ଞାନିକ ପ୍ରବନ୍ଧ ଲେଖନ୍ତି; ମଝିରେମଝିରେ ବର୍ଣ୍ଣାଡ଼୍‍ଶଙ୍କର ମଧ୍ୟ ଲେଖା ବାହାରିଥାଏ । ବର୍ଣ୍ଣାଡ଼୍‍ଶ ଗତବର୍ଷ ୪୦ହଜାର ଟଙ୍କା ଏହି କାଗଜ ଲାଗି ଦାନ କରିଥିଲେ । ମୋଟାମୋଟି ବିଶିଷ୍ଟ ସ୍ୱାଧୀନଚେତା ଲେଖକଙ୍କର ପୃଷ୍ଟପୋଷକତାରେ ଏହି କାଗଜ ବର୍ତ୍ତମାନ ସୁଦ୍ଧା ବ୍ରିଟିଶ ଅଧୀନ ଦେଶମାନଙ୍କ ସପକ୍ଷରେ ତୁମୁଳ ଜନମତ ସୃଷ୍ଟି କରୁଛି । ଏହି କାଗଜ ପରିଚାଳନାରେ କମ୍ୟୁନିଷ୍ଟମାନଙ୍କର ବିଶେଷ ପ୍ରଭାବ ଅଛି । ତେଣୁ ଦଳଗତ ପ୍ରଚାର ଅଂଶ ଛାଡ଼ିଦେଲେ ଆଉ ଅନ୍ୟାନ୍ୟ ଖବର ଭଲ ବାହାରେ ବୋଲି ମନେହୁଏ । ତେବେ ଏତିକି କୁହାଯାଇ ପାରେ ଯେ, ଯେକୌଣସି ଗୋଷ୍ଠୀ ବା ଦଳ ତରଫରୁ କାଗଜ ବାହାରିଲେ ସୁଦ୍ଧା ଖବର ସରବରାହ, ସମ୍ପାଦକୀୟ ଟିପ୍‌ପଣୀ ଓ ସମାଲୋଚନା ପ୍ରଭୃତି ବିଷୟରେ ସରକାର ତରଫରୁ ପୂର୍ଣ୍ଣ ସ୍ୱାଧୀନତା ମିଳେ । ବରଂ ଏ ପ୍ରକାର ସ୍ୱାଧୀନତାର ଅପବ୍ୟବହାର ହୋଇଥାଏ ନିଜ ନିଜର ସଂକୀର୍ଣ୍ଣ ସ୍ୱାର୍ଥସିଦ୍ଧି ଲାଗି ।

•••

 

–ପନ୍ଦର–

ଇଂଲଣ୍ଡରେ ଭାରତୀୟ

 

ଇଂଲଣ୍ଡକୁ ଯା ଆସ କରୁଥିବା ଅସ୍ଥାୟୀ ଛାତ୍ର, ବ୍ୟବସାୟୀ ଓ ସରକାରୀ ପ୍ରେରିତ ପ୍ରତିନିଧିଦଳ ଛଡ଼ା ଅନେକ ଭାରତୀୟ ସ୍ଥାୟୀ ବାସିନ୍ଦା ମଧ୍ୟ ଅଛନ୍ତି । ବାସିନ୍ଦାମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ଡାକ୍ତର; ସେମାନଙ୍କ ପରେ ବ୍ୟବସାୟୀ ସମ୍ପ୍ରଦାୟ । ଏଠାରେ ଭାରତୀୟ ଡାକ୍ତରମାନଙ୍କର ଖୁବ ଭଲ ନାମ ଅଛି । ଅନେକ ପରିବାରଙ୍କ ଠାରୁ ସେମାନଙ୍କର ବିଷୟରେ ବହୁତ ପ୍ରଶଂସା ଶୁଣିଛି । ସେମାନେ କୁଆଡ଼େ ବଡ଼ ଭଦ୍ର ଓ ପରିଶ୍ରମୀ-ଖୁବ୍‌ ଯତ୍ନ ସହକାରେ ରୋଗୀକୁ ଦେଖନ୍ତି ଏବଂ ଧୈର୍ଯ୍ୟ ଓ ସହାନୁଭୂତିର ସହିତ ସମସ୍ତ କଥା ଶୁଣନ୍ତି । ଏ ଦେଶରେ ଭଦ୍ର ଓ ସହାନୁଭୂତିପୂର୍ଣ୍ଣ ବ୍ୟବହାର ସର୍ବସାଧାରଣ ଅନୁମୋଦିତ ବୋଲି ବୋଧହୁଏ ଏମାନେ ଅନ୍ୟାନ୍ୟ ଇଂରେଜି ଡାକ୍ତରଙ୍କ ସହିତ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବା ଲାଗି ଏ ପ୍ରକାର ବ୍ୟବହାରରେ ସେମାନଙ୍କୁ ବଳିଯିବାକୁ ଚେଷ୍ଟା କରିଛନ୍ତି । ଏପରି ବ୍ୟବହାର ଏମାନଙ୍କର ମନ କିଣି ନିଏ-ସହାନୁଭୂତିର ପ୍ରକୃତ ମର୍ଯ୍ୟାଦା ଏମାନେ ଦେଇପାରନ୍ତି । ତେଣୁ ଭାରତୀୟ ଡାକ୍ତରମାନଙ୍କର ଅର୍ଥୋପାର୍ଜନ ବେଶ୍‌ ହୁଏ । ଶୁଣାଯାଏ ଖାଲି ଲଣ୍ଡନ ସହରରେ ଦୁଇ ଶହରୁ ବେଶୀ ଭାରତୀୟ ଡାକ୍ତର ସ୍ଥାୟୀ ଭାବରେ ବାସ କରନ୍ତି ।

 

କିନ୍ତୁ ସେଠାରେ ଥିବା ସ୍ଥାୟୀ ଭାରତୀୟ ବ୍ୟବସାୟୀଙ୍କର ଭଲ ଉପାର୍ଜନ ହେଲେହେଁ ସୁନାମ ଥିଲା ପରି ମନେ ହୁଏ ନା । ଜାହାଜରେ ମୋ ସାଙ୍ଗରେ କେତେ ଜଣ ଭାରତୀୟ ବ୍ୟବସାୟୀ ଇଂଲଣ୍ଡରୁ ଆସୁଥାଆନ୍ତି । ମୁଁ ପଚାରିଲି ଯେ ବ୍ୟବସାୟ କିପରି ଚାଲିଛି ? ଜଣେ କହିଲେ ଯେ ଚୋରାବଜାର କରି ବେଶ୍‌ ଲାଭ ହେଉଛି ଏବଂ ତା ସାଙ୍ଗେ ସାଙ୍ଗେ ତାର ଯଥାର୍ଥତା ପ୍ରତିପାଦନ କରିବା ପାଇଁ କହିଲେ ଯେ ଆଜିଯାଏଁ ଇଂରେଜମାନେ ଆମ ଦେଶରୁ ବହୁତ ଠକି ନେଇଛନ୍ତି-ବର୍ତ୍ତମାନ ଆମେ ଯେତେ ପ୍ରକାର ଠକାମୀ ଓ ଚୋରାବଜାର କରି ତାଙ୍କ ଦେଶରୁ ଧନ ବୋହି ଆଣିବା ସେତେ ଭଲ । ମୁଁ ପଚାରିଲି ଯେ ସମସ୍ତେ କଣ ଏଇୟା କରନ୍ତି-ସେ କହିଲେ-କେତେ ଜଣ ଖୁବ ବଡ଼ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଯେଉଁମାନଙ୍କ ସଂଖ୍ୟା ବହୁତ କମ୍‌ ଛାଡ଼ିଦେଲେ ଆଉ ଛୋଟ ଖାଟ ବ୍ୟବସାୟୀମାନେ ଚୋରାବଜାର କରିବାରେ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ; ଏହା କେତେଦୂର ସତ ମୋପକ୍ଷରେ କହିବା ସମ୍ଭବ ନୁହେଁ । କିନ୍ତୁ ମୋଟା ମୋଟି କୁହାଯାଇପାରେ ଯେ ଭାରତୀୟ ବ୍ୟବସାୟୀମାନଙ୍କର ସାଧୁତା ପ୍ରତି ସେମାନଙ୍କର ଖୁବ୍‌ ବେଶୀ ଆସ୍ଥା ଥିଲା ପରି ମନେ ହୁଏ ନା । ଭାରତୀୟ ହୋଟେଲରେ ସବୁଠୁ ବେଶୀ ଦାମ ଦେବାକୁ ହୁଏ-କିନ୍ତୁ ସେହି ଅନୁପାତରେ ଖାଦ୍ୟ ସେତେ ଭଲ ନୁହେଁ- ଅଥଚ ଚାଇନା ହୋଟେଲ ସବୁ ସେ ତୁଳନାରେ ଖୁବ ଭଲ । ମୋର କେତେକ ଇଂରେଜି ବନ୍ଧୁଙ୍କ ମତରେ ଚାଇନିଜ ହୋଟେଲ ସବୁ ଖୁବ୍‌ ପରିଷ୍କାର ପରିଚ୍ଛନ୍ନ ଓ ପରିଚାରକମାନେ ଖୁବ୍‌ ଭଦ୍ର-ସେମାନଙ୍କ ମୁହଁରୁ ଯେପରି ଜଣାପଡ଼େ ଯେ ସେମାନଙ୍କର ଗୋଟିଏ ସଭ୍ୟତା ଓ ସଂସ୍କୃତି ଅଛି । ସେହି ବନ୍ଧୁମାନେ କହିଥାଆନ୍ତି ଯେ ଭାରତୀୟ ହୋଟଲର ରନ୍ଧାଘର ବହୁତ ଅପରିଷ୍କାର । ମୁଁ ମନେ ମନେ ଏହାର ସତ୍ୟତା ଅନୁଭବ କଲେ ସୁଦ୍ଧା ବାହାରେ କିଛି କହେନା । ଆମ ଦେଶର ଚାକର ପୁଝାରୀ ଓ ରନ୍ଧାଘର ମୋ ଆଖି ଆଗରେ ନାଚି ଯାଏ । ଚାଉଳ ଏ ଦେଶରେ ମିଳିବାର କଥା ନୁହେଁ; କିନ୍ତୁ ଅଧିକାଂଶ ଭାରତୀୟ-ହୋଟେଲରେ ଚୋରାବଜାରରେ ଭାତ ମିଳେ । ଲଣ୍ଡନରେ ଭାରତୀୟ ମାନଙ୍କର କେତୋଟି ଡାଲି ମସଲା ପ୍ରଭୃତି ଦୋକାନ ଅଛି । ଯେଉଁମାନେ ଭାରତୀୟ ଖାନା ମଝିରେ ମଝିରେ କରନ୍ତି, ସେମାନେ ସେଠାରୁ ସବୁ ଜିନିଷ କିଣି ଆଣିଥାଆନ୍ତି । କିନ୍ତୁ ସେଥିରେ ମଧ୍ୟ ଠକାମୀ । ଦୋକାନ ମାନଙ୍କରେ ଦରର ତାରତମ୍ୟ ଅନେକ ସମୟରେ ଦେଖାଯାଏ । ଜିନିଷରେ ମଧ୍ୟ ଠକି ଥାଆନ୍ତି । ଅଧେ ଭଲ ଅଳେଇଚ ଥିବ ତ ଆଉ ଅଧେ ଖାଲି ଫମ୍ପା-ଜିରାରେ ଅନେକ ବାଲି-ଡାଲିରେ ଅନ୍ୟାନ୍ୟ ଜିନିଷ ମିଶିଥିବ । ମୁଁ ଯାହା ଘରେ ଥାଏ ସେମାନେ ମଝିରେ ମଝିରେ ଏସବୁ କିଣି ଆଣି ମୋତେ ଦେଖାନ୍ତି । ଅନେକ ଥର ମୁଁ ଏମାନଙ୍କ ପାଇଁ ଏସବୁ କିଣି ଆଣିଲା ପରେ ଯେତେବେଳେ ଦେଖେ ଯେ ଅତ୍ୟନ୍ତ ଖରାପ ଜିନିଷ ସେସବୁ ଫୋପାଡ଼ି ଦେଇ କହେ ଯେ ଜିନିଷ ନାହିଁ ଦୋକାନରେ ଦୋକାନୀକୁ କହିଲେ ସେ ବେଶ ବିରକ୍ତ ହୁଏ । ଏସବୁ ଜିନିଷ ନିଜେ କିଣିବା କିମ୍ୱା ସେମାନଙ୍କ ସାଙ୍ଗରେ ଯାଇ କିଣେଇ ଆଣିବା ଗୋଟାଏ ବିଷମ ସମସ୍ୟା ହୋଇ ପଡ଼େ ମୋ ପକ୍ଷରେ; ମୋତେ ଏତେ ଖରାପ ଲାଗେ ଯେ ମୁଁ ବରାବର ସେ ବିଷୟରେ କରଛଡ଼ା ଦେବାକୁ ଚେଷ୍ଟା କରିଥାଏ ।

 

ଅସ୍ଥାୟୀ ବାସିନ୍ଦାଙ୍କ ଭିତରୁ ଛାତ୍ରସଂଖ୍ୟା ସବୁଠୁ ବେଶୀ । ଗତବର୍ଷ ସାରା ଇଂଲଣ୍ଡରେ ଦୁଇ ହଜାରରୁ ବେଶୀ ଛାତ୍ର ଥିଲେ । ଅଧିକାଂଶ ଭାରତୀୟ ଛାତ୍ରଙ୍କର ଖୁବ୍‌ ସୁନାମ ଅଛି । ବିଶ୍ୱବିଦ୍ୟାଳୟରେ ଏମାନେ ପ୍ରାୟ ଭଲ କରିଥାନ୍ତି, ବିଶେଷତଃ ସରକାରଙ୍କଦ୍ୱାରା ପ୍ରେରିତ ଛାତ୍ରମାନେ ଘରୋଇ ଛାତ୍ରମାନଙ୍କ ଭିତରୁ ଅଧିକାଂଶ ଡାକ୍ତରୀ ଓ ବାରିଷ୍ଟରୀ ପଢ଼ିବାକୁ ଯାଇଥାଆନ୍ତି । ଡାକ୍ତରୀ ପରୀକ୍ଷା ଖୁବ୍‌ କଷ୍ଟ ଓ ଉଭୟ ଦେଶର ଶିକ୍ଷାପ୍ରଣାଳୀରେ ତାରତମ୍ୟ ବେଶୀ; ତେଣୁ ଖୁବ୍‌ କମ୍‌ ଛାତ୍ର ପାଶ କରନ୍ତି । ତାଛଡ଼ା ଉପଯୁକ୍ତ ଯୋଗ୍ୟତା ନ ଥିଲେ ସୁଦ୍ଧା ଅନେକେ ନିଜର ଟଙ୍କା ଥିବାରୁ ବିଲାତ ଆସିଥାଆନ୍ତି; ତେଣୁ ଏହା ବି ଗୋଟିଏ କାରଣ ହୋଇପାରେ । କିନ୍ତୁ ବାରିଷ୍ଟରି ବିଭାଗରେ ଏହା ଗୋଟିଏ ପ୍ରଧାନ କାରଣ ବୋଲି ମନେହୁଏ । ବାରିଷ୍ଟରୀ ପରୀକ୍ଷା ବେଶ ସହଜ ହେଲେ ସୁଦ୍ଧା ଓ ଅନେକ ଇଂରେଜୀ ଛାତ୍ର ପାଶ କରୁଥିଲେ ମଧ୍ୟ ବହୁତ ଭାରତୀୟ ଫେଲ ହୁଅନ୍ତି ।

 

ଛାତ୍ରମାନଙ୍କୁ ତିନି ଶ୍ରେଣୀର ଭାଗ କରାଯାଇ ପାରେ । ଦଳେ ଖାଲି ପଢ଼ନ୍ତି-ପଢ଼ିବା ଛଡ଼ା ଯେପରି ସେମାନଙ୍କର ଆଉ କିଛି ନାହିଁ । ସେଠାକାର ଲୋକଙ୍କ ସହିତ ମିଶନ୍ତି ନାହିଁ କି ସେମାନଙ୍କର କ୍ଳବ ପ୍ରଭୃତି ସାମାଜିକ ଅନୁଷ୍ଠାନରେ ଯୋଗ ଦିଅନ୍ତି ନାହିଁ । ମୁଁ ଅନେକ ଛାତ୍ରକୁ ଜାଣେ ଯେଉଁମାନେ କି ଲଣ୍ଡନରେ ଦୁଇ ବର୍ଷ କାଳ ରହି ସୁଦ୍ଧା ଥରେ ବି ଲଣ୍ଡନ ବାହାରକୁ ଯାଇନାହାନ୍ତି କି କୌଣସି ଥିଏଟର ବାଇସ୍କୋପ ବା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ସବୁ ଦେଖି ନାହାନ୍ତି-। ଦିନରାତି ପଢ଼ନ୍ତି ଓ ପାଶ କଲା ପରେ ଘରକୁ ଫେରନ୍ତି । ମୋର ମନେହୁଏ ନା ସେ ପଢ଼ିବା ଛଡ଼ା ଏମାନେ ସେ ଦେଶ ବିଷୟରେ ଆଉ କିଛି ଜାଣନ୍ତି, ତାହେଲେ ମିଛେ ମିଛେ ଏତେ ଦୂରକୁ ଏତେ ଟଙ୍କା ଖର୍ଚ୍ଚ କରି ଯେ କାହିଁକି ଯାଆନ୍ତି ବୁଝିହୁଏ ନା । ଏମାନଙ୍କର କୌତୂହଳ ବୋଲି ଯେପରି କିଛି ନାହିଁ । ଯେଉଁ ବିଷୟରେ ପଢ଼ୁଥାଆନ୍ତି ସେବିଷୟରେ ଯେସବୁ ସମ୍ମିଳନୀ ହୁଏ, ସେଠାକୁ ମଧ୍ୟ ଅଧିକାଂଶ ଯାଆନ୍ତି ନାହିଁ । ଏ ପ୍ରକାର ସମ୍ମିଳନୀକୁ ଯିବା ଲାଗି ସରକାରୀ ବୃତ୍ତିପ୍ରାପ୍ତ ଛାତ୍ରମାନଙ୍କୁ ଗାଡ଼ିଭଡ଼ା ଓ ଅଧିକା ଦୈନିକ ଖୁରାକି ମିଳିବାର ବନ୍ଦୋବସ୍ତ ଥିଲେ ମଧ୍ୟ ସମ୍ମିଳନୀକୁ ଖୁବ୍‌ କମ୍‌ ଭାରତୀୟ ଯାଆନ୍ତି । ଆଉ ଦଳେ ଅଛନ୍ତି ଯେଉଁମାନେ କି କିଛି ପଢ଼ନ୍ତି ନାହିଁ-ଖାଲି ଫୁର୍ତ୍ତି କରନ୍ତି-ଇଂରେଜିମାନଙ୍କର ସବୁ କିଛି ଏମାନଙ୍କୁ ଭଲ ଲାଗେ । ନିଜ ଦେଶରେ ଯେପରି ଜେଲ ଭିତରେ ଆବଦ୍ଧ ଥିଲେ-ସେଠି ମୁକ୍ତ ପକ୍ଷୀ ପରି ସବୁଆଡ଼େ ଖାଲି ଉଡ଼ିବୁଲନ୍ତି । ଏମାନଙ୍କର ସମସ୍ତ ଜିନିଷ ଭଲ ଓ ଆମର ସବୁ କିଛି ଖରାପ ବୋଲି ମନେ କରୁଥିବାରୁ ଏମାନେ ଖୁବ୍‌ ଫୁର୍ତ୍ତିବାଜ ହୋଇ ପଡ଼ନ୍ତି-ଭାରତୀୟମାନଙ୍କୁ ବିଶେଷ ଖାତିରି କରନ୍ତି ନାହିଁ-ସେଠାକାର ଫୁର୍ତ୍ତିବାଜ ଯୁବକମାନଙ୍କୁ ମଧ୍ୟ ବଳିଯାଆନ୍ତି ଅଯଥା କୃତ୍ରିମତାରେ । ଏତେ ବେଶୀ ଦକ୍ଷ ହୋଇଯାଆନ୍ତି ଯେ କଥାକଥାରେ ବହୁତ କିଛି ଆଦ ବକାୟଦା ଦେଖାଇ ଥାଆନ୍ତି । ଏମାନେ ନିଜଦେଶ ଲୋକଙ୍କ ସହିତ କଥାବର୍ତ୍ତା କରୁଥିଲା ବେଳେ ମଧ୍ୟ ପେଣ୍ଟ ପକେଟରେ ହାତ ପୂରାଇ ଅଣ୍ଟା ହଲାଇ ଦାନ୍ତରେ ପାଇପ କାମୁଡ଼ି, ଧୂମୋଦ୍‌ଗାରଣ କରୁ କରୁ କୃତ୍ରିମ ଦରହାସ୍ୟ ସହିତ ଯେ ପ୍ରକାର ‘ଧନ୍ୟବାଦ’, ‘ଦୁଃଖ ପ୍ରକାଶ’ ଓ ‘ପାଣିପାଗ’ ବିଷୟରେ କଥାବାର୍ତ୍ତା ଆରମ୍ଭ କରନ୍ତି, ତାହା ଦେଖିଲେ ଆଦୌ ଭଲ ଲାଗେ ନା । ଭାରତୀୟଙ୍କଠାରେ ଏତେ ବେଶୀ କୃତ୍ରିମତା ଆଦୌ ଶୋଭା ପାଏ ନା । ଇଂରେଜିମାନେ ଏହାକୁ ଯେ ଖୁବ୍‌ ବେଶୀ ପସନ୍ଦ କରନ୍ତି ତା ନୁହେ; କାରଣ ଏ ଶ୍ରେଣୀର ଛାତ୍ରମାନେହିଁ ସବୁ କ୍ଷେତ୍ରରେ ଟିକିଏ ମାତ୍ରାଧିକ୍ୟ କରିପକାନ୍ତି । ଅନେକ ସମୟରେ ସେମାନେ କିଂଭୂତକିମାକାର ହୋଇ ପଡ଼ନ୍ତି-। ଇଂରେଜୀ କିମ୍ୱା ଭାରତୀୟମାନଙ୍କ ସଙ୍ଗରେ ଠିକ୍‌ ଭାବରେ ତାଳ ପକାଇ ଚାଲି ପାରନ୍ତି ନାହିଁ । ସାଧାରଣତଃ ଅଳ୍ପବୟସ୍କ ଓ ଅପରିପକ୍ୱ ମସ୍ତିଷ୍କର ଯୁବକମାନେ ଏପରି ହୋଇ ପଡ଼ନ୍ତି । ସେମାନେ ହଠାତ୍‌ ସଂପୂର୍ଣ୍ଣ ନୂତନ ପରିସ୍ଥିତିରେ ପହଞ୍ଚି ଏକାବେଳେକେ ତାଳଜ୍ଞାନ ହରାଇ ବସନ୍ତି । ଝିଅମାନଙ୍କ ସାଙ୍ଗରେ ମୁକ୍ତଭାବରେ ମିଶିବାର ସୁବିଧା ପାଇବାରେ ନିଜକୁ ବଡ଼ ଭାଗ୍ୟବାନ ମନେକରନ୍ତି ଓ ଅନେକ ସମୟରେ ବଡ଼ ନିର୍ଲ୍ଲଜ ଭାବରେ ସେମାନଙ୍କ ସହିତ ବ୍ୟବହାର କରି ଥାଆନ୍ତି । ଉଚ୍ଚ ଶ୍ରେଣୀର ଶିକ୍ଷିତ ଝିଅମାନେ ଏହା କେଭେଁ ପସନ୍ଦ କରନ୍ତି ନାହିଁ । କ୍ଳବ୍‌ରେ ଏପରି କେତେକ ଭାରତୀୟଙ୍କ ବ୍ୟବହାର ଦେଖିଲେ ପ୍ରକୃତରେ ବଡ଼ ଲାଜ ଲାଗେ-। କ୍ଳବରେ ମୋର ଅନେକ ଇଂରେଜ ବନ୍ଧୁ ମଧ୍ୟ ଏ ବିଷୟରେ ମୋତେ କହିଛନ୍ତି । ଏମାନେ କ୍ଳବ୍‌ରେ ହିଁ ଅଧିକାଂଶ ସମୟ ବ୍ୟୟ କରନ୍ତି । ଏମାନଙ୍କ ସଂଖ୍ୟା ବହୁତ କମ୍‌ ହେଲେ ମଧ୍ୟ ଆଖିରେ ବେଶ ପଡ଼େ ।

 

ସୁଖର ବିଷୟ ଯେ ଉପରୋକ୍ତ ଦୁଇ ଶ୍ରେଣୀର ଭାରତୀୟଙ୍କ ସଂଖ୍ୟା ଆଜିକାଲି ଖୁବ୍‌ ବେଶୀ ନୁହେଁ । ଏମାନଙ୍କ ଛଡ଼ା ଅନ୍ୟାନ୍ୟ ଛାତ୍ରମାନଙ୍କର ସୁଖ୍ୟାତି ଅଛି । ଏମାନେ ସଂଯତ । ଏମାନେ ପଢ଼ିବା ସମୟରେ ପଢ଼ନ୍ତି ଓ ଅନ୍ୟାନ୍ୟ ସମୟରେ ସେଠାକାର ରୁଚି ଉପଯୋଗୀ କାର୍ଯ୍ୟକଳାପରେ ଯୋଗ ଦେଇଥାଆନ୍ତି । ଭଦ୍ରତାର ଯେତିକି ଆବଶ୍ୟକ ସେତିକି ହାସଲ କରି ଶିଷ୍ଟ ଓ ସଂଯତ ଭାବରେ ଝିଅପୁଅଙ୍କ ସାଙ୍ଗରେ ମିଶି ଥାଆନ୍ତି । ତେଣୁ ଏମାନଙ୍କ ପ୍ରତି ପ୍ରକୃତରେ ଇଂରେଜିମାନଙ୍କର ଶ୍ରଦ୍ଧା ଓ ସମ୍ମାନ ଦେଖାଯାଇଥାଏ । ମୁଁ ଶୁଣିଲି ଆଜିକାଲି ଏମାନଙ୍କର ସଂଖ୍ୟା ବଢ଼ିଛି, ତାର କାରଣ ଆଜିକାଲିକାର ଅଧିକାଂଶ ଛାତ୍ର ଉପଯୁକ୍ତ ଭାବରେ ବଛା ହୋଇଛନ୍ତି ଓ ସେମାନଙ୍କର ବୟସ ସେତେ କମ୍‌ ହୋଇ ନ ଥିବାରୁ ସେମାନଙ୍କର ଭଲ ମନ୍ଦ ବିଚାର କରିବାର ଶକ୍ତି ଅଛି । ତା ଛଡ଼ା ଭାରତର ରାଜନୈତିକ ଅବସ୍ଥାର ଉନ୍ନତି ସଙ୍ଗେ ସଙ୍ଗେ ଛାତ୍ରମାନଙ୍କର ମନୋଭାବ ବଦଳି ଯାଇଛି, ଅନ୍ଧଭାବରେ ସବୁ ଶିଖିବାର ଅଭିଳାଷ ନାହିଁ, ନିଜକୁ ପ୍ରତିପାଦନ କରିବାର ମାନସିକ ବଳ ଆସି ଯାଇଛି-ଇଂରେଜିମାନଙ୍କୁ ସମାଲୋଚନା କରିବାର କୁଣ୍ଠା ନାହିଁ । ମୋଟାମୋଟି ଆତ୍ମସମ୍ମାନ ଜ୍ଞାନର ବୃଦ୍ଧି ସାଙ୍ଗେ ସାଙ୍ଗେ ଏ ପ୍ରକାର ଛାତ୍ରମାନଙ୍କର ସଂଖ୍ୟା ଯେ ବୃଦ୍ଧି ହେବ, ଏଥିରେ ସଂଦେହ ନାହିଁ । ଆଗେ ଯେପରି ଭାବୁଥିଲେ ଯେ ଇଂଲଣ୍ଡ ଆସିଗଲେ ଯେପରି କିଛି ଗୋଟାଏ ହୋଇଗଲା-ପ୍ରଗତିର ଶେଷ ସୋପାନକୁ ମଣିଷ ଉଠିଗଲା-କିନ୍ତୁ ଆଜିକାଲି ସେ ପ୍ରକାର ମନୋଭାବ ବେଶୀ ଲୋକଙ୍କଠାରେ ନ ଥିବାରୁ ଏ ଶ୍ରେଣୀର ଛାତ୍ରସଂଖ୍ୟା ବେଶୀ ହେବା ସ୍ୱାଭାବିକ । ଏ ଦଳର ଛାତ୍ରଙ୍କର ମଧୁର ବ୍ୟବହାର ଓ ନମ୍ରତା ଦେଖିଲେ ବଡ଼ ଆନନ୍ଦ ହୁଏ-ଇଂରେଜମାନେ ମଧ୍ୟ ଏମାନଙ୍କର ପ୍ରଶଂସା କରିଥାଆନ୍ତି । ତେବେ ଠିକ୍‌ ଏହିମାନେ ଭାରତର ଭିନ୍ନ ପରିସ୍ଥିତିରେ କିପରି ବ୍ୟବହାର କରିବେ ତା ଉପରେ ଅନେକଟା ନିର୍ଭର କରେ । ସେଠି ଖୁବ୍‌ ପ୍ରଶଂସାର ପାତ୍ର ହୋଇ ଅନେକ ସମୟରେ ଭାରତକୁ ଫେରିଲା ପରେ ସମ୍ପୂର୍ଣ୍ଣ ବଦଳିଯାଆନ୍ତି ।

 

ଅନେକେ ଭାରତୀୟ ଇଂରେଜୀ ସ୍ତ୍ରୀ ବିବାହ କରିଥାଆନ୍ତି । ଯଦି ପ୍ରକୃତ ସ୍ନେହ ଥାଇ ବିବାହ ହୋଇଥାଏ ଓ ପାତ୍ରୀ ଉପଯୁକ୍ତା ହୋଇଥାଏ, ତାହେଲେ ଆପତ୍ତି କରିବାର କିଛି ନାହିଁ । କିନ୍ତୁ ଅନେକ ସମୟରେ ଆତ୍ମବଡ଼ିମାର ବୃଦ୍ଧି ଲାଗି ବା ଘଟଣାଚକ୍ରରେ ପଡ଼ି ଯେଉଁମାନେ ବିବାହ କରନ୍ତି, ସେମାନେ କେଭେଁ ସୁଖୀ ହୋଇ ପାରିବେ ନାହିଁ । ତା ଛଡ଼ା ଇଂରେଜସ୍ତ୍ରୀ ଆସି ଯଦି ଆମ ଦେଶର ଅବସ୍ଥା ସାଙ୍ଗରେ ତାଳ ପକାଇ ଚାଲି ନ ପାରେ, ତା ହେଲେ ବିବାହ-ଜୀବନ ନିଶ୍ଚୟ ଦୁଃଖମୟ ହେବ । ଆଗେ ଯେଉଁମାନେ ବିବାହ କରୁଥିଲେ-ଆସିଲା ପରେ ଅନେକ ଦରମା ପାଇ ଉପର ଶ୍ରେଣୀଲୋକଙ୍କ ସାଙ୍ଗରେ ମିଶି-ବଙ୍ଗଳାରେ ରହି ସାଧାରଣ ମଧ୍ୟବିତ୍ତ ପରିବାରଙ୍କଠାରୁ ମଧ୍ୟ ଅଲଗା ରହୁଥିଲେ; ତେଣୁ ଇଂରେଜୀ ସ୍ତ୍ରୀ ପକ୍ଷରେ ବିଶେଷ ଅସୁବିଧା ହେଉ ନ ଥିଲା;କିନ୍ତୁ ଆଜିକାଲି ଯେତେବେଳେ ଏହା ସଂଭବ ହୋଇପାରିବ ନି ଭଲକରି ବୁଝି ଶୁଝି ବିବାହ କରିବା ଉଚିତ । ସେମାନେ ଯଦି ସଂପୂର୍ଣ୍ଣରୂପେ ସେମାନଙ୍କର ଚାଲିଚଳଣ, ଆଦାବକାୟଦା ବଦଳାଇ ପାରିବେ, ଭାରତ ଆସିଲା ପରେ ତାହେଲେ ବିବାହ କରିବା ଉଚିତ, ତା ନ ହେଲେ ସେମାନେ କେଭେଁ ଆମଦେଶରେ ସାଧାରଣ ଲୋକଙ୍କ ସହିତ ଶାନ୍ତିରେ ମିଶି ପାରିବେ ନାହିଁ । ଦୁଇ ଦେଶର ସାମାଜିକ ଓ ଅର୍ଥନୈତିକ ଅବସ୍ଥା ଏତେ ଫରକ ଯେ ସହଜରେ ସେମାନେ ନିଜକୁ ଏ ଅବସ୍ଥାରେ ଚଳାଇ ପାରିବେ ବୋଲି ମୋର ବିଶ୍ୱାସ ନୁହେଁ । ତେଣୁ ଏହା ଗୋଟିଏ ଜଟିଳ ସମସ୍ୟା । କିନ୍ତୁ ଯେଉଁମାନେ ବିବାହ କରି ସେଠି ରହନ୍ତି, ସେମାନଙ୍କର ଖୁବ୍‌ ବେଶୀ ଅସୁବିଧା ହୁଏ ନାହିଁ । ଯଦିଚ ଅନେକ ସମୟରେ ପିଲାମାନଙ୍କ ଭିତରେ ସ୍କୁଲରେ ଟିକିଏ ମନୋମାଳିନ୍ୟ ଓ ପାତରଅନ୍ତର ବ୍ୟବହାର ହୋଇଥାଏ ଓ ଚାକିରୀରେ ସାମାନ୍ୟ ଅସୁବିଧା ହୋଇପାରେ ତଥାପି ଏହା ଖୁବ୍‌ ବେଶୀ ନୁହେଁ । ଯଦି ଉପଯୁକ୍ତା ଇଂରେଜୀ ସ୍ତ୍ରୀ ମିଳିପାରେ ଯେ କି ସବୁ ଅବସ୍ଥାରେ ନିଜକୁ ଚଳାଇ ପାରିବ, ତାହେଲେ ମୋର ମନେ ହୁଏ-ଦାଂପତ୍ୟ ଜୀବନ ଖୁବ୍‌ ସୁଖମୟ ହେବ ।

 

ଭାରତୀୟ ଛାତ୍ର ଓ ଅନ୍ୟାନ୍ୟ ସାଧାରଣ ଲୋକଙ୍କ ଛଡ଼ା ବଡ଼ ବଡ଼ ଧନୀ ବ୍ୟବସାୟୀ ଓ ରାଜାମହାରାଜଙ୍କ ବିଷୟରେ ପଦେ ଅଧେ ଲେଖିବା ଉଚିତ । ଏମାନେ ଏଠାରେ ଖୁବ୍‌ ଜଣାଶୁଣା । ଭାରତୀୟ ରାଜାମହାରାଜଙ୍କର ପ୍ରଭୂତ ଧନ ଓ ବିଳାସବ୍ୟସନ ବିଷୟରେ ବହୁତ ଗପ ଶୁଣିବାକୁ ମିଳେ । ଗୋଟିଏ ବାଳକଟା ସେଲୁନରେ ବାଳକାଟୁଥିବା ଲୋକ ମୋତେ ପଚାରିଲା-‘ଆଚ୍ଛା ହାଇଦରାବାଦ ନିଜାମଙ୍କର କୁଆଡ଼େ ଏତେ ହୀରା ଅଛି ଯେ ସେସବୁ ଯଦି ଏକାବେଳେ ବଜାରରେ ବିକ୍ରି ସକାଶେ ପଠାହୁଏ, ତାହେଲେ ହୀରା ଖଣ୍ଡକର ମୂଲ୍ୟ ଦୁଇ ଅଣା ଚାରିଅଣା ହୋଇଯିବ ? ଆହୁରି ଅନେକେ ଆଶ୍ଚର୍ଯ୍ୟ ହୋଇ ପଚାରନ୍ତି ଯେ ଭାରତର ସାଧାରଣ ଲୋକେ ଖାଇବାକୁ ନ ପାଇ ସୁଦ୍ଧା ଏପରି ଶୋଷକମାନଙ୍କୁ କିପରି ବରଖାସ୍ତ କରିପାରନ୍ତି । ଅନେକ ଖବରକାଗଜରେ ରାଜାମହାରାଜାମାନଙ୍କର ଛବି ସବୁ ବାହାରେ । ବରୋଦାର ମହାରାଜା ଯେତେବେଳେ ଦଶ ଲକ୍ଷ ଟଙ୍କା ଦେଇ ଘୋଡ଼ାଦୌଡ଼ ପାଇଁ ଗୋଟିଏ ଘୋଡ଼ା କିଣିଲେ-ତାର ବିଶଦ ବିବରଣୀ ସହିତ ଛବି ଅନେକ କାଗଜରେ ବାହାରିଥାଏ । ଆଉ ଜଣେ ରାଜକୁମାରୀ ମଦ ଖାଇ ରାତିରେ ମଟର ଚଳାଉଥିବା ଅବସ୍ଥାରେ ପୋଲସି ଧରିଥିଲା-କାଗଜରେ ତାର ଅନେକ ଆଲୋଚନା । ଆଗା ଖାଁଙ୍କ ପୁଅ ଆଲିଖାନ୍‌ କେତେଟା ବାହାହୋଇ ପାରିବ ଓ ତାର କେତେ ସଂପତ୍ତି-କଣ କରେ ଇତ୍ୟାଦି ବିଷୟରେ ଅନେକ ଖବର ବାହାରେ । ହୋଟେଲରେ ଏମାନଙ୍କର ପ୍ରତିପତ୍ତି ଖୁବ୍‌ ବେଶୀ । ଏମାନେ ଏତେ ମୁକ୍ତ ହସ୍ତରେ ଖରଚ କରନ୍ତି ଯେ ହୋଟେଲର କର୍ମଚାରୀମାନେ ମହା ଆଗ୍ରହର ସହିତ ଏମାନଙ୍କର ଅପେକ୍ଷା କରିଥାଆନ୍ତି । ଥରେ ବମ୍ୱେର ଜଣେ ଧନୀ ବ୍ୟବସାୟୀଙ୍କ ସହିତ ମୋର ଦେଖା ହୋଇଥିଲା । ଗୋଟିଏ ହୋଟେଲରେ ପ୍ରାୟ ଅଧଘଣ୍ଟାଏ ଭିତରେ ସେ ପ୍ରାୟ ୪୦।୫୦ ଟଙ୍କା ବକସିସ୍‌ ଦେଇଥିବେ । ଜଣେ ପାଣି ଗ୍ଳାସେ ଆଣିଦେଲା ତ ପାଞ୍ଚ ସାତ ଟଙ୍କା ସାଙ୍ଗେ ସାଙ୍ଗେ ମିଳିଗଲା । ଏମାନେ ଭାରତର ଶ୍ରମିକମାନଙ୍କ ଠାରୁ ରକ୍ତ ଶୋଷି ନିଜ ନିଜକୁ ମୋଟା କରୁଛନ୍ତି; କିନ୍ତୁ ଏଠାରେ ଆସି ବଡ଼ ଉଦାର ଓ ଦାନଶୀଳ ହୋଇପଡ଼ନ୍ତି । ସେ ଭଦ୍ରଲୋକଙ୍କର ଖର୍ଚ୍ଚ ଦେଖି ମୁଁ ଅବାକ ହୋଇଗଲି । ହପ୍ତାଏ ଭିତରେ ବୋଧହୁଏ ଦଶ ପନ୍ଦର ହଜାର ଟଙ୍କା ଖରଚ କରିଥିବେ । ବିଶେଷ ଖବର ନେବାରେ ଜାଣିପାରିଲି ଯେ ଉପରୋକ୍ତ ଭଦ୍ରଲୋକଟିଙ୍କ ନାଁରେ ଗୁଜରାତି ଖବରକାଗଜରେ ଚୋରା ବଜାର ନେଇ ଅନେକ ଖବର ବାହାରି ଥାଏ ସେ ସମୟରେ । ସେ ପୁଣି ଆଖି ଛଳ ଛଳ କରି ଗାନ୍ଧିଙ୍କ ବିଷୟରେ କଥା କହୁଥାଆନ୍ତି; ଅର୍ଥାତ୍‌ ଏମାନେ ଭାରତ ସ୍ୱାଧୀନ ହେଲା ପରେ ବାହାରେ ଗାନ୍ଧି ଓ ଜାତୀୟତା ନାମରେ ମଧ୍ୟ ଅବାଧରେ ଚୋରା ବଜାର କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ମୁଁ ତାଙ୍କୁ ପଚାରିଥିଲି ଯେ ସେ ଏତେ ଟଙ୍କା କିପରି ପାଉଛନ୍ତି-? ସେ କହିଲେ ଯେ ଶ୍ରମିକକୁ ସେ ପୁଅ ପରି ଦେଖନ୍ତି ଓ ବହୁତ ମଜୁରି ଦିଅନ୍ତି । ତାପରେ ମଧ୍ୟ ତାଙ୍କର ଏତେ ଟଙ୍କା ଯେ ସେ ଜାଣନ୍ତି ନାହିଁ କଣ କରିବେ ।

 

ଏପ୍ରକାର ଅନେକ ଲୋକ ୟୁରୋପ ଆସନ୍ତି ଓ ବିଳାସବ୍ୟସନରେ ଅଜସ୍ର ଟଙ୍କା ବିଞ୍ଚି ଦିଅନ୍ତି । ପ୍ରକୃତରେ ସେମାନଙ୍କର ଏତେ ଟଙ୍କା ଯେ ସେ ବୁଝିପାରନ୍ତି ନି କିପରି ଖର୍ଚ୍ଚ କରିବେ । ଏପରି କିଛି ଜଘନ୍ୟ କାର୍ଯ୍ୟ ନାହିଁ ଯାହା କି ସେମାନେ କରି ନ ପାରିବେ । ଭାରତର ସମ୍ମାନ ଏମାନଙ୍କ ଲାଗି ବହୁତ ତଳକୁ ହୋଇଯାଏ-ତଥାପି ଗଣତନ୍ତ୍ର ନାମରେ-ବ୍ୟକ୍ତିଗତ ସ୍ୱାଧୀନତା ନାମରେ ଆମେ ସେମାନଙ୍କୁ ସହ୍ୟ କରିଥାଇଁ । ପାରିସରେ ଏମାନଙ୍କର ପ୍ରକୃତ ସ୍ୱରୂପ ଦେଖାଯାଏ ଓ ସେଥିଲାଗି ମଧ୍ୟ ସେମାନେ ଖୁବ୍‌ ଜଣାଶୁଣା । ଜଣେ ଫରାସୀ ପ୍ରଫେସର ମୋତେ କହିଲେ ଯେ ପାରିସରେ ଭାରତୀୟଙ୍କୁ ବାହାର କରିବା ଖୁବ୍‌ ସହଜ । ମୁଁ ପ୍ରଥମେ ବୁଝିପାରିଲି ନାହିଁ-ତାପରେ ବୁଝିଲି ଯେ ଭାରତୀୟ ମାନେ ସେ ଏମାନଙ୍କୁ ବୁଝୁଛନ୍ତି ଏବଂ ଏମାନଙ୍କର ପ୍ରିୟ କେତେକ ନିର୍ଦ୍ଦିଷ୍ଟ ‘ରାତ୍ରି କ୍ଳବ’ କଥା କହୁଛନ୍ତି । ସରକାର ତରଫରୁ ଏମାନଙ୍କର ଅଯଥା ବ୍ୟୟ ଲାଗି କିଛି ହେବା ଉଚିତ ।

•••

 

Unknown

–ଷୋଳ–

ଦଳଗତ ରାଜନୀତି

 

ଏଠାକାର ସାଧାରଣ ଲୋକଙ୍କର ରାଜନୀତି କ୍ଷେତ୍ରରେ ବେଶ୍‌ ପରିଷ୍କାର ଧାରଣା ଥିଲା ପରି ମନେହୁଏ । ଆମଦେଶର ଗାଁଗହଳର ଲୋକଙ୍କ ପରି କିଛି ନ ବୁଝି ଭୋଟ ଦିଅନ୍ତି ନାହିଁ । ଏପରି କି ଦୈନନ୍ଦିନ ଜୀବନରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ଲୋକେ ସେମାନଙ୍କର ଦଳଗତ ନୀତିଦ୍ୱାରା ପରିଚାଳିତ ହୋଇଥାନ୍ତି ଏବଂ ଅନେକେ ଦଳ ମନୋନୀତ ବା ଦଳ ପରିଚାଳିତ ଖବରକାଗଜ ସବୁ ପଢ଼ିଥାଆନ୍ତି । ଅବଶ୍ୟ ଅଧିକାଂଶ କାଗଜ ଜାଠଦଳଭୁକ୍ତ କୋଟିପତିଙ୍କ ଦ୍ୱାରା ଚାଳିତ ହେଉଥିବାରୁ ସାଧାରଣ ଲୋକେ ଅନ୍ୟ ଦଳର ଅନ୍ତର୍ଗତ ହୋଇଥିଲେ ସୁଦ୍ଧା ପଢ଼ିବାକୁ ବାଧ୍ୟ ହୁଅନ୍ତି । ତେଣୁ କୌଣସି ଗୋଟିଏ କାଗଜର କାଟତି ତାର ରାଜନୈତିକ ପ୍ରଭାବର ପରିମାପକ ନୁହେଁ ।

 

ଲୋକଙ୍କର ସାଧାରଣ ଶିକ୍ଷା ଓ ଅନ୍ୟାନ୍ୟ ରାଜନୈତିକ ପ୍ରଚାର ଲୋକଙ୍କ ମତକୁ ବିଭିନ୍ନ ସାମାଜିକ ଓ ରାଜନୈତିକ ସମାସ୍ୟା ସମାଧାନ ବିଷୟରେ ପ୍ରଭାବିତ କରିଥାଏ । ସେମାନଙ୍କର ମତ ସବୁ ଏତେ ପ୍ରାଞ୍ଜଳ ଓ ସୁସଂଯତ ଯେ ପାଞ୍ଚ ମିନିଟ ସାଧାରଣ କଥାଭାଷାରେ ଜଣାପଡ଼ିଯିବ ସେମାନେ କେଉଁ ରାଜନୈତିକ ଦଳର ଅନ୍ତର୍ଭୁକ୍ତ ଅଟନ୍ତି । ଉଦାହରଣ ସ୍ୱରୂପ-ମୁଁ ଯଦି ଜଣକୁ ପଚାରେ ଭାରତର ସ୍ୱାଧୀନତା ବିଷୟରେ ତୁମର ମତ କଣ ଏବଂ ସେ ଯଦି କହିବ ଯେ ବର୍ତ୍ତମାନ ଅବସ୍ଥାରେ ଭାରତର ସ୍ୱାଧୀନତା ପାଇବା ଉଚିତ ହୋଇନାହିଁ-ଦେଖ କେତେ ଗଣ୍ଡଗୋଳ ହୋଇଗଲା, ସ୍ୱାଧୀନତା ପାଇବା ମାତ୍ରେ.......ଇତ୍ୟାଦି-ତାହେଲେ ସାଙ୍ଗେ ସାଙ୍ଗେ ବୁଝିନେବାକୁ ହେବ ଯେ ଭଦ୍ରଲୋକଟି ନିଶ୍ଚୟ ଜାଠଦଳଭୁକ୍ତ । କିନ୍ତୁ ଯଦି କହେ ଯେ ଭାରତକୁ ଆମ ସରକାର ସ୍ୱାଧୀନତା ଦେଇ ଖୁବ୍‌ ଭଲ କରିଛି-ଭାରତ ପ୍ରତି ନ୍ୟାୟ ବିଚାର କରାହୋଇଛି, ତାହେଲେ ଭାବି ନେବାକୁ ହେବ ଯେ ଲୋକଟି ଶ୍ରମିକଦଳର ଅନ୍ତର୍ଗତ । ତାଛଡ଼ା ଦଳେ କହିବେ ଯେ-ଭାରତର ତଥାକଥିତ ସ୍ୱାଧୀନତାର କିଛି ଅର୍ଥ ନାହିଁ-ଦେଖ ନା ବର୍ତ୍ତମାନ ସୁଦ୍ଧା ଇଂରେଜମାନେ ଭାରତକୁ ଅର୍ଥନୈତିକ କ୍ଷେତ୍ରରେ ଆଗ ପରି ହାତମୁଠାରେ ରଖିଛନ୍ତି-କୋଟି କୋଟି ପାଉଣ୍ଡ ମୂଳଧନ ରୂପେ ଖଟାଇଥିବା ଇଂରେଜୀ ବ୍ୟବସାୟୀମାନେ ବର୍ତ୍ତମାନ ସୁଦ୍ଧା ପୂର୍ବପରି ଲାଭଶୋଷି ନେଉଛନ୍ତି ଏବଂ ସେସବୁକୁ ଜାତୀୟ ସମ୍ପତିରେ ପରିଣତ କରିବାର କୌଣସି ସୂଚନା ନାହିଁ-ଇଂରେଜ ଓ ଆମେରିକାନମାନେ ଯାହା କହୁଛନ୍ତି ଭାରତ ସେଇୟା କରୁଛି’......ଇତ୍ୟାଦି, ତାହେଲେ ବୁଝିବାକୁ ହେବ ଯେ ସେମାନେ ହେଉଛନ୍ତି କମ୍ୟୁନିଷ୍ଟ । ଏପରି ଅନେକ ପ୍ରକାର ସମସ୍ୟା ନେଇ ବେଶ୍‌ ସହଜରେ ବୁଝିହେବ ଯେ କିଏ କେଉଁ ରାଜନୈତିକ ଦଳର ଲୋକ ।

 

ଇଂଲଣ୍ଡରେ ଚାରୋଟି ରାଜନୈତିକ ଦଳ-ରକ୍ଷଣଶୀଳ ଜାଠ, ଶ୍ରମିକ, ଲିବରାଲ ଓ କମ୍ୟୁନିଷ୍ଟ ଦଳ । *ଗତ ନିର୍ବାଚନରେ ନିମ୍ନଲିଖିତ ହିସାବରେ ବିଭିନ୍ନ ଦଳ ଭୋଟ ପାଇଥିଲେ ।

 

 

ଶ୍ରମିକଦଳ

୧୧, ୯୯୨, ୨୯୨

ଜାଠଦଳ

୯, ୯୬୦, ୮୦୯

ଲିବରାଲଦଳ

୨, ୯୩୯, ୬୬୮

 

କମ୍ୟୁନିଷ୍ଟଦଳ ଭୋଟ ଶ୍ରମିକଦଳ ସହିତ ମିଶିଥିଲା ସେସମୟରେ ଲିବରଲ ଏତେ ଭୋଟ ପାଇଥିଲେ ମଧ୍ୟ ୩୦୭ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୧୨ଜଣ ନିର୍ବାଚିତ ହୋଇଥିଲେ । ପାର୍ଲିଆମେଣ୍ଟରେ ବର୍ତ୍ତମାନର ଦଳଗତଶକ୍ତି ଏହିପରି :–

 

*

୧୯୦୫ ନିର୍ବାଚନ । ନୂତନ ନିର୍ବାଚନ ବେଳକୁ ବହି ଲେଖା ସରିଥିଲା ।

 

(ସରକାରୀ ଦଳ) ଶ୍ରମିକ ଦଳ

୩୯୬

(ବିରୁଦ୍ଧ ଦଳ) ଜାଠ ଦଳ

୨୨୦

ଉଦାର ରାଜନୀତି ଦଳ

୧୨

ସ୍ୱାଧୀନ ଦଳ

୧୦

କମ୍ୟୁନିଷ୍ଟ ଦଳ

 

୬୪୦

 

ମୋଟାମୋଟି ଦେଖିବାକୁ ଗଲେ ଶ୍ରମିକ ଓ ଜାଠ ହେଉଛନ୍ତି ଦୁଇଟି ପ୍ରଧାନ ରାଜନୈତିକଦଳ ।

 

ଜାଠଦଳର ଲୋକେ ବଡ଼ ରକ୍ଷଣଶୀଳ ଏବଂ ଖୁବ୍‌ ପ୍ରତିକ୍ରିୟାଶୀଳ ଜାତୀୟବାଦୀ-ଅବଶ୍ୟ ରକ୍ଷଣଶୀଳତା ଓ ସଂକୀର୍ଣ୍ଣ ଜାତୀୟତା ବିଷୟରେ ଦେଖିବାକୁ ଗଲେ କମ୍ୟୁନିଷ୍ଟମାନଙ୍କ ଛଡ଼ା ଆଉ ସମସ୍ତେ ସମାନ । ଏ ବିଷୟରେ ଶ୍ରମିକଦଳ କିମ୍ୱା ଲିବରଲ୍‌ ଦଳର ଲୋକଙ୍କୁ ଜାଠଦଳ ଲୋକଙ୍କଠାରୁ ପୃଥକ୍‌ କରିବା କଷ୍ଟକର ହେବ । ତେଣୁ ମୁଷ୍ଟିମେୟ କେତେକ ଲୋକଙ୍କୁ ଛାଡ଼ିଦେଲେ ଅଧିକାଂଶ ଇଂରେଜିମାନେ ଭାବନ୍ତି ଯେ ସେମାନଙ୍କ ପରି ବୁଦ୍ଧିମାନ, କର୍ମକୁଶଳ ଓ ସଭ୍ୟ ଜାତି ପୃଥିବୀରେ ଆଉ କେହି ନାହାନ୍ତି । ସେମାନେ ନ୍ୟାୟ, ଦୟା, ଅତିଥିସତ୍କାର ପ୍ରଭୃତି ସର୍ବପ୍ରକାର ବାଞ୍ଛନୀୟ ଗୁଣରେ ଭୂଷିତ; ତେଣୁ ଅନ୍ୟାନ୍ୟମାନଙ୍କର ସେମାନଙ୍କଠାରୁ ବହୁତ ଶିଖିବାର ଅଛି ଇତ୍ୟାଦି । ଏପରି ଆତ୍ମଅଭିମାନ ଯୋଗୁଁ ସେମାନେ କେଭେଁ ଭାବି ପାରନ୍ତି ନାହିଁ ଯେ ଭାରତ ଓ ଅନ୍ୟାନ୍ୟ ଅଧୀନସ୍ଥ (colonial) ଦେଶରେ ସେମାନେ କେଉଁ ଭୁଲ କରିପାରନ୍ତି-। ଅଧିକାଂଶ ପ୍ରକୃତରେ ବିଶ୍ୱାସ କରନ୍ତି ଯେ ଏ ସବୁଦେଶରେ ସେମାନେ ଅଛନ୍ତି ଖାଲି ଅନୁନ୍ନତ ଦେଶର ଲୋକଙ୍କୁ ସଭ୍ୟ କରାଇବା ପାଇଁ । ଅବଶ୍ୟ ଏ ପ୍ରକାର ଭୁଲ ଧାରଣା ଖବରକାଗଜ ଓ ଅନ୍ୟାନ୍ୟ ପ୍ରଚାର ଦ୍ୱାରା ଲୋକଙ୍କ ମନରେ ବଦ୍ଧମୂଳ କରିଦିଆ ହୋଇଛି । ତେଣୁ ସେମାନେ ପ୍ରକୃତରେ ଏହା ବିଶ୍ୱାସ କରନ୍ତି । କମ୍ୟୁନିଷ୍ଟ ଓ ଆଉ କେତେକ ମୁଷ୍ଟିମେୟ ଲୋକଙ୍କର ଏପରି ଭ୍ରମ ଧାରଣା ନାହିଁ ବୋଲି ମନେହୁଏ । କମ୍ୟୁନିଷ୍ଟମାନଙ୍କ ସହିତ ମୁଁ ମନଖୋଲି ଇଂରେଜଙ୍କ ବିରୁଦ୍ଧରେ-ସେମାନଙ୍କ ଅତୀତ କାର୍ଯ୍ୟକଳାପ ବିଷୟରେ-କଥାବାର୍ତ୍ତା କରିପାରିଛି, ଏ ବିଷୟରେ ଜାଣିଥିଲେ ଅନୁମୋଦନ କରନ୍ତି । ଜାଣି ନ ଥିଲେ ସହାନୁଭୂତି ସହ ଶୁଣିଥାନ୍ତି । ଠିକ୍‌ ସେ ପ୍ରକାର ଆଲୋଚନାରେ ଜାଠଦଳର ଲୋକେ ଏକାବେଳକେ ରାଗି ଖଡ଼୍‌ଗହସ୍ତ ହୋଇ ପଡ଼ିବେ, ଶ୍ରମିକଦଳର ଲୋକେ ଭାରତ ବିଷୟରେ ସହାନୁଭୂତି ପ୍ରକାଶ କରିଥାନ୍ତି ସତ, କିନ୍ତୁ ତା ପଛରେ ଗୋଟିଏ ଲୁକା୍‍‌ୟିତ ଆତ୍ମବଡ଼ିମା ରହିଥାଏ । ସବୁବେଳେ ଦେଖାଇବାକୁ ଚାହାନ୍ତି ଯେ ଶ୍ରମିକ ସରକାର ଭାରତବର୍ଷକୁ ସ୍ୱାଧୀନତା ଦେଇ ଖୁବ୍‌ ଉଦାରତାର ପରିଚୟ ଦେଇଛନ୍ତି । ମନେହୁଏ ସେମାନେ ସେ ବିଷୟ ମନେ ପକାଇ ସବୁବେଳେ ଗୋଟାଏ ବାହାଦୂରୀ ନେବାକୁ ଚାହାନ୍ତି । ମୁଁ ସେମାନଙ୍କୁ ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କ ପାର୍ଲିଆମେଣ୍ଟରେ ଘୋଷଣା କଥା ମନେ କରାଇ କହିଥାଏ ଯେ ଶ୍ରମିକ ସରକାରର ଅନ୍ୟ କିଛି ଉପାୟ ନ ଥିବାରୁ ସ୍ୱାଧୀନତା ଦେବାକୁ ବାଧ୍ୟ ହୋଇଛନ୍ତି । ଷ୍ଟାଫୋର୍ଡ଼ କ୍ରିପ୍‌ସ ଭାରତ ବିଷୟ ଆଲୋଚନାରେ ପାର୍ଲିଆମେଣ୍ଟରେ କହିଥିଲେ ଯେ ବ୍ରିଟେନ୍‌ର ବର୍ତ୍ତମାନ ଯାହା ଅବସ୍ଥା ସେଥିରେ ସେ ଗୋଟିଏ ବିରାଟ ଫୌଜ ପଠାଇ ଭାରତକୁ ଆୟତ୍ତାଧୀନ କରି ପାରେ ନା; ତେଣୁ ଭାରତକୁ ସ୍ୱାଧୀନତା ଦେବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ । ଯେଉଁ ସରକାର ପ୍ରାୟ ୧୬୦୦ କୋଟି ଟଙ୍କା ଭାରତରୁ ଧାର କରିଛନ୍ତି ଏବଂ ନିଜ ଦେଶର ସାଧାରଣ ଖର୍ଚ୍ଚ ତୁଲାଇବାପାଇଁ କୋଟି କୋଟି ଟଙ୍କା ଧାର କରୁଛନ୍ତି, ସେମାନେ କିପରି ୪୦ କୋଟି ଲୋକଙ୍କୁ ପରାଧୀନ କରି ରଖିଥାନ୍ତେ ? ଯଦି ସେମାନଙ୍କର ଏତେ ବେଶୀ ଦୟା ଓ ମହାନୁଭବତା ଅଧୀନସ୍ଥ ରାଜ୍ୟମାନଙ୍କ ପ୍ରତି, ତାହେଲେ ମାଲୟ ପ୍ରଭୃତି ଅନ୍ୟାନ୍ୟ ରାଜ୍ୟସବୁ ଛାଡ଼ି ଦେଉନାହାନ୍ତି କାହିଁକି ? ତାର ଉତ୍ତରରେ ଶ୍ରମିକ ଦଳର ଲୋକେ ଟିକିଏ ହସି କହିବେ ଯେ ଯୁକ୍ତି କରି ଏତେ ବଡ଼ ଉଦାରତାର କାର୍ଯ୍ୟକୁ ବୁଝିବା କଷ୍ଟକର । ମାଳୟ ପ୍ରଭୃତି ଦେଶର ଲୋକେ ବର୍ତ୍ତମାନ ସୁଦ୍ଧା ଗଣତାନ୍ତ୍ରିକ ଶାସନ ଲାଗି ପ୍ରସ୍ତୁତ ନୁହନ୍ତି । ତା ଛଡ଼ା ବର୍ତ୍ତମାନ ଯେଉଁ ଗଣ୍ଡଗୋଳ ଲାଗିଛି, ତାହା କେବଳ କେତେକ ମୁଷ୍ଟିମେୟ ଦସ୍ୟୁଙ୍କ କାର୍ଯ୍ୟ । ତେଣୁ ସେମାନଙ୍କୁ ଦେଶର ଶାନ୍ତି ଓ ସମୃଦ୍ଧି ଲାଗି ଦବାଇବା ଉଚିତ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଅଳ୍ପ କେତେକ ଦସ୍ୟୁଙ୍କୁ ଦବାଇବା ପାଇଁ ପ୍ରାୟ ପଚାଶ ହଜାର ବ୍ରିଟିସ୍‌ ସୈନ୍ୟ, ଆଉ ୨୦ ହଜାର ସ୍ଥାନୀୟ ପୁଲିସ୍‌, ୭୦ ହଜାର ଟନ୍‌ ଆମେରିକାନ୍‌ ଗୋଳା ବାରୁଦ, ଅଜସ୍ର ଉଡ଼ାଜାହାଜ ଇଣ୍ଡୋନେସିଆର ମଣିଷମାଂସ ଭକ୍ଷକ ଶୀକାର ଦକ୍ଷ ବଣ ମଣିଷ ଓ ଭୟଙ୍କର ଆଲ୍‌ସେସିଆନ୍‌ କୁକୁରର ସାହାଯ୍ୟ ନେଇ ସୁଦ୍ଧା ଏତେ ଦିନ ଲାଗିଗଲାଣି, ତଥାପି ତାର କିଛି ଫଳ ହେଲା ପରି ଲାଗୁନି । ୧୯୪୨ରେ କଂଗ୍ରେସ ନେତାମାନଙ୍କୁ ମଧ୍ୟ ଦସ୍ୟୁ ବୋଲି ଏମାନେ କହୁଥିଲେ । ଏସବୁ ବାହ୍ୟନୀତି ବିଷୟରେ କିନ୍ତୁ ଜାଠ ଓ ଶ୍ରମିକ ଦଳର ଲୋକେ ଏକମତ । ତେଣୁ ବେଭିନ୍‌ଙ୍କୁ ଚର୍ଚ୍ଚିଲ୍‌ ବହୁତ ପ୍ରଶଂସା କରିଥାନ୍ତି ।

 

ଶ୍ରମିକ ସରକାରଙ୍କ ଅଭ୍ୟନ୍ତରୀଣ କାର୍ଯ୍ୟକଳାପକୁ ଜାଠ ଓ କମ୍ୟୁନିଷ୍ଟମାନେ ସମ୍ପୂର୍ଣ୍ଣ ବିପରୀତ କାରଣ ଯୋଗୁଁ ଦୋଷ ଦେଇଥାଆନ୍ତି । ଜାଠଦଳର ଲୋକେ କହିବେ ଯେ ଶ୍ରମିକ ଦଳ ସରକାର ପୁଞ୍ଜିପତିଙ୍କ ବିରୁଦ୍ଧରେ କାମ କରି ଦେଶର ଅତି ପୁରାତନ ଜାତୀୟ ସଂସ୍କୃତି ଓ ପାଶ୍ଚାତ୍ୟ ସଭ୍ୟତାକୁ ନଷ୍ଟକରି ଦେବାରେ ବସିଛି; ଦେଶର ଅର୍ଥନୈତିକ ସମୃଦ୍ଧିର ବୃଦ୍ଧି ଲାଗି କୌଣସି ପ୍ରେରଣା ନାହିଁ ଇତ୍ୟାଦି । କମ୍ୟୁନିଷ୍ଟମାନେ କହନ୍ତି ଯେ ଶ୍ରମିକ ସରକାର ପୁଞ୍ଜିପତିଙ୍କ ହାତମୁଠାରେ ରହି ସାଧାରଣ ଶ୍ରମିକଙ୍କର ଯେତେ ସୁବିଧା କରିବା ଉଚିତ, ସେତେ କରିପାରୁନାହିଁ । ପୃଥିବୀର ଚରମ ପ୍ରତିକ୍ରିୟାଶୀଳ ଆମେରିକାର ପୁଞ୍ଚିପତିଙ୍କ ଦ୍ୱାରା ନିୟନ୍ତ୍ରିତ ହେବାରେ ନିଜଦେଶ ତଥା ଆନ୍ତର୍ଜାତିକ ଶ୍ରମିକ ସ୍ୱାର୍ଥ ପ୍ରତି ବିଶ୍ୱାସଘାତକତା କରାହେଉଛି । ନିଜର ସାମ୍ରାଜ୍ୟବାଦ ଆମେରିକାର ଡଲାର ସାହାଯ୍ୟରେ ଯେ କୌଣସି ପ୍ରକାରେ ରଖିବାକୁ ଚାହୁଛି ଇତ୍ୟାଦି । ଅନେକ ସ୍ୱାଧୀନ ମତାବଲମ୍ବୀମାନେ ମଧ୍ୟ ଉପରୋକ୍ତ ଯୁକ୍ତିକୁ ସମର୍ଥନ କରିଥାଆନ୍ତି । ଏମାନଙ୍କ ମତରେ ଇଂଲଣ୍ଡ ଆମେରିକାର ହାତମୁଠାରୁ ଆସି ପ୍ରାଚ୍ୟ ପାଶ୍ଚାତ୍ୟ କଳହରେ ନିରପେକ୍ଷ ରହିବା ଉଚିତ ଏବଂ ତାହେଲେ ଯାଇ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ।

 

ଏସମ୍ପର୍କରେ ଜଣେ ଖ୍ୟାତନାମା ମନସ୍ତତ୍ତ୍ୱବିତ୍‌ଙ୍କର ଗୋଟିଏ ଗବେଷଣା ବିଷୟରେ ପଦେ ନ କହି ରହିପାରୁ ନି । ସେ ବିଭିନ୍ନ ରାଜନୈତିକ ଦଳର ଅନେକ ଲୋକଙ୍କୁ ବିଭିନ୍ନ ଉପାୟରେ ପରୀକ୍ଷା କରି ଦର୍ଶାଇଛନ୍ତି ଯେ ଜାଠଦଳର ଲୋକେ ସବୁଠୁ ବେଶୀ ଜୁମାନଙ୍କୁ ଘୃଣା କରନ୍ତି । ତାତ ଳକୁ ଶ୍ରମିକ ଦଳର ଲୋକେ ଏବଂ ସର୍ବ ନିମ୍ନରେ ସ୍ଵାଧୀନ ମତାବଲମ୍ୱୀ ରାଜନୈତିକମାନେ । କମ୍ୟୁନିଷ୍ଟମାନଙ୍କଠାରେ ଜୁଘୃଣା ପରିବର୍ତ୍ତେ ବରଂ ଜୁମାନଙ୍କ ପ୍ରତି ଶ୍ରଦ୍ଧା ଓ ସହାନୁଭୂତି ଦେଖିବାକୁ ମିଳେ ।

 

ମୋଟାମୋଟି କୁହାଯାଇପାରେ ଯେ ରାଜନୈତିକ ଦଳ ଅନୁଯାୟୀ ଲୋକମାନଙ୍କର ମନୋଭାବ ଗୋଟିଏ ନିର୍ଦ୍ଦିଷ୍ଟ ଦିଗରେ ପ୍ରଭାବିତ ହୋଇଥାଏ । ବିଶେଷତଃ ଦେଶର ପ୍ରଧାନ ପ୍ରଧାନ ସମସ୍ୟାରେ ସେମାନେ ଯେପରି ମନୋଭାବ ବ୍ୟକ୍ତ କରିଥାଆନ୍ତି ସେଥିରୁ ଖୁବ୍‌ ସହଜରେ ବୁଝି ହେବ ଯେ ସେମାନେ କେଉଁ ରାଜନୈତିକ ଦଳର ଅନ୍ତର୍ଭୁକ୍ତ । ମୁଁ ନିଜେ ଅନେକ ଲୋକଙ୍କୁ ଏପରି ଭାବରେ ପରୀକ୍ଷା କରି ଦେଖିଛି ।

 

ମୁଁ ଆଗରୁ କହିଛି ଯେ ବିଲାତର ଅଧିକାଂଶ ଖବରକାଗଜ ଜାଠଦଳଭୁକ୍ତ ପୁଂଜିପତିଙ୍କ ହାତରେ ରହିଛି-ବି, ବି, ସି, ବେତାର ଖବର ସରବରାହ ମଧ୍ୟ ଅନେକଟା ଏମାନଙ୍କ ହାତରେ । ତେଣୁ ଶ୍ରମିକ ସରକାର ବଡ଼ ଅସୁବିଧାରେ ପଡ଼େ । ଲୋକମାନେ ଏସବୁ ଖବରରେ ସବୁବେଳେ ଭାସି ନ ଗଲେ ସୁଦ୍ଧା (ତା ନହେଲେ ଗତ ନିର୍ବାଚନରେ ଶ୍ରମିକ ଦଳ ସଂଖ୍ୟାଧିକ ଭାବରେ ନିର୍ବାଚିତ ହୋଇ ପାରି ନଥାନ୍ତା) ଅନେକ ଘଟଣା ବଡ଼ ଭୁଲ ଭାବରେ ଲୋକଙ୍କ ଆଗରେ ଉପସ୍ଥାପିତ କରାହୋଇଥାଏ । ସକାଳୁ ରାତିଯାଏଁ ଯଦି ଲୋକମାନେ ଗୋଟିଏ କଥା ଖବରକାଗଜ, ବେତାର ପ୍ରଭୃତିରେ ବାରମ୍ୱାର ଶୁଣନ୍ତି, ତାହେଲେ ନିଶ୍ଚୟ ସେ ପ୍ରକାର ଧାରଣା ମନଭିତରେ ଆସିଯିବାର କଥା । ତେଣୁ ପ୍ରକୃତ ଗଣତନ୍ତ୍ର ପ୍ରତିଷ୍ଠା ଲାଗି ଏ କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ ହେବା ଉଚିତ ବୋଲି ମନେ ହୁଏ । ସମାଜର ସାମାନ୍ୟ କେତେ ଜଣଙ୍କ ହାତରେ ଏତେ ବେଶୀ ସୁବିଧା ରହିବା ବିପଦ୍‌ଜନକ-ବିଶେଷତଃ ପୁଂଜିପତିଙ୍କ ପରି ନ୍ୟସ୍ତସ୍ୱାର୍ଥ ଶାସକବର୍ଗଙ୍କ ହାତରେ ।

•••

 

–ସତର–

ଶ୍ରମିକ ସରକାରର ଘରୋଇ ନୀତି

 

ମୁଁ ପୂର୍ବ ଲେଖାରେ ଦେଖାଇଛି ଯେ ଶ୍ରମିକ ସରକାର ଅମଳରେ କିପରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ସବୁ ଆଗେଇ ଚାଲିଛି । ଇଂଲଣ୍ଡର ଏହି ପ୍ରଥମ ଶ୍ରମିକ ସରକାର ଯେକି ନିର୍ଭୟର ସହିତ ଏତେ ବଡ଼ ବଡ଼ କାର୍ଯ୍ୟପନ୍ଥା ହାତକୁ ନେଇପାରିଛି । ୧୯୩୧ରେ ମାକଡ଼ୋନାଲ୍‌ଡ ସରକାର ଯେପରି ଭାବରେ କୃତଘ୍ନତା କରିଥିଲା ଏମାନେ ଭୁଲିପାରିନାହାନ୍ତି । ତେଣୁ ଏମାନେ ବରାବର ଚେଷ୍ଟା କରି ଆସୁଛନ୍ତି । ସାମାଜିକ ଅନୁଷ୍ଠାନସବୁ ସାମ୍ୟବାଦ ନୀତି ଅନୁସାରେ ଗଢ଼ିବା ପାଇଁ ଅନେକ ଗୁଡ଼ିଏ ବ୍ୟବସ୍ଥା ସେହି ନୀତି ଅନୁଯାୟୀ ଯେ ହୋଇଛି ଏଥିରେ ସନ୍ଦେହ ନାହିଁ । କିନ୍ତୁ ଅର୍ଥନୈତିକ କ୍ଷେତ୍ରରେ ଏମାନେ ସଂପୂର୍ଣ୍ଣରୂପେ କୃତକାର୍ଯ ହୋଇପାରିନାହାନ୍ତି-। ପ୍ରକୃତ ସାମ୍ୟବାଦ ଓ ପୁଞ୍ଜିବାଦ ଭିତରେ ଗୋଟିଏ ତୃତୀୟ ପନ୍ଥା ଅବଲମ୍ୱନ କରିବା ହେଉଛି ଏମାନଙ୍କର ଉଦ୍ଦେଶ୍ୟ । ୟୁରୋପର ଅନ୍ୟାନ୍ୟ ଦେଶର ସୋସାଲ ଡିମୋକ୍ରାଟିକ୍‌ ଦଳମାନଙ୍କର ମଧ୍ୟ ସେଇୟା ଇଚ୍ଛା । କିନ୍ତୁ ଏମାନେ କେତେ ଦୂର ଏ ପ୍ରକାର ତୃତୀୟ ରାସ୍ତା ନେଇ ତିଷ୍ଠିପାରିବେ କହିବା କଷ୍ଟକର । ଏଟା ନିଶ୍ଚୟ ଯେ ଦଳର ଲୋକେ ନିଜ ଦେଶରେ ଯାହା କିଛି ସାମାଜିକ ଉନ୍ନତି କରିବାକୁ ଚେଷ୍ଟା କରନ୍ତି; କିନ୍ତୁ ଅଧୀନସ୍ଥ ରାଜ୍ୟମାନଙ୍କ ସମ୍ପର୍କରେ ଏମାନେ ପୂରାପୂରି ସାମ୍ରାଜ୍ୟବାଦୀ । ବାହାର ନୀତିରେ ବ୍ରିଟିସ୍‌ ଶ୍ରମିକ ଦଳ ଓ ଜାଠଦଳ ଭିତରେ କୌଣସି ତଫାତ୍‌ ନାହିଁ । ସେ ବିଷୟରେ ପରେ ଆଲୋଚନା କରିବା ।

ନିର୍ବାଚନ ସମୟରେ ଏମାନେ କେତେଗୁଡ଼ିଏ ପ୍ରଧାନଶିଳ୍ପ ଅନୁଷ୍ଠାନକୁ ଜାତୀୟ ସଂପତିରେ ପରିଣତ କରିବା ପାଇଁ କଥା ଦେଇଥିଲେ । ଆସିଲା ପରେ ପ୍ରଥମେ କୋଇଲା ଖଣିଗୁଡ଼ିକ ଜାତୀୟ ସଂପତିରେ ପରିଣତ କରାହେଲା । ଯୁଦ୍ଧ ପରେ କୋଇଲାଖଣିଗୁଡ଼ିକର ଅବସ୍ଥା ଏତେ ଖରାପ ଥିଲା ଯେ ସେସବୁ ସରକାରଙ୍କଦ୍ୱାରା ପରିଚାଳିତ ନ ହେଲେ କାମ ଚାଲିବା ଅସମ୍ଭବ ହେଇ ପଡ଼ିଥାନ୍ତା । କୋଇଲା ଭୂଗର୍ଭରୁ ବାହାର କରିବା ପାଇଁ ନୂତନ କଳ ଅଭାବରୁ ବହୁତ ପରିଶ୍ରମ କରିବାକୁ ପଡ଼ୁଥିଲା ଏବଂ ବର୍ତ୍ତମାନ ସୁଦ୍ଧା ଜଣେ ଆମେରିକାନ୍‌ ଶ୍ରମିକ ଦିନରେ ଯେତେ କୋଇଲା କାଟିପାରେ ଓ ଉପରକୁ ଉଠାଇପାରେ ବ୍ରିଟିଶ ଶ୍ରମିକ ତାର ପ୍ରାୟ ଅଧାଅଧି କରିଥାଏ । କୋଇଲାଖଣି ଶ୍ରମିକମାନଙ୍କ ପାଇଁ ଯଥେଷ୍ଟ ସୁବିଧା ମଧ୍ୟ ଦିଆଯାଉ ନ ଥିଲା; ତେଣୁ ଲୋକମାନେ ସେପ୍ରତି ବିମୁଖ ହୋଇ ଅନ୍ୟାନ୍ୟ କାମ ପାଇଁ ଚେଷ୍ଟା କରୁଥିଲେ । ଅଧିକାଂଶ କୋଇଲାଖଣି ମଧ୍ୟ ଖୁବ୍‌ ଗଭୀର ହୋଇପଡ଼ିଛି । କୋଇଲା ଏମାନଙ୍କର ଗୋଟାଏ ପ୍ରଧାନ ବ୍ୟବସାୟ । ତେଣୁ ଏହାକୁ ପ୍ରଥମେ ସରକାର ହାତକୁ ନେଲେ । ଜାଠଦଳ ଏଥି ଲାଗି ଖୁବ୍‌ ବେଶୀ ଆପତ୍ତି ମଧ୍ୟ କରି ନ ଥିଲେ । ତା ଛଡ଼ା ଖଣିର ମାଲିକମାନଙ୍କୁ କ୍ଷତିପୂରଣ ପ୍ରଭୃତିରେ ଯେପରି ସୁବିଧା ଦିଆହେଲା, ସେଥିରେ ସେମାନେ ବେଶ୍‌ ଖୁସୀ । କାରଣ କୋଇଲାଖଣି ସବୁର ଯେପରି ଅବସ୍ଥା ଥିଲା, ଯୁଦ୍ଧ ପରେ ପୁଣି ଭଲଭାବେ ଚାଲୁ କରିବା ଲାଗି ବହୁତ ଖରଚ ହୋଇଥାଆନ୍ତା । ମାଲିକମାନେ ପ୍ରାୟ ଦେଉଳିଆ ହେବା ଉପରେ ଥିଲେ । ତା ପରିବର୍ତ୍ତେ ସେମାନେ ୨୨୦ କୋଟି ଟଙ୍କାର ମୂଳଧନ ଉପରେ ଶତକରା ଅଢ଼େଇ ଟଙ୍କା ହିସାବରେ ସୁଧ ପାଇଲେ । ଏହାର ପରିଚାଳନାପାଇଁ ମଧ୍ୟ ଏମାନଙ୍କ ଭିତରୁ ଅନେକେ ବେଶ୍‌ ବଡ଼ ବଡ଼ ଚାକିରୀ ପାଇଲେ । ଅବଶ୍ୟ ଶ୍ରମିକମାନଙ୍କ ଲାଗି ମଧ୍ୟ ବହୁତ ସୁବିଧା କରି ଦିଆଗଲା । ସେମାନଙ୍କ ଲାଗି ଦୁଇଗୁଣ ଖାଦ୍ୟ ପଡ଼ି ଦିଆଗଲା । କୋଇଲା ଛଡ଼ା ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ସରକାର ହାତକୁ ନେଲେ । ବିଦ୍ୟୁତ୍‌ଶକ୍ତି ସରକାର ହାତକୁ ଆସିବା ପୂର୍ବରୁ ଏତେ ବେଶୀ ମଧ୍ୟସ୍ଥ ବିଭାଗ ଓ ଜଟିଳତା ଦେଇ ଆସେ ଯେ ଶସ୍ତା ଦରରେ ଏହା ଯୋଗାଇବା ଅସମ୍ଭବ ହୋଇପଡ଼େ । ତେଣୁ ଏହା ସରକାର ହାତକୁ ନେବା ବହୁତ ଦରକାର ଥିଲା । ସେହି କାରଣରୁ ଯାତାୟାତ ବିଭାଗ ମଧ୍ୟ ଜାତୀୟ ସଂପତ୍ତିରେ ପରିଣତ କରା ହେଲା । ଅବଶ୍ୟ ଏଥିଲାଗି ଜାଠଦଳରୁ ବହୁତ ଆପତ୍ତି ଉଠିଥିଲା । ତା ପରେ ଇଂଲଣ୍ଡର ପ୍ରଧାନ ବ୍ୟାଙ୍କ ମଧ୍ୟ ସରକାର ହାତକୁ ଗଲା । ସାଧାରଣତଃ ଅନ୍ୟାନ୍ୟ ଦେଶରେ ସରକାର ହାତରେ କେନ୍ଦ୍ର ବ୍ୟାଙ୍କ ଥାଏ, କିନ୍ତୁ ଏଠାରେ ଏହା ଗୋଟିଏ ମସ୍ତବଡ଼ ବ୍ୟତିକ୍ରମ ଥିଲା । ମୋଟାମୋଟି ଉପରୋକ୍ତ ଚାରୋଟି ବ୍ୟବସାୟ ଜାତୀୟସମ୍ପତ୍ତିରେ ପରିଣତ କରିବାରେ ସରକାରକୁ ପ୍ରାୟ ୨୧୦୦କୋଟି ଟଙ୍କା ଉପରେ ଶତକଡ଼ା ଅଢ଼େଇଠାରୁ ତିନି ପର୍ଯ୍ୟନ୍ତ ସୁଧ ଦେବାକୁ ପଡ଼ିଲା । ଅନେକଙ୍କ ମତରେ ସେମାନେ ଯଦି ସମ୍ପତ୍ତି ରଖିଥାଆନ୍ତେ ତାହେଲେ ଏହିଠାରୁ ଅନେକ କ୍ଷତି ହୋଇଥାଆନ୍ତା । ଯୁଦ୍ଧପର ପରିସ୍ଥିତିରେ ଅସମ୍ଭବ ରକମର କ୍ଷତିପୂରଣ ଓ ସେ ସବୁ ନୂତନ ପ୍ରକାରେ ସଂଘଟିତ କରିବାରେ ବିରାଟ ଖର୍ଚ୍ଚ ଯୋଗୁଁ ସାଧାରଣଙ୍କ ପାଇଁ କୋଇଲା ପ୍ରଭୃତିର ଜିନିଷ ବହୁତ ବଢ଼ିଗଲା । ସେଥିଲାଗି ଅନେକ ଲୋକ ଜାତୀୟକରଣର ମୂଳନୀତିକୁ ନିନ୍ଦା କରୁଛନ୍ତି-

ଲୁହା ଓ ଇସ୍ପାତ ବ୍ୟବସାୟ ଜାତିକରଣ କରିବା ଲାଗି ଚେଷ୍ଟା କରା ହେଉଛି ସତ କିନ୍ତୁ ସେଥିଲାଗି ଭୟଙ୍କର ଆପତ୍ତି ହେବ । ଜାଠଦଳର କେତେକ ବିଶିଷ୍ଟ ଲୋକଙ୍କର ବିରାଟ ସ୍ୱାର୍ଥ ଏ ବ୍ୟବସାୟରେ ରହିଛି । ଏହା ଗୋଟିଏ ପ୍ରଧାନ ଏକଚାଟିଆ ବ୍ୟବସାୟ ଏବଂ ସରକାରଠାରୁ ଏମାନେ ନାନା ପ୍ରକାର ସୁବିଧା ଆଦାୟ କରିଥାଆନ୍ତି ମୂଲ୍ୟ ବଢ଼ାଇ ରଖି ଅତ୍ୟଧିକ ଲାଭ ପାଇବା ଲାଗି । ବଲଡ଼ୁଇନ୍‌ ଚେମ୍ୱରଲିନ୍‌ ଓ ଅନ୍ୟାନ୍ୟ ଅନେକ ବିଶିଷ୍ଟ ଜାଠଦଳ କର୍ତ୍ତାଙ୍କର ପରିବାର ଏ ବ୍ୟବସାୟ ସହିତ ଘନିଷ୍ଠଭାବେ ସଂପୃକ୍ତ । ଏଥିଲାଗି ଏହାକୁ ଜାତିଗତ କରିବାରେ ଜାଠଦଳରୁ ଭୟଙ୍କର ଆପତ୍ତି ହେବ । ସରକାର ମଧ୍ୟ ଏ କାରଣରୁ ଟିକିଏ ଦବିଲା ପରି ଜଣାଯାଉଛି । ଏହା ଦେଶର ପ୍ରଧାନ ବ୍ୟବସାୟ ଥିବାରୁ ଅତିଶୀଘ୍ର ସାଧାରଣ ସମ୍ପତ୍ତି ରୂପେ ସରକାର ହାତକୁ ଯିବା ଉଚିତ ଥିଲା ।

ଶ୍ରମିକ ସରକାରଙ୍କ ଉଦ୍ଦେଶ୍ୟ ଭଲ ଥିଲେହେଁ ଯେ ଉପାୟରେ ଏ ସବୁ ହସ୍ତଗତ କରାଗଲା ସେଥିଲାଗି ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ମାଲିକମାନଙ୍କୁ କ୍ଷତିପୂରଣ ଯେ ପରିମାଣରେ ଦିଆଯାଉଛି, ସେଥିରେ ଅନେକ ଅସନ୍ତୁଷ୍ଟ । ଉପଯୁକ୍ତ ଲୋକ ହାତରେ ପରିଚାଳନାର ଭାର ଦିଆ ହୋଇ ନ ଥିବାରୁ ଉତ୍ସାହର ଅଭାବ ଘଟୁଛି । ଅନେକ ସମୟରେ ସରକାରକୁ ଏ ବିଷୟରେ କ୍ଷତି ସହିବାକୁ ହୁଏ । ବାଣିଜ୍ୟ ବ୍ୟବସାୟ ବିଷୟରେ ମଧ୍ୟ କଳକାରଖାନା ମାଲିକମାନଙ୍କ ଦ୍ୱାରା ଚାଳିତ ବିଟ୍ରିଶ ଫେଡ଼ରେଶନ୍‌ ଅଫ୍‌ ଇଣ୍ଡଷ୍ଟ୍ରିସ୍‌ (British Federation of Industries-F. B. I.) କଥାରେ ସରକାର ବହୁତ ବେଶୀ ପ୍ରଭାବିତ । ସେଥିଲାଗି ରୁଷିଆ ସହିତ ଖୁବ୍ ଭଲ ଭାବରେ ବାଣିଜ୍ୟ ହୋଇପାରେ ନାହିଁ । ରୁଷିଆରୁ ଗହମ ଓ ଅନ୍ୟାନ୍ୟ ମୋଟା ଶସ୍ୟ ବହୁ ପରିମାଣରେ ଓ ଶସ୍ତାରେ ମିଳିବାର ସମ୍ଭାବନା ଥିଲେ ସୁଦ୍ଧା ଏମାନଙ୍କ ପ୍ରଭାବରୁ ଆଣି ହୁଏ ନାହିଁ । ଗତବର୍ଷ ରୁଷିଆ ଠିକ ସମୟରେ ପ୍ରତିଶ୍ରୁତି ଅନୁସାରେ ଉପଯୁକ୍ତ ପରିମାଣରେ ଶସ୍ୟ ଯୋଗାଇ ପାରି ନ ଥିଲେ । ରୁଷିଆର ବାଣିଜ୍ୟ ବ୍ୟବସାୟ ଓ ଆମଦାନି ରପ୍ତାନି ନିର୍ଦ୍ଦିଷ୍ଟ ପଦ୍ଧତିରେ ହେଉଥିବାରୁ ଏପ୍ରକାର ବିଳମ୍ୱରେ ବହୁତ ଅସୁବିଧା ଘଟେ । ଅନେକ ସମୟରେ ସରକାର ତରଫରୁ ଇଚ୍ଛା ଥିଲେ ମଧ୍ୟ ଏମାନେ ସେଥିରେ ଅସୁବିଧା କରି ଦିଅନ୍ତି ।

ଖାଲି ସେତିକି ନୁହେଁ, ଏମାନଙ୍କଦ୍ୱାରା ପରିଚାଳିତ ହେଉଥିବାରୁ ମାଲିକମାନଙ୍କର ଲାଭାଂଶକୁ ସରକାର ଭଲଭାବେ ଆୟତ୍ତ କରିପାରନ୍ତି ନାହିଁ । ଶ୍ରମିକମାନଙ୍କର ମଜୁରି ହାର ଲାଭ ଓ ବଜାର ଦର ଅନୁପାତରେ କମିଯାଏ । ସରକାର ଲୋକମାନଙ୍କର ସୁବିଧା ଲାଗି ଅଧିକାଂଶ ଗୃହ ବ୍ୟବହୃତ ଜିନିଷର ଦାମ ଆୟତ୍ତ କରିଛନ୍ତି । ପରିବା, ଫଳ ଓ ମାଛ ଛଡ଼ା ଆଉ ପ୍ରାୟ ସବୁ ପ୍ରକାର ଖାଇବା ଜିନିଷ ନିର୍ଦ୍ଦିଷ୍ଟ ପରିମାଣରେ ଓ ସମାନ ଭାବରେ ସମସ୍ତଙ୍କୁ ମିଳିଥାଏ-ଦାମ ମଧ୍ୟ ଆଗରୁ ଠିକ୍‌ କରା ହୋଇଥାଏ । ଖାଇବା ଜିନିଷ ଓ ଲୁଗାପଟାର ଦାମ୍‌ ସାଧାରଣ ଲୋକଙ୍କ କିଣିବା ଭଳି ଗୋଟିଏ ସୀମା ଭିତରେ ରଖିବା ଲାଗି ସରକାର ତରଫରୁ ଉପଯୁକ୍ତ ଅର୍ଥ ସାହାଯ୍ୟ ହେଉଥିଲେ ସୁଦ୍ଧା ଲୋକଙ୍କର ଜୀବିକାନିର୍ବାହ ଖର୍ଚ୍ଚ ବଢ଼ିଯାଏ । ଅବଶ୍ୟ ଆମ ଦେଶ ପରି ହୁ ହୁ ହୋଇ କେଇଟା ଦିନ ଭିତରେ ତିନି ଚାରିଗୁଣ ବଢ଼େ ନାହିଁ । ତଥାପି ସାମ୍ୟବାଦୀ ଦେଶରେ ଏ ପ୍ରକାର ଖର୍ଚ୍ଚ ବଢ଼ିବା ଅପେକ୍ଷା କମିବା ଉଚିତ ଏବଂ ତା ସଙ୍ଗେ ସଙ୍ଗେ ଧନୀମାନଙ୍କର ଲାଭ ବହୁତ କମିଯିବା ଉଚିତ । ଉଦାହରଣ ସ୍ୱରୂପ ନିମ୍ନରେ ଲଣ୍ଡନ ଓ କେମ୍ବ୍ରିଜ ଇକନମିକ ସର୍ଭେର ହିସାବ ତଳେ ଦିଆଗଲା–

 

୧୯୪୬

୧୯୪୭

୧୯୪୮ (ଜୁନ)

ଉତ୍ପାଦନ

୧୦୦

୧୦୮

୧୨୨

ମଜୁରୀ

x

୧୦୦

୧୦୬

ଖାଦ୍ୟ

x

୧୦୦

୧୦୮

ଅନ୍ୟାନ୍ୟ ଜିନିଷ

x

୧୦୦

୧୧୦

 

୧୯୪୫

୧୯୪୭

୧୯୪୮

ପ୍ରାପ୍ତି ଲାଭାଂଶ

୧୦୦

୧୨୮

୧୬୫

ଗଚ୍ଛିତ ଲାଭାଂଶ

୧୦୦

୧୬୫

୨୯୨

ସୁଧ ଓ ଡିଭିଡେଣ୍ଡ

୧୦୦

୧୧୬

୧୨୪

 

ଆୟକର ବାଦ ଦେଲା ପରେ ମଧ୍ୟ ଲାଭାଂଶ ୧୯୪୬-୪୭ରେ ୨୨ କୋଟି ୫୩ ଲକ୍ଷ ପାଉଣ୍ଡ ଥିଲା ଏବଂ ୧୯୪୭-୪୮ରେ ତାହା ବଢ଼ି ୨୬ କୋଟି ୧୦ ଲକ୍ଷ ପାଉଣ୍ଡ ହେଲା ।

 

ସରକାରର ଅନେକ ଦୁର୍ବଳତା ଥିଲେ ମଧ୍ୟ ସାଧାରଣ ଲୋକେ ବର୍ତ୍ତମାନ ଯେପରି ଅବସ୍ଥାରେ ଅଛନ୍ତି, ଆମ ଦେଶ ଲୋକଙ୍କଠାରୁ ଯେ ଲକ୍ଷ ଗୁଣରେ ସୁବିଧାରେ ଅଛନ୍ତି, ଏଥିରେ ସନ୍ଦେହ ନାହିଁ । ଖାଦ୍ୟଜିନିଷର ସମପରିମାଣରେ ବଣ୍ଟନର ସୁବିଧା ଥିବାରୁ ଏବଂ ଚୋରାବଜାର ବଡ଼ କମ ଥିବାରୁ ଦେଶର ସାଧାରଣ ସ୍ୱାସ୍ଥ୍ୟ ଖୁବ୍‌ ଉନ୍ନତି କରିଛି । ଲୋକେ ଖାଦ୍ୟ ପରିମାଣର ସ୍ୱଳ୍ପତା ବିଷୟରେ ଯେତେବେଳେ ଓଜର ଆପତ୍ତି କରିଥାଆନ୍ତି ମୁଁ ମନେ ମନେ ଭାବେ ଯେ ଏତିକି ଆମ ଦେଶରେ କେତେଟା ଲୋକ ପାଆନ୍ତି । ହାୟ ! ଏହାର ଅଧା ଆମଦେଶରେ ସମସ୍ତେ ପାଇପାରନ୍ତେ କି ? ଏ ବିଷୟରେ ଶ୍ରମିକ ସରକାରଙ୍କୁ ଧନ୍ୟବାଦ ନ ଦେଇ ରହିହେବ ନାହିଁ । ଆମ ଦେଶରେ କାରଖାନା ମାଲିକ ଓ ରାଜା ଜମିଦାରମାନଙ୍କର କୁକୁର ଯାହା ଖାଇବାକୁ ପାଇଥାଏ, ଆମ ଦେଶର ଆଧିକାଂଶ ଲୋକେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିପାରିବେ ନାହିଁ । ଏମାନେ ଘୋଡ଼ାଦୌଡ଼ ଓ ପାରିସ ନାଚ ଘରେ ଯେତେ ଟଙ୍କା ଖର୍ଚ୍ଚ କରନ୍ତି ସେଥିରେ ହଜାର ହଜାର ଲୋକ ମୁଠାଏ ଖାଇପାରନ୍ତେ କିମ୍ୱା ରୋଗକ୍ଳିଷ୍ଟ ମୁମୂର୍ଷୂ ନରନାରୀମାନେ ଟୋପାଏ ଔଷଧ ପାଣି ପାଇପାରନ୍ତେ-ଯେଉଁମାନେ ହା ହାକାରଗ୍ରସ୍ତ ଭୋକିଲା ଲୋକଙ୍କର ଶ୍ରମରକ୍ତରେ ଧନୀ ଏବଂ ଯେଉଁମାନେ ଦେଶର ନରକଂକାଳ ଉପରେ ବିଳାସବ୍ୟସନ ଲାଗି ନଭଶ୍ଚୁମ୍ୱୀ ପ୍ରାସାଦ ଗଢ଼ୁଛନ୍ତି, ସେହି ରାଜାମହାରାଜାଙ୍କର ସ୍ୱାର୍ଥତ୍ୟାଗ ବିଷୟରେ ଆମ ଦେଶର ପୂଜ୍ୟ ନେତାମାନେ ଶତମୁଖରେ ଜୟଗାନ କରୁଅଛନ୍ତି । ତେଣୁ ଆମ ଦେଶ ତୁଳନାରେ ଇଂଲଣ୍ଡ ଯେ ଅନେକ ଭଲ, ଏଥିରେ ସଂନ୍ଦେହ ନାହିଁ; ଯଦିଚ ଅସଲ ମୂଳ ସାମ୍ୟବାଦୀ ନୀତିର ଏହା ବହୁତ ତଳେ ।

 

ଏପ୍ରକାର ବ୍ୟତିକ୍ରମର ବହୁତ କାରଣ ଅଛି । ଏମାନଙ୍କର ସାମ୍ରାଜ୍ୟବାଦୀ ବୈଦେଶିକ ନୀତି ଏଥିପାଇଁ ଦାୟୀ । ଅଧିକାଂଶ ବ୍ରିଟିଶ ଶ୍ରମିକ ନେତା ଘରେ ସାମ୍ୟବାଦୀ ନୀତି ପ୍ରଚାର କଲେ ସୁଦ୍ଧା ବାହାର ପାଇଁ ସାମ୍ରାଜ୍ୟବାଦୀ । ଗତଯୁଦ୍ଧ ପରେ ଏମାନଙ୍କର ଅର୍ଥନୈତିକ ଅବସ୍ଥା ବହୁତ ଖରାପ ହୋଇଥିଲେ ସୁଦ୍ଧା ଏମାନେ ଯୁଦ୍ଧପୂର୍ବ ସାମ୍ରାଜ୍ୟବାଦୀ ରାଜତ୍ଵର ବଡ଼ିମା ଆହୁରି ଛାଡ଼ିନାହାନ୍ତି । ଯୁଦ୍ଧ ଯୋଗୁଁ ଅନ୍ୟାନ୍ୟ ବାହାର ରାଜ୍ୟଠାରୁ ଏମାନେ କୋଟି କୋଟି ପାଉଣ୍ଡ ଧାର କରିଛନ୍ତି ଏବଂ ଅନ୍ୟାନ୍ୟ ଦେଶରେ ଯେତେ ମୂଳଧନ ଖଟାଇଥିଲେ ତାହା ବହୁତ କମିଯାଇଛି । ଅନେକ ବାହାର ବ୍ୟବସାୟ ଅନ୍ୟକୁ ବିକ୍ରି କରିଦିଆ ହୋଇଛି । ଖାଦ୍ୟ ଓ ଅନ୍ୟାନ୍ୟ କଂଚାମାଲ କିଣିବା ନିହାତି ଦରକାର । ବରଂ ଯୁଦ୍ଧପରେ ଏହାର ରପ୍ତାନି ପରିମାଣ ଖୁବ୍‌ ବଢ଼ିଛି-ଶିଳ୍ପଜାତ ଜିନିଷ ନିଜ ସାମ୍ରାଜ୍ୟରେ ବିକି ବେଶୀ ଲାଭ ପାଉଥିବାରୁ ନିଜ ଦେଶରେ କୃଷିର ପ୍ରସାର ବହୁତ କମ୍‌ । ଆଜି ପର୍ଯ୍ୟନ୍ତ ସରକାର ତଥା ସାଧାରଣ ଲୋକେ ଏହାକୁ ଅବହେଳା କରିଛନ୍ତି । ତେଣୁ ଲୋକସଂଖ୍ୟା ବୃଦ୍ଧି ଓ ସାଧାରଣ ଲୋକଙ୍କର ଉନ୍ନତି ସଙ୍ଗେ ସଙ୍ଗେ ଖାଦ୍ୟଜିନିଷ କିଣିବା ପରିମାଣ ବଢ଼ିଯାଇଛି । ଅଥବା ଏହା କିଣିବା ପାଇଁ ବିଭିନ୍ନ ଦେଶରେ ଯଥେଷ୍ଟ ମୂଳଧନ ଖଟା ହୋଇପାରୁ ନାହିଁ । ତେଣୁ ଆୟ ସେହି ପରିମାଣରେ କମି ଯାଇଛି । ତା ଛଡ଼ା ଯୁଦ୍ଧ ସମୟର ଋଣରୁ କିଛି କିଛି ଶୁଝିବା ଦରକାର । ଏ ସବୁ କାରଣରୁ ଏମାନଙ୍କର ଅର୍ଥନୈତିକ ଅବସ୍ଥା ଭୟଙ୍କର ଖରାପ ହୋଇପଡ଼ିଛି । ଏ ପରିସ୍ଥିତିରେ ସେମାନେ ଯେତେ ବେଶୀ ଉତ୍ପାଦନ କରିପାରିବେ ସେତେ ଭଲ । ବର୍ତ୍ତମାନ ଆୟ ଅପେକ୍ଷା ବ୍ୟୟ ବେଶୀ, ଅର୍ଥାତ୍‌ ଯେତିକି କିଣୁଛନ୍ତି ତାଠାରୁ କମ ବିକ୍ରି କରିପାରୁଛନ୍ତି । ଏପରି ଅବସ୍ଥାରେ ଉତ୍ପାଦନ ବୃଦ୍ଧିହିଁ ଏକମାତ୍ର ଭରସା; କିନ୍ତୁ ସେଥିଲାଗି ଉପଯୁକ୍ତ କଳକାରଖାନା ଓ ଯଥେଷ୍ଟ ଶ୍ରମିକ ଦରକାର । କଳକାରଖାନା ଲାଗି ଆମେରିକାଠାରୁ ସାହାଯ୍ୟ ଚାହିଛନ୍ତି । କିନ୍ତୁ ସେଥିରେ ବିଶେଷ ଉନ୍ନତି ହେଲା ପରି ଦେଖାଯାଉ ନାହିଁ । ତା ଛଡ଼ା ଆଫ୍ରିକା ଓ ମାଲୟ ପ୍ରଭୃତି ଅଧୀନସ୍ଥ ଦେଶମାନଙ୍କରେ ବର୍ତ୍ତମାନ ସୁଦ୍ଧା ବହୁତ ସୈନ୍ୟ ରଖା ହୋଇଛି । ସୁସ୍ଥ ସବଳ ଲୋକଙ୍କ ଭିତରୁ ପ୍ରାୟ ୧୫ ଲକ୍ଷ ଲୋକେ ସକ୍ରିୟ ସାମରିକବାହିନୀ କିମ୍ବା ସେମାନଙ୍କୁ ଯୋଗାଇବା ଭଳି ଅଲାଭଜନକ ଶ୍ରମରେ ବ୍ୟାପୂତ । ସେମାନଙ୍କ ଭିତରୁ ଯଦି ଅଧିକାଂଶକୁ ଉତ୍ପାଦନ ଲାଗି ନିଯୁକ୍ତ କରାଯାନ୍ତା ତାହେଲେ ଅର୍ଥନୈତିକ ପରିସ୍ଥିତି ଅନେକ ସୁଧୁରି ଯାଆନ୍ତା । ବର୍ତ୍ତମାନ ପୃଥିବୀପରିସ୍ଥିତିରେ ବ୍ରିଟିଶ, ଯଦି ସାମ୍ରାଜ୍ୟବାଦର ଆତ୍ମଗାରିମା ଛାଡ଼ି ସୁଇଜରଲାଣ୍ଡ ପରି ଖାଲି ବ୍ୟବସାୟ ଦିଗରେ ଦୃଷ୍ଟି ଦିଅନ୍ତା, ତା ହେଲେ ପୁଣି ସମୃଦ୍ଧିଶାଳୀ ହୋଇପାରନ୍ତା । ରୁଷିଆ କିଂବା ଆମେରିକା ଦଳରେ ଯୋଗ ନ ଦେଇ ଖାଲି ଯଦି ନିରପେକ୍ଷ ରହିପାରିବ ତା ହେଲେ ଯାଇ ଏହା ସମ୍ଭବ ହୋଇପାରିବ । ଶିଳ୍ପଜଗତରେ ବ୍ରିଟିଶମାନଙ୍କର ଖୁବ୍‌ ନାମ ଅଛି । ଅନେକ ଦେଶରେ ମଧ୍ୟ ସେମାନଙ୍କର ବେଶ୍‌ ପତିପତ୍ତି ଅଛି । ସମସ୍ତ ଅଧୀନସ୍ଥ ରାଜ୍ୟକୁ ସ୍ୱାଧୀନତା ଦେଲା ପରେ ମଧ୍ୟ ସେମାନେ ବ୍ରିଟିଶର ବହୁତ ସାହାଯ୍ୟ ନେବେ । ପରସ୍ପରକୁ ବଂଧୁତାସୂତ୍ରରେ ଆବଦ୍ଧ କରି ବାଣିଜ୍ୟ ବ୍ୟବସାୟ ଦିଗରେ ପରସ୍ପରକୁ ସାହାଯ୍ୟ କଲେ ଉଭୟଙ୍କର ମଙ୍ଗଳ ହେବ । କିନ୍ତୁ ତା ନ କରି ଆମେରିକା ସାଙ୍ଗରେ ପୂରାପୂରି ମେଣ୍ଟ ବାନ୍ଧି ଆମେରିକାର ଡଲାର ସାମ୍ରାଜ୍ୟ ବିସ୍ତାର ଲାଗି ବାଟ କଢ଼ା ସୈନିକ ପରି ଚାରିଆଡ଼େ ପୁଣି ସେହି ପୁରୁଣା କୂଟନୀତିର ବିଷ ପ୍ରୟୋଗ କଲେ ସାମ୍ରାଜ୍ୟବାଦର କୁଟିଳ ଆବର୍ତ୍ତନ ଭିତରେହିଁ ଡୁବିଯିବ । ଇଂଲଣ୍ଡ ନିରପେକ୍ଷ ରହିଲେ ଯେ ଖାଲି ତାର ମଙ୍ଗଳ ହେବ ତା ନୁହେଁ । ପୃଥିବୀରେ ମଧ୍ୟ ଶାନ୍ତି ହେବ । ଇଂଲଣ୍ଡ ବିନା ତୃତୀୟ ମହାଯୁଦ୍ଧ ସମ୍ଭବ ନୁହେଁ । ଏ ବିଷୟରେ ପରବର୍ତ୍ତୀ ଲେଖାରେ କିଛି ଆଲୋଚନା କରାହେବ । ସ୍ୱାସ୍ଥ୍ୟ, ଶିକ୍ଷା ପ୍ରଭୃତି ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ଶ୍ରମିକ ସରକାରର ଉଦ୍ୟମ ବଡ଼ ପ୍ରଶଂସନୀୟ । ସେ ସବୁ ବିଷୟ ପୂର୍ବବର୍ତ୍ତୀ ପରିଚ୍ଛଦରେ ଆଲୋଚିତ ହୋଇଛି ।

 

ମୋଟାମୋଟି କହିବାକୁ ଗଲେ ଶ୍ରମିକ ସରକାରର ଘରୋଇ ନୀତିର ଉଦ୍ଦେଶ୍ୟ ଖୁବ୍‌ ଭଲ ଓ ବର୍ତ୍ତମାନର ପରିସ୍ଥିତି ଅନ୍ୟ ଦେଶ ତୁଳନାରେ ଖୁବ୍‌ ଖରାପ ହୋଇ ନ ଥିଲେ ସୁଦ୍ଧା ଏହା ଭବିଷ୍ୟତ ରାଜନୀତି ଉପରେ ବିଶେଷ ନିର୍ଭର କରେ । ବିରାଟ ସାମାଜିକ ଅନୁଷ୍ଠାନର ମୂଳଭିତ୍ତି ସ୍ଥାପନ ହୋଇଛି, ମାତ୍ର ଖୁବ୍‌ ବିଜ୍ଞତାର ସହିତ ଯଦି ଅଗ୍ରସର ନ ହୁଅନ୍ତି, ତାହେଲେ ପ୍ରତିକ୍ରିୟାଶୀଳ ଲୋକଙ୍କ କୁଚକ୍ରରେ ତାହା କେଭେହେଲେ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ବ୍ରିଟିଶ ଜାତି ପକ୍ଷରେ ଏହା ଗୋଟିଏ ଚରମ ପରୀକ୍ଷାର ସମୟ-କେତେ ଦୂର ସେମାନେ ସାମ୍ରାଜ୍ୟବାଦ ଦୁଷ୍କର୍ମର ବ୍ୟୂହରୁ ମୁକ୍ତ କରି ନିଜର ଅସ୍ତିତ୍ୱ ନିଷ୍କଳଙ୍କ ଭାବରେ ବଜାୟ ରଖିପାରିବେ, ତାହାହିଁ ଦେଖିବାର କଥା ।

•••

 

–ଅଠର–

ବୈଦେଶିକ ନୀତି ଉପନିବେଶ ଓ ଅନ୍ୟାନ୍ୟ ଅଧୀନସ୍ଥ ରାଜ୍ୟ

 

ଘରୋଇ ନୀତି ବହୁ ପରିମାଣରେ ବୈଦେଶିକ ନୀତି ଉପରେ ନିର୍ଭର କରେ । ବାହାର ରାଜ୍ୟର ରାଜନୀତି ସହିତ ଯେଉଁ ଦେଶର ଯେତେ ବେଶୀ ସମ୍ପର୍କ ରହେ, ସେ ଦେଶରେ ସେତେ ବେଶୀ ଜଟିଳତା ବଢ଼େ । ଆଧୁନିକ ଯୁଗରେ ପ୍ରତ୍ୟେକ ଦେଶର ସାଧାରଣ ଲୋକଙ୍କ ଭିତରେ ରାଜନୈତିକ ଜାଗରଣ ଖୁବ୍‌ ବେଶୀ ଦେଖାଦେଇଛି ଏବଂ ସମସ୍ତଙ୍କର ପ୍ରାଣପଣ ଚେଷ୍ଟା ନିଜ ରାଜ୍ୟକୁ ନିଜେ ଚଳାଇବା ପାଇଁ । ସେ ଅବସ୍ଥାରେ ଗୋଟିଏ ରାଜ୍ୟ ନିଜର ସ୍ୱାର୍ଥସିଦ୍ଧି ସକାଶେ ଅନ୍ୟ ରାଜ୍ୟକୁ ଦବାଇ ଦେବାକୁ ଚେଷ୍ଟା କଲେ, ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼େ । ସେହି ଅନୁପାତରେ ଘରୋଇ ନୀତି ଉପରେ ତାର ପ୍ରଭାବ ପଡ଼ିଥାଏ । ବର୍ତ୍ତମାନ ବ୍ରିଟିଶ ସରକାରର ସମସ୍ତ ସାମାଜିକ ଓ ଅର୍ଥନୈତିକ ପଦ୍ଧତି ଏ ପ୍ରକାର ବୈଦେଶିକ ନୀତି ଉପରେ ବହୁତ ନିର୍ଭର କରୁଛି । ମାଲୟ, ଗୋଲ୍‌ଡକୋଷ୍ଟ ପ୍ରଭୃତି ଅଧୀନସ୍ଥ ରାଜ୍ୟକୁ ଜବରଦସ୍ତ ରଖିବାରେ ଯେପରି ଖର୍ଚ୍ଚ ହେଉଛି ଆମେରିକା ଦ୍ୱାରା ପରିଚାଳିତ ହେବାରେ ମଧ୍ୟ ସେହିପରି ନାନା ଅସୁବିଧାରେ ପଡ଼ୁଛି ।

 

ବିପଦ ସମୟରେ ଯେପରି ହଠାତ୍‌ କିଛି ସମୟ ପାଇଁ ଲୋକେ ଭଗବାନଙ୍କ ଭକ୍ତ ହୋଇପଡ଼ନ୍ତି-ଅତୀତ ଜୀବନର ସମସ୍ତ ପାପକାର୍ଯ୍ୟ ପାଇଁ ଅନୁତାପ କରି ଭବିଷ୍ୟତରେ ଆଉ କେଭେଁ ସେପରି କରିବେନାହିଁ ବୋଲି ପ୍ରତିଜ୍ଞା କରନ୍ତି; କିନ୍ତୁ ବିପଦ ସରିଯିବା ପରେ ପୁଣି ଯେଉଁ କଥାକୁ ସେହି କଥା, ସମସ୍ତ ଅନୁତାପ ଓ ପ୍ରତିଶ୍ରୁତି ଭୁଲି ବି ଯାଆନ୍ତି । ସେହିପରି ଇଂରେଜ ଓ ଆମେରିକା ସରକାର ମିଶି ଯୁଦ୍ଧ ସମୟରେ ‘ଆଟଲାଣ୍ଟିକ୍‌ ଚୁକ୍ତି’ ନାମକ ଗୋଟିଏ ସାଧୁ ପ୍ରତିଶ୍ରୁତି ଜଗତକୁ ଦେଇଥିଲେ । ହିତୋପଦେଶର ବୃଦ୍ଧ ବ୍ୟାଘ୍ର ଗଳିତ ନଖଦନ୍ତ ଅବସ୍ଥାରେ ଦରିଦ୍ର ପଥିକକୁ ସୁନାଖଡ଼ୁ ଯାଚିଲା ପରି ବର୍ତ୍ତମାନ ଆଟଲାଣ୍ଟିକ ଚୁକ୍ତି ବିଷୟରେ କାହାର ମନେ ବି ନାହିଁ । ଏପରିକି ଏପ୍ରକାର ଗୋଟିଏ ଚୁକ୍ତି ହୋଇଥିଲା କି ନାହିଁ ସେ ବିଷୟରେ ଅନେକେ ସନ୍ଦେହ କରନ୍ତି । ସମସ୍ତେ ଭାବିଥିଲେ ଯେ ଯୁଦ୍ଧପରେ ଅଧୀନସ୍ଥ ରାଜ୍ୟମାନେ ନିଶ୍ଚୟ ସ୍ୱାଧୀନ ହେବେ । ଇଂଲଣ୍ଡର ଶ୍ରମିକ ସରକାର ଉପରେ ମଧ୍ୟ ସମସ୍ତେ ଆଶା ରଖିଥିଲେ; କିନ୍ତୁ ଯାହା ଦେଖାଯାଉଛି, ବୈଦେଶିକ ନୀତିରେ ଶ୍ରମିକ ସରକାର ଜାଠଦଳ ସରକାରଠାରୁ କୌଣସି ଗୁଣରେ ତଫାତ୍‌ ନୁହେଁ । ଅନେକେ କୁହନ୍ତି ଭାରତ, ବର୍ମା ଓ ସିଂହଳକୁ ସ୍ୱାଧୀନତା ଦେବାରେ କି ସେମାନଙ୍କର ମହତ୍ତ୍ୱ ଜଣାଯାଏ ନାହିଁ-। ପ୍ରଥମତଃ କୌଣସି ଜାତି ଆଜିଯାଏଁ ଆଉ ଗୋଟିଏ ରାଜ୍ୟକୁ ସ୍ୱାଧୀନତା ଦେଇନାହିଁ । ସ୍ୱାଧୀନତା ହାସଲ କରା ହୋଇଥାଏ । ତା ଛଡ଼ା ଯୁଦ୍ଧ ପରେ ଇଂଲଣ୍ଡର ଏପରି ଅବସ୍ଥା ନ ଥିଲା ଯଦ୍ଦ୍ୱାରା ଭାରତକୁ ଆଉ ବେଶୀ ଦିନ ଜବରଦସ୍ତ ରଖିପାରନ୍ତା । ମୁଁ ଆଗରୁ କହିଛି ଯେ ବାହାରୁ ଜିନିଷ କିଣିବା ଲାଗି ନିଜ ଦେଶରେ ଯଥେଷ୍ଟ ଉତ୍ପନ୍ନ କରିପାରୁଥିବା କାର୍ଯ୍ୟକ୍ଷମ ଲୋକଶକ୍ତିର ବହୁତ ଅଭାବ । ତା ଛଡ଼ା ମଧ୍ୟ ଆନ୍ତର୍ଜାତିକ, ରାଜନୈତିକ ଓ ଅର୍ଥନୈତିକ ପରିସ୍ଥିତି ଏପରି ଜଟିଳ ହୋଇପଡ଼ିଛି ଯେ ଭାରତବର୍ଷ ପରି ଏତେ ବଡ଼ ଦେଶକୁ ପୂର୍ବପରି କଲୋନି ହିସାବରେ ରଖିବା ଅସମ୍ଭବ ହୋଇପଡ଼ନ୍ତା । ସାର ଷ୍ଟାଫୋର୍ଡ କ୍ରିପ୍‌ସ କମନ୍‌ସ ସଭାରେ ଚର୍ଚ୍ଚିଲଙ୍କୁ ଉତ୍ତର ଦେବାକୁ ଯାଇ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଭାରତକୁ ଗୋଟିଏ ବିରାଟ ସୈନ୍ୟବାହିନୀ ପଠାଯାଇ ଆୟତ୍ତ କରାଯାଇ ନ ପାରେ; ତେଣୁ ସରକାରର ଏକମାତ୍ର ଉପାୟ ହେଉଛି-ଭାରତକୁ ସ୍ୱାଧୀନତା ଦେଇଦେବା । ତା ନ ହୋଇଥିଲେ ସେମାନେ କେଭେଁ ଭାରତକୁ ଛାଡ଼ି ନ ଥାନ୍ତେ । ଏଥିରେ ଶ୍ରମିକ ସରକାରର ଆଦୌ ଉଦାରତା ଦେଖାଯାଉନାହିଁ । ଯଦି ଏମାନେ ସମସ୍ତ ପରାଧୀନ ଜାତିକୁ ସ୍ୱାଧୀନତା ଦେବା ଲାଗି ଏତେ ବ୍ୟଗ୍ର ତା ହେଲେ ମାଲୟ ପ୍ରଭୃତି ଦେଶକୁ କାହିଁକି ବନ୍ଧୁକ ମୁନରେ ବର୍ତ୍ତମାନ ସୁଦ୍ଧା ଶାସନ କରୁଛନ୍ତି । ତାର ମାନେ ଯେତେକ ରଖିପାରିବେ ନିଜ ହାତମୁଠାରେ ସେତକ ରଖି ଆଉ ସବୁ ଛାଡ଼ି ଦେଇଛନ୍ତି । ପଚାରିଲେ କହନ୍ତି ଯେ ସେମାନେ ଗଣତନ୍ତ୍ର ଶାସନ ପାଇଁ ପ୍ରସ୍ତୁତ ନୁହନ୍ତି । ଭାରତ ପ୍ରତି ମଧ୍ୟ ଠିକ୍‌ ସେହିପରି ଯୁକ୍ତି ହେଉଥିଲା; ତାଛଡ଼ା ଇଂରେଜ ଅଧିକୃତ ଦେଶମାନଙ୍କରେ ଯେପରି ଭାବରେ ଶିକ୍ଷାର ପ୍ରସାର ହେଉଛି, ଆସନ୍ତା ପାଞ୍ଚଶ ବର୍ଷ ଭିତରେ ମଧ୍ୟ ନିରକ୍ଷରତା ଦୂର ହେବାର କୌଣସି ଲକ୍ଷଣ ନାହିଁ । ୧୯୪୪ ଆକ୍‌ଟ ଅନୁସାରେ ସମସ୍ତ ଅଧୀନସ୍ଥ ଦେଶପାଇଁ ଗୋଟିଏ ଉନ୍ନତିକର କାର୍ଯ୍ୟଯୋଜନା କରା ହୋଇଛି ଏହା ଦଶ ପନ୍ଦର ବର୍ଷବ୍ୟାପୀ କାର୍ଯ୍ୟକାରୀ ହେବାର କଥା । ଉଦାହରଣ ସ୍ୱରୂପ ନାଇଜେରିଆରେ ପ୍ରତ୍ୟେକ ଲୋକଙ୍କ ପାଇଁ ପନ୍ଦର ବର୍ଷ ଭିତରେ ପ୍ରାୟ ୨୬ ଟଙ୍କା ଖର୍ଚ୍ଚ କରାଯିବ । ଏଥିରୁ ବୁଝାଯିବ ଲୋକହିତକର କାର୍ଯ୍ୟର ପରିସର ଓ ଉତ୍ସାହ । ସେସବୁ ଦେଶର ଅର୍ଥନୈତିକ ଅବସ୍ଥା ଏତେ ଖରାପ ଯେ ମୁଷ୍ଟିମେୟ ଧଳା ସାହେବଙ୍କ ପ୍ରଚୁର ସମ୍ପତ୍ତି ଛାଡ଼ି ଦେଲେ ସେଠାକାର ବାସିନ୍ଦାମାନେ ଖୁବ୍‌ ଗରିବ । ପ୍ରତ୍ୟେକ କଲୋନିରେ ସାମାନ୍ୟ କେତେ ଜଣ ଇରୋପୀୟାନ୍‌ ଗୋଟିଏ କିଛି ଲାଭଜନକ ବ୍ୟବସାୟରେ ସମସ୍ତ ଦେଶବାସୀଙ୍କୁ ଖଟାଇଥାନ୍ତି । ଖାଦ୍ୟ ଦ୍ରବ୍ୟ କମ୍‌ ଉତ୍ପନ୍ନ ହୁଏ; କାରଣ ସେଥିରେ ସେମାନଙ୍କର ବିଶେଷ କିଛି ଲାଭ ହେବନାହିଁ; ତେଣୁ ଏ ପ୍ରକାର ଏକଚାଟିଆ ବ୍ୟବସାୟ ମୁଷ୍ଟିମେୟ ଲୋକଙ୍କ ହାତରେ ରହିଥିବାରୁ ଓ ଅନ୍ୟାନ୍ୟ ବିଷୟରେ ନିଅଣ୍ଟିଆ ଦେଶ ହୋଇଥିବାରୁ ସାଧାରଣ ଲୋକଙ୍କର ଅବସ୍ଥା ଖୁବ୍‌ ଖରାପ । କୁଲି ମଜୁରିଆଙ୍କ ଭିତରେ ଅସନ୍ତୋଷ ଦେଖା ଗଲେ ବଡ଼ ନିର୍ଦ୍ଦୟଭାବେ ବନ୍ଧୁକମୁନରେ ଦବାଇ ରଖନ୍ତି । ବର୍ତ୍ତମାନ ସୁଦ୍ଧା ମାଲୟ, ଗୋଲଡ଼୍‍କୋଷ୍ଟ ନାଇଜେରିଆ ପ୍ରଭୃତିରେ ଯେପରି ଅତ୍ୟାଚାର ହେଉଛି ହିଟଲର ରାଜତ୍ୱଠାରୁ କୌଣସି ଗୁଣରେ କମ୍‌ ନୁହେଁ, ଏସବୁ ଦେଶର ଅନେକ ଛାତ୍ର ଲଣ୍ଡନରେ ପଢ଼ନ୍ତି । ସେମାନଙ୍କଠାରୁ ମୁଁ ଯେଉଁ ହୃଦୟବିଦାରକ କାହାଣୀ ଶୁଣିଛି, ତାହା ଯେ କୌଣସି ଲୋକର ମନକୁ ଇଂରେଜଙ୍କ ବିରୁଦ୍ଧରେ ବିଦ୍ରୋହୀ କରି ପକାଇବ । କିନ୍ତୁ ଭାରତବର୍ଷ ଏତେ ଦିନ କାଳ ଅତ୍ୟାଚାରୀ ଇଂରେଜ ବିରୁଦ୍ଧରେ ଠିଆହୋଇ ସୁଦ୍ଧା ବର୍ତ୍ତମାନ ସ୍ୱାଧୀନତା ପାଇ ଏମାନଙ୍କୁ ସମ୍ପୂର୍ଣ୍ଣ ଭୁଲିଗଲା ପରି ଜଣାଯାଉଛି । ବ୍ରିଟିଶ୍‍ମାନଙ୍କର ଉଦାରତାରେ ଏତେ ବେଶୀ ମୁଗ୍‌ଧ ହୋଇଯାଇଛି ଯେ ଏମାନଙ୍କ ପରି ଆତ୍ମୀୟ ଆଉ କେହି ଏ ଦୁନିଆରେ ନାହିଁ ବୋଲି ଭାବୁଛି । ଆଫ୍ରିକାବାସୀଙ୍କଠାରୁ କରୁଣ କାହାଣୀ ଶୁଣିବାର ତାର ଅବସର ନାହିଁ । ଅଥଚ ମୁଁ ଯେତେ ଆଫ୍ରିକାବାସୀଙ୍କ ସହିତ ଆଲୋଚନା କରି ଦେଖିଛି, ସମସ୍ତେ ଆଶା ପ୍ରକାଶ କରିଥାଆନ୍ତି ଯେ ଭାରତ ସେମାନଙ୍କୁ ସାହାଯ୍ୟ କରିବ, ଅବଶ୍ୟ ଅନେକ ପ୍ରଗତିଶୀଳ ଆଫ୍ରିକାବାସୀ କହନ୍ତି ଯେ ଭାରତ ତ ସାମ୍ରାଜ୍ୟ ଭିତରେ ଉପନିବେଶ ହୋଇ ରହିବ-ସେ ଅବସ୍ଥାରେ ବେଶୀ କଣ ଆଶା କରାଯାଇପାରେ ! ମୁଁ ଅବଶ୍ୟ ଜୋର କରି କହେ ଯେ ଭାରତ କେଭେଁହେଲେ ବ୍ରିଟିଶ ସାମ୍ରାଜ୍ୟରେ ରହିବ ନାହିଁ; କିନ୍ତୁ ସେହିମାନଙ୍କ କଥାହିଁ ଶେଷରେ ହେଲା । ଏହାଦ୍ୱାରା କେତୋଟି ରକ୍ତପିପାସୁ ପାଶ୍ଚାତ୍ୟ ଦେଶ ଛଡ଼ା ପୃଥିବୀରେ ଆଉ କେହି ଆନନ୍ଦିତ ହୋଇଥିବେ ବୋଲି ମନେହୁଏ ନା । ଭାରତ ବ୍ରିଟିଶ୍‌ ସାମ୍ରାଜ୍ୟରେ ରହିବା ଦ୍ୱାରା ପରାଧୀନ ଦେଶମାନଙ୍କର ସ୍ୱାଧୀନତା ବିଷୟରେ କିଛି କହିବାରେ ଅଧିକାର ହରାଇ ବସିଲା । ଯେଉଁ ବ୍ରିଟିଶ୍‌ ପୃଥିବୀର ଏତେ ଗୁଡ଼ିଏ ରାଜ୍ୟକୁ ନିର୍ଦ୍ଦୟ ଭାବରେ ଶୋଷଣ କରୁଛି, ତାର ବନ୍ଧୁ ଭାରତ ସେଥିଲାଗି ଦାୟୀ ନୁହେଁ କି ? ଭାରତ ଯଦି ସ୍ୱେଚ୍ଛାରେ ଏପରି ଏକ ଅତ୍ୟାଚାରୀ ରାଜ୍ୟର ବନ୍ଧୁତ୍ୱ ଗ୍ରହଣ କଲା, ତାହାହେଲେ ଇଣ୍ଡୋନେସିଆରେ ଡଚ୍‌ ଓ ଇଣ୍ଡୋଚାଇନାରେ ଫରାସୀ ଅତ୍ୟାଚାର ବିଷୟରେ କହିବାର ତାର କି ଅଧିକାର ଅଛି ? ଡଚ୍‌, ଫରାସୀ ଓ ଇଂରେଜ ଦେଶମାନଙ୍କ ଭିତରେ ବନ୍ଧୁତା ଖୁବ୍‌ ବେଶୀ-ଏପରିକି ସମସ୍ତ ପାଶ୍ଚାତ୍ୟ ଦେଶକୁ ନେଇ ଗୋଟିଏ ଫେଡ଼େରସନ୍‌ କରିବାର କଳ୍ପନା ଅନେକ ବିଶିଷ୍ଟ ରାଜନୀତିକମାନେ* କରୁଛନ୍ତି । ପାଶ୍ଚାତ୍ୟ ସଭ୍ୟତା ନେଇ ସେମାନେ ପାଗଳ ହୋଇଯାଉଥିଲେ ସୁଦ୍ଧା ଆମମାନଙ୍କ ସମ୍ପର୍କରେ ସେ ସଭ୍ୟତାର କି ଭୟାବହ ରୂପ ତା ତ ସମସ୍ତଙ୍କୁ ଜଣା–ଏପରି ଅବସ୍ଥାରେ ଭାରତ ବ୍ରିଟିଶ୍‌ ସାମ୍ରାଜ୍ୟରେ ରହି ମସ୍ତବଡ଼ ଭୁଲ କରିଛି ବୋଲି ମନେହୁଏ । ଏହାଦ୍ୱାରା ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ବହୁତ ସମ୍ମାନହାନି ହେଲା ।

 

ବ୍ରିଟିଶ୍‌ ଅଧୀନରେ ଥିବା ଦେଶମାନଙ୍କ ବିଷୟରେ ବାହାରକୁ ବିଶେଷ କିଛି ଖବର ମିଳେନା । ସେଠାକାର ସରକାର ସବୁ ଏତେ ବେଶୀ କଡ଼ା ଭାବରେ ଖବର ଯିବା ଆସିବା ଆୟତ୍ତ କରିଥାଆନ୍ତି ଯେ ସେଠାକାର ବାସିନ୍ଦାଙ୍କ ଛଡ଼ା ଆଉ କେହି ସଠିକ୍‌ ଖବର ଦେଇ ପାରନ୍ତି ନାହିଁ । ଅନେକ ସମୟରେ ଇଂଲଣ୍ଡର କମ୍ୟୁନିଷ୍ଟ କାଗଜରେ ଏ ପ୍ରକାର ଖବର ସବୁ ବାହାରି ଥାଏ । ତେଣୁ ଏମାନେ ‘ଡେଲି ଓ୍ୟାର୍କର’ ଓ କମ୍ୟୁନିଷ୍ଟଦଳକୁ ଅବ୍ରିଟିଶ୍‌ ବୋଲି ଗାଳି ଦେଇଥାନ୍ତି । ଅଧିକାଂଶ ଆଫ୍ରିକାର ଛାତ୍ର ବାମପନ୍ଥୀ ବୋଲି ଜଣାଯାଆନ୍ତି । ସାମାନ୍ୟ କେତେକ ଧନୀ ଛାତ୍ରଙ୍କୁ ଛାଡ଼ିଦେଲେ ସମସ୍ତେ ପ୍ରାୟ ବ୍ରିଟିଶ୍‌ ବିରୁଦ୍ଧରେ ଅନର୍ଗଳ କହିଥାଆନ୍ତି । ଆମମାନଙ୍କୁ ଧାରଣା କରାଇ ଦିଆଯାଇଛି ଯେ ସେମାନେ ଅସଭ୍ୟ, ନିର୍ବୁଦ୍ଧିଆ ଇତ୍ୟାଦି; କିନ୍ତୁ ପ୍ରକୃତରେ ସେମାନେ ଭାରି ଭଦ୍ର ଓ ବିଶ୍ୱବିଦ୍ୟାଳୟରେ ଖୁବ୍‌ ଭଲ କରନ୍ତି । ଅନେକ କ୍ଷେତ୍ରରେ ମୁଁ ଲକ୍ଷ୍ୟ କରି ଦେଖିଛି ଯେ ଭାରତୀୟଙ୍କ ଅପେକ୍ଷା ସେମାନେ ଖୁବ୍‌ ଭଲ ଓ ପ୍ରଗତିଶୀଳ । ଏମାନଙ୍କର ସ୍ୱାଧୀନତା ଲାଗି ଅଦମ୍ୟ ଉତ୍ସାହ ଓ ଆଗ୍ରହ ଦେଖିଲେ ମନେହୁଏ ଖୁବ୍‌ ନିକଟରେ ଏମାନେ ମୁଷ୍ଟିମେୟ ଅତ୍ୟାଚାରୀ ଇଂରେଜଙ୍କ କବଳରୁ ରକ୍ଷାପାଇ ପାରିବେ । ପୃଥିବୀ ତମାମ ସାଧାରଣ ଲୋକଙ୍କର ଏ ଅପୂର୍ବ ଜାଗରଣ ପ୍ରକୃତରେ ନୂତନ ଆଲୋକର ଆଭାସ ଦେଉଛି । ସତେ ସେଦିନ କଣ ଆସିବ, ଯେଉଁ ଦିନ ଭାରତ, ଆଫ୍ରିକା, ଆରବ, ଚାଇନା, ଜାପାନ, ଇଣ୍ଡୋନେସିଆ, ବର୍ମା ପ୍ରଭୃତି ନିଷ୍ପେସିତ ଜାତିମାନେ କାନ୍ଧକୁ କାନ୍ଧ ମିଶାଇ ଜାତି-ଧର୍ମ ନିର୍ବିଶେଷରେ ପ୍ରଗତିପଥରେ ଆଗେଇ ଚାଲିବେ । ମୋ ମତରେ ସେହି ଦିନହିଁ ବିଶ୍ୱଶାନ୍ତି ପ୍ରତିଷ୍ଠିତ ହେବ ।

 

*

ଯେତେବେଳେ ଏହା ଲେଖାହୋଇଥିଲା ଏହା ଆଲୋଚନାର ବିଷୟବସ୍ତୁ ମାତ୍ର ଥିଲା ।

 

ବର୍ତ୍ତମାନ ବ୍ରିଟିଶ୍‌ ରାଜ୍ୟଗୋଷ୍ଠୀ ଉପନିବେଶମାନଙ୍କ ବିଷୟରେ କିଛି କହିବା ଉଚିତ । ସାଉଥ୍‌ ଆଫ୍ରିକା ଓ ଆୟାରଲାଣ୍ଡ ଛଡ଼ା କାନାଡ଼ା, ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ଇଂଲଣ୍ଡ ପ୍ରତି ମାତୃଭୂମି ହିସାବରେ ଶ୍ରଦ୍ଧା ଦେଖାଇଥାନ୍ତି । କାନାଡ଼ାର ଅଧିକାଂଶ ଲୋକ ଇଂଲଣ୍ଡରୁ ଯାଇଛନ୍ତି । ତେଣୁ ଇଂଲଣ୍ଡ ପ୍ରତି ସେମାନଙ୍କର ବିଶେଷ ମମତା ଅଛି । ଅନେକ ଫରାସୀୟ ଏଠାରେ ଥିଲେ ସୁଦ୍ଧା ଆମେରିକାର ପ୍ରଭାବ ଏଡ଼ାଇବା ପାଇଁ ଏମାନେ ବ୍ରିଟିଶ୍‌ ରାଜ୍ୟଗୋଷ୍ଠୀରେ ରହିବା ପାଇଁ ଅନିଚ୍ଛୁକ ନୁହନ୍ତି । ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡର ଅଧିବାସୀ ପୂରାପୂରି ଇଂଲିଶ୍‌ । ତେଣୁ ସେମାନଙ୍କର ମଧ୍ୟ ମାତୃଭୂମିର ରୀତିନୀତି ପ୍ରତି ବିଶେଷ ଆଗ୍ରହ ଦେଖାଯାଏ । ତେଣୁ ଏହି ତିନୋଟି ରାଜ୍ୟ ବ୍ରିଟିଶ୍‌ ରାଜଗୋଷ୍ଠୀ ଓ ରାଜାଙ୍କର ବଡ଼ କୃତଜ୍ଞ ।

 

ଅଷ୍ଟ୍ରେଲିଆ ପରି ଏତେ ବଡ଼ ବିରାଟ ଦେଶର ଜନସଂଖ୍ୟା ମୋଟେ ୭୪ ଲକ୍ଷ । ଦେଶର ସମୂହ ଉନ୍ନତି ଓ ବାହାର ଆକ୍ରମଣର ପ୍ରତିରୋଧ ଲାଗି ଯଥେଷ୍ଟ ଲୋକ ନ ଥିଲେ ସୁଦ୍ଧା ସେମାନେ ଜନବହୁଳ ପ୍ରାଚ୍ୟ ଦେଶମାନଙ୍କରୁ ଲୋକଙ୍କୁ ନେବାକୁ ରାଜି ନୁହନ୍ତି । ସେହି ଇଂଲଣ୍ଡରୁ ଲୋକ ଆଣିବା ପାଇଁ ଚାହିଁ ବସି ଥାଆନ୍ତି । ଇଂଲଣ୍ଡର ଯଥେଷ୍ଟ ଲୋକସଂଖ୍ୟା ନ ଥିବାରୁ ବର୍ତ୍ତମାନ ପୋଲାଣ୍ଡ ପ୍ରଭୃତି ଦେଶର ଅନ୍ୟାନ୍ୟ ଇଉରୋପିୟାନମାନଙ୍କୁ ସିନା ନେବେ, କୃଷ୍ଣକାୟ ଲୋକଙ୍କୁ ନେବେ ନାହିଁ । ଅଷ୍ଟ୍ରେଲିଆର ଆଦିମ ଅଧିବାସୀଙ୍କ ପ୍ରତି ଏମାନେ ଏପରି ଖରାପ ବ୍ୟବହାର କଲେ ଯେ ବର୍ତ୍ତମାନ ସାରା ଦେଶରେ ସେମାନଙ୍କ ସଂଖ୍ୟା ୪୭ ହଜାରରୁ ବେଶୀ ନୁହେଁ ଏବଂ କ୍ରମେ କ୍ରମେ ସେମାନେ ଲୋପ ହୋଇଯାଉଛନ୍ତି । ନିଉଜ୍‌ଲାଣ୍ଡର ସାଢ଼େ ଷୋଳ ଲକ୍ଷ ଲୋକସଂଖ୍ୟାରୁ ମାୟୋରି ଅଧିବାସୀ ପ୍ରାୟ ଲକ୍ଷେ ହେବେ । ଏମାନଙ୍କ ଅବସ୍ଥା ସେତେ ଖରାପ ନୁହେଁ ବୋଲି ଜଣାପଡ଼େ । ଏ ଦେଶରେ ମଧ୍ୟ ଅଧିକା ଲୋକଙ୍କର ବସତି ପାଇଁ କ୍ଷେତ୍ର ଥିଲେ ସୁଦ୍ଧା ଧଳାଲୋକ ଛଡ଼ା ଆଉ କାହାକୁ ନେବାପାଇଁ ରାଜି ନୁହନ୍ତି । କାନେଡାରେ ସମଗ୍ର ଜନସଂଖ୍ୟା (?) କୋଟି ୨୩ ଲକ୍ଷ ଭିତରୁ ଆଦିବାସୀ ରେଡ଼ ଇଣ୍ଡିୟାନ୍‌ଙ୍କ ସଂଖ୍ୟା ମାତ୍ର ଲକ୍ଷେ ୨୦ହଜାର । ଏମାନଙ୍କର ଅବସ୍ଥା ଭାରି ଖରାପ- କ୍ରମେ କ୍ରମେ ଏମାନଙ୍କର ସଂଖ୍ୟା ମଧ୍ୟ କମି ଆସୁଛି ।

 

ଆୟରଲାଣ୍ଡ ବ୍ରିଟିଶସାମ୍ରାଜ୍ୟ ଭିତରେ ଥିଲେ ସୁଦ୍ଧା ପରସ୍ପର ଭିତରେ ସଦ୍‌ଭାବ ନ ଥାଏ । ତାର ପରିଣାମ ହେଲା ଯେ ଡିଭେଲେରା ପରାସ୍ତ ହୋଇଗଲା ପରେ ଆୟରଲାଣ୍ଡ ବ୍ରିଟିଶ୍‌ ରାଜ୍ୟଗୋଷ୍ଠୀରୁ ଅଲଗା ହୋଇଗଲା । ଆୟାରଲାଣ୍ଡର ବ୍ରିଟିଶ୍‌ ରାଜା ପ୍ରତି କେଭେଁ ହେଲେ ଅନୁରକ୍ତି ନ ଥିଲା । ସେମାନଙ୍କର ରାଜନୀତି ପୃଥକ୍‌ ହୋଇଥିବାରୁ ଏମାନଙ୍କ ପ୍ରତି ବିଶେଷ ଶ୍ରଦ୍ଧା ନାହିଁ । ବିଶେଷତଃ ଆୟରଲାଣ୍ଡ ବିଭକ୍ତ ହେଲାଦିନଠାରୁ ବ୍ରିଟିଶ୍‌ ପ୍ରତି ଭିତରେ ଭିତରେ ଶତ୍ରୁତା ରହିଛି । ଉତ୍ତର ଆୟର୍‌ଲାଣ୍ଡରେ ଇଂରେଜି ପ୍ରଭାବ ଯେ ଏହା ମୂଳରେ ରହିଛି, ଏହା ଏମାନେ ହୃଦୟଙ୍ଗମ କରୁଛନ୍ତି । ତେଣୁ ଆତ୍ମସମ୍ମାନ ବଜାୟ ରଖିବା ଲାଗି ବ୍ରିଟିଶ ଗୋଷ୍ଠୀରୁ ଚାଲିଗଲେ ।

 

ଦକ୍ଷିଣ-ଆଫ୍ରିକାର ୧ କୋଟି ୧୩ ଲକ୍ଷ ବାସିନ୍ଦାଙ୍କ ଭିତରୁ ସାହେବଙ୍କ ସଂଖ୍ୟା ମାତ୍ର ୨୩ ଲକ୍ଷ । ସାହେବଙ୍କ ଭିତରେ ଦୁଇ ଦଳ ଅଛନ୍ତି–ଦଳେ ଇଂରେଜଭାଷୀ, ଆଉ ଦଳେ ଆଫ୍ରିକାନ୍‌ଭାଷୀ । ଏମାନଙ୍କ ଛଡ଼ା ୨ ଲକ୍ଷ ୮୦ ହଜାର ଭାରତୀୟ ଅଛନ୍ତି । ଇଂରେଜଭାଷୀ ଓ ଆଉ ସାମାନ୍ୟ ଆଫ୍ରିକାନ୍‌ ଦଳର ଲୋକେ ଜେରୋଲ୍‌ ସ୍କାଟସ୍‌ଙ୍କ ନେତୃତ୍ୱରେ ଚାଳିତ ହୋଇ ବ୍ରିଟିଶ୍‌ ଗୋଷ୍ଠୀରେ ରହିବାକୁ ଚାହାନ୍ତି । କିନ୍ତୁ ଡାକ୍ତର ମାଲାନ୍‌ଙ୍କ ଜାତୀୟ ଦଳ ବ୍ରିଟିଶ୍‌ ସାମ୍ରାଜ୍ୟରୁ ଅଲଗା ହୋଇଯିବାକୁ ଚାହାନ୍ତି । ଦକ୍ଷିଣ-ଆଫ୍ରିକାରେ ସାହେବଙ୍କ ସଂଖ୍ୟା ଏତେ କମ୍‌ ହେଲେ ସୁଦ୍ଧା ସେଠାକାର ବାସିନ୍ଦା ତଥା ଭାରତୀୟଙ୍କ ଉପରେ ଭୟଙ୍କର ଅତ୍ୟାଚାର କରନ୍ତି । ସାହେବଙ୍କ ଛଡ଼ା ଆଉ କାହାର ଭୋଟ୍‌ କ୍ଷମତା ନାହିଁ; ସବୁ କ୍ଷେତ୍ରରେ ସାହେବମାନେ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ରହନ୍ତି । ଗାଡ଼ି, ପାର୍କ ପ୍ରଭୃତିରେ ଅଲଗା ସ୍ଥାନ ଥାଏ କଳାଲୋକମାନଙ୍କ ପାଇଁ । କଳା ଗୋରା ମଜୁରିଆଙ୍କ ଭିତରେ ମଜୁରିହାର ବହୁତ ତଫାତ୍‌ । ଏପରିକି କଳାଲୋକଙ୍କୁ କେତେକ ସହର ଭିତରକୁ ଆସିବାକୁ ହେଲେ ଅନୁମତି ନେବାକୁ ହୁଏ ଏବଂ ବାରମ୍ବାର ପୋଲିସ୍‌ ଆସି ଅନୁମତିପତ୍ର ଦେଖିବାକୁ ମାଗେ । ମୋଟାମୋଟି କଳାଲୋକଙ୍କ ପ୍ରତି ସାହେବଙ୍କ ବ୍ୟବହାର ଅତି ଜଘନ୍ୟ । ଏପ୍ରକାର କଦର୍ଯ୍ୟ ବ୍ୟବହାର କିଛି ଲୁଚାଚୋରାରେ ହୁଏ ନା । ପୃଥିବୀର ସବୁ ସଭ୍ୟ ଦେଶମାନେ ଜାଣନ୍ତି; ତଥାପି ଦକ୍ଷିଣ-ଆଫ୍ରିକା ବ୍ରିଟିଶ୍‌ସାମ୍ରାଜ୍ୟ ଭୁକ୍ତ ଏବଂ ଇଂରେଜ ପ୍ରତିନିଧି ଅନେକ ସମୟରେ କଳା ଗୋରା ଭେଦ ବିଷୟରେ ପୃଥିବୀ ପଞ୍ଚାୟତରେ ଆଲୋଚନା ହେଲାବେଳେ କରଛଡ଼ା ଭାବ ଦେଖାନ୍ତି । ଆମେରିକାରେ ଏପରି ଭେଦଭାବ ବହୁତ ପରିମାଣରେ ଥିବାରୁ ଆମେରିକା ବା କି ଜୋରରେ କହିବ ! ରୁଷିଆ ମୂଳରୁ ଶେଷପର୍ଯ୍ୟନ୍ତ ଖୁବ୍‌ କଡ଼ାଭାବରେ କହିଆସିଛି ଏବଂ ବରାବର ଭାରତକୁ ଏ ଦିଗରେ ସାହାଯ୍ୟକରି ଆସିଛି; ତେଣୁ ଦକ୍ଷିଣ-ଆଫ୍ରିକାର ରୁଷିଆ ପ୍ରତି ଖୁବ୍‌ ଘୃଣା ।

 

ଆୟର୍‌ଲାଣ୍ଡ ଓ ଦକ୍ଷିଣ-ଆଫ୍ରିକା ସହିତ ଇଂରେଜଙ୍କର ବିଶେଷ ସଂସ୍କୃତିଗତ ସମ୍ପର୍କ ନ ଥିବାରୁ ସେମାନେ ଚାହୁଛନ୍ତି ବ୍ରିଟିଶ ରାଜ୍ୟଗୋଷ୍ଠୀରୁ ଅଲଗା ହେବା ପାଇଁ । ଅଥଚ ଭାରତ-ପ୍ରାୟ ପ୍ରତ୍ୟେକ ପୂଜ୍ୟ ନେତାଙ୍କର ପିଠିରୁ ବ୍ରିଟିଶ୍‍ସାମ୍ରାଜ୍ୟବାଦର କଷାଘାତ ବର୍ତ୍ତମାନ ସୁଦ୍ଧା ଲିଭିନାହିଁ-ସେ ବ୍ରଟିଶ୍‌ ରାଜ୍ୟଗୋଷ୍ଠୀର ସଦସ୍ୟ ହେବାକୁ ଯାଉଛି । ଏହାର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବାର କ୍ଷେତ୍ର ଏ ନୁହେଁ; ତେଣୁ ସେଥିରୁ କ୍ଷାନ୍ତ ହେଲି । ମୋଟାମୋଟି କୁହାଯାଇପାରେ ଯେ ଯେଉଁ ଦେଶର ଲୋକେ ଅତୀତରେ ଇଂଲଣ୍ଡରୁ ଆସି ବସବାସ କରିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଭିତରେ ସାଂସ୍କୃତିକ ଓ ଶିକ୍ଷାଗତ ସମ୍ପର୍କ ଖୁବ୍‌ ଭଲ ଭାବରେ ଅଛି, ସେହି ଦେଶଗୁଡ଼ିକର ବ୍ରିଟିଶ୍‌ ରାଜ୍ୟଗୋଷ୍ଠୀ ପ୍ରତି ବିଶେଷ ଶ୍ରଦ୍ଧା ଓ ଉତ୍ସାହ ଅଛି । ତା ଛଡ଼ା ଅନ୍ୟ ଦେଶମାନଙ୍କର ବିଶେଷ ଆଗ୍ରହ ଥିଲା ପରି ଜଣାଯାଏନା ।

•••

 

–ଊଣେଇଶ–

ବୈଦଶିକ ନୀତି ଓ ଆନ୍ତର୍ଜାତିକ ସମ୍ପର୍କ

 

ଆନ୍ତର୍ଜାତିକ ରାଜନୈତିକ କ୍ଷେତ୍ରରେ ବର୍ତ୍ତମାନ ଦୁଇଟି ପ୍ରବଳ ପରାକ୍ରମଶାଳୀ ଶକ୍ତି ଦେଖାଦେଇଛି-ରାଜନୈତିକ, ସାମାଜିକ, ଅର୍ଥନୈତିକ ତଥା ଆଦର୍ଶଗତ ରୀତିନୀତିରେ ଏ ଦୁଇଟି ସମ୍ପୂର୍ଣ୍ଣ ବିପରୀତ । ଏକଦିଗରେ ପୁଞ୍ଜିପତି ଆମେରିକା, ଅନ୍ୟ ଦିଗରେ ସାମ୍ୟବାଦୀ ରୁଷିଆ । ପୃଥିବୀର ଅନ୍ୟାନ୍ୟ କ୍ଷୁଦ୍ର ରାଜ୍ୟମାନେ ଏପାଖ କିମ୍ୱା ସେପାଖ ଟଳୁଥିବାର ଦେଖାଯାଉଛି । ଆମେରିକା ଟଙ୍କା ଦେଇ ନିଜଆଡ଼କୁ ଟାଣୁଛି । ରୁଷିଆର ସାମାଜିକ ଆଦର୍ଶ ଓ ଅର୍ଥନୈତିକ ପୁନର୍ଗଠନ ନୀତି, ଅନୁନ୍ନତ ଓ ସର୍ବହରା ଶ୍ରେଣୀକୁ ଆକର୍ଷଣ କରୁଛି । ତେଣୁ ପ୍ରତ୍ୟେକ ଦେଶରେ ବର୍ତ୍ତମାନ ମଧ୍ୟ ପ୍ରାୟ ଦୁଇଟି ଦଳ ଦେଖାଗଲେଣି । ଧନୀ, ବ୍ୟବସାୟ ଓ ପୁଞ୍ଜିପତିମାନେ ଆମେରିକା ଆଡ଼େ ଗଲେ-ଶ୍ରମିକ, ଚାଷି ମୂଲିଆ ରୁଷିଆ ଆଡ଼େ ଢଳୁଛନ୍ତି । ମଧ୍ୟବିତ୍ତ ଶ୍ରେଣୀର ଲୋକ ଏପାଖ ସେପାଖ ହେଉଛନ୍ତି । ମୋଟା ମୋଟି ସାରା ମାନବ ସମାଜରେ ଏପ୍ରକାର ଆଦର୍ଶଗତ ଟଣାଓଟାରା ଖୁବ୍‌ ଦ୍ରୁତ ଗତିରେ ଚାଲିଛି ।

 

ଗତ ଯୁଦ୍ଧ ପରେ ଇଂଲଣ୍ଡ ପୃଥିବୀର ଅର୍ଥନୈତିକ କ୍ଷେତ୍ରରେ ଭୟଙ୍କର ଭାବେ ପରାସ୍ତ ହୋଇଛି-ତାର ଅର୍ଥ ପୃଥିବୀବ୍ୟାପୀ ସାମ୍ରାଜ୍ୟ ଖୁବ୍‌ ଦୁର୍ବଳ ହୋଇପଡ଼ିଛି; କିନ୍ତୁ ତଥାପି ଇଂଲଣ୍ଡ ତାର ପୂର୍ବଗୌରବ ଭୁଲିବାକୁ ଚାହେଁ ନା । ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆରେ ଯାହା କିଛି ଅଛି, ତାକୁ କୌଣସି ଉପାୟରେ ହେଲେ ରଖିବାକୁ ଚାହୁଁ ଛି; କିନ୍ତୁ ସେ ସବୁ ଦେଶରେ ମଧ୍ୟ ଜାତୀୟ ଜାଗରଣ ଦେଖା ଦେଇଥିବାରୁ ତାକୁ ଆୟତ୍ତ କରିବା ବହୁ ବ୍ୟୟସାପେକ୍ଷ ହୋଇ ପଡ଼ିଛି । ଏଥିଲାଗି ବିନାଆମେରିକା ସାହାଯ୍ୟରେ କିଛି କରିବା ସଂଭବ ହୋଇପାରୁ ନାହିଁ । ତେଣୁ ଅର୍ଥନୈତିକ କ୍ଷେତ୍ରରେ ଆମେରିକା କର୍ତ୍ତୃତ୍ୱ ଇଂଲଣ୍ଡ ଉପରେ ପ୍ରତିଷ୍ଠିତ ହୋଇଛି ଏବଂ ଏହା ରାଜନୈତିକ ନୀତିକୁ ମଧ୍ୟ ଆୟତ୍ତ କରୁଛି । ଆମେରିକାର ମଧ୍ୟ ଇଂଲଣ୍ଡ ବହୁତ ଦରକାର-କାରଣ ଭବିଷ୍ୟତ ଯୁଦ୍ଧରେ ଇଂଲଣ୍ଡ ଗୋଟିଏ ପ୍ରଧାନ ସାମାରିକ ଘାଟି ହିସାବରେ ବ୍ୟବହୃତ ହୋଇପାରିବ-। ଆମେରିକା ୧୯୪୫ର ଶ୍ରମିକ ସରକାର ଆସିବାରେ ବିଶେଷ ପ୍ରୀତ ହୋଇ ନ ଥିଲା; କିନ୍ତୁ କ୍ରମେ କ୍ରମେ ଦେଖିଲା ଯେ ଶ୍ରମିକ ସରକାର ଜାଠଦଳ ସରକାରଠାରୁ ବୈଦେଶିକ ନୀତିରେ ଅନ୍ତତଃ କୌଣସି ଗୁଣରେ ପୃଥକ୍‌ ନୁହେଁ । ପ୍ରକୃତରେ ଚର୍ଚ୍ଚିଲ ଯାହା କହେ, କିଛିଦିନ ପରେ ଶ୍ରମିକ ସରକାର ତାହା କରନ୍ତି । ପାଶ୍ଚାତ ଶକ୍ତିମାନଙ୍କର ମେଣ୍ଟବାନ୍ଧିବା ବିଷୟରେ ଚର୍ଚ୍ଚିଲ ୧୯୪୬ରେ ପ୍ରଥମେ କହିଥିଲେ । କିଛିଦିନ ଶ୍ରମିକ ସରକାର ତାର କୌଣସି ଜବାବ ଦେଲେ ନାହିଁ; କିନ୍ତୁ ପରିଶେଷରେ ସେହି ଜାଲରେ ପଡ଼ିଲେ । ପାର୍ଲିଆମେଣ୍ଟରେ ଜାଠଦଳ ଶ୍ରମିକ ସରକାରର ବୈଦେଶିକ ନୀତିକୁ ବରାବର ପ୍ରଶଂସା କରିଥାଆନ୍ତି । ପାଶ୍ଚାତ୍ୟ ଜାତିମାନଙ୍କ ମଧ୍ୟରୁ ପ୍ରଧାନ ହେଉଛି ଫ୍ରାନ୍‍ସ, ହଲାଣ୍ଡ, ବେଲଜୀୟମ ଓ ଇଟାଲୀ । ଫ୍ରାନ୍‍ସ, ହଲାଣ୍ଡ, ବେଲଜୀୟମ ସାଙ୍ଗରେ ତ ଇଂଲଣ୍ଡର ବନ୍ଧୁତା ହେବା କଥା-ସମସ୍ତେ ମେଣ୍ଟବାନ୍ଧି ଅଧୀନସ୍ଥ ରାଜ୍ୟଗୁଡ଼ିକୁ ଆୟତ୍ତ କରିଥାଆନ୍ତି; ତେଣୁ ଫ୍ରାନ୍‍ସର ଇଣ୍ଡୋଚାଇନା ଓ ଡଚ୍‌ର ଇଣ୍ଡୋନେସିଆ ନୀତି ବିଷୟରେ ଏମାନେ ନୀରବ । ଏପରି କି, ପ୍ରମାଣ ମିଳିଛି ଯେ ଏହି ତିନୋଟି ରାଜ୍ୟ ଦକ୍ଷିଣ-ପୂର୍ବ ଏସିଆର ପରସ୍ପର ସାହାଯ୍ୟ ନେଇଥାଆନ୍ତି ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ପ୍ରଭୃତିରେ । ଆମେରିକା ମଧ୍ୟ ଏମାନଙ୍କୁ ଗୋଳା ବାରୁଦ ସାହାଯ୍ୟ ଦେଇଥାଏ । ମାଲୟ ପାଇଁ ଗତବର୍ଷ (୧୯୪୮) ଆମେରିକା ୭୦ ହଜାର ଟନ ଯୁଦ୍ଧସରଞ୍ଜାମ ଦେଇଥିବାର ଜଣାଯାଏ । ଇଣ୍ଡୋନେସିଆରୁ ମଧ୍ୟ ଭୀଷଣକାୟ ହେଡ ହଣ୍ଟର ନାମକ ନିର୍ଦ୍ଦୟ ନରରକ୍ତପିପାସୁ ଆଦିବାସୀମାନଙ୍କୁ ଅଣା ହୋଇଛି, ସେଠାକାର ଜାତୀୟ ଆନ୍ଦୋଳନ ଦବାଇବା ପାଇଁ-ସେଥିସାଙ୍ଗକୁ ଇଂଲଣ୍ଡରୁ ଭୟଙ୍କର ମଣିଷଶିକାରୀ କୁକୁର ମଧ୍ୟ ପଠାଯାଇ ଥିବାର ବିବରଣୀ ମିଳେ; ତେଣୁ କିଏ କହିବ ଯେ ଡଚମାନଙ୍କର ଆକ୍ରମଣରେ ଏମାନଙ୍କର ମଧ୍ୟ ପ୍ରତ୍ୟକ୍ଷ ସାହାଯ୍ୟ ନାହିଁ । ଆମେରିକା ଓ ପାଶ୍ଚାତ୍ୟ ଶକ୍ତିମାନଙ୍କଦ୍ୱାରା ସଂଖ୍ୟାଧିକ ଭାବରେ ଆୟତ୍ତ ପୃଥିବୀ ପଞ୍ଚାୟତରେ ଡଚମାନଙ୍କ ବିରୁଦ୍ଧରେ ଆଲୋଚନା ଶୁଣି ହସମାଡ଼େ । ପ୍ରତ୍ୟେକେ ସ୍ତୂପୀକୃତ ସ୍ଵହସ୍ତନିହିତ ମଣିଷ ଶବ ଉପରେ ବସି ଗମ୍ଭୀର ଭାବରେ ନ୍ୟାୟ, ଧର୍ମ, ମୁକ୍ତି, ଗଣତନ୍ତ୍ର, ବ୍ୟକ୍ତିଗତ ସ୍ୱାତନ୍ତ୍ର୍ୟ ପ୍ରଭୃତି ମହତ ଗୁଣ ବିଷୟରେ ଆଲୋଚନା ଚଳାଇଛନ୍ତି । ମନେ ହୁଏ, ଭାରତ, ରୁଷିୟା ଓ ଅନ୍ୟାନ୍ୟ ରାଜ୍ୟମାନେ ଏମାନଙ୍କ ବିରୁଦ୍ଧରେ ଆପତ୍ତି କରି ଯେପରି ବୃଥା ସମୟ ନଷ୍ଟ କରୁଛନ୍ତି । ଇଂଲଣ୍ଡ ଗରିବ ହେଲେହେଁ ନିଜର ପୁରୁଣା ଅଭିଜ୍ଞତା ଯୋଗୁଁ ଏ ମେଣ୍ଟ ଭିତରେ ଖୁବ୍‌ ଉଚ୍ଚ ସ୍ଥାନ ଅଧିକାର କରିଛି ।

 

ଏହା ଛଡ଼ା ପାଶ୍ଚାତ୍ୟ ରାଜ୍ୟଗୋଷ୍ଠୀ ଓ ଆମେରିକାର ଅନ୍ୟାନ୍ୟ ସ୍ୱାର୍ଥ ଅଛି ଯାହାକି ଏପ୍ରକାର ସଂଘବଦ୍ଧ ନ ହେଲେ ସମ୍ପାଦିତ ହୋଇ ପାରିବ ନି । ଏମାନେ ହେଲେ ପୁଞ୍ଜିପତି ଦେଶ । ଶ୍ରମିକ ଓ ସରକାର ଭିତରେ ବରାବର ସଂଘର୍ଷ ଲାଗିରହିଛି । ଫ୍ରାନ୍‌ସ ଇଟାଲୀରେ ଅଧିକାଂଶ ଶ୍ରମିକ କମ୍ୟୁନିଷ୍ଟଙ୍କଦ୍ଵାରା ପରିଚାଳିତ । ଫ୍ରାନ୍‌ସ ଓ ଇଟାଲୀରେ ଏକତୃତୀୟାଂଶ ସାଧାରଣ ଭୋଟ କମ୍ୟୁନିଷ୍ଟମାନେ ପାଇଛନ୍ତି । ଆଉ ଦୁଇ ତୃତୀୟାଂଶ ଭୋଟ ବିଭିନ୍ନ ରାଜନୀତି ଦଳ ଭିତରେ ବାଣ୍ଟିହୋଇ ରହିଛି । କମ୍ୟୁନିଷ୍ଟମାନେ ଚାହାନ୍ତି-ପୁଞ୍ଜିପତିଙ୍କର ସମୂଳ ବିନାଶ । ତା ଛଡ଼ା ପ୍ରାଚ୍ୟ ୟୁରୋପୀୟ ଦେଶ ସବୁରେ ଲୋକପ୍ରିୟ ସାମ୍ୟବାଦ ଶାସନ ଯୁଦ୍ଧ ପରେ ପରେ ଚାଲୁ ହୋଇ ଯାଇଛି । ତେଣେ ଯୁଦ୍ଧ ପରେ ରୁଷିଆ ଖୁବ୍‌ ଶକ୍ତିଶାଳୀ ହୋଇ ଉଠିଛି । ଅନ୍ୟ ଦିଗରେ ଆମେରିକାର ଉତ୍ପାଦନ-ଶକ୍ତି ଯୁଦ୍ଧ ପରେ ଅନେକ ପରିମାଣରେ ବଢ଼ିଯାଇଛି; କିନ୍ତୁ ପୁଞ୍ଜିବାଦର ଶ୍ରେଣୀଗତ ବୈଷମ୍ୟ ଥିବାରୁ ଓ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କର ଏସବୁ କିଣିବା ପାଇଁ ଶକ୍ତି ନ ଥିବାରୁ ଜିନିଷପତ୍ରର ହଠାତ୍‌ ଦରଦାମ କମି ଭୟଙ୍କର କ୍ଷତି ହେବାର ଭୟ ସେଠାକାର ସରକାରର ହେଲାଣି । ତାହାହେଲେ ଅକର୍ମା ସଂଖ୍ୟା ମଧ୍ୟ ଦ୍ରୃତଗତିରେ ବଢ଼ି ଚାଲିବ । ୧୯୨୯-୩୨ କଥା ଏମାନେ ଭୁଲି ନାହାଁନ୍ତି । ନିୟମପ୍ରଣୟନଦ୍ୱାରା ଏହାର ସମାଧାନ କରିବାକୁ ହେଲେ ସାମ୍ୟବାଦର ଆଶ୍ରୟ ନେବାକୁ ହେବ; କିନ୍ତୁ ସେଥିଲାଗି ଶାସକବର୍ଗ ରାଜି ନ ଥିବାରୁ ଅନ୍ୟ ଉପାୟରେ ଏ ପ୍ରକାର ପରିସ୍ଥିତିକୁ ଏଡ଼ିବାର କଳ୍ପନା କରାହେଉଛି । ୧୯୩୨ର ଅକର୍ମା ସମସ୍ୟା ହିଟଲର ସମାଧାନ କରିଥିଲା ଅସଲ ସାମ୍ୟବାଦ ସାହାଯ୍ୟରେ ନୁହେଁ-ଯୁଦ୍ଧସରଞ୍ଜାମ ତିଆରି କରି ଆଉ ଗୋଟିଏ ଯୁଦ୍ଧ ପାଇଁ ଆୟୋଜନ ଯୋଗୁଁ ଅକର୍ମାମାନେ କାମ ପାଇପାରିଥିଲେ । ଆମେରିକା ମଧ୍ୟ ଏହାର ଆଶ୍ରୟ ନେଲା ପରି ଜଣାଯାଉଛି । ଅବଶ୍ୟ ଏହାକୁ ବାହ୍ୟ ଆକ୍ରମଣରୁ ପ୍ରତିରୋଧମୂଳକ ବ୍ୟବସ୍ଥା ମାତ୍ର ବୋଲି କୁହାହେଉଛି । କିନ୍ତୁ ପ୍ରଶ୍ନ ହେଉଛି ଯେ ଆକ୍ରମଣକାରୀ କିଏ ? ସେମାନେ ଯେ ରୁଷିଆକୁ ଲକ୍ଷ୍ୟ କରି କହୁଛନ୍ତି, ଏଥିରେ ସନ୍ଦେହ ନାହିଁ । ଗଲା ମହାଯୁଦ୍ଧରେ ରୁଷିଆର ଯେତେ କ୍ଷତି ହୋଇଛି, ଆମେରିକା ଓ ଇଂଲଣ୍ଡର କ୍ଷତି ତା ତୁଳନାରେ ବହୁତ କମ । ନିମ୍ନଲିଖିତ ହିସାବରୁ ତାହା ସହଜେ ପ୍ରମାଣିତ ହେବ ।

 

ଦେଶ

ହତାହତ ସଂଖ୍ୟା

ଲୋକସଂଖ୍ୟା

ଲୋକସଂଖ୍ୟାର

(୧୯୩୫)ଶତକରା ଅନୁପାତହାର

ଆମେରିକା

୧୦ ଲକ୍ଷ ୪୦ହଜାର

୧୩ କୋଟି ୭୦ ଲକ୍ଷ

୦.୮

ଗ୍ରେଟ୍‌ ବ୍ରିଟେନ

୫ ଲକ୍ଷ ୭୦ହଜାର

୪ କୋଟି ୫୦ ଲକ୍ଷ

୧.୩

ଫ୍ରାନ୍‌ସ

୭ ଲକ୍ଷ ୫୦ହଜାର

୪ କୋଟି ୧୦ ଲକ୍ଷ

୧.୮

ଜର୍ମାନୀ

୯୫ ଲକ୍ଷ

୬ କୋଟି ୬୦ ଲକ୍ଷ

୧୪.୩

ଜାପାନ

୬୫ ଲକ୍ଷ

୮ କୋଟି ୪୦ ଲକ୍ଷ

୭.୭

ପୋଲାଣ୍ଡ

୫୬ ଲକ୍ଷ

୩ କୋଟି ୨୦ ଲକ୍ଷ

୧୭.୫

ଚେକୋ

-

-

-

ସ୍ଳୋଭାକିଆ

୫ ଲକ୍ଷ

୧ କୋଟି ୪୭ ଲକ୍ଷ

୩.୪

ଯୁଗୋସ୍ଳୋଭିଆ

୧୭ ଲକ୍ଷ

୧ କୋଟି ୪ ଲକ୍ଷ

୧୨.୨

ରୁଷିଆ

୧କୋଟି ୩୫ ଲକ୍ଷ

୧୬ କୋଟି ୨୦ ଲକ୍ଷ

୮.୩

 

(World Almanack 1948)

ରୁଷିଆରେ ୧୭୧୦ଟି ସହର ଏବଂ ୭୦,୦୦୦ ଗ୍ରାମ ନଷ୍ଟ ହୋଇଛି ଓ ୨ କୋଟି ୫୦ ଲକ୍ଷ ଲୋକ ଗୃହହୀନ ହୋଇଛନ୍ତି ଯୁଦ୍ଧ ସମୟରେ । ୧୧୮୫ କୋଇଲା ଖଣି, ୨୪୦୦ ଇଲେକ୍‌ଟ୍ରିକ କଳ, ୧୫୦୦୦ ଡ୍ରିଲ, ୫,୦୦୦ ପମ୍ପ, ୧୬୦,୦୦୦ ରେଳଡ଼ବା ଜର୍ମାନୀକୁ ନିଆହୋଇଛି । ୩୭ଟି ଲୁହା ଓ ଇସ୍ପାତ୍‌ କାରଖାନା, ୭୪୯ଟି ଇଞ୍ଜିନିୟରିଂ ପ୍ଳାଣ୍ଟ, ୬୦୫ ବୈଜ୍ଞାନିକ ଗବେଷଣାକେନ୍ଦ୍ର ଓ ୬,୦୦୦ ଡାକ୍ତରଖାନା ନଷ୍ଟ ହୋଇଛି; ମୋଟାମୋଟି କୋଟି କୋଟି ଟଙ୍କାର ଜିନିଷ ରୁଷିଆର ନଷ୍ଟ ହୋଇଥିବା ସ୍ଥଳେ ଆମେରିକାର ପ୍ରଚୁର ଲାଭ ହୋଇଛି ଯୁଦ୍ଧ ସମୟରେ । ତେଣୁ ଅନେକ ବଡ଼ ବଡ଼ ଅର୍ଥନୀତିଜ୍ଞ ଓ ରାଜନୀତିଜ୍ଞଙ୍କ ମତରେ ରୁଷିଆ ଚାହୁଁଚି ଶାନ୍ତି-। ଯେପରିଭାବରେ ରୁଷିଆର ନଷ୍ଟ ହୋଇଛି, ସେଥିରେ ସେ ଆକ୍ରମଣମୂଳକ ଅଭିଯାନ କରିପାରେ ନାହିଁ । ତା ଛଡ଼ା ଆକ୍ରମଣମୂଳକ ଅଭିଯାନରେ ତାର ବା ଲାଭହେବ କଣ ? ରୁଷିଆ ଦେଖୁଛି ଯେ କ୍ରମେ କ୍ରମେ ପୁଞ୍ଜିପତି ଦେଶମାନେ ନିଜ ନିଜ ଦୋଷରୁ କ୍ଷୟ ପାଇଯିବେ । ଅକର୍ମା ଓ ଶ୍ରମିକ-ମାଲିକ ସଂଘର୍ଷ ସେମାନେ କୌଣସିମତେ ଏଡ଼ିପାରିବେ ନାହିଁ । ତା ଛଡ଼ା ରୁଷିଆ ଦେଶ ଜୟ କରି କଣ କରିବ ? ସେ ତ ଅନ୍ୟମାନଙ୍କ ପରି ସାମ୍ରାଜ୍ୟବାଦୀ ନୁହେଁ । ସାମ୍ୟବାଦ ଓ ସାମ୍ରାଜ୍ୟବାଦ ସମ୍ପୂର୍ଣ୍ଣ ବିପରୀତ । ଆମେରିକା ଉପରେ ଆକ୍ରମଣ କରିବା ରୁଷିଆ ପକ୍ଷରେ ସାମରିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅସମ୍ଭବ । ରୁଷିଆ ପରମାଣୁ ବୋମା ତିଆରି କୌଶଳ ଜାଣି ଥିବାର ଅନୁମାନ ହେଉଥିଲେ ସୁଦ୍ଧା ବର୍ତ୍ତମାନ ବହୁ ପରିମାଣରେ ଏପରି ବୋମା ତିଆରି କରିବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି । ତାଛଡ଼ା ଆମେରିକାର ପାଖେଆଖେ ରୁଷିଆର ଏପରି ସାମରିକ ଘାଟି ନାହିଁ ଯେଉଁଠାରୁ ଯାଇ ରୁଷିଆ ଆମେରିକା ଉପରେ ହଠାତ୍‌ ଆକ୍ରମଣ କରିବ । ଏସବୁ କାରଣରୁ ରୁଷିଆ ଯେ ଆକ୍ରମଣମୂଳକ ଅଭିଯାନ ଆରମ୍ଭ କରିପାରିବ ନି ଏଥିରେ ସନ୍ଦେହ ନାହିଁ ।

କିନ୍ତୁ ଅପରପକ୍ଷରେ ଆମେରିକାର ଅର୍ଥନୈତିକ ତଥା ବୈଦେଶିକ ରାଜନୈତିକ କାର୍ଯ୍ୟକଳାପ ପ୍ରମାଣ କରୁଛି ଯେ ଆମେରିକା ରୁଷିୟାକୁ ଦବାଇବାକୁ ଚାହେ । ଅନେକ ବିଶିଷ୍ଟ ଆମେରିକାନ ଓ ଇଂରେଜ ରାଜନୀତିଜ୍ଞ ପ୍ରକାଶ୍ୟରେ କହିଥାନ୍ତି ଯେ ରୁଷିଆ ନଷ୍ଟ । ଶାନ୍ତି ପୁନରୁଦ୍ଧାର କରିବା ପୂର୍ବରୁ ଓ ପରମାଣୁ ବୋମା ତିଆରି କରିବାରେ ସମର୍ଥ ହେବା ପୂର୍ବରୁ ଆମେରିକା ହାତରେ ଥିବା ପରମାଣୁ ବୋମା ପକାଇ ତାକୁ ଧ୍ୱଂସ କରିଦେବା ଉଚିତ । ଏମାନେ ସାମ୍ୟବାଦ ଆଦର୍ଶକୁ ଭୟଙ୍କର ଡରୁଛନ୍ତି । ପୃଥିବୀର ଚାରିଆଡ଼େ ସାମ୍ୟବାଦର ପ୍ରସାର ଯେପରି ବ୍ୟାପୀ ଚାଲିଛି, ସେଥିରେ ଆମେରିକା ପରି ଉତ୍କଟ ପୁଞ୍ଜିବାଦୀ ଦେଶରେ ଆତଙ୍କ ସୃଷ୍ଟି ହୋଇଛି । ପୃଥିବୀରେ ସାମ୍ୟବାଦର ଯେପରି ପ୍ରଚାର ନ ହୁଏ, ସେଥିଲାଗି ରୁଷିଆ ପ୍ରଭୃତି ସାମ୍ୟବାଦୀ ଦେଶଗୁଡ଼ିକୁ ଆମେରିକା ଆଗେ ନଷ୍ଟ କରିଦେବାକୁ ଚାହୁଁଛି । ପ୍ରାଚ୍ୟ ୟୁରୋପର ଦେଶଗୁଡ଼ିକରେ ବ୍ରିଟିଶ-ଫ୍ରାନ୍‌ସ ଯେପରି ଭାବରେ ଶୋଷଣ କରୁଥିଲେ ଆଉ କରିପାରୁ ନାହାନ୍ତି । ଅନ୍ୟାନ୍ୟ ଅଧୀନସ୍ଥ ରାଜ୍ୟରେ ମଧ୍ୟ ପିଷ୍ଟ, ସର୍ବହରା ଶ୍ରମିକ ରୁଷିଆର ସାମାଜିକ ପରିବର୍ତ୍ତନରେ ଅନୁପ୍ରାଣିତ ହୋଇ ପଡ଼ୁଛି । ତେଣୁ ଏମାନଙ୍କ ଉଦ୍ଦେଶ୍ୟ ଯୁଦ୍ଧ କରି ଅନ୍ୟ ଦେଶମାନେ ଶକ୍ତିଶାଳୀ ହେବା ପୂର୍ବରୁ ଯେପରି ଦବାଇ ଦେବେ ।

ତେବେ ପ୍ରଭୂତ ଅର୍ଥ ଓ ପ୍ରଚୁର ଯୁଦ୍ଧସରଞ୍ଜାମ ଦ୍ୱାରା ଯୁଦ୍ଧରେ ଜୟ ଲାଭ ହୁଏ ନାହିଁ । ଯୁଦ୍ଧ ପାଇଁ ଅସଲ ସାମରିକ ଘାଟିଜାଗାମାନ ଦରକାର । ୟୁରୋପରେ ଇଂଲଣ୍ଡ, ଫ୍ରାନସ ଓ ଇଟାଲୀ ବିନା ଆମେରିକା ଯୁଦ୍ଧ ଆରମ୍ଭ କରିପାରିବ ନାହିଁ । କିନ୍ତୁ ଫ୍ରାନ୍‌ସ ଓ ଇଟାଲୀରେ ଅଧିକାଂଶ ଶ୍ରମିକ କମ୍ୟୁନିଷ୍ଟମାନଙ୍କ ହାତରେ ଏବଂ ଏମାନେ ପରିଷ୍କାର କହି ଦେଲେଣି ଯେ ରୁଷିଆ ବିରୁଦ୍ଧରେ ସେମାନେ ଯୁଦ୍ଧ କରିବେ ନାହିଁ ବରଂ ସେମାନଙ୍କୁ ସାହାଯ୍ୟ କରିବେ ଯୁଦ୍ଧ ହେଲେ । ତା ଛଡ଼ା ଯୁଦ୍ଧ ହେଲା କ୍ଷଣି ରୁଷିଆର ସୈନ୍ୟବାହିନୀ ଖୁବ୍‌ ଶୀଘ୍ର ସାରା ୟୁରୋପକୁ ଅଧିକାର କରିଦେଇ ପାରିବ ଓ ଯଦି କିଛି ପରମାଣୁ ବୋମା ପାଇଥାଏ ଆମେରିକାର ଯୁଦ୍ଧଘାଟି ଇଂଲଣ୍ଡ ଉପରେ ଆଣି ପକାଇ ଦେବ । ଆମେରିକାନ ଓ ଇଂଲିଶ ସୈନ୍ୟମାନେ ପୁଣି ୟୁରୋପକୁ ମୁକ୍ତ କରିବାରେ ଚେଷ୍ଟା କରିବେ । ଏପ୍ରକାର ଅନ୍ଧକାରମୟ ଭବିଷ୍ୟତ ୟୁରୋପର ଲୋକମାନେ କେବେ ପସନ୍ଦ କରିବେ ନାହିଁ । ତେଣୁ ଯୁଦ୍ଧ ହେବାର ଡେରି ହେଉଛି । ତା ନ ହେଲେ ଅନେକ ଦିନ ଆଗରୁ ଯୁଦ୍ଧ ହୋଇ ସାରନ୍ତାଣି । ଆମେରିକା ଯେ ଏତେ ଦିନ ହେଲା ଧୈର୍ଯ୍ୟ ଧରି ଯୁଦ୍ଧ ନ କରି ବସିଛି, ତାହା ତାର ବିଶ୍ୱଶାନ୍ତି ପ୍ରତିଷ୍ଠାର ଆଦର୍ଶ କିମ୍ବା ଉଦାରତା ଯୋଗୁଁ ନୁହେଁ ।

ୟୁରୋପରେ ଏପରି ବଡ଼ ଶକ୍ତି ନାହିଁ ବର୍ତ୍ତମାନ ଯେ କି ରୁଷିଆ ବିରୁଦ୍ଧରେ ଠିଆ ହୋଇପାରିବ । ଫ୍ରାନସ, ଇଂଲଣ୍ଡ ଓ ଇଟାଲୀର ଅର୍ଥନୈତିକ ଅବସ୍ଥା ବହୁତ ଖରାପ । ହଲାଣ୍ଡ, ବେଲଜିୟମ, ନରଓୟେ ପ୍ରଭୃତି ଦେଶ ତ ବଡ଼ ନଗନ୍ୟ ସାମରିକ ଦୃଷ୍ଟିରୁ । ତେଣୁ ଆମେରିକା ଜର୍ମାନୀକୁ ପୁଣି ଆଉ ଥରେ ଶକ୍ତିଶାଳୀ କରିବାକୁ ଚେଷ୍ଟା କରୁଛି । ଯୁଦ୍ଧ ଭିତରେ ସମସ୍ତ ବଡ଼ ବଡ଼ ଶକ୍ତି ଜର୍ମାନୀର ପ୍ରଧାନ ପ୍ରଧାନ ଶିଳ୍ପକୁ ଜାତୀୟ ସମ୍ପତ୍ତିରେ ପରିଣତ କରିବାକୁ ରାଜି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସେସବୁ ପୂର୍ବ ମାଲିକମାନଙ୍କ ହାତରେ ଦେଇ ଦିଆ ଯାଉଛି; ଜର୍ମାନୀରେ ପୁଞ୍ଜିପତିମାନଙ୍କର ପୁନଃ ପ୍ରତିଷ୍ଠା କରାହେଉଛି । ଫ୍ରାନସ ଏଥିରେ ଭୀତ ହୋଇ ମଝିରେ ମଝିରେ ପ୍ରତିବାଦ କଲେ ସୁଦ୍ଧା ବିଶେଷ କିଛି ଲାଭ ହେଉନାହିଁ । ଆମେରିକା ଜର୍ମାନୀର ପୁଞ୍ଜିପତିଙ୍କ ଉପରେ ବହୁତ ଆଶା ରଖିଥିଲା ପରି ଜଣାଯାଉଛି । ତଥାକଥିତ ସାମ୍ୟବାଦୀ ଇଂଲଣ୍ଡ ଆମେରିକାର କୌଣସି କଥାରେ ଅନ୍ୟମତ ହେବାର ପ୍ରାୟ ଦେଖା ଯାଏ ନା । ଅନ୍ୟାନ୍ୟ ଦେଶସବୁ ତ ପୂରାପୂରି ଆମେରିକା ହାତମୁଠାରେ । ଗ୍ରୀସରେ ଆମେରିକା, ଇଂଲଣ୍ଡ ଓ ଅନ୍ୟାନ୍ୟ ଦେଶର ହସ୍ତକ୍ଷେପ ହେଉ ନ ଥିଲେ ଅନେକ ଦିଗରୁ ଗ୍ରୀସ ଗୃହଯୁଦ୍ଧ ଶେଷ ହୋଇ ଯାଆନ୍ତାଣି । ଅଜସ୍ର ଟଙ୍କା ବ୍ୟୟ କରି ସୁଦ୍ଧା କିଛି ଫଳ ହେଉ ନି, ଟର୍କୀକୁ ବହୁତ ସାହାଯ୍ୟ କରି ଆମେରିକା ନିଜ ଆୟତ୍ତରେ ରଖିଛି । ଆମେରିକାର ସାମରିକ ବିଶେଷଜ୍ଞମାନେ ଏମାନଙ୍କୁ ଯୁଦ୍ଧ ଶିକ୍ଷା ଦେଉଛନ୍ତି । ଶେଷରେ ସ୍ପେନ ପରି ଫାସିଷ୍ଟ ରାଜ୍ୟ ସହିତ ମେଣ୍ଟ ବାନ୍ଧିବାକୁ ସମସ୍ତେ ପ୍ରାୟ ରାଜି ହେବା ଉପରେ-। କିଛି ଦିନ ତଳେ ପାଶ୍ଚାତ୍ୟ ଗଣତାନ୍ତ୍ରିକ ସରକାରମାନଙ୍କର ସ୍ପେନ ବିରୁଦ୍ଧରେ ଗର୍ଜନ ତର୍ଜନ କଥା ମନେ ପଡ଼ି ହସ ଲାଗେ । ଏଥିରୁ ସହଜେ ଜଣାଯାଉଛି ଯେ ଦରକାର ପଡ଼ିଲେ ଏମାନେ ଫାଶିଷ୍ଟ ରାଜ୍ୟରେ ମଧ୍ୟ ଯେ ସାହାଯ୍ୟ ନେବେ, ଏଥିରେ ସନ୍ଦେହ ନାହିଁ ।

ମଧ୍ୟ ପ୍ରାଚ୍ୟରେ ବ୍ରିଟିଶ ଓ ଆମେରିକାର ମିଳି ପ୍ରଭୁତ୍ଵ କରିବା ପାଇଁ ମଧ୍ୟ ମେଣ୍ଟ ଥିବାର ଜଣାଯାଏ । ବ୍ରିଟିଶ ସରକାରର ପାଲେଷ୍ଟାଇନ ନୀତି ଭୟାନକ ଭାବରେ ପରାସ୍ତ ହୋଇଗଲା । ଯୁମାନଙ୍କ ବିରୁଦ୍ଧରେ ଯେତେ ଚେଷ୍ଟା କଲେ ସୁଦ୍ଧା ପାରିଲେ ନାହିଁ । ମୁଷ୍ଟିମେୟ ଯୁ ଇଂରେଜ ଓ ଅନ୍ୟାନ୍ୟ ଆରବ ଶକ୍ତି ବିରୁଦ୍ଧରେ ଲଢ଼ି ଶେଷରେ ଯୁମାନଙ୍କ ପାଇଁ ସ୍ୱାଧୀନ ପାଲେଷ୍ଟାଇନ ପ୍ରତିଷ୍ଠିତ କଲେ । ଆମେରିକାରେ ଯୁ ପ୍ରଭାବ ବେଶୀ ଥିବାରୁ ଆମେରିକାନ ଯୁମାନେ ଏମାନଙ୍କୁ ସାହାଯ୍ୟ କରିଥିଲେ । ପାଲେଷ୍ଟାଇନ ନେଇ ଆମେରିକା ଓ ଇଂଲଣ୍ଡ ଭିତରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେଇ ଥିଲେ ସୁଦ୍ଧା ବର୍ତ୍ତମାନ ପୁଣି ଏକମତ ହୋଇ ଗଲେଣି । ମଧ୍ୟ ପ୍ରାଚ୍ୟର ତେଲଖଣି ଓ ସାମରିକ ଘାଟିଜାଗା ପ୍ରତିଷ୍ଠାରେ ଏମାନେ ପ୍ରତିକ୍ରିୟାଶୀଳ ଆରବ ଶାସକବର୍ଗଙ୍କର ସାହାଯ୍ୟ ନେବାର ଦେଖାଯାଏ । ଇଜିପ୍‌ଟରେ ଯୁଦ୍ଧ ପରେ ପରେ ସୁଏଜ କେନାଲ ଓ ସୁଦାନ ସମସ୍ୟା ନେଇ ବ୍ରିଟିଶ ବିଦ୍ୱେଷ ଖୁବ୍‌ ବେଶି ଦେଖା ଦେଇଥିଲେ ସୁଦ୍ଧା ଇଂରେଜମାନଙ୍କର ରାଜନୈତିକ କୁଟନୀତି ବ୍ୟୂହରେ ସେମାନେ ଛନ୍ଦି ହୋଇ ପଡ଼ିଲେ । ଏସବୁ କ୍ଷେତ୍ରରୁ ସେମାନଙ୍କର ମନ ଟାଣି ଆଣିବା ଲାଗି ସେମାନଙ୍କୁ ଯୁମାନଙ୍କ ବିରୁଦ୍ଧରେ ଲଗାଇ ଦିଆଗଲା । ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ବ୍ରିଟିଶ ଆରବମାନଙ୍କର ପରମ ବନ୍ଧୁ କହିଲେ ଚଳେ । ତଥାପି ଟ୍ରାନ୍‍ସଜୋର୍ଡାନର ସଖୀକୁଣ୍ଢେଇ ରାଜା ଅବଦୁଲ୍ଲାଙ୍କ ଦ୍ୱାରା ଏମାନେ ସିରିଆ ଓ ପାଲେଷ୍ଟାଇନର ଅଧେ ନେଇ ଗୋଟିଏ ବିରାଟ ରାଜ୍ୟ ଗଢ଼ି ନିଜ ହାତମୁଠାରେ ରଖିପାରିଲେ ନାହିଁ । ସିରିଆର ବର୍ତ୍ତମାନ ଏକଛତ୍ର ସାମରିକ ଶାସନ ଏ ପ୍ରକାର କଳ୍ପନା ବିରୁଦ୍ଧରେ କାର୍ଯ୍ୟ କରୁଥିବାର ଜଣାଯାଏ । ସୁଦାନରେ ଏମାନଙ୍କର କୁଟିଳ ଭେଦନୀତି ଉମ୍ମା ଓ ଆସିଗା ଦଳ ଭିତରେ କାମ କରୁଥିଲେ ସୁଦ୍ଧା ସ୍ୱାର୍ଥପର ଆରବ ଶାସକବର୍ଗ ଏ କ୍ଷେତ୍ରରେ ନିଷ୍କ୍ରିୟ ଥିଲା ପରି ମନେ ହୁଏ । ମଧ୍ୟପ୍ରାଚ୍ୟର ଅନେକ ବଡ଼ ବଡ଼ ସାମରିକ ଅଫିସରଙ୍କର ଆରବପ୍ରୀତି ଶୁଣିଲେ ବାଘମାଉସୀର ଛାଗଳ ପ୍ରୀତି ପରି ଜଣାଯାଏ ।

ଭାରତ ବ୍ରିଟିଶସାମ୍ରାଜ୍ୟରେ ରହିବା ଦ୍ୱାରା ଏମାନଙ୍କ ରାଜନୈତିକ କୁଟିଳ ବ୍ୟୂହ ଭିତରେ ପଡ଼ିଯିବାର ସମ୍ଭାବନା ଅଛି । ଭାରତ କାଳେ ସାମ୍ରାଜ୍ୟ ବାହାରେ ଚାଲି ଯାଇପାରେ; ତେଣୁ କାଶ୍ମୀର ପାକିସ୍ଥାନକୁ ଯିବାରେ ଏମାନଙ୍କର ସମ୍ପୂର୍ଣ୍ଣ ଇଚ୍ଛା ଥିଲା । ଅନ୍ତତଃପକ୍ଷେ ଗିଲବଟ ଏମାନଙ୍କର ନିହାତି ଦରକାର । ରୁଷିଆ ବିରୁଦ୍ଧରେ ଅଭିଯାନ ଗିଲଗିଟ ଘାଟିଠାରୁ ସହଜେ କରିହେବ । ଭାରତରେ ଗିଲଗିଟ ରହିଲେ ହୁଏତ ଏମାନଙ୍କର ପୂରା ହାତ ନ ରହିପାରେ–ଏହି ଭୟ ଏମାନଙ୍କର ଥିଲା । ତେବେ ସେ ଭୟ ବର୍ତ୍ତମାନ ଦୂର ହୋଇପାରେ । ଅନୁନ୍ନତ ଭାରତବର୍ଷରେ ତ କ୍ରମେ କ୍ରମେ ବ୍ରିଟିଶ ଓ ଆମେରିକାର ପୁଞ୍ଜି ଅବାଧରେ ମାଡ଼ି ଚାଲିବ–ରାଜନୈତିକ ସୂତ୍ର କଟିଗଲେ କଣ ହେବ, ଅର୍ଥନୈତିକ ନିଷ୍ପେଷଣ ଦେଶକୁ ସର୍ବହରା କରିଦେଇ ପାରେ ।

ଦକ୍ଷିଣ-ପୂର୍ବ ଏସିଆ କଥା ତ ଆଗେ କୁହାହୋଇଛି । ମାଲୟ, ଇଣ୍ଡୋନେସିଆ ଓ ଇଣ୍ଡୋଚାଇନାର ବର୍ତ୍ତମାନ ଗଣ୍ଡୋଗୋଳିଆ ପରିସ୍ଥିତି ଏମାନଙ୍କର କୂଟନୀତିର ଫଳ ମାତ୍ର । ସୁଦୂର ପ୍ରାଚ୍ୟ ଦେଶ-ଚାଇନା ଜାପାନରେ ମଧ୍ୟ ଦଳଗତ ରାଜନୀତି ଦ୍ରୁତଗତିରେ କାମ କରୁଛି । ଅଜସ୍ର ଅର୍ଥବ୍ୟୟ କରି ସୁଦ୍ଧା ଆମେରିକା ଆଉ ବେଶି ଦିନ ଚାଇନାରେ ଗୃହଯୁଦ୍ଧ ଚାଲୁ ରଖି ପାରିବ ନାହିଁ-। ସମଗ୍ର ଚାଇନା କମ୍ୟୁନିଷ୍ଟିଙ୍କ ହାତରେ ପଡ଼ିବ । ଏଥିରେ ରୁଷିଆର ଜୟ ହେଲା ପରି ଜଣାଯାଉଛି । ୟୁରୋପରେ ଯେପରି ଜର୍ମାନୀକୁ ପୁଣି ଶକ୍ତିଶାଳୀ କରିବାର ଉଦ୍ୟମ ହେଉଛି, ସୁଦୂର ପ୍ରାଚ୍ୟରେ ମଧ୍ୟ ଜାପାନକୁ ପୁଣି ସେହିପରି ଗଢ଼ିବାରେ ଚେଷ୍ଟା କରାହେଉଛି । ଅନେକ ନରମପନ୍ଥୀ ରାଜନୀତିଜ୍ଞମାନେ ମଧ୍ୟ ଆମେରିକାର ଜାପାନୀନୀତି ପସନ୍ଦ କରୁନାହାନ୍ତି । ଅବଶ୍ୟ ଜାପାନ ବିଷୟରେ ବିଶେଷ କିଛି ଜାଣିବାର ଉପାୟ ନାହିଁ; ତଥାପି ଯାହା ମିଳେ ସେଥିରୁ ଅନୁମାନ କରାଯାଏ ଯେ ଜାପାନୀମାନେ ଖୁବ୍ ନିଷ୍ପେସିତ ହୋଇ ପଡ଼ିଛନ୍ତି, ଗତ ନିର୍ବାଚନରେ ଜାପାନ ପରି ରାଜଭକ୍ତ ଓ ଫାଶିଷ୍ଟ ଦେଶରେ ମଧ୍ୟ ୩କୋଟି ଭୋଟରୁ ୩୦ ଲକ୍ଷ ଭୋଟ କମ୍ୟୁନିଷ୍ଟମାନେ ପାଇଥିଲେ । ଟୋକିଓ ସହରର ଅଧିକାଂଶ କମ୍ୟୁନିଷ୍ଟମାନଙ୍କୁ ଭୋଟ ଦେଇଥିଲେ ।

ଇଂଲଣ୍ଡ ଗରୀବ ହୋଇ ପଡ଼ୁଥିଲେହେଁ ସାମରିକ ଦୁଷ୍ଟିରୁ ଗୋଟିଏ ପ୍ରଧାନ ଘାଟି ହୋଇଥିବାରୁ ଭବିଷ୍ୟତ ଯୁଦ୍ଧ ଏହା ଉପରେ ଅନେକଟା ନିର୍ଭର କରେ । ଇଂଲଣ୍ଡ ଯଦି ନିରପେକ୍ଷ ରହିଯାଆନ୍ତା-ଆମେରିକା ଓ ରୁଷିଆ ଉଭୟଠାରୁ ସୁବିଧା ପାଇବାକୁ ଚେଷ୍ଟା କରି- ଯୁଦ୍ଧ ଆୟୋଜନରେ ଭାଗ ନିଅନ୍ତା ନାହିଁ, ତାହେଲେ ଖୁବ୍ ସମ୍ଭବ ଯୁଦ୍ଧ ହୋଇପାରନ୍ତା ନାହିଁ । କିନ୍ତୁ ଇଂଲଣ୍ଡ ଆମେରିକାର ପିୟପାତ୍ର ହିସାବରେ ଯେପରି ଭାବରେ ଯୁଦ୍ଧ ଆୟୋଜନରେ ଲାଗିପଡ଼ିଛି ଏବଂ ଉଚ୍ଚସରକାରୀ ମୁଖପାତ୍ରଙ୍କଠାରୁ ଆରମ୍ଭ କରି ଜାଠଦଳ ପରିଚାଳିତ ସମସ୍ତ ଖବରକାଗଜ ଓ ରେଡ଼ିଓ ଯେପରି ରୁଷିଆ ବିରୁଦ୍ଧରେ ବିଷ ଉଦ୍‌ଗରଣ କରି ଯୁଦ୍ଧର ଆବହାୱା ସୃଷ୍ଟି କରୁଛନ୍ତି, ସେଥିରୁ ମନେ ହୁଏନା ଯେ ଇଂଲଣ୍ଡର ସେ ସୁବୁଦ୍ଧି ହେବ । ଇଂଲଣ୍ଡରେ ରହିଲେ ମନେ ହୁଏ, ଯୁଦ୍ଧ ଯେପରି ଖୁବ୍ ନିକଟ ହୋଇ ଆସିଲାଣି; କିନ୍ତୁ ଯୁଦ୍ଧ ହେଲେ ଇଂଲଣ୍ଡର ସବୁଠୁ ବେଶୀ କ୍ଷତି ହେବ । ଇଂଲଣ୍ଡର କେନ୍ଦ୍ରୀଭୂତ ଶିଳ୍ପକାରଖାନା ସବୁ ପରମାଣୁ ବୋମାରେ ବିଶେଷ କ୍ଷତିଗ୍ରସ୍ତ ହେବ ।

 

ରୁଷିଆର ବିଶାଳ ଭୂଖଣ୍ଡରେ ଏପରି ଭାବରେ ବିସ୍ତାରିତ ଭାବରେ ଶିଳ୍ପକାରଖାନା ସବୁ ବିଞ୍ଚି ହୋଇ ରହିଛି ଯେ ପରମାଣୁ ବୋମା ଦ୍ଵାରା ତାକୁ ପରାସ୍ତ କରାଯାଇ ପାରେନା । ଯଦି ଯୁଦ୍ଧ ନ ହୁଅନ୍ତା, ତାହେଲେ ପରମାଣୁ ଶକ୍ତିକୁ ଶାନ୍ତି ଦିଗରେ ଲଗାଇ ମନୁଷ୍ୟସମାଜର-ବିଶେଷତଃ ଅନୁନ୍ନତ ଭାରତ, ଚାଇନା ଓ ଅପେକ୍ଷାକୃତ ଅନୁନ୍ନତ ରୁଷିଆର ବହୁତ ଉପକାର ହୁଅନ୍ତା । ଆମେରିକାର ଯଥେଷ୍ଟ ବିଦ୍ୟୁତ ଓ ଅନ୍ୟାନ୍ୟ ପ୍ରକାର ଶକ୍ତି ରହିଥିବାରୁ ଓ ଏସବୁ କେତେ ଜଣ ପୁଞ୍ଜିପତିଙ୍କର ଏକଚାଟିଆ ବାଣିଜ୍ୟ ରୂପେ ଥିବାରୁ ପରମାଣୁଶକ୍ତିକୁ ଶାନ୍ତିମାର୍ଗରେ ନିୟୋଗ କରିବା ପାଇଁ କାହାରି ଇଚ୍ଛା ନାହିଁ; ତେଣୁ ସେମାନେ ପରମାଣୁଶକ୍ତିକୁ ଧ୍ଵଂସଦିଗରେ ଲଗାଉଛନ୍ତି । ତେବେ ପୃଥିବୀରେ ଚାଡିଆଡ଼େ ସାଧାରଣ ମନୁଷ୍ୟ ଯେପରି ଭାବରେ ଜାଗ୍ରତ ହେଉଛନ୍ତି, ମୁଷ୍ଟିମେୟ ଦୁଷ୍ଟପ୍ରକୃତି ଓ ସ୍ଵାର୍ଥପର ଲୋକ ଏବଂ ରାଜନୀତିଜ୍ଞଙ୍କର କୁଟିଳ ଆବର୍ତ୍ତ ସାରା ପୃଥିବୀକୁ ଧ୍ଵଂସଲୀଳାରେ ପକାଇବାକୁ ସମର୍ଥ ନ ହୋଇପାରେ ।

•••

 

–କୋଡ଼ିଏ–

ବିଦାୟ

 

ସୁଖଦୁଃଖ ଭିତରେ ଦେଇ ଅଢ଼େଇଟି ବର୍ଷ କଟିଗଲା ଲଣ୍ଡନ ସହରରେ । ଅଢ଼େଇ ବର୍ଷ ପୂର୍ବେ ଯେତେବେଳେ ଲଣ୍ଡନ ସହରର ୯୦ ଲକ୍ଷ ଅଧିବାସୀଙ୍କ ଭିତରେ ହଠାତ୍ ଆସି ପହଞ୍ଚିଥିଲି, ନିଜକୁ ବଡ଼ ଅସହାୟ ମନେ ହୋଇଥିଲା-ବ୍ୟକ୍ତିତ୍ଵର ସତ୍ତା ପର୍ଯ୍ୟନ୍ତ ଲିଭିଗଲା ପରି ମନେ ହେଉଥିଲା–ପ୍ରାଣ ବ୍ୟାକୁଳ ହୋଇଥିଲା-ସେହି ଧୂଳିଧୂସର କାଦୁଅପାଣି କଟକ ରାସ୍ତା ଓ ପଚାନାଳ ପରିବେଷ୍ଟିତ ଭଙ୍ଗା ଭଙ୍ଗା ଘରକୁ ଫେରି ଯିବା ପାଇଁ ମନଟା କେମିତିକା କେମିତିକା ଲାଗୁଥିଲା । କିନ୍ତୁ କ୍ରମେ କ୍ରମେ ଏ ପଶ୍ଚାତମୁଖୀ ମନୋଭାବ କଟିଗଲା । ଯାହା ପ୍ରାଣହୀନ ଯନ୍ତ୍ରବତ୍ ଦେଖା ଯାଉଥିଲା, ତାର ଅନ୍ତରର ମଧୁର ସ୍ପନ୍ଦନ ମୋତେ ସ୍ପର୍ଶ କରି ପାରିଥିଲା । ବାହାରର ଚାଲିଚଳଣ, ଆଚାର ବ୍ୟବହାରରେ ହଜାରେ ପାର୍ଥକ୍ୟ ଥିଲେ ସୁଦ୍ଧା ଆଦିମଯୁଗରୁ ଚାଲି ଆସିଥିବା ମନୁଷ୍ୟ ହୃଦୟର ଚିରନ୍ତନ ଐକ୍ୟର ଆଭାଷ କ୍ରମେ ସାଧାରଣ ଲୋକଙ୍କ ସୁଖଦୁଃଖ ସହିତ ବାନ୍ଧି ପାରିଥିଲା-। ଶାସକଶ୍ରେଣୀର କୌଶଳପୂର୍ଣ୍ଣ ମିଥ୍ୟା ପ୍ରଚାରର ବେଷ୍ଟିନୀ ଭିତରେ ରହି ସୁଦ୍ଧା ଅନେକ ଉଦାରମନା ଇଂରେଜ ଅଛନ୍ତି, ଯେଉଁମାନଙ୍କର କି ଆମ ପ୍ରତି, ଆମ ଦେଶ ପ୍ରତି ଯଥେଷ୍ଟ ସ୍ନେହ ଓ ସହାନୁଭୂତି ଅଛି ଓ କ୍ରମେ ଏପରି ଅନେକଙ୍କ ସହିତ ବନ୍ଧୁତା ହୋଇଥିଲା । ଏମାନଙ୍କୁ ଛାଡ଼ି ଆସିବାରେ ପ୍ରକୃତରେ ବଡ଼ କଷ୍ଟ ହେଲା । ଯେଉଁ ସ୍ଥାନରେ ଦିନ ଦିନ, ମାସ ମାସ ଧରି ଅଢ଼େଇ ବର୍ଷ ଚଳି ଆସିଛି, ସେସବୁ ପ୍ରତି ଗୋଟାଏ ମମତା ଜାଗି ଉଠିଥିଲା । ଦେଶକୁ ଫେରି ଆସିବାରେ ପ୍ରବଳ ଇଚ୍ଛା ଥିଲେହେଁ ଲଣ୍ଡନ ଛାଡ଼ିବା କଥା ଭାବିଲେ ମନ ଦୁଃଖରେ କମ ଅଭିଭୂତ ହେଉ ନ ଥିଲା । ଯେଉଁମାନଙ୍କ ସହିତ ଏତେ ଆପଣା ପରି ଚଳି ଆସିଥିଲି ସେମାନଙ୍କୁ ଚିରଦିନ ଲାଗି ଛାଡ଼ି ଆସିବାରେ ଦୁଃଖ ହେବା ସ୍ଵାଭାବିକ । ଚିଠି ଛଡ଼ା ଆଉ କେଭେ ସେମାନଙ୍କ ସହିତ ଦେଖା ହେବାର ସମ୍ଭାବନା ନାହିଁ କିନା !

 

ଆସିବାର ପ୍ରାୟ ହପ୍ତାଏ ପୂର୍ବରୁ ମୋର ପରିଚିତ ବନ୍ଧୁମାନଙ୍କଠାରୁ କ୍ରମେ କ୍ରମେ ବିଦାୟ ଆଣିଲି । ପ୍ରତ୍ୟେକ ବିଦାୟ ପରେ ମନଟା ବଡ଼ ଭାରି ଭାରି ଲାଗେ । ଅନେକେ କହନ୍ତି ଯେ ଇଂରେଜମାନେ ବଡ଼ ଉଦାସୀନ ଓ ଅମିଳାପୀ । କିନ୍ତୁ ସେମାନଙ୍କ ସହିତ ଅନେକ ଦିନ ଧରି ଯେ ଭଲଭାବେ ମିଶି ପାରିଛି, ସେ ବୁଝିବ ଯେ ଏହା କେତେ ଦୂର ଭୁଲ । ଅବଶ୍ୟ ପ୍ରଥମେ ପ୍ରଥମେ ସେମାନେ ପ୍ରକୃତରେ ଅମିଳାପୀ ଓ Formal. କିନ୍ତୁ କୌଣସି ସଂକୀର୍ଣ୍ଣତା ନ ରଖି ଯଦି କେହି ଖୋଲା ଖୋଲି ଭାବରେ ମିଶିପାରେ ତାହେଲେ ସେମାନେ ଖୁବ୍ ଭଲ ବ୍ୟବହାର କରନ୍ତି । ଯେଉଁ ଅଞ୍ଚଳରେ ମୁଁ ଏକାଦିକ୍ରମେ ଅଢ଼େଇ ବର୍ଷ ରହିଥିଲି, ସେଠାକାର ରାସ୍ତାର ଝାଡ଼ୁଦାରଠୁଁ ଆରମ୍ଭ କରି ଖବରକାଗଜ ଦୋକାନ, ଔଷଧ ଦୋକାନ, ପନିପରିବା ବିକାଳୀ, ପୋଷ୍ଟ ଅଫିସ କ୍ଳାର୍କ, ସେ ସାହିର ଛୋଟ ଛୋଟ ପିଲା ଓ ସେମାନଙ୍କର ବାପ ମା ପର୍ଯ୍ୟନ୍ତ ସମସ୍ତଙ୍କର ସ୍ମିତ ହାସ ଓ “Hallow, How are you?-(ହାଲୋ, କିପରି ଅଛ ?)” ସମ୍ବୋଧନ କେବେ ଭୁଲିବାର ନୁହେଁ-। ରାସ୍ତାରେ ବାହାରିଲେ ଛୋଟ ଛୋଟ ପିଲାମାନେ ଖେଳ ଛାଡ଼ି Uncle, Uncle, କହି ଦୌଡ଼ି ଆସନ୍ତି ପାଖକୁ-କେତେ କଥା ପଚାରନ୍ତି-ପିଲାଙ୍କର ସେହି ଅସରନ୍ତି ପ୍ରଶ୍ନବାଣୀ-“କୁଆଡ଼େ ଯାଉଛ?”-“କାହିଁକି ଯାଉଛ ?” ଇତ୍ୟାଦି ଅନେକ ଅତି ଆପଣାର ପ୍ରଶ୍ନ ସବୁ-ଖୁବ୍ ଭଲ ଲାଗେ । କାହିଁ ସେମାନଙ୍କ ମନରେ ତ କୌଣସି ଆବିଳତା ପଶିନାହିଁ ? ଅନ୍ୟ ଦେଶ ଲୋକଙ୍କୁ ଘୃଣା କରିବାର ପ୍ରକୃତି ହୋଇ ନାହିଁ-ଅନ୍ୟ ଦେଶ ଲୋକଙ୍କର ରକ୍ତରେ ନିଜକୁ ଫୁଲାଇବାର ଦୁରାଶା ହୋଇ ନାହିଁ-ତେବେ ଚେଷ୍ଟା କଲେ ଏହିମାନଙ୍କୁ ଅଖଣ୍ଡ ପୃଥିବୀର ହିଂସାଦ୍ଵେଷହୀନ ଉପଯୁକ୍ତ ନାଗରିକ ରୂପେ କାହିଁକି ଗଢ଼ାଯାଇ ପାରିବ ନାହିଁ ? ସେମାନେ ବଡ଼ ହେଲେ ସଂକୀର୍ଣ୍ଣ ସ୍ଵଜାତିଭକ୍ତ ଓ ପରଦେଶଦ୍ଵେଷୀ ହୋଇ ପଡ଼ନ୍ତି କାହିଁକି ? ଏଟା କଣ ବର୍ତ୍ତମାନ ସମାଜର ଦୋଷ ନୁହେ ? ଉପଯୁକ୍ତ ଯୋଜନା ଅନୁସାରେ କଣ ସେମାନଙ୍କୁ ବିଶ୍ଵପ୍ରେମୀ ନାଗରିକ ରୂପେ ଗଢ଼ାଯାଇ ପାରେ ନା ? ନିଶ୍ଚୟ ହୋଇପାରିବ । ସେଥିଲାଗି କିନ୍ତୁ ପୃଥିବୀର ସବୁ ଦେଶରେ ଗୋଟାଏ ଆମୂଳଚୂଳ ସାସ୍କୃତିକ, ମାନସିକ ତଥା ରାଜନୈତିକ ବିପ୍ଳବର ଆବଶ୍ୟକ ଏବଂ ଏପରି ବିପ୍ଳବ ଅବଶ୍ୟମ୍ଭାବୀ ବୋଲି ମନେ ହୁଏ । ବର୍ତ୍ତମାନ ପରିସ୍ଥିତିରେ ଏ ପ୍ରକାର ବିପ୍ଳବ ନ ହେଲେ ମାନବସଭ୍ୟତାର ଅସ୍ତିତ୍ଵ ରହିବ ନାହିଁ ।

 

ଯେତିକି ଯେତିକି ଲଣ୍ଡନ ଛାଡ଼ିବାର ସମୟ ପାଖେଇ ଆସିଲା, ସେତିକି ମନ ଭାରି ହୋଇ ଉଠିଲା । ପିଟର, ଜେକି, ମେରୀ, ଏଲିଜାବେଥ ପ୍ରଭୃତି ଛୋଟ ଛୋଟ ପିଲାମାନଙ୍କୁ ଗୋଟିଏ ଗୋଟିଏ ଚକୋଲଟ୍ ହାତରେ ଦେଇ ମୁଣ୍ଡ ଆଉଁସି କହିଲି ? “ଦେଖ ପିଲାମାନେ, ମୁଁ ମୋ ଦେଶକୁ ଫେରିଯାଉଛି ।” ସମସ୍ତେ କହି ଉଠିଲେ-“ଆମେ ଯିବୁ ତୁମ ଦେଶକୁ-ଦେଖିବୁ ବାଘ ସାପ, ପାହାଡ଼ ପର୍ବତ”– “ଆଚ୍ଛା ତୁମେ ଏଠିକି ପୁଣି କେବେ ଫେରି ଆସିବ ?”- ମୋ ଆଖିରେ ଲୁହ ଆସିଲା । ମୁଁ କହିଲି “ନା, ଆଉ କେଭେଁ ଆସିବି ନାହିଁ ।”

 

ମୋ ସାହିର ଆଉ ଜଣେ ବୁଢ଼ୀ ଖରାଦିନେ ତା ଘର ସାମନା ବଗିଚାରେ ଫୁଲ ତୋଳୁଥିଲା ବେଳେ ମୁଁ ଯଦି ସେ ରାସ୍ତାରେ ଯାଉଥାଏ, ତାହାହେଲେ ତାକୁ ଫୁଲ ତୋଳିବାରେ ସାହାଯ୍ୟ କରିଥାଏ – ସେ ବହୁତ ଖୁସି ହୋଇ ମୋ ବସାକୁ ତୋଡ଼ାଏ ଫୁଲ ପଠାଇଦିଏ-ତାଠାରୁ ବିଦାୟ ନେଇ ଆସିଲାବେଳେ ସେ କହିଲା–“Rath, I will miss you very much’’ ଆଉ ଥରେ ଯଦି କେବେ ଆସ ଏଠାକୁ ତାହେଲେ ନିଶ୍ଚୟ ମୋ ଘରକୁ ଆସିବ–ହୁଏତ ମୁଁ ସେତେବେଳକୁ ମରିଯାଇଥିବି !” ତାର ସ୍ନେହ ମୁଁ କେଭେ ଭୁଲି ପାରିବିନି । ପଡ଼ିଶାଘରୁ, ଆଗ ସାମନା ଘରୁ, ଖବରକାଗଜବିକାଳୀ, ପନିପରିବାବିକାଳୀମାନଙ୍କଠାରୁ-ଏପରି ଅନେକ ଲୋକଙ୍କଠାରୁ ବିଦାୟ ନେଲି-ସମସ୍ତଙ୍କଠାରୁ ଶୁଣିଲି ଶୁଭକାମନା ଓ ଚାଲି ଆସିବାରେ ଦୁଃଖ ପ୍ରକାଶ । ମୁଁ ଯାହାଙ୍କ ଘରେ ଅଢ଼େଇ ବର୍ଷ କାଳ ଅତିଥି ହୋଇ ଥିଲି, ସେମାନେ ଓ ସେମାନଙ୍କର କେତେକ ବନ୍ଧୁବାନ୍ଧବ ମୋତେ ଆସିଥିଲେ ଛାଡ଼ି ଷ୍ଟେସନକୁ । କି କରୁଣ ଓ କି ବିଷାଦଭରା ହୋଇଥିଲା ସେହି ମୁହୂର୍ତ୍ତଟି । ଯେତେବେଳେ କରମର୍ଦ୍ଦନ କରି ମୁଁ ଗାଡ଼ିରେ ଉଠିବାକୁ ଗଲି ସମସ୍ତଙ୍କ ଆଖିରେ ଲୁହ-ମୁହଁରେ ହସ-ଘର ଛାଡ଼ିଲାବେଳେ ମୋର ଯେପରି ଦୁଃଖ ହୋଇଥିଲା, ଠିକ୍ ସେପରି ଦୁଃଖ ହେଲା-ବରଂ ତାଠାରୁ ଟିକିଏ ବେଶୀ-ଯେତେବେଳେ ମୁଁ ଭାବିଲି ଆଉ ଜୀବନରେ କେଭେ ଏମାନଙ୍କ ସଙ୍ଗରେ ଦେଖା ହେବ ନି । ମନୁଷ୍ୟ ମମତା ଓ ସ୍ନେହ ଆକର୍ଷଣ କେତେ ଉଚ୍ଚରେ ତା ମୁଁ ସେଦିନ ବୁଝିଲି-ସ୍ନେହ ମମତା ଆଗରେ ଜାତି, ଧର୍ମ, ଦେଶ, ବର୍ଣ୍ଣଭେଦ ନାହିଁ-ହୃଦୟ ଏକ-ସ୍ନେହ ଅଖଣ୍ଡ-ଆକର୍ଷଣ ସନାତନ; କିନ୍ତୁ ତାହା ସମ୍ଭବ ହୋଇ ପାରୁନାହିଁ କେତେ ଜଣଙ୍କର ଚକ୍ରାନ୍ତରେ । ଧର୍ମ ନାମରେ, ଦେଶ ନାମରେ ଏମାନେ ଦେଶ ଦେଶରେ ଧ୍ଵଂସଲୀଳା ରଚନା କରୁଛନ୍ତି-ହୃଦୟର ସନାତନ ଆକର୍ଷଣକୁ ବିଷଯୁକ୍ତ କରି ଦେଉଛନ୍ତି । ତେଣୁ ଚାରିଆଡ଼େ ଶତ୍ରୁତା-ପୃଥିବୀବ୍ୟାପୀ ନିର୍ମମତା ଛାଇ ହୋଇ ଯାଇଛି । ମନୁଷ୍ୟହୃଦୟ ଏହି ବିଷଜାଲ ମଧ୍ୟରେ ଛଟପଟ ହୋଇ ତାହାର ସ୍ୱଭାବ ନଷ୍ଟ ହୋଇଯାଇଛି । କିନ୍ତୁ ଏ ପ୍ରକାର କୃତ୍ରିମ ଆବରଣ ଛିଣ୍ଡାଇ ଦେଖି ବସିଲେ ତାର ଅମୂଲ୍ୟ ସ୍ଵଭାବ ପରିସ୍ଫୁଟ ହୋଇ ପଡ଼େ ଏବଂ ତାର ଉପଯୁକ୍ତ ସଦ୍‌ବ୍ୟବହାର କରିପାରିଲେ ପୃଥିବୀ ଯେ ସମ୍ପୂର୍ଣ୍ଣ ବଦଳିଯିବ, ଏଥିରେ ସନ୍ଦେହ ନାହିଁ । ସୁଖର ବିଷୟ ଯେ କୌଣସି ଜାତି ଦୁଷ୍ଟ ଲୋକଙ୍କ ଦ୍ଵାରା ସମ୍ପୂର୍ଣ୍ଣରୂପେ ପରିଚାଳିତ ନୁହେଁ । କିଏ କହିବ ଯେ ସାରା ଇଂରେଜ ଜାତି ଆମ ଦେଶର ଶାସକବର୍ଗଙ୍କ ପରି ଅତ୍ୟାଚାରୀ ଓ ଉଦ୍ଧତ । ସେହି ଦେଶର କେତେକ ଲୋକ ତ ଫେର ଏପରି ସ୍ନେହପୂର୍ଣ୍ଣ, ଲୋତକଭରା ଆଖିରେ ଆମ୍ଭମାନଙ୍କୁ ବିଦାୟ ଦିଅନ୍ତି ।

 

ରେଳ ଲଣ୍ଡନର ଲିଭରପୁଲ ଷ୍ଟେସନ ଛାଡ଼ିଲା-କ୍ରମେ କ୍ରମେ ସମସ୍ତେ ଅଦୃଶ୍ୟ ହୋଇଗଲେ । ରବିଠାକୁରଙ୍କର ଗୋଟିଏ କବିତା ମନେ ପଡ଼ିଲା । “ଯେତେ ନାଇ ଦିବ.....ଯେତେ ଦିତେ ଇଚ୍ଛା ନାହିଁ......ହାୟ ତବୁ ଯେତେ ଦିତେ ହୟ ତବୁ ଚଲେଯାଏ .. ।” ରାସ୍ତା ଦିକଡ଼ର ସେଇ ପୁରୁଣା ଜାଗା ସବୁ–‘Yon’s ହୋଟେଲର ସେହି ହଳଦିଆ ଅକ୍ଷରଗୁଡ଼ାକ Burton, Express diary ପ୍ରଭୃତି ପରିଚିତ ଘରଗୁଡ଼ାକ, ଲମ୍ବା ଲମ୍ବା ଦୋତାଲା ବାସଗୁଡ଼ାକ ସବୁ ଯେପରି କହୁଛନ୍ତି, “ଯେତେ ଆମି ଦିବ ନା ତୋମାୟ......।” ତଥାପି ମିନିଟ୍ ପରେ ମିନିଟ୍ ଗାଡ଼ିର ଗତି ବଢ଼ିଚାଲିଛି । ଗାଡ଼ି ଏକ ନିଃଶ୍ଵାସରେ ଏସବୁର ମାୟା ମମତା କଟାଇ ଯେପରି ଆଗେଇ ଚାଲିଛି କର୍ତ୍ତବ୍ୟର ଇସ୍ପାତ ଯାନ୍ତ୍ରିକ ମହାରଥ ପରି । ଅତୀତର ସ୍ନେହ, ମମତା ଓ କରୁଣ ମଧୁର ସ୍ମୃତିର ଜମାଟବନ୍ଧା କୋହ ଭବିଷ୍ୟତର କୁହେଳିକାଚ୍ଛନ୍ନ ଅନିର୍ଦ୍ଦିଷ୍ଟତାର ତୀରଦେଶରେ ନୀରବ ନିଶ୍ଚଳ ଭାବେ ଥମକି ବସିଛି, ବର୍ତ୍ତମାନର ସେକେଣ୍ଡ କଣ୍ଟାର ଟିକ୍ ଟିକ୍ ଶବ୍ଦର ତାଳରେ ଜୀବନର ରଥଚକ୍ର ଭବିଷ୍ୟତର ସେହି ଅସ୍ପଷ୍ଟ ରାଜପଥ ଉପରେ ଆଗକୁ ଆଗକୁ ମାଡ଼ିଚାଲିଛି ।

Image